ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ପରଦା ଉପରେ ଭିନ୍ନ ଭିନ୍ନ ଭୂମିକାରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇଛନ୍ତି। କିନ୍ତୁ ଆପଣ ଲକ୍ଷ୍ୟ କରିଥିବେ ସିଦ୍ଧାନ୍ତ ପୋଲିସ ଭୂମିକାରେ ସବୁଠୁ ଅଧିକ ଥର ପରଦାକୁ ଓହ୍ଲାଇଛନ୍ତି। ପୋଲିସ ପୋଷାକ ସାଙ୍ଗକୁ ସିଦ୍ଧାନ୍ତଙ୍କ ଚମତ୍କାର ଡାଇଲଗ୍‌ ଦର୍ଶକଙ୍କ ମନ କିଣିପାରିଛି।

ସିଦ୍ଧାନ୍ତ ମହାପାତ୍ର ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଧର୍ମର ହେବ ଜୟ, ଦେ ମା’ ଶକ୍ତି ଦେ ଏବଂ ମତେ ଆଣି ଦେଲ ଲକ୍ଷେ ଫଗୁଣ ଆଦି ସିନେମାରେ ନଜର ଆସିଛନ୍ତି ପୋଲିସ ଚରିତ୍ରରେ। ‘ଧର୍ମର ହେବ ଜୟ’ରେ ତାଙ୍କ ବାପା ଭୂମିକା ନିଭାଇଥିବା ଅଭିନେତା ବିଜୟ ମହାନ୍ତି ଥିଲେ କନ୍‌ଷ୍ଟେବଲ ଚରିତ୍ରରେ। ହେଲେ ଏଥିରେ ସିଦ୍ଧାନ୍ତ ବନିଥିଲେ ପୋଲିସ ଅଧିକାରୀ।

‘ଦେ ମା’ ଶକ୍ତି ଦେ’ରେ ସିଦ୍ଧାନ୍ତ ଉଭୟ ପଜିଟିଭ୍‌ ଓ ନେଗେଟିଭ୍ ପୋଲିସ ଅଫିସରରେ ନଜର ଆସିଥିଲେ। କାରଣ ଏଥିରେ ତାଙ୍କର ଡବଲ୍ ରୋଲ୍ ଥିଲା।

ନିର୍ଦ୍ଦେଶକ ଶୁଭେନ୍ଦୁ ସ୍ୱାଇଁଙ୍କ ନିର୍ଦ୍ଦେଶିତ ଦୁଇଟି ସିନେମା ହେଲା ‘ଚକା ଚକା ଭଉଁରି’ ଓ ‘ବନ୍ଦେ ଉତ୍କଳ ଜନନୀ’। ଏ ଦୁଇ ଫିଲ୍ମରେ ସିଦ୍ଧାନ୍ତଙ୍କୁ ଦେଖିବାକୁ ମିଳିଥିଲା ପୋଲିସ ଅଧିକାରୀ ଭୂମିକାରେ। ଉଭୟ ସିନେମାରେ ସିଦ୍ଧାନ୍ତଙ୍କର ଆକ୍‌ସନ୍‌ ରୋଲ୍ ଥିଲା। ଅବଶ୍ୟ ‘ଚକା ଚକା ଭଉଁରି’ ସିନେମାରେ ତାଙ୍କ ଚରିତ୍ରରେ ରୋମାନ୍ସ ଥିଲା ଅଧିକ, କିନ୍ତୁ ବନ୍ଦେ ଉତ୍କଳ ଜନନୀ’ ଥିଲା ସୁପର ଆକସନ୍‌ ମୁଭି।

ଶକ୍ତି ବରାଳଙ୍କ ନିର୍ଦ୍ଦେଶିତ ‘ତୁ ଏକା ଆମ ସାହା ଭରସା’ ଓ ସ୍ୱର୍ଗତ ମହମ୍ମଦ୍‌ ମହସୀନଙ୍କ ନିର୍ଦ୍ଦେଶିତ ‘ଲକ୍ଷ୍ମୀ ପ୍ରତିମା’ରେ ମଧ୍ୟ ପୋଲିସ ଅଧିକାରୀ ଚରିତ୍ରରେ ନଜର ଆସିଥିଲେ ସିଦ୍ଧାନ୍ତ ମହାପାତ୍ର।

Comment