ତୁଷାର ସାମନ୍ତରାୟ

ପରୀ ଘଟଣା ପରେ ଏବେ ଗୋଟିଏ ପ୍ରଶ୍ନ ଦୁଷ୍କର୍ମ ମାନସିକତା ପଛରେ ରହିଛି କି ପର୍ଣ୍ଣୋଗ୍ରାଫିର ପ୍ରଭାବ?

ରାଜ୍ୟରେ ପରୀ ମୃତ୍ୟୁ ଘଟଣା ଏବେ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ। ମଙ୍ଗଳବାର ଏନେଇ ତଦନ୍ତ କରୁଥିବା ଏସଆଇଟି ସାମ୍ବାଦିକ ସମ୍ମିଳନୀ କରିଥିବାବେଳେ ଏହି ହତ୍ୟାକାଣ୍ଡ ପଛରେ ଅଶ୍ଲୀଳ ଭିଡିଓ ବା ପର୍ଣ୍ଣୋଗ୍ରାଫି ରହିଥିବା କଥା ଉଲ୍ଲେଖ କରିଛି।  ଯୁବକ ଜଣକ ଅତ୍ୟଧିକ ଅଶ୍ଲୀଳ ଭିଡିଓ ଦେଖିବା ପରେ ଏହାଦ୍ୱାରା ପ୍ରଭାବିତ ହୋଇ ଏଭଳି କାଣ୍ଡ ଭିଆଇଛି ବୋଲି କୁହାଯାଇଛି; ଯାହାପରେ ଏବେ  ବୁଦ୍ଧିଜୀବୀ ମହଲରେ ଗୋଟିଏ ପ୍ରଶ୍ନ ଛିଡ଼ାହୋଇଛି ଯେ, ପର୍ଣ୍ଣୋଗ୍ରାଫି ହେତୁ ଲୋକମାନେ ଦୁଷ୍କର୍ମ କରିବାକୁ ଆଗଭର ହେଉଛନ୍ତି କି?

ଏହାକୁ ନେଇ ବିଭିନ୍ନ ବର୍ଗର ଲୋକ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। କେତେକ ଏହାକୁ ବିକୃତ ମାନସିକତାର କାରଣ ବୋଲି କହୁଥିବାବେଳେ ଆଉ କେତେକ ଏହା ପଛରେ ଅଶ୍ଲୀଳ ୱେବସାଇଟ୍, ଉତ୍ତମ ଶିକ୍ଷା ଓ କଡ଼ା ଆଇନର ଅଭାବ ବୋଲି କହିଛନ୍ତି।ସହଜରେ ଉପଲବ୍ଧ ଅଶ୍ଲୀଳ ୱେବସାଇଟ୍

ପୂର୍ବତନ ମହିଳା କମିସନର ତଥା ସମାଜସେବୀ ନମ୍ରତା ଚଢ଼ାଙ୍କ କହିବା ଅନୁସାରେ, ବର୍ତ୍ତମାନ ସବୁ ଲୋକଙ୍କ ପାଖରେ ଶସ୍ତାରେ ଇଣ୍ଟରନେଟ୍। ଛୋଟ ଛୋଟ ପିଲାମାନେ ବି ଆଣ୍ଡ୍ରୋଏଡ୍ ଫୋନ୍ ବ୍ୟବହାର କରୁଛନ୍ତି। ଅଶ୍ଲୀଳ ଭିଡିଓ ସାଇଟ୍ ଗୁଡ଼ିକ ଫୋନରେ ସହଜରେ ଉପଲବ୍ଧ ହେଉଥିବାରୁ ଛୋଟ ଛୋଟ ପିଲାମାନେ ଏହା କବଳରେ ସହଜରେ ପଡ଼ିଯାଉଛନ୍ତି। ଭିଡିଓ ଦେଖିବା ପରେ ସେମାନେ ନିଜର ମାନସିକ ଭାରସାମ୍ୟ ହରାଇ ଏଭଳି କୁକାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।

ତା’ସହିତ ବିଭିନ୍ନ ଓଟିଟି ପ୍ଲାଟଫର୍ମ ଓ ସୋସିଆଲ୍ ମିଡିଆରେ ଅଙ୍ଗ ପ୍ରଦର୍ଶନ, ଅସଭ୍ୟ ଭାଷା ଓ କାହାଣୀ ପିଲାମାନଙ୍କ ଚରିତ୍ରକୁ ଗଭୀର ଭାବେ ପ୍ରଭାବିତ କରୁଛି। ବର୍ତ୍ତମାନ ଏହି ପ୍ଲାଟଫର୍ମଗୁଡ଼ିକରେ ଅଶ୍ଲୀଳତା ଭରି ରହିଛି। ତେଣୁ ଏସମ୍ପର୍କରେ ସରକାର ଖୁବଶୀଘ୍ର ବିଚାର କରିବା ସହିତ ଏହାକୁ ନେଇ ତୁରନ୍ତ କଡ଼ା ଆଇନ୍ ଆଣିବାକୁ ନମ୍ରତା କହିଛନ୍ତି।ବିକୃତ ମାନସିକତା ହିଁ ଦୁଷ୍କର୍ମର କାରଣ

ଚଳଚ୍ଚିତ୍ର, ୱେବସିରିଜ ଓ ମନୋରଞ୍ଜନ ଧର୍ମୀ ଭିଡିଓରେ ଅଶ୍ଲୀଳତା କାରଣରୁ ସମାଜରେ ଦୁଷ୍କର୍ମ ବଢୁଛି ବୋଲି କୁହାଯାଉଛି। ହେଲେ ଏକଥାରେ ସମ୍ପୂର୍ଣ୍ଣ ଭାବେ ଅମଙ୍ଗ ପ୍ରକାଶ କରିଛନ୍ତି ଜାତୀୟ ଫିଲ୍ମ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ କପିଳାସ ଭୂୟାଁ।

“ଆଜିର ଦିନରେ ସବୁ ଲୋକ ଏଭଳି ଫିଲ୍ମ, ୱେବସିରିଜ୍ ଦେଖୁଛନ୍ତି; କିନ୍ତୁ ଯେଉଁମାନେ ମାନସିକ ଭାବେ ବିକୃତ ଏବଂ ଦୁର୍ବଳ ସେହିମାନେ ହିଁ ଏଭଳି କାଣ୍ଡ କରିଥାନ୍ତି। ବର୍ତ୍ତମାନ ସ୍ଥିତିରେ ବିକୃତ ମାନସିକତା ହିଁ ଦୁଷ୍କର୍ମର ପ୍ରମୁଖ କାରଣ”, କହନ୍ତି କପିଳାସ ଭୂୟାଁ।

ଲୋକମାନେ ନିଜ ମା, ଭଉଣୀ ଓ ସମ୍ପର୍କୀୟଙ୍କୁ ଯଥେଷ୍ଟ ସମ୍ମାନ କରିଥାନ୍ତି। ହେଲେ ତାଙ୍କ ପରିବାର ବ୍ୟତୀତ ଅନ୍ୟମାନଙ୍କୁ ସେମାନେ ଖରାପ ନଜରରେ ଦେଖିଥାନ୍ତି। ତେଣୁ ଉପଯୁକ୍ତ ଶିକ୍ଷା ହିଁ ସମାଜରେ ଦୁଷ୍କର୍ମର ପରିମାଣ କମ କରିପାରିବ ବୋଲି କପିଳାସ ଭୂୟାଁ ମତପ୍ରକାଶ କରିଛନ୍ତି।ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋର ରିପୋର୍ଟ ଅନୁସାରେ, ୨୦୧୯ ମସିହାରେ ଭାରତରେ ମୋଟ ୧,୪୮,୧୮୫ ଜଣ ଶିଶୁ ବିଭିନ୍ନ ଅପରାଧର ଶିକାର ହୋଇଥିଲେ। ଯାହାକି ପୂର୍ବବର୍ଷ ତୁଳନାରେ ୪.୫ ପ୍ରତିଶତ ଅଧିକ। ସେ ଭିତରୁ ପ୍ରାୟ ୨୬,୧୯୨ଟି ମାମଲା ନାବାଳିକାଙ୍କୁ ଦୁଷ୍କର୍ମ ସମ୍ପର୍କିତ ରହିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ସେହିପରି ଓଡ଼ିଶାରେ ଗତବର୍ଷ ୭୦୧୨ ଜଣ ଶିଶୁ ବିଭିନ୍ନ ଅପରାଧର ଶିକାର ହୋଇଥିଲେ। ଏହାପୂର୍ବରୁ ୨୦୧୭ ମସିହାରେ ଏହିସଂଖ୍ୟା ମାତ୍ର ୩୧୮୫ ଥିବାବେଳେ ୨୦୧୮ ରେ ଏହା ୫୨୧୭ ଥିଲା। ତେବେ ୨୦୧୯ରେ ଏହା ବୃଦ୍ଧି ପାଇ ୭ ହଜାର ଟପିଥିଲା।

Comment