ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ର ବହୁଚର୍ଚ୍ଚିତ ପରୀ ମୃତ୍ୟୁ ମାମଲାର ତଦନ୍ତ ଭାର ଏକ ଜାତୀୟ ସଂସ୍ଥାକୁ ଦେବାକୁ ସୁପାରିସ କଲେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ବର୍ତ୍ତମାନର ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ଥିବା ଦର୍ଶାଇ ଏନସିପିସିଆର୍ ରାଜ୍ୟ ସରକାରଙ୍କୁ ଏହି ପରାମର୍ଶ ଦେଇଛନ୍ତି।

ଗତ ଡିସେମ୍ବର ମାସରେ ବିଜେପି ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର ପରୀ ମୃତ୍ୟୁ ମାମଲାକୁ ନେଇ ଏନସିପିସିଆରର ଦ୍ୱାରସ୍ଥ ହୋଇଥିଲେ। ଏହାପରେ କମିସନ ଏହାର କେନ୍ଦ୍ରୀୟ ତଦନ୍ତ ପାଇଁ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ଏସଆଇଟି ଏହି ମାମଲାର ତଦନ୍ତ କରୁଥିବାବେଳେ ଏହାର ମୁଖ୍ୟ ଅରୁଣ ବୋଥ୍ରାଙ୍କ କାର୍ଯ୍ୟକଳାପକୁ ନେଇ ବିରୋଧର ସ୍ୱର ଦେଖିବାକୁ ମିଳୁଛି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସୁପାରିସ୍ କରିଛନ୍ତି।

ଏହାସହ ଯେଉଁ ଅଫିସରମାନେ ଏହି ମାମଲାର ତଦନ୍ତ ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବ କରିଥିଲେ ସେମାନଙ୍କ ବିରୋଦରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।

ନୟାଗଡ଼ର ପାଞ୍ଚ ବର୍ଷର ଝିଅ ପରୀକୁ କିଏ ହତ୍ୟା କରିଛି ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ଏହି କୁନି ଝିଅକୁ କେହି ଦୁଷ୍କର୍ମ କରି ହତ୍ୟା କରିଛି ବୋଲି ସୂଚନା ମିଳୁଛି। ଏସମ୍ପର୍କରେ ଏସଆଇଟି ନିଜର ତଦନ୍ତ ରିପୋର୍ଟ ବନ୍ଦ ଲଫାପାରେ ହାଇକୋର୍ଟରେ ଦାଖଲ କରିସାରିଛି।

Comment