ଓଡ଼ିଶାଲାଇଭ୍ ବ୍ୟୁରୋ

ମେଡିକାଲ ପାଠ୍ୟକ୍ରମ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ବୋଲି ବୁଝିବାକୁ ପଡ଼ିବ। ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ମେଡିକାଲ ପାଠ ପଢିବା ପାଇଁ ଇଚ୍ଛୁକ ଗରିବ ଓ ପଛୁଆ ଛାତ୍ରଛାତ୍ରୀଙ୍କୁ ସହାୟକ ହେବ। ଏମବିବିଏସ ଓ ଡେଣ୍ଟାଲ ପାଠ୍ୟକ୍ରମ ପାଇଁ ଏବେ ସଂରକ୍ଷଣର ପରିସର ବ୍ୟାପକ ହେବ।

କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଅନ୍ୟ ପଛୁଆ ବର୍ଗ ବା ଓବିସି ବର୍ଗର ପିଲାମାନଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ରହିବ। ସେହିଭଳି ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ମୋଟ ଡାକ୍ତରୀ ପାଠରେ ୧୦ପ୍ରତିଶତ ସଂରକ୍ଷଣ ରହିବ। ଦେଶରେ ଥିବା ସମସ୍ତ ମେଡିକାଲ କଲେଜରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ସର୍ବଭାରତୀୟ ସଂରକ୍ଷଣ ବ୍ୟବସ୍ଥା ଅଧୀନରେ ସରକାର ନେଇଥିବା ନିଷ୍ପତ୍ତି ଅନୁଯାୟୀ ଅଣ୍ଡରଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମ ପାଇଁ  ଏହି ନିୟମ ଲାଗୁ କରାଯିବ। ଏହି ସଂରକ୍ଷଣ ବ୍ୟବସ୍ଥା ଏମବିବିଏସ୍, ଏମଡି, ଏମଏସ୍, ବିଡିଏସ୍‌, ଏମଡିଏସ୍‌ ଓ ଡିପ୍ଲୋମା ମେଡିକାଲ ପାଠ୍ୟକ୍ରମ ପାଇଁ ଚଳିତ ଶିକ୍ଷାବର୍ଷଠାରୁ ଲାଗୁ କରାଯିବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଟୁଇଟ ଯୋଗେ କହିଥିଲେ, “ଆମ ସରକାର ଗୋଟିଏ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ସର୍ବଭାରତୀୟ ସଂରକ୍ଷଣ ବ୍ୟବସ୍ଥା ଅଧୀନରେ ମେଡିକାଲ ପାଠ୍ୟକ୍ରମ ପାଇଁ ଓବିସିଙ୍କ କ୍ଷେତ୍ରରେ ୨୭ ପ୍ରତିଶତ ଓ ଦେଶର ଆର୍ଥିକ ପଛୁଆ ବର୍ଗରେ ଥିବା ପିଲାମାନଙ୍କ କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ପ୍ରତିବର୍ଷ ହଜାର ହଜାର ଯୁବ ବର୍ଗଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ। ଏଥିସହ ଆମ ଦେଶରେ ସାମାଜିକ ନ୍ୟାୟ ଦିଗରେ ବଡ଼ ଭୂମିକା ଗ୍ରହଣ କରିବ।”କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଏହି  ନିଷ୍ପତ୍ତି ଦ୍ୱାରା ପ୍ରତିବର୍ଷ ଏମବିବିଏସ୍‌ରେ ଓବିସି ବର୍ଗର ପ୍ରାୟ ୧୫ଶହ ଛାତ୍ରଛାତ୍ରୀ ଓ ପୋଷ୍ଟ ଗ୍ରାଜୁଏଟରେ ୨୫ଶହ ଓବିସି ଶିକ୍ଷାର୍ଥୀଙ୍କୁ ଫାଇଦା ମିଳିବ। ସେହିପରି ଏମବିବିଏସ୍‌ରେ ଆର୍ଥିକ ପଛୁଆ ବର୍ଗର ୫୫୦ ଶିକ୍ଷାର୍ଥୀ ଓ ପୋଷ୍ଟ ଗ୍ରାଜୁଏସନରେ ଆର୍ଥିକ ପଛୁଆ ବର୍ଗର ୧୦୦୦ ଶିକ୍ଷାର୍ଥୀ ଲାଭବାନ ହେବେ। ଅଧିକନ୍ତୁ, ଓବିସି ଏବଂ ପଛୁଆ ବର୍ଗର ଶିକ୍ଷାର୍ଥୀମାନେ ଦେଶର ଯେକୌଣସି ରାଜ୍ୟରେ ସିଟ୍‌ ପାଇଁ ଆବେଦନ କରିପାରିବେ। ଏହା କେନ୍ଦ୍ରର ସଂରକ୍ଷଣ ବ୍ୟବସ୍ଥା ହୋଇଥିବାରୁ କେନ୍ଦ୍ର ସରକାର ସୂଚୀତ କରିଥିବା ଓବିସିମାନେ ଏହାର ସୁବିଧା ନେଇପାରିବେ।ତେବେ ଏହି ସଂରକ୍ଷଣ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି କରାଯାଇଛି ଏହା ସ୍ପଷ୍ଟ। ବିଜେପି ନେତାଙ୍କ କହିବା ଅନୁଯାୟୀ ଏହି ନୂଆ ସଂରକ୍ଷଣ ଉତ୍ତରପ୍ରଦେଶ ବ୍ୟତୀତ ଆଉ ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନରେ ମଧ୍ୟ ଦଳ ପାଇଁ ଭୋଟ ଗୋଟାଇବାରେ ସହାୟକ ହେବ। ଉତ୍ତର ପ୍ରଦେଶରେ ୪୦ ପ୍ରତିଶତ ହେଉଛନ୍ତି ଓବିସି ବର୍ଗ। ତେଣୁ ନିର୍ବାଚନ ଜିତିବା ପାଇଁ ହେଲେ ଏହି ବର୍ଗର ଭୋଟ ନିତାନ୍ତ ଆବଶ୍ୟକ। ସେହିଭଳି ଉତ୍ତରପ୍ରଦେଶର ଅଣ ଯାଦବ ଓବିସିଙ୍କୁ ମଧ୍ୟ ବିଜେପି ଟାର୍ଗେଟ କରିଛି। ଓବିସି ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାଙ୍କ ପାଇଁ ମେଡ଼ିକାଲ କୋଟା ବୃଦ୍ଧି ପଛରେ ରାଜନୈତିକ ଉଦ୍ଦେଶ୍ୟ ଯାହା ଥାଉନା କାହିଁକି, ଛାତ୍ରଛାତ୍ରୀ ଉପକୃତ ହେବେ ଏଥିରେ ଦ୍ଵିମତ ନାହିଁ।

Comment