ଓଡ଼ିଶାଲାଇଭ୍ ବ୍ୟୁରୋ

  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ ସଚେତନତା କ୍ୟାମ୍ପେନ
  • ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନ
  • ଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ ସମୟରେ ପିଲାଙ୍କ ସ୍ୱାସ୍ଥ୍ୟ’
  • ରବିବାର ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେ
  • ଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ

କୋଭିଡ୍ ମହାମାରୀ ଯୋଗୁଁ ଗତ ଦେଢ଼ବର୍ଷ ଭିତରେ ଅନେକଙ୍କ ଜୀବନ, ଜୀବିକା ପ୍ରଭାବିତ ହୋଇଛି। ବଡ଼ମାନଙ୍କ ଭଳି ପିଲାମାନେ ମଧ୍ୟ ଅସୁବିଧା ଭୋଗିଛନ୍ତି। ସେମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ କରୋନାର ପ୍ରଭାବ ପଡ଼ିଛିା ତେଣୁ ଏହାକୁ ଦୃଷ୍ଟିରେ ରଖି ‘କେତେ ନୂଆ ବାଟ ସିଜିନ୍‌ ୨’ର ଅଡିଓ ସିରିଜର ତୃତୀୟ ଅଧ୍ୟାୟରେ ପ୍ରସଙ୍ଗ ଥିଲା ‘କୋଭିଡ୍ ସମୟରେ ପିଲାଙ୍କ ସୁରକ୍ଷା ଲାଗି ଏକାଠି ହେବା’।

ରବିବାର ସକାଳ ୧୦ଟାରେ ଅଡିଓ ସିରିଜର ଏହି ଏପିସୋଡ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ୧୧ଟାରେ ରେଡିଓ ଚକଲେଟ୍ ୧୦୪ ଏଫ୍‌ଏମରେ ପ୍ରସାରିତ ହୋଇଛି। ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଏବଂ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ମଧ୍ୟ ଏହାର ପ୍ରସାରଣ କରାଯାଇଛି।

ଅଡିଓ ସିରିଜର ତୃତୀୟ ଅଧ୍ୟାୟରେ ସାମିଲ ହୋଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ୟୁନିସେଫ୍ ଓଡ଼ିଶାର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବ୍ରଜେସ୍ ମେରତା, ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟର ସଂଚାଳିକା ଦୁର୍ଗେଶ ନନ୍ଦିନୀ, ଓଡ଼ିଶା ମୁସଲିମ୍ ଡେଭଲପମେଣ୍ଟ କାଉନସିଲର ସଂଯୋଜକ ସୈୟଦ ବରକତ୍ ଅଲ୍ଲୀ ତନବୀର, ବଲାଙ୍ଗିରର ଜଣେ ଅଙ୍ଗନବାଡ଼ି କର୍ମୀ ସ୍ୱର୍ଣ୍ଣମୟୀ ବିଭାର ଓ ମାଲକାରଗିରି ଜଣେ ଦଶମ ଶ୍ରେଣୀ ଛାତ୍ରୀ ହେମାଶ୍ରୀ ଖମାରୀ।

‘‘ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟ ବିଭାଗ ତୃତୀୟ ଲହର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛିା ଆମେ ସର୍ବପ୍ରଥମେ ଶିଶୁମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଉଛୁ। ପିଲାଙ୍କ ପାଇଁ ୧୬ ଶହରୁ ଅଧିକ ସାଧାରଣ ଶଯ୍ୟା, ୬୧୦ ଆୟୁସିୟୁ ଶଯ୍ୟା ସଂରକ୍ଷିତ କରିବାକୁ କୁହାଯାଇଛି। ଶିଶୁ ଭବନରେ ଏକ କୋଭିଡ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତା’ ସହିତ ସମସ୍ତ ମେଡିକାଲ କଲେଜରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଶାଖା ରଖିବାକୁ କୁହାଯାଇଛି ଏବଂ ଡାକ୍ତର ଏବଂ ନର୍ସଙ୍କୁ ଶିଶୁଙ୍କ ଚିକିତ୍ସା ପାଇଁ ଟ୍ରେନିଂ ଦିଆଯାଉଛିା ଔଷଧ, ଅକ୍ସିଜେନ୍ ମହୁଜଦ ରଖାଯାଇଛି’’, ରେଡିଓ ସିରିଜରେ ଭାଗ ନେଇ କହିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ।

ଏହି ଅଡିଓ ସିରିଜରେ ଯୋଡ଼ି ହୋଇଥିଲେ ମାଲକାନଗିରିର ଜଣେ ଛାତ୍ରୀ ହେମାଶ୍ରୀ ଖମାରୀ। ଏହି କୋଭିଡ ସମୟରେ ସ୍କୁଲ ବନ୍ଦ ଥିବାରୁ ଘରେ କେମିତି ସମୟ ବିତାଉଛନ୍ତି ସେ ସମ୍ପର୍କରେ ସେ କହିଥିଲେ,‘‘ସ୍କୁଲ ବନ୍ଦ ଥିବାରୁ ମୁଁ ଏବେ ଘରେ ଅଛି। ଘରେ ପାଠ ପଢ଼ୁଛି। ମୋର ୪ ଭଉଣୀଙ୍କ ସହିତ ଖେଳୁଛି। ମା’ଙ୍କୁ ଘର କାମରେ ସାହାଯ୍ୟ କରୁଛି। ଖାଲି ସମୟରେ ଡ୍ରଇଂ କରୁଛି।’’

‘‘ପିଲା ଓ ବଡ଼ମାନଙ୍କ ଭିତରେ କୋଭିଡର ଲକ୍ଷଣ ସମାନ ରହିଛି। ଆଖିରୁ, ନାକରୁ ପାଣି ଗଡ଼ିବା, ଶରୀରରେ ପୀଡ଼ା ହେବା, ଜ୍ୱର ହେବା, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ହେବା ଇତ୍ୟାଦି କରୋନାର ଲକ୍ଷଣ। ଯଦି ପିଲାଙ୍କଠାରେ ଏଭଳି କିଛି ଲକ୍ଷଣ ଦେଖାଯାଉଛି ତାହେଲେ ତୁରନ୍ତ ସେମାନଙ୍କୁ ହସ୍ପିଟାଲ ନେବା ଆବଶ୍ୟକ’’, କହିଥିଲେ ୟୁନିସେଫ୍ ଓଡ଼ିଶାର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବ୍ରଜେସ୍ ମେରତା।

‘‘ପିଲାମାନଙ୍କୁ କୋଭିଡରୁ ସୁରକ୍ଷିତ ରଖିବା ଲାଗି, ସେମାନଙ୍କୁ କୋଭିଡ ଉପଯୋଗୀ ନିୟମ ସମ୍ପର୍କରେ କହିବା ଜରୁରୀ। ଯେମିତି ସେମାନେ ବି ମାସ୍କ ପିନ୍ଧିବେ, ସାବୁନରେ ହାତ ଧୋଇବେ, ପରିଷ୍କାର ରହିବେ, ଭିଡ଼କୁ ଯିବେ ନାହିଁ କିମ୍ବା ବାହାରେ ବୁଲାବୁଲି କରିବେ ନାହିଁ। ଏହାସହିତ ପିଲାଙ୍କ ସୁରକ୍ଷା ପାଇଁ ବଡ଼ମାନେ ଟିକା ମଧ୍ୟ ନେବା ଜରୁରୀ। ତେଣୁ ସମସ୍ତେ ଟିକା ନୁଅନ୍ତୁ’’, କହିଥିଲେ ଓଡ଼ିଶା ମୁସଲିମ୍ ଡେଭଲପମେଣ୍ଟ କାଉନସିଲର ସଂଯୋଜକ ସୈୟଦ ବରକତ୍ ଅଲ୍ଲୀ ତନବୀର।

ସେହିପରି ଏହି ଅଡିଓ ସିରିଜରେ ବଲାଙ୍ଗିର ଜିଲ୍ଲାର ଜଣେ ଅଙ୍ଗନବାଡ଼ି କର୍ମୀ ସାମିଲ ହୋଇ କହିଥିଲେ,‘‘କୋଭିଡ ସମୟରେ ଅଙ୍ଗନବାଡ଼ି ବନ୍ଦ ଥିବାରୁ ଆମେ ପିଲାମାନଙ୍କ ପାଇଁ ‘ଘରେ ଘରେ ଅରୁଣିମା’ କାର୍ଯ୍ୟକ୍ରମ ପହଞ୍ଚାଉଛୁ। ଟିକି ମାଉସୀ ବିଷୟରେ ବି କହୁଛୁ। କରୋନା ପାଇଁ ସଚେତନାର ବାର୍ତ୍ତା ମଧ୍ୟ ଦେଉଛୁ’’।

ଏହାସହିତ ରେଡିଓ ଏପିସୋଡରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟର ସଂଚାଳିକା ଦୁର୍ଗେଶ ନନ୍ଦିନୀ ସାମିଲ ହୋଇ କହିଥିଲେ, ‘‘କୋଭିଡ ସହ ଲଢ଼ିବା ପାଇଁ ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି, ସମସ୍ତେ ତାହାର ସୁଯୋଗ ନେବା ଉଚିତ। ସୋସିଆଲ ମିଡିଆରେ ଯେଉଁସବୁ ଗୁଜବ ଘୁରି ବୁଲୁଛି ତା’ଉପରେ ବିଶ୍ୱାସ ନକରି ସମସ୍ତେ ଟିକା ନିଅନ୍ତୁ। ଟିକା ନେବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ୁଛି।’’

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ୟୁନିସେଫ୍‌ ସହାୟତାରେ ଆରମ୍ଭ ହୋଇଛି ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ ସିଜିନ୍‌ ୨’। ଏଥିରେ ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ନଲେଜ ପାର୍ଟନର ଭାବେ ଯୋଡ଼ି ହୋଇଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଅଛନ୍ତି। ସେହିପରି ଏହି ରେଡିଓ ଧାରାବାହିକର ଉପସ୍ଥାପନା କରୁଛନ୍ତି ନଳିନୀକାନ୍ତ ବିଶ୍ୱାଳ ଏବଂ ପଦ୍ମାବତୀ ଦ୍ୱିବେଦୀ।

ଅଡିଓ ସିରିଜ ଛଡ଼ା ‘କେତେ ନୂଆ ବାଟ ସିଜିନ ୨’ ଅଭିଯାନ ଅଧୀନରେ ପ୍ରତି ସପ୍ତାହରେ ବିଭିନ୍ନ ବିଷୟରେ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ’ର ୟୁଟ୍ୟୁବ୍‌ ଏବଂ ଫେସବୁକରେ ଭିଡିଓ ପୋଷ୍ଟ କରାଯାଉଛି। ଏହାସହ ଭିଡିଓ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ବିଶିଷ୍ଟ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ କରାଯାଉଛି।

Comment