ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳାହାଣ୍ଡି ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହରଙ୍କୁ ହତ୍ୟାକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି। ମମିତାଙ୍କୁ ନ୍ୟାୟ ଦେବା ଲାଗି ଗତ ସପ୍ତାହେ ହେଲା ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ। ନ୍ୟାୟ ଦାବିରେ  କେଉଁଠି ଶୋଭଯାତ୍ରା ହେଉଛି ତ ଆଉ କେଉଁଠି ବନ୍ଦ ଡାକରା ଦିଆଯାଇଛି।

ମମିତା ପ୍ରସଙ୍ଗକୁ ଜାତୀୟ ସ୍ତରକୁ ନେଲା ବିଜେପି

ମମିତାଙ୍କ ହତ୍ୟା ଘଟଣାକୁ ନେଇ ବିଜେପି ରାସ୍ତାକୁ ଓହ୍ଲାଇଛି। ଦଳ ତୃଣମୂଳ ସ୍ତରରେ ମମିତା ହତ୍ୟା ମାମଲାରେ ବିକ୍ଷୋଭ ସମାବେଶ ଜାରି ରଖିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗକୁ ଜାତୀୟସ୍ତରକୁ ଟାଣି ନେଇଛନ୍ତି।

ଏପଟେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ପୁରୀ, ଜଗତସିଂହପୁର ଓ କଳାହାଣ୍ଡି ଏସପି ଅଫିସ ଘେରାଉ କରିଛନ୍ତି ବିଜେପି କର୍ମୀ। ଗୁରୁବାର ବିଜେପି ଯୁବ ମୋର୍ଚ୍ଚା ଭୁବନେଶ୍ୱର ଡିସିପି ଅଫିସ ମଧ୍ୟ ଘେରାଉ କରିଛନ୍ତି। ମମିତାଙ୍କୁ ନ୍ୟାୟ ନମିଳିବା ଯାଏଁ ଦଳ ଲଢ଼େଇ ଜାରି ରଖିବ ବୋଳି ଦଳ ପକ୍ଷରୁ କୁହାଯାଇଛି।

ମମିତାଙ୍କ ପରିବାରକୁ ଭେଟିଲା କଂଗ୍ରେସର କେନ୍ଦ୍ରୀୟ ଟିମ୍‌

ବିଜେପି ସହିତ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗକୁ ଜାତୀୟସ୍ତରକୁ ନେବାକୁ ଉଦ୍ୟମ କରିଛି। ଗୁରୁବାର ବଲାଙ୍ଗିର ଯାଇ ମମିତାଙ୍କ ପରିବାରକୁ ଭେଟିଛି କଂଗ୍ରେସର କେନ୍ଦ୍ରୀୟ ଟିମ୍‌। କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସୂର୍ଯେୱାଲା, ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଆଜି ଭୁବନେଶ୍ୱରରେ ପହଞ୍ଚିଥିଲେ। ଏହାପରେ ସେମାନେ ମମିତାଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ଝିଅକୁ ଉଚିତ ନ୍ୟାୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବରିଷ୍ଠ ନେତା ନରସିଂହ ମିଶ୍ର ମଧ୍ୟ କେନ୍ଦ୍ରୀୟ ଟିମ୍‌ ସହ ମମିତାଙ୍କ ଘର ଲୋକଙ୍କ ସହ ଆଲୋଚନା କରିଛନ୍ତି।

‘‘ଓଡ଼ିଶାରେ ବିଜେଡି ଶାସନରେ ଗୁଣ୍ଡାରାଜ ଚାଲିଛି। ଯେଉଁମାନଙ୍କ ନାଁରେ ଅଭିଯୋଗ ରହିଛି ଦଳ ସେମାନଙ୍କୁ ସୁରକ୍ଷା ଦେଉଛି। ଯେତେବେଳେ ଯାଏଁ ନିରପେକ୍ଷ ଯାଞ୍ଚ ନହୋଇଛି ଓ ଗୃହରାଷ୍ଟ୍ର ମନ୍ତ୍ରୀ ଇସ୍ତଫା ନଦେଇଛନ୍ତି ସେତେବେଳ ଯାଏଁ ମମିତାଙ୍କୁ ନ୍ୟାୟ ମିଳିପାରିବନି’’, କହିଛନ୍ତି ରଣଦୀପ ସୂର୍ଯେୱାଲା।

ତୁଚ୍ଛା ରାଜନୀତି କରୁଛନ୍ତି ବିରୋଧୀ: ବିଜେଡି

ମମିତାଙ୍କ ହତ୍ୟାକାରୀଙ୍କୁ ବିଜେଡି ସୁରକ୍ଷା ଦେଉଛି। ମୁଖ୍ୟମନ୍ତ୍ରୀ ନବୀନ ମଟ୍ଟନାୟକ ଏ ପ୍ରସଙ୍ଗରେ ଚୁପ୍‌ କାହିଁକି ଅଛନ୍ତି? ଏଭଳି ତମାମ ଅଭିଯୋଗ ଓ ପ୍ରତିବାଦ ପରେ ବିରୋଧୀଙ୍କୁ  କଡ଼ା ଜବାବ ଦେଇଛି ବିଜେଡି। କବିସୂର୍ଯ୍ୟନଗର ବିଜେଡି ବିଧାୟିକା ଲତିକା ପ୍ରଧାନ କହିଛନ୍ତି, ସରକାର କୌଣସି କ୍ଷେତ୍ରରେ ସାଲିସ୍ କରିନାହାନ୍ତି। ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଯାହା ଆବଶ୍ୟକ ତାହା କରୁଛନ୍ତି ସରକାର। ନବୀନ ସରକାରଙ୍କ ଆଗରେ  କେବଳ ତିଷ୍ଠି ରହିବାକୁ ବିରୋଧୀ ତୁଚ୍ଛା ରାଜନୀତି କରୁଛନ୍ତି।

Comment