ଓଡ଼ିଶାଲାଇଭ୍ ବ୍ୟୁରୋ

hackers

ପେଗାସସ ଡିଲକୁ ନେଇକୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ୩୦୦ କୋଟି ଟଙ୍କାରେ ପେଗାସସ କ୍ରୟ କରିଥିବା ‘ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟକୁ ନେଇ ଉଠିଛି ରାଜନୈତିକ ଝଡ଼। 

ଗୁଇନ୍ଦାଗିରି କରୁଥିବା ସଫ୍ଟଓ୍ଵେୟାର ପେଗାସସ ଡିଲ ସମ୍ପର୍କରେ ନ୍ୟୁୟର୍କ ଟାଇମ୍ସର ରିପୋର୍ଟକୁ ନେଇ ଏବେ ପୁଣି ଝଡ଼ ଉଠିଛି। ଆଗକୁ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଘୋଷଣା ପୂର୍ବରୁ ଏହି ଘଟଣା ସାମ୍ନାକୁ ଆସିଥିବାରୁ ଏବେ ବିରୋଧୀଙ୍କୁ ସୁଯୋଗ ମିଳିଛି ସରକାରଙ୍କୁ ଆକ୍ରମଣ କରିବାକୁ। ପେଗାସସ ଡିଲକୁ ନେଇ ତୁରନ୍ତ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି ଆରମ୍ଭ ହୋଇଛି। ସାମ୍ନାକୁ ଦାବି କରିଛନ୍ତି ବିରୋଧୀ।

ପେଗାସସ ଡିଲକୁ ନେଇ ରିପୋର୍ଟ ଆସିବା ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗଟେ କରିଛି କଂଗ୍ରେସ । ରିପୋର୍ଟକୁ ନେଇ କେନ୍ଦ୍ର ସରକାର ତୁରନ୍ତ ଜବାବ ଦିଅନ୍ତୁ। କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଶ୍ରୀନିବାସ ବିଭି, ଶକ୍ତି ସିଂ ଗୋହିଲ, କାର୍ତ୍ତିକ ଚିଦାମ୍ବରମ ପ୍ରମୁଖ ଟ୍ଵିଟ କରି ସରକାରଙ୍କୁ କଟାକ୍ଷ କରିବା ସହ ସ୍ପଷ୍ଟୀକରଣ ଦାବି କରିଛନ୍ତି।

ପେଗାସସ ଡିଲ୍ ଦେଶଦ୍ରୋହ କାମ

ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେଗାସସ ମାମଲାରେ କେନ୍ଦ୍ର ସରକାରଙ୍କୁ ବହୁବାର ଟାର୍ଗେଟ କରିସାରିଛନ୍ତି। ପେଗାସସ ଡିଲ ସମ୍ପର୍କରେ ପ୍ରକାଶିତ ରିପୋର୍ଟକୁ ନେଇ ପୁଣି ସୁଯୋଗ ମିଳିଛି ରାହୁଲ ଗାନ୍ଧୀଙ୍କୁ।

“ମୋଦୀ ସରାକର ଆମ ଲୋକତନ୍ତ୍ରର ପ୍ରମୁଖ ସଂସ୍ଥା, ରାଜନେତା ଏବଂ ସାଧାରଣ ଜନତାଙ୍କ ବିରୋଧରେ ଗୁଇନ୍ଦାଗିରି କରିବାକୁ ପୋଗାସସ କିଣିଥିଲେ। ଫୋନ ଟ୍ୟାପ କରି ସପକ୍ଷ, ବିପକ୍ଷ, ସେନା ଓ ନ୍ୟାୟପାଳିକାକୁ ଟାର୍ଗେଟ କରୁଥିଲେ। ପେଗାସସ ଡିଲ ଦେଶଦୋହ କାମ”, କହିଛନ୍ତି ରାହୁଲ ଗାନ୍ଧୀ।

କଂଗ୍ରେସ ନେତା ଗୌରବ ପାନ୍ଧୀ କହିଛନ୍ତି ପିଏମ ମୋଦୀଙ୍କ ୨୦୧୭ ଇସ୍ରାଏଲ ଗସ୍ତ ସମୟରେ ପେଗାସସ କିଣାଯାଇଥିଲା। ସରକାର ଭାରତୀୟ ସାମ୍ବାଦିକ, ରାଜନେତା, ସରକାରୀ ସଂସ୍ଥାନର ପ୍ରମୁଖଙ୍କ ବିରୋଧରେ ଏକ ଅସ୍ତ୍ରଭଳି ପେଗାସସକୁ ବ୍ୟବହାର କରିଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ। ପେଗାସସ ଡିଲ ଉପରୁ ସରକାର ପରଦା ହଟାଇବାର ବେଳ ଆସିଛି।

କେବେ କିଣା ହେଲା ପେଗାସସ ?

ଗତ ୨୦୧୭ ଜୁଲାଇ ମାସରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ଗସ୍ତ କରିଥିଲେ। ପ୍ରତିରକ୍ଷା କ୍ଷେତ୍ରରେ ୨ ବିଲିୟନ ଡଲାର ନିବେଶ ନେଇ ଇସ୍ରାଏଲ ସରକାରଙ୍କ ସହ ଚୁକ୍ତି କରିବାକୁ ଯାଇଥିଲେ ପ୍ରଧାନମନ୍ତ୍ରୀ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଚୁକ୍ତି ମଧ୍ୟ ସଫଳ ହୋଇଥିଲା। ଏହି ଚୁକ୍ତି ସମୟରେ ଇସ୍ରାଏଲର ସଫ୍ଟଓ୍ଵେୟାର କମ୍ପାନି ଦ୍ଵାରା ବିକଶିତ ସଫ୍ଟଓ୍ଵେୟାର ପେଗାସକୁ ସରକାର ୩୦୦ କୋଟି ଟଙ୍କାରେ କିଣିଥିବା ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ପେଗାସସକୁ ନେଇ ସଂସଦରେ ଉଠିଥିଲା ଝଡ଼

ପେଗାସସର ଗୁଇନ୍ଦାଗିରିକୁ ନେଇ ଗତ ୨୦୨୧ ବର୍ଷ ମୌସୁମୀ ଅଧିବେଶନରେ ସଂସଦରେ ଅଚଳାବସ୍ଥା ଜାରି ହୋଇଥିଲା। ସଂସଦୀୟ କମିଟି ଦ୍ଵାରା ଏହାର ତଦନ୍ତ କରିବାକୁ ବିରୋଧୀ ଅଡ଼ି ବସିଥିଲେ। ହଟ୍ଟଗୋଳ ସହ ମୋଦୀ ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଥିଲେ ବିରୋଧୀ। ପେଗାସସ ଜାଲରେ ୩୦୦ ଜଣ ଭାରତୀୟ ଛନ୍ଦି ହୋଇଥିଲେ। ଏଥିରେ ଅନେକ ସାମ୍ବାଦିକ, ସ୍ୱେଚ୍ଛାସେବୀ, ବିରୋଧୀ ଦଳର ନେତା ଏବଂ ସାମ୍ବିଧାନିକ ପଦପଦବୀରେ ଥିବା ବ୍ୟକ୍ତି ବିଶେଷ ରହିଥିଲେ। ମୋଦୀ ସରାକରଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ଥିବା କେତେଜଣ ମନ୍ତ୍ରୀଙ୍କ ନାଁ ୩୦୦ ଜଣିଆ ତାଲିକାରେ ରହିଥିଲା। ପେଗାସସକୁ ବ୍ୟବହାର କରି ସରକାର ଉପରୋକ୍ତ ବ୍ୟକ୍ତି ବିଶେଷଙ୍କର ଗୁଇନ୍ଦାଗିରି କରୁଥିବା ବିରୋଧୀ ଅଭିଯୋଗ କରିଥିଲେ।

’ଣ ଏହି ପେଗାସସ?

ପେଗାସସକୁ ନେଇ ଝଡ଼ ଉଠିବା ପରେ ପେଗାସସ ବିଷୟରେ ଜାଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି। ପେଗାସସ ହେଉଛି ଏକ ସଫ୍ଟଓ୍ଵେୟାର, ଯାହାକୁ ଇସ୍ରାଏଲର ଏକ ସଫ୍ଟଓ୍ଵେୟାର ଡେଭଲପର କମ୍ପାନି ଦ୍ଵାରା ବିକଶିତ କରାଯାଇଛି। ପେଗାସସ ଏକ ସ୍ପାଏର କାମ କରିଥାଏ। ଏହାକୁ ପେଗାସସ ସ୍ପାଏଓ୍ଵେୟାର ମଧ୍ୟ କୁହାଯାଏ।

ପେଗାସସ ଲୋକଙ୍କ ଅଜାଣତରେ ସେମାନଙ୍କର ସମସ୍ତ ତଥ୍ୟ ଚୋରି କରିବାକୁ ସକ୍ଷମ। ଏହା ଏପରି ଏକ ସଫ୍ଟଓ୍ଵେୟାର ଯାହା ଆପେ ଆପେ ମୋବାଇଲରେ ଇନଷ୍ଟଲ ହୁଏ ଏବଂ କାମ କରିବା ପରେ ଆପେ ଆପେ ଅନଇନଷ୍ଟଲ ହୋଇଯାଏ। ଖାସ କରି ରାଜନେତା, ସରକାର ବିରୋଧୀ ବ୍ୟକ୍ତି ବିଶେଷ, ବଡ଼ବଡ଼ ଶିଳ୍କପତି, ସାମ୍ବାଦିକ ଏମିତିକି ସାଧାରଣ ଲୋକଙ୍କ ସମସ୍ତ ତଥ୍ୟ ଚୋରି କରିବା ପାଇଁ ପୋଗାସସ ସଫ୍ଟଓ୍ଵେୟାରକୁ ବିକଶିତ କରାଯାଇଥିଲା।

ପୂର୍ବରୁ ପେଗାସସ ଜରିଆରେ ୫୦ ହଜାରରୁ ଊର୍ଦ୍ଧ୍ଵ ମୋବାଇଲକୁ ଟାର୍ଗେଟ କରାଯାଇଥିଲା। ଏଥିରେ ୩୦୦ ଭାରତୀୟ ରହିଥିଲେ। ପେଗାସସ ମୋବାଇଲରୁ ସମସ୍ତ ଡାଟା ନେଇ ସଫ୍ଟଓ୍ଵେୟାର ଡେଭଲପର ସେଣ୍ଟରକୁ ଦେଇଥାଏ। ଏହା ଆଣ୍ଡ୍ରଏଡ ଏବଂ ଆଇଓଏସ୍ ଉଭୟ ଫୋନରେ କାମ କରିଥାଏ। ଏହି ସଫ୍ଟଓ୍ଵେୟାର ଫୋନରେ ଇନଷ୍ଟଲ ହେବାକ୍ଷଣି ଫୋନ ସର୍ଭିଲାନ୍ସ ଡିଭାଇସ ଭାବେ କାମ କରିବା ଆରମ୍ଭ କରିଥାଏ।

କେବଳ ସରକାର କିଣି ପାରିବେ ପେଗାସସ

ଇସ୍ରାଏଲ କମ୍ପାନୀ କହିବା ଅନୁସାରେ ଅପରାଧୀ ଏବଂ ଆତଙ୍କବାଦୀଙ୍କ କାର୍ଯ୍ୟଶୈଳୀ ଓ ଗତିବିଧିକକୁ ଲକ୍ଷ୍ୟ କରିବା ପାଇଁ  ପେଗାସସ ସଫ୍ଟଓ୍ଵେୟାରକୁ ବିକଶିତ କରାଯାଇଥିଲା। ଦେଶର ସୁରକ୍ଷା ପାଇଁ ସରକାରମାନେ ଏହାର ବ୍ୟବହାର କରିପାରିବେ। ତେଣୁ କେବଳ ଏହି ସଫ୍ଟଓ୍ଵେୟାରକୁ ସରକାର ହିଁ କିଣି ପାରିବେ। ପେଗାସସରେ ଜଣେ ଟାର୍ଗେଟରଙ୍କ ତଥ୍ୟା ହାସଲ ପାଇଁ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇଥାଏ।

ହ୍ଵାଟସ୍ ଆପ୍ ମିସକଲରେ ଇନଷ୍ଟଲ ହେଉଥିଲା ପେଗାସସ

୨୦୧୯ ମସିହା ପର୍ଯ୍ୟନ୍ତ ହ୍ଵାଟସ୍ ଆପ୍ ମିସକଲ ଦ୍ଵାରା ପେଗାସସ ସଫ୍ଟଓ୍ଵେୟାରକୁ ମୋବାଇଲରେ ଇନଷ୍ଟଲ କରାଯାଇପାରୁଥିଲା। ଆଇଫୋନରେ ଏହାକୁ ଆଇମେସେଜ ବଗର ଫାଇଦା ଉଠାଇ ଇନଷ୍ଟଲ କରାଯାଉଥିଲା। ଯାହା ଫଳରେ ପେଗାସସ୍ ବିଷୟରେ ମୋବାଇଲ କମ୍ପାନୀକୁ ଜାଣିବାର ସୁଯୋଗ ମିଳୁନଥିଲା।

ଏକ ରିପୋର୍ଟ ଅନୁସାରେ ଟାର୍ଗେଟରେ ଥିବା ବ୍ୟକ୍ତିଙ୍କ ପାଖରେ ରହିଥିବା ରେଡିଓ ଟ୍ରାନ୍ସମିଟର କିମ୍ବା ରିସିଭର ମାଧ୍ୟମରେ ମଧ୍ୟ ଏହାକୁ ଇନଷ୍ଟଲ କରାଯାଇଥାଏ। ଇନଷ୍ଟଲ ହେବା ପରେ ସଫ୍ଟଓ୍ଵେୟାର ଡିଭାଇସର ମେସେଜ, କଣ୍ଟାକ୍ଟ, କଲ ହିଷ୍ଟ୍ରି, ଇମେଲ, ବ୍ରାଉଜିଂ ହିଷ୍ଟ୍ରି ସମେତ ଅନେକ ସୂଚନା ସର୍ଭର ପର୍ଯ୍ୟନ୍ତ ପହଞ୍ଚା ଯାଇଥାଏ। ଟାର୍ଗଟେ ୟୁଜରଙ୍କ କଲ ରିକେର୍ଡିଂ ମଧ୍ୟ କରାଯାଇଥାଏ। ପେଗାସସ ଦ୍ଵାରା ୟୁଜରଙ୍କୁ ଜିପିଏସ ସହାୟତାରେ ଟ୍ରାକ୍ ମଧ୍ୟ କରାଯାଇପାରେ।

Comment