ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରୁଛି ଆମ୍‌ ଆଦମୀ ପାର୍ଟି।

ଅରବିନ୍ଦ କେଜରିୱାଲ। ଏହି ନାଁ ଭାରତୀୟ ରାଜନୀତିରେ ବେଶ୍‌ ଚର୍ଚ୍ଚିତ। ଆନ୍ନା ହଜାରେଙ୍କ ଜନ ଲୋକପାଳ ବିଲ୍‌ ଆନ୍ଦୋଳନରୁ ଆମ୍‌ ଆଦମୀ ପାର୍ଟି ଗଠନ କରିଥିବା କେଜରିୱାଲ ଏବେ ରାଜନୀତି ମଇଦାନରେ ଜଣେ ସଚ୍ଚା ଖେଳାଳିର ପରିଚୟ ସୃଷ୍ଟି କରିଛନ୍ତି। ଦିଲ୍ଲୀରେ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ରହିଥିବା କେଜରିୱାଲ ମିଶନ-୨୦୨୨ ପାଇଁ ଗୋଟି ଚାଳନା କରୁଛନ୍ତି।

ପଞ୍ଜାବ ଓ ଗୋଆରେ ଚାଲିଥିବା ନିର୍ବାଚନ ଲଢ଼େଇରେ କେଜରିୱାଲ ଜୋରଦାର ପ୍ରଚାର କରିଥିଲେ। ପଞ୍ଜାବ ଏବଂ ଗୋଆରେ ଆମ୍‌ ଆଦମୀ ପାର୍ଟି ସରକାର ଗଠନ କରିବାକୁ କେଜରିୱାଲ ଏବଂ ତାଙ୍କ ଟିମ୍‌ ଲାଗି ପଡ଼ିଥିଲେ। ଅନ୍ୟପଟେ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶରେ ନିଜର ସ୍ଥିତି ସୁଦୃଢ଼ ପାଇଁ କେଜରିୱାଲ ରଣନୀତି ପ୍ରସ୍ତୁତ କରିଛନ୍ତି। ୨୦୨୨ ଡିସେମ୍ବର ମାସରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ଉପରେ ମଧ୍ୟ କେଜରିୱାଲ ଏବଂ ତାଙ୍କ ଟିମର ନଜର ରହିଛି।ଗୋଆରେ ଗୋଲ୍ କରିବ କି ଆପ୍?

୨୦୧୭ରେ ଗୋଆରେ କୌଣସି ଆସନ ଜିତି ନ ଥିଲେ ମଧ୍ୟ ଆମ୍ ଆଦମୀ ପାର୍ଟି ୬ ପ୍ରତିଶତରୁ ଅଧିକ ଭୋଟ୍ ପାଇଥିଲା। ଏଥର କିନ୍ତୁ ଜୋରଦାର ପ୍ରଚାର କରିଥିଲେ କେଜରିଓ୍ୱାଲ। ଏଥର ଗୋଆରେ ଖାଲି ଆସନ ନୁହେଁ, ମ୍ୟାଜିକ ନମ୍ବର ମଧ୍ୟ ଆଶା ରଖିଛନ୍ତି। ଗତଥର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ବହୁତ କ୍ଷତିଗ୍ରସ୍ତ ହୋଇଥିଲା ଆମ ଆଦମୀ ପାର୍ଟି। ଏଥର କିନ୍ତୁ ଖେଳ ଅଲଗା ଖେଳୁଛି ଆମଆଦମୀ ପାର୍ଟି। ଏଥର ଗୋଆରେ ଫୁଟବଲ୍ ମ୍ୟାଚ ଭଳି ଲଢ଼େଇ କରିଛନ୍ତି କେଜରିଓ୍ୱାଲ। ଗୋଆରେ ଆମଆଦମୀ ପାର୍ଟିର ପ୍ରଚାର ଏତେ ଜୋରଦାର ଥିଲା ଯେ, ବିଜେପି ଓ କଂଗ୍ରେସ ଅଡୁଆରେ ପଡ଼ି ଯାଇଥିଲେ। ତେବେ ନିର୍ବାଚନୀ ଫଳାଫଳ ଦିନ ହିଁ ଜଣାପଡ଼ିଯିବ ଯେ କେଜରିଓ୍ୱାଲଙ୍କ ପ୍ରତିଶ୍ରୁତି ଭୋଟରଙ୍କ ଉପରେ କେତେ ପ୍ରଭାବ ପକାଇଛି।ପଞ୍ଜାବ ଉପରେ କେଜରିଓ୍ଵାଲଙ୍କ ନଜର

ପଞ୍ଜାବ ନିର୍ବାଚନ ଉପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଓ କେନ୍ଦ୍ରରେ ସରକାର କରିଥିବା ବିଜେପିର ନଜର। ୨୦୧୭ରେ ୨୦ ଆସନ ଜିତି ବିରୋଧୀ ଦଳ ଆସନରେ ବସିଥିଲା ଆପ୍।। ଏଥର କିନ୍ତୁ ମୁଖ୍ୟମନ୍ତ୍ରୀ ଚୌକି ଉପରେ କେଜରିଓ୍ୱାଲଙ୍କ ନଜର। ଏଥର ସ୍ଥିତି ବି ବେଶ ଗୋଳିଆ। ପଞ୍ଜାବରେ ବିଜେପିର ସ୍ଥିତି ଭଲ ନୁହେଁ। କିନ୍ତୁ ପୂର୍ବତନ କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ଆଗରେ ରଖି ନିର୍ବାଚନ ବୈତରଣୀ ପାର୍ ହେବାକୁ ବସିଛି ବିଜେପି। କିନ୍ତୁ ଗତଥରର ସଫଳତା କେଜରିଓ୍ୱାଲଙ୍କୁ ପ୍ରେରଣା ଦେଇଥିଲା। ଆପକୁ ଜାତୀୟ ଦଳ ଭାବେ ମାନ୍ୟତା କେମିତି ମିଳିବ ସେଥିପାଇଁ ଜୋରଦାର ଲାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।ଉତ୍ତରରୁ ବୋନସ

ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଆପର ସ୍ଥିତି ଏତେ ଭଲ ନାହିଁ। ତେବେ ନିଜ ଦଳର ସ୍ଥିତି ସୁଦୃଢ଼ କରିବା ପାଇଁ କେଜରିୱାଲ ପୂରା ଫୋକସ୍‌ କରିଥିଲେ। ଆପର ଶକ୍ତି ବୃଦ୍ଧି ବିଜେପିକୁ ଅଡୁଆରେ ପକାଇପାରେ ବୋଲି କୁହାଯାଉଛି। ଏମିତି ବି ସ୍ଥିତି ହୋଇପାରେ ଆପ୍ ସପକ୍ଷରେ ଯଦି ଅଧିକ ଭୋଟ୍ ଆସେ ତାହାଲେ ବିଜେପିକୁ କିଛି ଆସନ ହରାଇବାକୁ ପଡ଼ିପାରେ। ଏ ଦୁଇ ରାଜ୍ୟରେ ଆପ୍‌ ଜିତିବା ସ୍ଥିତିରେ ନାହିଁ ସତ, ହେଲେ କେଜରିଓ୍ୱାଲଙ୍କୁ ଯାହା ମିଳିବ ତାହା ବୋନସ ସାବ୍ୟସ୍ତ ହେବ। ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଦିଲ୍ଲୀ ଗାଦି

ପୂର୍ବତନ ପ୍ରଶାସକ, ସାମାଜିକ କର୍ମୀ କେଜରିଓ୍ୱାଲ ରାଜନୀତିକୁ ନେଇ କେବେ ସ୍ୱପ୍ନ ଦେଖିଥିବା ସେ କେଉଁଠି କହିନାହାନ୍ତି। କିନ୍ତୁ ଏକ ଦୁର୍ନୀତି ବିରୋଧୀ ସଂଗଠନରୁ ରାଜନୈତିକ ଦଳ ଗଠନ କରିବା ଆଉ ପ୍ରଥମ ଥରର ପ୍ରଚେଷ୍ଟାରେ ସିଧା ଦିଲ୍ଲୀ କେନ୍ଦ୍ରଶାସିତ ଅଞ୍ଚଳ ଅକ୍ତିୟାର କରିବା ଆଦୌ ସହଜସାଧ୍ୟ ସ୍ୱପ୍ନ ନୁହେଁ।

୧୯୬୮ ମସିହା, ସ୍ୱାଧୀନତା ଦିବସର ଗୋଟିଏ ଦିନ ପରେ ଜନ୍ମ ହୋଇଥିଲେ କେଜରିଓ୍ୱାଲ।  ପ୍ରଥମ ଚେଷ୍ଟାରେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ୨୮ଟି ଆସନ ଜିତିଥିଲେ ମଧ୍ୟ ମ୍ୟାଜିକ ନମ୍ବରଠାରୁ ୮ଟି ଆସନ ପଛରେ ରହିଯାଇଥିଲେ। କଂଗ୍ରେସ ଓ ସ୍ୱାଧୀନ ବିଧାୟକଙ୍କ ବାହ୍ୟ ସମର୍ଥନରେ ମାତ୍ର ୪୯ ଦିନ ଧରି ଚାଲିଥିଲା କେଜରିଓ୍ୱାଲଙ୍କ ସରକାର। ସେ ଆଗତ କରିଥିବା ଜନଲୋକପାଳ ବିଲ୍ ପାସ୍ କରାଇ ନ ପାରିବାରୁ ଇସ୍ତଫା ଦେଇଦେଇଥିଲେ। ସରକାର ଭାଙ୍ଗି ଯାଇଥିଲା। କିନ୍ତୁ ତା ପରେ ଅର୍ଥାତ ୨୦୧୫ ବିଧାନସଭା ନିର୍ବାଚନରେ ଇତିହାସ ସୃଷ୍ଟି କରିଥିଲେ କେଜରିୱାଲ। ୬୭ଟି ଆସନ ଜିତି ସରକାର କରିଥିଲା ଆପ୍‌। କେନ୍ଦ୍ରରେ ବିଜେପି ସରକାର ଥିଲେ ମଧ୍ୟ ଆମ ଆଦମୀର ବିଜୟ ରଥକୁ ରୋକି ପାରି ନଥିଲା। ସେହିପରି ୨୦୨୦ ନିର୍ବାଚନରେ ବି କେଜରିଓ୍ୱାଲଙ୍କ ବିଜୟ ରଥକୁ ଅଟକାଇପାରି ନଥିଲେ ମୋଦୀ-ଶାହ ଯୋଡ଼ି।

ସୂଚନା ଅଧିକାର ଓ ପରିବର୍ତ୍ତନ

କେନ୍ଦ୍ର ରାଜନୀତିର କେନ୍ଦ୍ରରେ ଥିବା କେଜରିଓ୍ୱାଲଙ୍କ ରାଜନୈତିକ କ୍ୟାରିଅର ପୂର୍ବରୁ ସେ ସୂଚନା ଅଧିକାର ପାଇଁ ଲଢ଼େଇ କରୁଥିଲେ। ସରକାରଙ୍କ ଦୁର୍ନୀତି ବିରୋଧରେ ତାଙ୍କ ସ୍ୱର ସବୁବେଳେ ଶାଣିତ ଥିଲା। ଦୁର୍ନୀତି ବିରୋଧୀ ଡକରା ଦେଇ ସେ ସରକାର ବି ଗଢ଼ିବାରେ ସଫଳ ହୋଇଥିଲେ। ତାଙ୍କର ସଂସ୍ଥା ପରିବର୍ତ୍ତନ ତାଙ୍କ ଜୀବନକୁ ବି ପରିବର୍ତ୍ତନ କରିବାରେ ସଫଳ ହୋଇଥିଲା। ସୂଚନା ଅଧିକାର ଓ ସାମାଜିକ ଆନ୍ଦୋଳନରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ମାଗେସେସେ ପୁରସ୍କାର ବି ପାଇଥିଲେ। ସାମାଜିକ ଆନ୍ଦୋଳନ ପୂର୍ବରୁ ଭାରତୀୟ ରାଜସ୍ୱ ସେବା ପାଇଁ ମନୋନୀତ ହୋଇଥିଲେ ଆଇଆଇଟି ଖଡ଼ଗପୁରରୁ ମେକାନିକାଲ ଇଞ୍ଜନିୟରିଂ ଗ୍ରାଜୁଏଟ କେଜ୍ରିଓ୍ୱାଲ। ଯୁଗ୍ମ ଆୟକର କମିଶନର ଭାବେ କାମକରୁଥିବା କେଜରିଓ୍ୱାଲ ଚାକିରି ଛାଡ଼ିଦେଇଥିଲେ। ଲୋକପାଳ ବିଲ୍ ପାଇଁ ତାଙ୍କ ନେତୃତ୍ୱରେ ‘ଇଣ୍ଡିଆ ଏଗନେଷ୍ଟ କରପସନ’ ଗଠନ ହୋଇଥିଲା। ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେଙ୍କ ସହ ମିଶି ଜନ ଲୋକପାଳ ବିଲ୍ ଦାବିରେ ସେ ଦିଲ୍ଲୀ ଯନ୍ତରମନ୍ତରରେ ଆନ୍ଦୋଳନ କରିଥିଲେ। ଶେଷରେ ଲୋକପାଳ ବିଲ୍ ପ୍ରସ୍ତୁତି ପାଇଁ କେନ୍ଦ୍ରର କଂଗ୍ରେସ ସରକାର ଏକ କମିଟି ଗଠନ କରିବା ସହ ବିଲ୍ ମଧ୍ୟ ଆଣିଥିଲେ। କିନ୍ତୁ ଏହା ଆନ୍ନା ଓ କେଜରିଓ୍ୱାଲଙ୍କ ଟିମ୍ ସମେତ ଦେଶବାସୀଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା। ଲୋକଙ୍କ ଆକ୍ରୋଶ ଏମିତି ରୂପ ନେଇଥିଲା ଯେ ୨୦୧୪ ନିର୍ବାଚନରେ କଂଗ୍ରେସକୁ କ୍ଷମତାରୁ ଦୂରେଇ ଦେଇଥିଲା। ସେ ତାଙ୍କ ଦିଲ୍ଲୀ ମଡେଲ ପ୍ରଶାସନ ପାଇଁ ବହୁତ ଲୋକପ୍ରିୟ। ମୁଖ୍ୟମନ୍ତ୍ରୀ ଭାବେ ସେ ବିଭିନ୍ନ ସୋସିଆଲ ମିଡିଆରେ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିପାରିଛନ୍ତି।

ଆମ୍ ଆଦମୀ ପାର୍ଟିର ପ୍ରତିଷ୍ଠା ଓ ବିକଳ୍ପ ରାଜନୀତି

ପ୍ରତିଶ୍ରୁତି ଅନୁସାରେ ୨୦୧୨ରେ କଂଗ୍ରେସ ସରକାର ଜନଲୋକପାଳ ବିଲକୁ ପ୍ରସ୍ତୁତ କରି ନ ଥିଲେ। ସେଥିରେ ଥିବା ତ୍ରୁଟିକୁ ନେଇ କେଜରିଓ୍ୱାଲ ଓ ତାଙ୍କ ଟିମ୍ ବିରୋଧ ଜାରି ରଖିଥିଲେ। ରାଜନେତାମାନଙ୍କୁ ସମାଲୋଚନା କରିବାରୁ ନିଜେ ସମାଲୋଚନାର ଶିକାର ହୋଇଥିଲେ କେଜରିଓ୍ୱାଲ। ଶେଷରେ ସେମାନେ ରାଜନୀତି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଗଠନ ହୋଇଥିଲା ଆମ୍ ଆଦମୀ ପାର୍ଟି।

ନଭେମ୍ବର ୨୦୧୨ରେ ଆମ୍ ଆଦମୀ ପାର୍ଟି ଗଠନ ହୋଇଥିଲା। ୨୦୧୩ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ିଥିଲା ଆମ୍ ଆଦମୀ ପାର୍ଟି। ତା’ପରଠାରୁ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ହିଁ ସରକାର ରହିଆସିଛି। ଦୁର୍ନୀତି ଓ ବିକାଶକୁ ପ୍ରସଙ୍ଗ କରି କେଜରିଓ୍ୱାଲ ରାଜନୀତି କରିଥିଲେ। ସମସ୍ତଙ୍କୁ ଏକ ବିକଳ୍ପ ରାଜନୀତିର ଅନୁଭବ ଦେଇଥିଲେ କେଜରିଓ୍ୱାଲ। ପରିସ୍ଥିତି ଏମିତି ହୋଇଥିଲା ଯେ ଦିଲ୍ଲୀର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ମଧ୍ୟ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା।ବିକାଶର ଦିଲ୍ଲୀ ମଡେଲ

ବିକାଶର ଗୁଜରାଟ ମଡେଲର ପ୍ରଚାର କରି ନରେନ୍ଦ୍ର ମୋଦୀ ଲୋକପ୍ରିୟ ହୋଇଥିଲେ। ସେମିତି କେଜରିଓ୍ୱାଲ ମଧ୍ୟ ନିଜ ଦିଲ୍ଲୀ ଷ୍ଟାଇଲ୍ ରାଜନୀତି ପାଇଁ ବେଶ ଲୋକପ୍ରିୟ। ମାଗଣା ପାଣି, ବିଜୁଳି, ସ୍କୁଲର କାୟା ପରିବର୍ତ୍ତନ, ମୋହଲ୍ଲା କ୍ଲିନିକକୁ ନେଇ ସେ ବେଶ ଚର୍ଚ୍ଚିତ। ଏହା ଲୋକଙ୍କୁ ମଧ୍ୟ ବେଶ ଆକର୍ଷିତ କରିଥିଲା। ସେଥିପାଇଁ ଦ୍ୱିତୀୟ ଥର ମଧ୍ୟ ବିପୁଳ ଆସନ ଅକ୍ତିଆର କରିଥିଲେ। କଂଗ୍ରେସକୁ ମୂଳପୋଛ କରିଦେଇଥିଲେ। ମୋଦୀ ଶାହଙ୍କ ଉପସ୍ଥିତି ସତ୍ତ୍ୱେ ବିଜେପି ଆଦୌ ଭଲ ପ୍ରଦର୍ଶନ କରିପାରି ନ ଥିଲା।ଲୋକପ୍ରିୟତା ଓ ବିବାଦ

କେଜ୍ରିଓ୍ୱାଲ ବେଶ ଲୋକପ୍ରିୟ, ଏଥିରେ ସନ୍ଦେହ ନାହିଁ। ଏହା ସହିତ ସେ ବିଭିନ୍ନ ବିବାଦରେ ମଧ୍ୟ ଛନ୍ଦି ହୋଇଛନ୍ତି। ତାଙ୍କ ବୟାନ ପାଇଁ ବିତର୍କର ପରିସରକୁ ଆସିଛନ୍ତି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ହୁଅନ୍ତୁ କି ସ୍ୱର୍ଗତ ଅରୁଣ ଜେଟଲୀ; ଏମାନଙ୍କ ବିରୋଧରେ ମାନହାନି ବୟାନ ଦେଇ କୋର୍ଟ ଯାଇଛନ୍ତି କେଜରିଓ୍ୱାଲ। ନିସର୍ତ୍ତ କ୍ଷମା ମାଗି ମାମଲାର ଫଇସଲା କରିବାକୁ ବାଧ୍ୟ ହୋଇଛନ୍ତି। ପଞ୍ଜାବର ପୂର୍ବତନ ରାଜସ୍ୱ ମନ୍ତ୍ରୀ ବିକ୍ରମ ମାଜିଥିଆଙ୍କ ବିରୋଧରେ ଡ୍ରଗ୍ସ କାରବାରର ଅଭିଯୋଗ ଆଣି ଅଡୁଆରେ ଫସିଥିଲେ କେଜରିଓ୍ୱାଲ।ଦିଲ୍ଲୀ ସିଂହାସନ ଉପରେ ନଜର

ବର୍ତ୍ତମାନ ୫ଟି ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ ସ୍ଥିତି ରକ୍ଷାର ପ୍ରଶ୍ନ। ସାଧାରଣ ନିର୍ବାଚନ ପୂର୍ବରୁ ପାଦତଳର ମାଟିକୁ ମଜଭୁତ କରିବା ପାଇଁ ବିଜେପିର ଚିନ୍ତା। କଂଗ୍ରେସ ଓ ବିଜେପିର ଏ ସ୍ୱପ୍ନକୁ ଭାଙ୍ଗି କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀରୁ ବାହାରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ବି ଦିନ ରାତି ଏକାଠି କରିଦେଇଛନ୍ତି। ପଞ୍ଜାବ, ଗୋଆରେ ସରକାର ସହ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଆମ୍ ଆଦମୀ ପାର୍ଟିର ସ୍ଥିତି ସୁଦୃଢ଼ କରିବା ପାଇଁ କେଜ୍ରିଓ୍ୱାଲଙ୍କ ଏ ପରୀକ୍ଷା ଭଲ ଫଳ ଦେବ ବୋଲି ରାଜନୀତି ସମୀକ୍ଷକଙ୍କ ମତ।

ଦିଲ୍ଲୀ ମଡେଲକୁ ନେଇ ସେ ୨୦୧୭ରେ ଗୁଜରାଟ ଯାଇଥିଲେ। ହେଲେ ଫେଲ୍‌ ମାରିଥିଲେ। ପଞ୍ଜାବରେ ଗତ ଥର ବିରୋଧୀ ଦଳରେ ବସିଥିଲା ଆମ୍ ଆଦମୀ ପାର୍ଟି। ଏଥର ଟାର୍ଗେଟ ଗୋଆ ଓ ପଞ୍ଜାବରେ ସରକାର ଗଠନ। ତା ସହିତ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ନିଜ ଦଳର ସ୍ଥିତି ସୁଦୃଢ଼ କରିବା କେଜରିୱାଲଙ୍କ ଲକ୍ଷ୍ୟ। ଆୟକର ଅଧିକାରୀରୁ ସାମାଜିକ କର୍ମୀ ଓ ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିବା କେଜରିୱାଲଙ୍କ ଆଖି ଏବେ କେନ୍ଦ୍ରର କୁର୍ସି ଉପରେ ବୋଲି ଚର୍ଚ୍ଚା ହେଉଛି। ତେଣୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଓ ଗୋଆ ନିର୍ବାଚନ ଫଳାଫଳ ହିଁ କହିବ କେଜରିୱାଲଙ୍କ ସ୍ୱପ୍ନ ସତ ହେବ କି ନାହିଁ।

Comment