ଓଡ଼ିଶାଲାଇଭ୍ ବ୍ୟୁରୋ

“ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଖୁସି ଅଛି ଆଉ ଆପଣମାନଙ୍କ ସମ୍ମୁଖରେ ଅଛି। ଯେବେ ଯେବେ ନିର୍ବାଚନ ସମୟ ଆସେ ମୋର ଅସୁସ୍ଥତାକୁ ନେଇ ଅନେକ ଗୁଜବ ଉଠେ”, ହସି ହସି ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗତ ୪ରୁ ୫ ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା ନେଇ ସାମାଜିକ ଗଣମାଧ୍ୟମ ଏବଂ ଗାଁ ଗହଳିରେ ଗୁଜବ ସୃଷ୍ଟି ହୋଇଥିଲା। ଏହି ଗୁଜବ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ଶୁକ୍ରବାର ଲିଙ୍ଗରାଜ ମନ୍ଦିରରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଫେରିବା ପରେ ନିଜର ଅସୁସ୍ଥତା ନେଇ ଉଠିଥିବା ଗୁଜବକୁ ମିଛ ବୋଲି ପ୍ରମାଣିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବାବା ଲିଙ୍ଗରାଜଙ୍କ ଦର୍ଶନ କରି ଫେରିବା ପରେ ସେ ଆହୁରି ମଧ୍ୟ କହିଥିଲେ, “ବର୍ତ୍ତମାନ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ମୁଁ ବେଶି କିଛି କହିବାକୁ ଚାହୁଁ ନାହିଁ। କେବଳ ଏତିକି କହିବି ନିର୍ବାଚନ ଆସିଲେ ଗୁଜବ ଆସେ। ଯେବେ ଯେବେ ଗୁଜବ ଉଠିଛି, ସେବେ ସେବେ ବିଜୁ ଜନତା ଦଳ ଭଲ ପ୍ରଦର୍ଶନ କରିଛି”।

ବର୍ତ୍ତମାନ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଛି। ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ମଇଦାନକୁ ଓହ୍ଲାଇ ନିର୍ବାଚନ ପ୍ରଚାର କରିନାହାନ୍ତି। ଗତ ପଞ୍ଚାୟତ ନିର୍ବାଚନ ସମୟରେ ମଧ୍ୟ ନିର୍ବାଚନ ମଇଦାନକୁ ଯାଇନଥିଲେ ମୁଖ୍ୟମନ୍ତ୍ରୀ। ଏହାରି ଆଳରେ ଅପପ୍ରଚାରକାରୀଙ୍କୁ ଗୁଜବ କରିବାକୁ ସୁଯୋଗ ମିଳିଥିଲା। କିନ୍ତୁ ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଆସି ମୁଖ୍ୟମନ୍ତ୍ରୀ ନିଜ ସ୍ଵାସ୍ଥ୍ୟାବସ୍ଥାକୁ ନେଇ ଲାଗି ରହିଥିବା ଦ୍ଵନ୍ଦ୍ଵକୁ ଦୂର କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କୋଭିଡ ନିୟମ ପାଳନ କରିବାକୁ କହିଥିଲେ। ଏହା ସହ ସାମାଜିକା ଦୂରତା ରକ୍ଷା କରିବା ସହ ମାସ୍କ ପରିଧାନ କରିବାକୁ ପରାମର୍ଶ ଦେଇଥିଲେ।

ଏହା ପୂର୍ବରୁ ମଧ୍ୟ ଗତ ଜାନୁଆରି ମାସ ୨୪/୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵାସ୍ଥ୍ୟାବସ୍ଥାକୁ ନେଇ ଗୁଜବ ଉଠିଥିଲା। ଜାନୁଆରି ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଠିଥିବା ଗୁଜବକୁ ମିଛ ପ୍ରମାଣିତ କରିଥିଲେ।

ashoAk-chandra-panda-minister-tou-1024x576 otb 2018

“ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା ଖବର ପ୍ରଚାର କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି। ପଞ୍ଚାୟତ ନିର୍ବଚାନ ସମୟରେ ଓଡ଼ିଶାର ଜନତାଙ୍କୁ ବାଟବଣା କରିବାକୁ ଏହା ଏକ ସୁପରିକଳ୍ପିତ ଚକ୍ରାନ୍ତ। ଭୋଟ ହାତେଇବାକୁ ଏହିଭଳି ଗୁଜବ ସୃଷ୍ଟି କରାଯାଉଛି। କିନ୍ତୁ ଗୁଜବକାରୀଙ୍କୁ ଆଜି ହତାଶ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ। ରାଜ୍ୟବାସୀଙ୍କ ହିତ ପାଇଁ ସର୍ବଦା ପ୍ରୟାସ କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏଭଳି ଅପପ୍ରଚାର ଆଦୌ ଗ୍ରହଣୀୟ ନୁହେଁ। ପଞ୍ଚାୟତ ନିର୍ବାଚନରେ ଓଡ଼ିଶାବାସୀ ଏହାର ଜବାବ ନିଶ୍ଚୟ ଦେବେ”, କହିଛନ୍ତି ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଯାଇ ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣକୁ ଭୂୟସୀ ପ୍ରଶଂସା କରିଥିଲେ। ବେଢ଼ା ପରିକ୍ରମା କରିବା ପରେ ଗର୍ଭଗୃହକୁ ଯାଇ ପ୍ରଭୁ ଲିଙ୍ଗରାଜଙ୍କର ଦର୍ଶନ କରିଥିଲେ। ଅଖଣ୍ଡ ଦୀପ ଲଗାଇ ସମଗ୍ର ଓଡ଼ିଶାର ମଙ୍ଗଳ କାମନା କରିଥିବା ମନ୍ଦିର ମୁଖ୍ୟ ପୂଜକ ସୂଚନା ଦେଇଛନ୍ତି।

Comment