ଭାସ୍କର ପରିଚ୍ଛା

କରୋନା ମହାମାରୀର ଶିକାର ହୋଇଥିବା ଏବଂ ସର୍ବସ୍ୱାନ୍ତ ହୋଇଥିବା ପରିବାରକୁ ଆର୍ଥିକ ସହାୟତା ଦେବା ପ୍ରସଙ୍ଗରେ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କ ମନୋଭାବ ଚିନ୍ତାଜନକ ଏଥିରେ ଦ୍ଵିମତ ନାହିଁ।

ପ୍ରଥମେ ସରକାର କହିଲେ ଯେ ଏତେ ବଡ଼ ଖର୍ଚ୍ଚ ଉଠାଇବା ସରକାରୀ ରାଜକୋଷ ପାଇଁ କଷ୍ଟକର ହେବ। ପରେ ସ୍ପଷ୍ଟୀକରଣ ଦେଇ ସରକାରଙ୍କ ପକ୍ଷରୁ କୁହାଗଲା ଯେ ସମସ୍ୟାଟି ସମ୍ବଳର ଅଭାବ ପାଖରେ ନାହିଁ। ଅନ୍ୟ ଭାବରେ କହିଲେ, କ୍ଷତିପୂରଣ ଦେବା ପାଇଁ ସରକାରଙ୍କ ପାଖରେ ଅର୍ଥ ଅଛି। କିନ୍ତୁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଅକ୍ସିଜେନ ଓ ଟିକା ଯୋଗାଣକୁ ସୁନିଶ୍ଚିତ କରିବା ଓ ଦେଶର ଅର୍ଥନୀତିକୁ ପୁଣି ଥରେ ରାସ୍ତାକୁ ଆଣିବା ପାଇଁ ଏହି ଅର୍ଥ ଖର୍ଚ୍ଚ ହେବା ଦରକାର ବୋଲି ଆମେ ଚିନ୍ତା କରୁଛୁ।ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଓ ସୁଦୃଢ଼ୀକରଣ ତଥା କରୋନା ଯୋଗୁଁ ବିଧ୍ୱସ୍ତ ଅର୍ଥନୀତିକୁ ସଜାଡ଼ିବା ପାଇଁ କେନ୍ଦ୍ର ଯାହା ଚିନ୍ତା କରୁଛନ୍ତି ସେଥିରେ କାହାର କୌଣସି ଆପତ୍ତି ନାହିଁ। ଏହି ସବୁ କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ ନିହାତି ହେବା ଉଚିତ। କିନ୍ତୁ ଯେଉଁମାନେ କରୋନା ମହାମାରୀରେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରର କଥା ସହୃଦୟତାର ସହ ବିଚାର କରିବା ପାଇଁ ସରକାର କାହିଁକି କୁଣ୍ଠା ପ୍ରକାଶ କରୁଛନ୍ତି?

କରୋନା ଦ୍ୱାରା ପ୍ରାଣ ହରାଇଥିବା ପରିବାରଙ୍କୁ କ୍ଷତି ପୂରଣ ଦିଆଗଲେ ଅନ୍ୟ ସବୁ କାମ ହୋଇପାରିବ ନାହିଁ ବୋଲି ଯାହା କେନ୍ଦ୍ର ସରକାର ଯୁକ୍ତି କରୁଛନ୍ତି ତାହା କେତେଦୂର ଯୁକ୍ତିଯୁକ୍ତ? ଉଲ୍ଲେଖଯୋଗ୍ୟ ଯେ, ଯେଉଁ ପରିବାର କରୋନାରେ କ୍ଷତିଗ୍ରସ୍ତ ହୋଇଛନ୍ତି ସେହି ପରିବାରର କଲ୍ୟାଣ ପାଇଁ ଚାରି ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇଦେବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି ବୋଲି ଏକ ରିପୋର୍ଟ ନିକଟରେ ପ୍ରକାଶ ପାଇଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାରଙ୍କ ସ୍ତରରେ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇ ଯାଇଥିଲା।corona USଏବେ ସରକାରୀ ମହଲରେ କେହି କେହି ଏକଥା ମଧ୍ୟ କହୁଥିବା ଶୁଣାଯାଉଛି ଯେ ଯଦି ୪ ଲକ୍ଷ ଟଙ୍କା ସହାୟତା ଅଧିକ ହେଉଛି ବୋଲି ସରକାର ଭାବୁଛନ୍ତି ତେବେ ନିଜେ କୁହନ୍ତୁ କେତେ ଦେଇପାରିବେ, ଯାହାଫଳରେ କି ଏହି ହତଭାଗା ପରିବାରଗୁଡ଼ିକ ଉପରେ ଆର୍ଥିକ ବୋଝ ପଡ଼ିବ ନାହିଁ ଓ ସେମାନେ କୌଣସି ପ୍ରକାର ଜୀବନ ଧରି ବଞ୍ଚି ଯାଇପାରିବେ।

ଅବଶ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କେତେ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ସେ ନେଇ ଏବେ ବିଚାର ବିମର୍ଶ ଚାଲିଛି।

ଯଦି ବି ପ୍ରତି ପରିବାର ପିଛା ୪ ଲକ୍ଷ ଟଙ୍କାର ସହାୟତାକୁ ଆମେ ହିସାବକୁ ନେବା, ଏହାର ପରିମାଣ ଖୁବ ବେଶୀ ହେବ ନାହିଁ। କେନ୍ଦ୍ର ସରକାରଙ୍କ ଆକଳନ ଅନୁସାରେ ଯଦି କରୋନାରେ ମୃତକଙ୍କ ସଂଖ୍ୟା ୫ ଲକ୍ଷ ହୁଏ ତେବେ ସରକାରଙ୍କୁ ପ୍ରାୟ ୨୦ ହଜାର କୋଟି ଟଙ୍କାର କ୍ଷତିପୂରଣ ଦେବାପାଇଁ ହେବ। ଏହା ଦେଶର ଜିଡିପିର ଏକ ପ୍ରତିଶତର ଏକ ହଜାର ଭାଗ। ଏଣୁ ଏକଥା କହିବା ହାସ୍ୟାସ୍ପଦ ଯେ ସରକାର ଏହି ବୋଝକୁ ସମ୍ଭାଳିପାରିବେ ନାହିଁ।ଏହା ବି କହିବା ତର୍କସଙ୍ଗତ ଯେ ସହାୟତା ବାବଦକୁ ଯେତିକି ଅର୍ଥ ଦିଆଯିବ ତାହା କଦାପି ପାଣିରେ ପଡ଼ିବ ନାହିଁ କାରଣ ଏହା ଦେଶର ଅର୍ଥନୀତିକୁ ସଜାଡ଼ିବାରେ ସହାୟକ ହେବ। ଗୋଟିଏ ପଟେ ବଜାରରେ ଚାହିଦା ବୃଦ୍ଧି ପାଇବ ଓ ସେହି ଅନୁଯାୟୀ ଯୋଗାଣ ପରିସ୍ଥିତି ବି ସୁଧୁରିବ। ତା’ଛଡ଼ା ଏତିକି ମାତ୍ର ଟଙ୍କାରେ ଯେ ଷ୍ଟକ ମାର୍କେଟ ହଲଚଲ ହେବ ତାହା ବି ନୁହେଁ।

କହିବାର କଥା ହେଲା, କେନ୍ଦ୍ର ସରକାରଙ୍କ ଗୋଟିଏ ବିଭାଗ ଯଦି ଏହି ସହାୟତା ଅର୍ଥକୁ କ୍ଷତିପୂରଣ ଅର୍ଥ ବୋଲି ଧରିବ ଅନ୍ୟ ଏକ ବିଭାଗ ତାହାକୁ ଆର୍ଥିକ ପ୍ୟାକେଜ ବୋଲି ବିଚାର କରିପାରିବ।ସତ କହିବାକୁ ଗଲେ, ଯେଉଁମାନେ କରୋନା ମହାମାରୀରେ ସବୁ କିଛି ହରାଇଛନ୍ତି ସେମାନଙ୍କୁ କ୍ଷତିପୂରଣ ଦେବା ନଦେବା ସମ୍ପୂର୍ଣ୍ଣ ଭାବେ ଏକ ରାଜନୀତିକ ପ୍ରଶ୍ନ। ପାଞ୍ଚ ଲକ୍ଷ ଲୋକଙ୍କୁ ଦିଆଯିବାକୁ ଥିବା ଆର୍ଥିକ ସହାୟତାକୁ ଅର୍ଥ ମନ୍ତ୍ରାଳୟର ଶୃଙ୍ଖଳା ଓ ପରିଚାଳନାର କଷଟିପଥରରେ କଷା ଯିବ କି ନା ଏହା ନେତୃତ୍ଵ ଉପରେ ନିର୍ଭର କରୁଛି।

କରୋନା ମହାମାରୀ ସହିତ ଜଡ଼ିତ ଏହି ଦାୟିତ୍ୱଟିକୁ ମୋଦୀ ସରକାର କିଭଳି ତୁଲାଉଛନ୍ତି ତାହା ଅପେକ୍ଷା କରି ଦେଖିବା ପାଇଁ ହେବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Comment