ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପ୍ରଭାବ ହ୍ରାସ ହେବା ପରେ ରାଜ୍ୟର  ଶିକ୍ଷାନୁଷ୍ଠାନ ସବୁ ଜାନୁଆରି ମାସରୁ ଖୋଲିବ ବୋଲି ଅନୁମାନ କରାଯାଉଛି। ସ୍କୁଲ, କଲେଜ ଖୋଲିବା ଆଶା ଦେଖାଯିବା ପରେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ କ୍ୟାମ୍ପସ ସବୁ ପ୍ରସ୍ତୁତ ହେଉଛନ୍ତି। ଇତିମଧ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ କ୍ୟାମ୍ପସଗୁଡ଼ିକୁ ସଫା କରିବା କାମ ଆରମ୍ଭ ହୋଇଛି। ହଷ୍ଟେଲ,ଶ୍ରେଣୀଗୃହ ଓ ଅଫିସ  ସବୁକୁ ସାନିଟାଇଜ କରାଯାଇଛି। ଯଦିଓ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ ତଥାପି ଆଶା କରାଯାଉଛି ନୂଆ ବର୍ଷରେ କ୍ୟାମ୍ପସ ଗୁଡ଼ିକରେ ପୁଣି ଥରେ ଗହଳ ଚହଳ ଆରମ୍ଭ ହେବ।

ଭୁବନେଶ୍ବରରେ ଥିବା ଆଗୁଆ ଶିକ୍ଷାନୁଷ୍ଠାନ ଆଇଆଇଟି ପକ୍ଷରୁ ଶ୍ରେଣୀ ଗୃହରେ ପ୍ରବେଶ କରିବା ପୂର୍ବରୁ  ଛାତ୍ରଛାତ୍ରୀମାନଙ୍କୁ କ୍ୱାରେଣ୍ଟାଇନ୍‌ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ଆରଭି ରାଜକୁମାର କହିଛନ୍ତି ଯେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ସମଗ୍ର କ୍ୟାମ୍ପସକୁ ସାନିଟାଇଜ କରାଯାଇଛି। ବର୍ତ୍ତମାନ କ୍ୟାମ୍ପସରେ କୌଣସି କୋଭିଡ ମାମଲା ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଥମେ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଭିତରୁ ୫୦ ପ୍ରତିଶତ ପିଲାଙ୍କୁ ଅନୁମତି ଦିଆଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ପିଲାଙ୍କୁ ଅନୁମତି ମିଳିବ। ତେବେ ନିୟମିତ ଭାବେ  ଅଫଲାଇନ କ୍ଲାସ ଆରମ୍ଭ ହେବା ନେଇ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

କରୋନା ପରେ କ୍ଲାସ ଆରମ୍ଭ ହେଉଥିବାରୁ ସମସ୍ତଙ୍କ ପାଇଁ ଏହା ଏକ ନୂଆ ଅନୁଭୂତି ହେବ ବୋଲି ସେ ମତ ଦେଇଛନ୍ତି। ସବୁ ପିଲାଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସେହିଭଳି ଉତ୍କଳ ବିଶ୍ୱବିଦ୍ୟାଳୟରେ ମଧ୍ୟ ପାଠପଢା ଆରମ୍ଭ ପାଇଁ ସାନିଟାଇଜ ସମେତ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡ଼ିଛି।

Comment