ଓଡ଼ିଶାଲାଇଭ୍ ବ୍ୟୁରୋ

  • ଦୁଇଟି ପୃଥକ ପୃଥକ ମାମଲା ରୁଜୁ
  • ସିବିଆଇ କିମ୍ଵା ଏସ୍ଆଇଟି ତଦନ୍ତ ଅନୁରୋଧ
  • ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ପ୍ରାର୍ଥନା

ନୟାଗଡ ଜିଲ୍ଲାର ବହୁଚର୍ଚ୍ଚିତ ‘ପରୀ’ ଅପହରଣ ଏବଂ ହତ୍ୟା ଘଟଣାକୁ ନେଇ ଗୁରୁବାର ହାଇକୋର୍ଟରେ ଦୁଇଟି ମାମଲା ରୁଜୁ ହୋଇଛି। ସିବିଆଇ କିମ୍ବା ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା (ଏସ୍ଆଇଟି) ଦ୍ଵାରା ମାମଲାର ତଦନ୍ତ ଓ ମୃତକଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରାର୍ଥନା କରି ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ମହିଳା ଆଇନଜୀବୀ ପଦ୍ମାଳୟା ମହାପାତ୍ର ଏବଂ ସମାଜସେବୀ ସୁରେନ୍ଦ୍ର ପାଣିଗ୍ରାହୀ ପୃଥକ ପୃଥକ ଭାବେ ଏହି ମାମଲା ଦ୍ଵୟ ରୁଜୁ କରିଛନ୍ତି।

ପରୀ ହତ୍ୟାକାଣ୍ଡକୁ ଇତିମଧ୍ୟରେ ୪ ମାସ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ଘଟଣାକୁ ଚପାଇ ଦେବା ପାଇଁ ପୋଲିସର ଉଦାସୀନତା ମନୋଭାବ ଏବଂ ରାଜନୈତିକ ଚାପ ହେଉଥିବା ଅଭିଯୋଗ କରି ପରୀର ବାପା-ମା’ ବିଧାନସଭା ସମ୍ମୁଖରେ ଆତ୍ମହୁତି ଉଦ୍ୟମ କରିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ମାମଲା ଏବେ ହାଇକୋର୍ଟରେ ପହଞ୍ଚିଯାଇଛି।

ଆବେଦନକକାରୀ ଦ୍ଵୟ ପୃଥକ ପୃଥକ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଗତ ଜୁଲାଇ ୧୪ ତାରିଖରେ ନୟାଗଡ଼ ସଦର ଥାନା ଯଦୁପୁର ଗ୍ରାମର ୫ବର୍ଷର ଝିଅ ଅମ୍ରିତା ସ୍ନେହା ସାହୁ(ପରୀ) ଗାଁ ଦାଣ୍ଡରେ ଖେଳୁଥିଲା। ଏହି ସମୟରେ ତାକୁ ଦୁବୃର୍ତ୍ତମାନେ ଅପହରଣ କରିନେଇଥିଲେ। ପରେ ଜୁଲାଇ ୨୩ ତାରିଖରେ ଅପରାହ୍ନ ୪ଟା ୨୦ ମିନିଟ୍ ସମୟରେ ଘର ପଛ ପାଖ ଗାଁ ପୋଖରୀର ବନ୍ଧ ଉପରେ ଝିଅଟିର ମୃତଦେହ ଅଖାରେ ବନ୍ଧା ହୋଇ ପଡିଥିଲା। ସଦର ଥାନା ପକ୍ଷରୁ ଘଟଣାର ତଦନ୍ତ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଏସ୍‌ସିବିକୁ ପଠାଯାଇଥିଲା। ତେବେ ବାପା ଅଶୋକ ଏବଂ ମା’ ସୌଦାମିନୀଙ୍କ ଡିଏନ୍ଏ ପରୀକ୍ଷା କରାଯାଇ ଅଖାରେ ଥିବା ମୃତଦେହ ‘ପରୀ’ର ବୋଲି ଜଣାପଡିଥିଲା।

ଏହି ମାମଲାରେ ୪ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପଲିଗ୍ରାଫ୍ ପରୀକ୍ଷା କରାଯାଇଛି। ସମସ୍ତ ସନ୍ଦିଗ୍ଧଙ୍କ କଲ୍ ରେକର୍ଡ ଯାଞ୍ଚ ହୋଇଛି। ନୟାଗଡ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ୍‌ରେ ସନ୍ଦିଗ୍ଧଙ୍କ ଆର୍ଥିକ କାରବାରକୁ ଯାଞ୍ଚ୍ କରାଯାଇଛି। କିନ୍ତୁ ଏତେସବୁ ସତ୍ତ୍ଵେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇନାହିଁ। ରାଜନୈତିକ ଚାପରୁ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ପଛଘୁଞ୍ଚା ଦେଉଛି ବୋଲି ପିଟିସନ୍‌ରେ ଅଭିଯୋଗ କରାଯାଇଛି। ଏଣେ ପରୀର ବାପା, ମା’  ଏବେ ବି ନ୍ୟାୟ ପାଇଁ ଘୂରି ବୁଲୁଛନ୍ତି। ଏହି ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Comment