ଓଡ଼ିଶାଲାଇଭ୍ ବ୍ୟୁରୋ

  • ସ୍ତନ୍ୟପାନ କରାଉଥିବା ମହିଳା ନେଇପାରିବେ ଟିକା
  • କରୋନାରୁ ସୁସ୍ଥ ହେବାର ୩ ମାସ ପରେ ନେଇପାରିବେ ଟିକା
  • ଟିକା ନେବାର ୧୪ ଦିନ ପରେ କରିପାରିବେ ରକ୍ତଦାନ
  • ରକ୍ତଦାନ ପୂର୍ବରୁ ଆର୍‌ଟି-ପିସିଆର୍ ରିପୋର୍ଟ ନେଗେଟିଭ୍ ଆବଶ୍ୟକ

କରୋନାରେ ସଂକ୍ରମିତ ହୋଇଥିଲେ ସୁସ୍ଥ ହେବାର ତିନି ମାସ ପରେ ଜଣେ ବ୍ୟକ୍ତି ଟିକା ନେଇପାରିବେ। ସେହିପରି ସ୍ତନ୍ୟପାନ କରାଉଥିବା ମହିଳାମାନେ ମଧ୍ୟ କୋଭିଡ୍ ଟିକା ନେଇପାରିବେ। ବୁଧବାର ଟିକାକରଣ ନିୟମରେ ପରିବର୍ତ୍ତନ କରି ଏହି ପରାମର୍ଶ ଦେଇଛି ସ୍ଵାସ୍ଥ୍ୟ ମନ୍ତ୍ରାଳୟ। ଏଥିସହ ଯଦି ଜଣେ ବ୍ୟକ୍ତି ପ୍ରଥମ ଡୋଜ ଟିକା ନେବା ପରେ କରୋନାରେ ସଂକ୍ରମିତ ହେଉଛନ୍ତି, ତେବେ ସେ ମଧ୍ୟ ତିନି ମାସ ପରେ ଦ୍ୱିତୀୟ ଡୋଜ ଟିକା ଗ୍ରହଣ କରିପାରିବେ। ସେହିପରି ଯେଉଁ କୋଭିଡ୍ ଆକ୍ରାନ୍ତ ପ୍ଲାଜମା ଥେରାପିରେ ଭଲ ହୋଇଥିବେ ସେ ହସ୍ପିଟାଲରୁ ଡିସଚାର୍ଜ ହେବାର ତିନି ମାସ ପରେ ଟିକା ନେଇପାରିବେ।

ସେହିପରି ଯଦି ଜଣେ କରୋନା ରୋଗୀ ଗୁରୁତର ହେବା ପରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି, ସେ ସୁସ୍ଥ ହେବାର ୪ରୁ ୮ ସପ୍ତାହ ପରେ କରୋନା ଟିକା ନେଇପାରିବେ।କରୋନା ଟିକା ନେବାର କେତେ ଦିନ ପରେ ରକ୍ତଦାନ କରାଯାଇ ପାରିବ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ରହିଥିବା ବେଳେ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ଏହି ଦ୍ଵନ୍ଦ୍ଵ ଦୂର କରିଛି। କୋଭିଡ୍ ଟିକା ନେବାର ୧୪ ଦିନ ପରେ ଜଣେ ବ୍ୟକ୍ତି ରକ୍ତଦାନ କରିପାରିବେ ବୋଲି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥିସହ ରକ୍ତଦାନ ପୂର୍ବରୁ ବ୍ୟକ୍ତିଙ୍କର ଆର୍‌ଟି-ପିସିଆର ରିପୋର୍ଟ ନେଗେଟିଭ୍ ହୋଇଥିବା ଦରକାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Comment