ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବଢ଼ିବାରେ ଲାଗିଛି ତାତି। ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ପାଇଁ ସକାଳୁଆ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି ସରକାର। ନବମ ଓ ଏକାଦେଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୭ ରୁ ୯ ପର୍ଯ୍ୟନ୍ତ କ୍ଲାସ ହେବାକୁ ଥିବାବେଳେ, ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୯ରୁ ମଧ୍ୟାହ୍‌ଣ ୧ ପର୍ଯ୍ୟନ୍ତ କ୍ଲାସ କରିବାକୁ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଆଜି ସମସ୍ତ ଡିଇଓଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ସଚିବ।

ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଦେଖି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ କରାଇଥିଲେ। କରୋନା କାଳରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ଅନେକ ବାଧା ଉପୁଜିଥିଲା। ଦୁଇମାସ ହେବ କରୋନା ସ୍ଥିତି ସ୍ୱାଭାବିକ ହେବାପରେ ସରକାର ପୁଣିଥରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ।

ଫେବ୍ରୁଆରି ମାସରୁ ରାଜ୍ୟରେ ଆରମ୍ଭ ହୋଇଗଲାଣି ଗ୍ରୀଷ୍ମପ୍ରବାହ। ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଗୁରୁବାର ଭୁବନେଶ୍ୱରର ତାପମାତ୍ରା ଦେଶରେ ସର୍ବାଧିକ ୩୯.୪ ଡିଗ୍ରୀ ଥିବାବେଳେ, ଶୁକ୍ରବାର ଏଥିରେ ପରିବର୍ତ୍ତନ ହୋଇ ୪୦.୪ ଡିଗ୍ରୀ ରହିଛି । ଭୀଷଣ ଖରା ଓ ଗରମକୁ ନଜରରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି।

Comment