ଓଡ଼ିଶାଲାଇଭ୍ ବ୍ୟୁରୋ

  • ୫-ଟି କାର୍ଯ୍ୟକ୍ରମ ଅଧୀନରେ କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପ
  • ଓଡ଼ିଶାରେ ଦେଶର ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ
  • ଖର୍ଚ୍ଚ ହେବ ୧୨୦ କୋଟି ଟଙ୍କା
  • ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ
  • ଭାରତର ପୁରୁଷ ଓ ମହିଳା ହକି ଟିମ୍‌ର ଖେଳାଳିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
  • ପ୍ରୋ-ଲିଗ୍‌ ମ୍ୟାଚ ପାଇଁ ଜଣାଇଲେ ଶୁଭେଚ୍ଛା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ଵର କଳିଙ୍ଗ ଷ୍ଟାଡିଅମ କମ୍ପ୍ଲେକ୍ସ ଗସ୍ତ କରି ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଇନଡୋର ଆଥଲେଟିକ୍‌ ଷ୍ଟାଡିଅମ ତଥା ୩୦୦ କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରି ଏହାର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ। ଏହା ସହ ‌ଏହି ଷ୍ଟାଡିୟମ ଆଗାମୀ ଦିନରେ ଆଥଲେଟିକ ଚମ୍ପିଆନ ସୃଷ୍ଟି କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମର ମୁଖ୍ୟ ଫୁଟବଲ୍‌ ପଡ଼ିଆରେ ଅନୁଷ୍ଠିତ ଓଡ଼ିଶା ମହିଳା ଫୁଟବଲ ଲିଗ୍‌ର ମ୍ୟାଚ ଦେଖି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିଅମ କମ୍ପଲେକ୍‌ସ ଗସ୍ତ କରି ନିର୍ମଣାଧୀନ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହା ହେଉଛି ଦେଶର ସର୍ବ ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ। ଇନ୍‌ଡୋର ସୁବିଧା ଦେଶରେ ଆଥଲେଟିକ୍‌ ଖେଳର ବିକାଶକୁ ଜୋରଦାର କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

୧୨୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଉଥିବା ଏହି ଷ୍ଟାଡିଅମକୁ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଆଥଲେଟିକ କ୍ରୀଡ଼ା ଅନୁଷ୍ଠିତ ହେବ ଏବଂ ଖେଳାଳିମାନେ ବର୍ଷ ତମାମ ଏଠାରେ ଖେଳ ଅଭ୍ୟାସ କରିପାରିବେ। ୧୦୦ ଜଣ ଖେଳାଳିଙ୍କୁ କୋଚିଂ ଦେବା ପାଇଁ ଏଥିରେ ଆବାସିକ ସୁବିଧା ମଧ୍ୟ ରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ନିର୍ମଣାଧୀନ ଟେନିସ ସେଣ୍ଟର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।

ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଅଧୀନରେ ଏହିସବୁ କ୍ରୀଡ଼ା ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହା ଦ୍ଵାରା ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ପରିବର୍ତ୍ତନ ଆଶିବାର ଆଶା ରହିଛି। ବର୍ତ୍ତମାନ କଳିଙ୍ଗ ଷ୍ଟାଡିଅମ କମ୍ପେଲେକ୍‌ସରେ ଇନ୍‌ଡୋର ଆଥଲେଟିକ ଷ୍ଟାଡିଅମ ଓ ଟେନିସ ସେଣ୍ଟର ସହିତ ଇନ୍‌ଡୋର ଆକ୍ଵାଟିକ୍‌ସ ଷ୍ଟାଡିଅମ, ହକି ଏଚପିସି ବିଲ୍ଡିଂ ଓ ଷ୍ଟାଫମାନଙ୍କ ପାଇଁ ଆବାସିକ ବ୍ୟବସ୍ଥା କରାଯାଉଛି।

ଏହାପରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିଅମର ମୁଖ୍ୟ ଫୁଟବଲ୍‌ ପଡ଼ିଆରେ ଅନୁଷ୍ଠିତ ଓଡ଼ିଶା ମହିଳା ଫୁଟବଲ ଲିଗ୍‌ର ମ୍ୟାଚ ଦେଖିଥିଲେ। ଖେଳାଳିମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଭାରତୀୟ ଜାତୀୟ ହକି ଦଳର ଉଭୟ ପୁରୁଷ ଓ ମହିଳା ଖେଳାଳିମାନଙ୍କୁ ଭେଟି ସେମାନଙ୍କର ରହଣୀ ଓ ଖେଳ ଅଭ୍ୟାସ ସମ୍ପର୍କର୍କରେ ପଚାରି ବୁଝିଥିଲେ। ହକିକୁ ମୁଖ୍ୟମନ୍ତ୍ରୀ ଯେଉଁ ସହଯୋଗ ଯୋଗାଇ ଦେଇଛନ୍ତି, ସେଥିପାଇଁ ଖେଳାଳିମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ। ଆଗାମୀ ପ୍ରୋ-ଲିଗ୍‌ ମ୍ୟାଚ ପାଇଁ ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇ ଆଗାମୀ ଏସିଆନ ଓ କମନୱେଲ୍‌ଥ ଗେମ୍‌ସରେ ଦେଶ ପାଇଁ ସ୍ଵର୍ଣ୍ଣ ପଦକ ଆଣିବା ପାଇଁ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ ଓ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ଉପସ୍ଥିତ ଥିଲେ।

Comment