ଓଡ଼ିଶାଲାଇଭ୍ ବ୍ୟୁରୋ

ପେଗାସସ ସ୍ପାଇୱେରକୁ ନେଇ ଭାରତ ରାଜନୀତିରେ ବିବାଦ ଦେଖା ଦେଇଛି। ଉଭୟ କଂଗ୍ରେସ ଓ ଟିଏମସି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଵର ଉଠାଇଛନ୍ତି। ତେବେ ଏହି ପେଗାସସ କ’ଣ ଜାଣନ୍ତୁ।

ପେଗାସସ ସ୍ପାଇୱେରକୁ ନେଇ ସମଗ୍ର ଦେଶରେ ବିବାଦ ଦେଖାଯାଇଛି। ଖାଲି ଦେଶ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏହା ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ଏହା ଏକ ସପ୍ଟୱେର, ଯାହା ମାଧ୍ୟମରେ ୫୦ହଜାରରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କ ତଥ୍ୟ ଚୋରି କରାଯାଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏମିତିକି ଏହାକୁ ନେଇ ଭାରତ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ସଂସଦରେ ଚାଲିଥିବା ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ହିଁ ବିରୋଧୀମାନେ ପେଗାସସକୁ ନେଇ ଶାସକ ଦଳକୁ ଟାର୍ଗଟେ କରି ଆସୁଛନ୍ତି। ବିରୋଧୀଙ୍କ କହିବାନୁସାରେ, ଭାରତରେ ଅନେକ ନେତା, ସାମ୍ବାଦିକ ଓ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଫୋନ ଟ୍ୟାପିଂ କରାଯାଇଛି। ତେବେ ଏହା କ’ଣ ଓ ଏହାକୁ ନେଇ ଏତେ ଚର୍ଚ୍ଚା କ’ଣ ପାଇଁ ଚାଲିଛି ଜାଣନ୍ତୁ।ପେଗାସସ କ’ଣ?

ଇଜ୍ରାଏଲର ସ୍ଥିତ ଏନଏସଓ ଗ୍ରୁପ ଦ୍ଵାରା ଏହି ସପ୍ଟୱେରଟିକୁ ବିକଶିତ କରାଯାଇଥିଲା। ଏହି ସ୍ପାଇୱେରଟି ୨୦୧୬ରୁ ରହି ଆସିଛି। ଏହା ହେଉଛି ଏନଏସଓ ଗ୍ରୁପ ଦ୍ଵାରା ବିକଶିକ ଏକ ସଫଳ ଏବଂ ଲୋକପ୍ରିୟ ସଫ୍ଟୱେର। କୌଣସି ପ୍ରତିଷ୍ଠିତ ବ୍ୟକ୍ତିଙ୍କର ତଥ୍ୟ ଚୋରି କରିବା କାର୍ଯ୍ୟରେ ଏହାକୁ ବ୍ୟବହାର କରାଯାଇଥାଏ।

୨୦୧୯ ମେ’ ମାସରେ ଏହାକୁ ବିକଶିତ କରିଥିବା ସଂସ୍ଥା ସରକାରୀ ଗୁଇନ୍ଦା ଏଜେନ୍ସି ଏବଂ ଅନ୍ୟକୁ ବିକ୍ରି କରିଥିବା ଜାଣିବାକୁ ମିଳୁଛି। ଏଥିସହ ଏହି ବର୍ଷ ହ୍ଵାଟ୍ସଆପ୍‌ ଜରିଆରେ ଏହି ସପ୍ଟୱେରଟିକୁ ବ୍ୟବହାର କରି ପ୍ରାୟ ୧୪ଶହ ଉପଭୋକ୍ତାଙ୍କୁ ଟାର୍ଗଟେ କରାଯାଇଥିବା ଅଭିଯୋଗ ରହିଛି। ଏହି ଉପଭୋକ୍ତାମାନଙ୍କ ମଧ୍ୟରୁ ଭାରତର ପ୍ରାୟ ୧ଶହରୁ ଊର୍ଦ୍ଧ୍ଵ ବ୍ୟକ୍ତି ରହିଥିବା ଜଣାପଡ଼ିଥିଲା।ପେଗାସସ କେମିତି କାମ କରିଥାଏ?

ପେଗାସସ ସଫ୍ଟଓ୍ଵେରଟି ଆଇଫୋନ ଓ ଆଣ୍ଡ୍ରୋଏଡ ଫୋନରେ ସହଜରେ ପ୍ରବେଶ କରିପାରେ। ହ୍ୟାକିଙ୍ଗ ମାଧ୍ୟମରେ ଏହି ସଫ୍ଟଓ୍ଵେର ହ୍ଵାଟ୍ସଆପ୍‌ରେ ପ୍ରବେଶ କରେ। ଏହି ସ୍ପାଇଓ୍ଵେର କୌଣସି ଲିଙ୍କ୍ କିମ୍ବା ମିସ୍‌ଡ ହ୍ଵାଟ୍ସଆପ୍‌ ଭିଡିଓ କଲ ଜରିଆରେ ଫୋନରେ ମଧ୍ୟରେ ପ୍ରବେଶ କରି ସମସ୍ତ ତଥ୍ୟକୁ ନିଜ କବ୍ଜାକୁ ଆଣିଥାଏ। ଏହା ଦୀର୍ଘ ସମୟ ଧରି ଫୋନରେ ସକ୍ରିୟ ରୁହେ। ପେଗାସସ ସ୍ଵାଇଓ୍ଵେର ଫୋନରେ କେମିତି ପ୍ରବେଶ କରେ?

୨୦୧୯ ପୂର୍ବରୁ ଉପଭୋକ୍ତାଙ୍କ ଫୋନ୍‌ରେ ହ୍ଵାଟ୍ସଆପ୍ ଭିଡିଓ କଲ ମାଧ୍ୟମରେ ଏହି ସ୍ଵାଇଓ୍ଵେରଟି ପ୍ରବେଶ କରୁଥିଲା। କିନ୍ତୁ ବର୍ତ୍ତମାନ ହ୍ଵାଟ୍ସଆପ୍‌ ଏହି ସମସ୍ୟାକୁ ଦୂର କରି ଦେଇଛି।

ଏବେ ପେଗାସସ ଆପଲର ମେସେଜିଂ ଆପ୍ଲିକେସନ୍ ଆଇମେସେଜ୍ ଜରିଆରେ ଫୋନରେ ପ୍ରବେଶ କରୁଛି। ପ୍ରଥମେ ଏକ ଭଲ ଲିଖିତ ମେସଜରେ ପେଗାସସ ସ୍ପାଏୱେର ହ୍ୟାକରମାନଙ୍କ ଦ୍ଵାରା ଏମ୍ବେଡ କରାଯାଉଛି। ପରେ ଏହି ମେସେଜଟିକୁ ଫୋନ୍ ବ୍ୟବହାରକାରୀଙ୍କୁ ପଠାଯାଉଛି। ଏହି ବାର୍ତ୍ତା ଉପରେ କ୍ଲିକ୍ କରିବା ମାତ୍ରେ କିମ୍ବା କ୍ଲିକ୍ ନକରିଲେ ମଧ୍ୟ ଏହି ସ୍ପାଏୱେରଟି ଆପେ ଆପେ ଫୋନରେ ଇନଷ୍ଟଲ ହୋଇଯାଉଛି। ମେସେଜଟିକୁ ଡିଲିଟ୍ କଲେ ମଧ୍ୟ ଏହି ସ୍ଵାଇଓ୍ଵେରଟି ଡିଲିଟ୍ ହୋଇନଥାଏ।ପେଗାସସକୁ ନେଇ ରାହୁଲ ଗାନ୍ଧୀଙ୍କ ଅଭିଯୋଗ

ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବି ପେଗାସସ ସଫ୍ଟଓ୍ଵେର ପ୍ରସଙ୍ଗରେ କେନ୍ଦ୍ର ସରକାର ବିରୋଧରେ ବର୍ଷିଛନ୍ତି। ଏହି ସଫ୍ଟଓ୍ଵେର ମାଧ୍ୟମରେ ସରକାର ଗୋପନୀୟ ତଥ୍ୟ ଚୋରି କରିଛନ୍ତି ବୋଲି ସେ ସିଧାସଳଖ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ମୋର ଫୋନ୍ ନମ୍ୱର ହ୍ୟାକିଂ ଏବଂ ଟ୍ୟାପିଂ ହୋଇଛି। ଜଣଙ୍କ ଗୋପନୀୟତା ଚୋରି କରିବାର ଅର୍ଥ ଦେଶଦ୍ରୋହ। ପେଗାସସ୍ ହେଉଛି ଏକ ଅସ୍ତ୍ର ଯାହା ଆତଙ୍କବାଦୀ ଏବଂ ଅପରାଧୀଙ୍କ ବିରୋଧରେ ବ୍ୟବହୃତ ହୁଏ। ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଏହାକୁ ନିଜ ଦେଶର ନେତା ମନ୍ତ୍ରୀମାନଙ୍କର ତଥ୍ୟ ଚୋରିରେ ବ୍ୟବହାର କରିଛନ୍ତି।”

ସେ ଆଉ ମଧ୍ୟ କହିଛନ୍ତି, “ରାଫେଲ ଦୁର୍ନୀତି ମାମଲାର ତଦନ୍ତ ବନ୍ଦ କରିବାକୁ ଯାଇ ସରକାର ପେଗାସସ୍ ବ୍ୟବହାର କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବିନା ପେଗାସସକୁ ଅନ୍ୟ କେହି ଅନୁମତି ଦେଇ ପାରିବେ ନାହିଁ। ଏପରି ଅନୁମତି ଦେବାର କ୍ଷମତା କେବଳ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କର ରହିଛି। ଯଦି ଦେଶରେ ଏହାକୁ ବ୍ୟବହାର କରାଯାଉଛି, ତେବେ ସେଥିପାଇଁ ଦାୟି କେବଳ ଏହି ଦୁଇଜଣ। ତେଣୁ ଗୃହମନ୍ତ୍ରୀ ଅମିତ ଶାହ ତୁରନ୍ତ ଇସ୍ତଫା ଦିଅନ୍ତୁ।”ପେଗାସସ ମାମଲାର ଯାଞ୍ଚ କରିବ ଟିଏମସି

ପେଗାସସ ବିରୁଦ୍ଧରେ ଯାଞ୍ଚ କରିବ ଟିଏମସି। ଦେଶର ପ୍ରଥମ ରାଜ୍ୟ ଭାବରେ ପଶ୍ଚିମବଙ୍ଗ ଏନେଇ ଯାଞ୍ଚ କରିବାକୁ ବାହାରିଛି। ତେଣୁ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଏକ ଯାଞ୍ଚ ଆୟୋଗ ଗଠନ କରାଯାଇଛି।

ଏନେଇ ମମତା ବାନାର୍ଜୀ କହିଛନ୍ତି, “ଆମେ ଭାବିଥିଲୁ ପେଗାସସର ଯାଞ୍ଚ ନିମନ୍ତେ କେନ୍ଦ୍ର ସରକାର ଆୟୋଗ ଗଠନ କରିବେ। କିନ୍ତୁ କେନ୍ଦ୍ର ସରକାର ସେଭଳି କିଛି କରିଲେନାହିଁ। ତେଣୁ ପଶ୍ଚିମବଙ୍ଗ ସରକାର ଏହାର ଯାଞ୍ଚ କରିବାକୁ ବାଧ୍ୟ ହୋଇଛନ୍ତି।”

ସେ ଆଉ ମଧ୍ୟ କହିଛନ୍ତି, “ପେଗାସସ ଜରୀଆରେ ଯେଉଁମାନଙ୍କ ତଥ୍ୟ ଚୋରି କରାଯାଉଥିବା ଅଭିଯୋଗ ହେଉଛି, ସେମାନଙ୍କ ଭିତରେ ପଶ୍ଚିମବଙ୍ଗର ମଧ୍ୟ କିଛି ବ୍ୟକ୍ତି ରହିଛନ୍ତି। ସମସ୍ତଙ୍କ ଗୋପନୀୟ ତଥ୍ୟ ଚୋରି କରିବାକୁ କେନ୍ଦ୍ର ପକ୍ଷରୁ ପ୍ରୟାସ କରାଯାଉଛି। ତେଣୁ ଗଠନ କରାଯାଇଥିବା ଯାଞ୍ଚ ଆୟୋଗ ନିଶ୍ଚିତ ରୂପେ ଏହି ଘଟଣାର ତଦନ୍ତ କରି ଖୁଲାସା କରିବ।”ପେଗାସସକୁ ବ୍ୟବହାର କରି ତଥ୍ୟ ଚୋରି ହେଉନାହିଁ!

୨୦୧୯ରେ ଦେଶରେ ଉଠିଥିଲା ପେଗାସସ ପ୍ରସଙ୍ଗ। ସେହି ସମୟରେ ସରକାର ପେଗାସସ ସଫ୍ଟଓ୍ଵେର ବ୍ୟବହାର କରି ହ୍ୱାଟସଆପରୁ ଡାଟା ଚୋରି କରୁଥିବା ଅଭିଯୋଗ ହୋଇଥିଲା। କିନ୍ତୁ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ବର୍ତ୍ତମାନ ପୁଣି ସମାନ ପରିସ୍ଥିତି ଦେଖା ଦେଇଛି। ମୌସୁମୀ ଅଧିବେଶନ ପୂର୍ବରୁ ଜାଣିଶୁଣି ଏଭଳି ପ୍ରସଙ୍ଗ ଉଠାଯାଇଥିବା କହିଛନ୍ତି କେନ୍ଦ୍ର ସରକାର।

ଅନ୍ୟପଟେ ପେଗାସସ ନିର୍ମାତା ଇସ୍ରାଏଲ୍ କମ୍ପାନି ପକ୍ଷରୁ କୁହାଯାଇଛି ଯେ, ଏହି ସଫ୍ଟଓ୍ଵେର ତଥ୍ୟ ଚୋରି କରିବା କ୍ଷେତ୍ରରେ ବ୍ୟବହାର ହେଉନାହିଁ। ଯେଉଁମାନେ ଇସ୍ରାଏଲ ସରକାରଙ୍କ ସହ ଡିଲ୍ କରିଛନ୍ତି, ଉକ୍ତ ଦେଶକୁ ଏହି ସଫ୍ଟଓ୍ଵେର ଦିଆଯାଇଛି। ସେହି ଦେଶର ସରକାର ଏହି ସଫ୍ଟଓ୍ଵେରକୁ ଆତଙ୍କବାଦ ବିରୋଧରେ ବ୍ୟବହାର କରୁଛନ୍ତି।

Comment