ଡକ୍ଟର ଫକୀର ମୋହନ ନାହାକTelevision Katha

‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ବିଭିନ୍ନ ସଭା ସମିତିରେ, କହିବା ଛଳରେ, କଥା ପ୍ରସଙ୍ଗରେ ଅନେକ ଲୋକ କହନ୍ତି, ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ପ୍ରକୃତରେ ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କେଉଁଠି ଲେଖାଯାଇନାହିଁ। ଏ ନେଇ କୌଣସି ଆଇନ ପ୍ରଣୟନ ବି ହୋଇନାହିଁ। ଅଥବା ଏଭଳି ଘୋଷଣା କୌଣସି ସମ୍ବିଧାନରେ ମଧ୍ୟ କରାଯାଇନାହିଁ। କିନ୍ତୁ ଏ କଥା ସତ ଯେ, ଗଣମାଧ୍ୟମକୁ ବାଦ୍ ଦେଲେ ଗଣତନ୍ତ୍ର ଯେ ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହେବ, ସେଥିରେ ଦ୍ୱିମତ ନାହିଁ। ଗଣମାଧ୍ୟମ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉ କି ନହେଉ ସେଥିରେ କିଛି ଯାଏ ଆସେ ନାହିଁ। କିନ୍ତୁ ଗଣମାଧ୍ୟମ ଯେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ (Watch Dog) ଦ୍ୱାରପାଳ (Gatekeeper) ସେଥିରେ ସନ୍ଦେହ ନାହିଁ।

ସମାଜରେ ଘଟୁଥିବା ସବୁ ଘଟଣା, ଦୁର୍ଘଟଣା, ଦୁର୍ନୀତି, ବ୍ୟତିକ୍ରମ, ବିଭ୍ରାଟ ସବୁରି ଉପରେ ନଜର ରଖେ ଗଣମାଧ୍ୟମ। ତେଣୁ କେହି ପ୍ରୋତ୍ସାହିତ କରୁ କି ନକରୁ, କେହି ଗୋଡ଼ଟାଣୁ ବା ପ୍ରତିବନ୍ଧକ ସୃଷ୍ଟିକରୁ, ସେ ସବୁକୁ ଖାତିର ନକରି ପ୍ରତି ପାଦେ ପାଦେ ନିଜ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ  କରି ଆସୁଛି ଗଣମାଧ୍ୟମ।

ଗଣମାଧ୍ୟମ ଚାହିଁଲେ ଦେଶକୁ ଗଢ଼ିଦେଇ ପାରିବ। ଆଉ ଯଦି ନିଜ କର୍ତ୍ତବ୍ୟରେ ସାମାନ୍ୟ ଅବହେଳା କରେ ବା ତାର ଦକ୍ଷତାକୁ ଭୁଲ ବାଟରେ ଲଗାଏ, ତାହେଲେ ଦେଶକୁ ଭାଙ୍ଗିଦେଇ ବି ପାରେ। ସେଥିପାଇଁ ଏକ ସନ୍ତୁଳିତ ସମାଜ ଗଠନ ଦିଗରେ ଗଣମାଧ୍ୟମ ଏକ ସକରାତ୍ମକ ଭୂମିକା ନିର୍ବାହ କରିଥାଏ। ସମାଜକୁ ଯୋଡ଼ି ରଖିବା ସହିତ ଜାତୀୟ ସଂହତି ଓ ଏକତାକୁ ବଜାୟ ରଖିବା ଦିଗରେ ଗଣମାଧ୍ୟମର ଭୂମିକାକୁ ସମସ୍ତେ ଅନୁଭବ କରିଛନ୍ତି। ସେଥିପାଇଁ ତ ମୂଲ୍ୟବୋଧ ଭିତ୍ତିକ ସମାଜ ଗଠନ ପାଇଁ ଦାୟିତ୍ୱବାନ୍ ସାମ୍ବାଦିକତାର କେତେ ଆବଶ୍ୟକତା ଅଛି, ତାହା କେବଳ ନିରନ୍ତର ତଥା ନିରପେକ୍ଷ ଭାବେ ଗଣମାଧ୍ୟମରେ କାମ କଲେ ହିଁ ଜଣେ ଜାଣିପାରିବ। ଈଟିଭି ଓଡ଼ିଆ ଆରମ୍ଭ ବେଳରୁ ଏମିତି ହିଁ କିଛି ଦାୟିତ୍ୱବାନ୍ ସାମ୍ବାଦିକତାର ଉଦାହରଣ ଏଇଠି ଉପସ୍ଥାପନ କରୁଛି।

ଜାନୁଆରି ୨୭ ତାରିଖରେ ଈଟିଭି ଓଡ଼ିଆ ସମେତ ଈଟିଭିର ଛଅଟି ଆଞ୍ଚଳିକ ଟେଲିଭିଜନ୍ ଚାନେଲ ପ୍ରସାରଣ ଆରମ୍ଭ କଲା। ସେଥିରେ ଗୋଟିଏ ଚାନେଲ ଥିଲା ଈଟିଭି ଗୁଜରାଟି। ଏକ ଜାତୀୟ ସ୍ତରର ନେଟୱର୍କରେ କାମ କରିବାର ଗୋଟିଏ ଫାଇଦା ଯେ, ଅନ୍ୟ ଯେ କୌଣସି ରାଜ୍ୟରେ ଘଟୁଥିବା ଘଟଣା ସମ୍ପର୍କିତ ଖବର ନେଟୱର୍କ ଜରିଆରେ ଅନ୍ୟ ସମସ୍ତ ଚାନେଲ ବି ପାଇପାରୁଥିଲେ। ଚାନେଲ ପ୍ରସାରଣ ଆରମ୍ଭର ଠିକ୍ ଗୋଟିଏ ମାସ ପରେ ୨୦୦୨ ଫେବ୍ରୁଆରି ୨୭ ତାରିଖ ଦିନ ଘଟିଲା ଏ ଦେଶର ସବୁଠୁ କଳଙ୍କିତ ଘଟଣା ଗୋଧ୍ରା ଟ୍ରେନ୍ ପୋଡ଼ି।

ଗୋଧ୍ରା ରେଳ ଷ୍ଟେସନ

ଅଯୋଧ୍ୟାରୁ ଫେରୁଥିବା ସାବରମତୀ ଏକ୍ସପ୍ରେସରେ ଥିବା କର ସେବକମାନଙ୍କ ସହିତ ସାମାନ୍ୟ ବଚସା ପରେ ଗୋଧ୍ରା ଷ୍ଟେସନ୍ ନିକଟରେ ଚେନ୍ ଟାଣିଟ୍ରେନକୁ ଅଟକା ଯାଇଥିଲା। ତା ପରେ ସଂଘବଦ୍ଧ ଭାବେ ଟ୍ରେନ୍ ଉପରେ ଆକ୍ରମଣ କରାଯିବା ସହିତ ଏହାର ଦୁଇଟି ବଗିରେ ନିଆଁ ଲଗାଇ ଦିଆଯାଇଥିଲା। କେବଳ ସେତିକି ନୁହେଁ, ସକାଳ ପ୍ରାୟ ସାଢ଼େ ସାତଟା ସମୟରେ ଘଟିଥିବା ଏହି ଘଟଣା ବେଳେ ସମ୍ପୃକ୍ତ ବଗିକୁ ବାହାରପଟୁ ବନ୍ଦ କରିଦିଆଯାଇଥିଲା।

ଯାହା ଫଳରେ ନିଆଁ ଲାଗିଥିବା ବଗି ଭିତରୁ କର ସେବକମାନେ ଜୀବନ ବିକଳରେ ଚିତ୍କାର କରି ବାହାରିବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ। ଟ୍ରେନର ଦୁଇଟି ଯାକ ବଗି ଜଳି ଯାଇଥିଲା ବେଳେ, ଏଥିରେ ମହିଳା ଓ ଶିଶୁଙ୍କ ସମେତ ପ୍ରାଣ ହରାଇଥିଲେ ୫୮ ଜଣ କରସେବକ। ସ୍ୱାଧୀନତୋତ୍ତର ଭାରତ ବର୍ଷରେ ଏଭଳି ଏକ ମର୍ମନ୍ତୁଦ ଘଟଣା ବିରଳ ଥିଲା। ଏହି ଘଟଣାର ପରିଣତି ଥିଲା ଅତ୍ୟନ୍ତ ଭୟଙ୍କର। ଜଙ୍ଗଲନିଆଁ ଭଳି ଖବରଟା ବ୍ୟାପିଗଲା ଚାରିଆଡ଼େ। ଯେଉଁଥିରୁ ଜନ୍ମନେଲା ଏକ ସୁଦୀର୍ଘ ସାମ୍ପ୍ରଦାୟିକ ଦଙ୍ଗା। ନିଆଁ ଲାଗିଲେ କି ଗୋଟିଏ ପଟେ ପୋଡ଼େ, ସେ ତ ସବୁଦିଗକୁ ଜାଳି ପକାଏ। ସେଇଆ ହିଁ ହେଲା। ଗୁଜରାଟର ଗୋଟିଏ ପରେ ଗୋଟିଏ ସହରକୁ ବ୍ୟାପିଲା ସାମ୍ପ୍ରଦାୟିକ ଦଙ୍ଗା। ଯେଉଁଥିରେ ପରସ୍ପର ସହିତ ଲଢୁଥିବା ଉଭୟ ସଂପ୍ରଦାୟର ଲୋକଙ୍କ ଧନଜୀବନ ହାନି ଘଟିଲା।

ଗୋଧ୍ରା ଟ୍ରେନ ପୋଡ଼ିର ଦୃଶ୍ୟ

ଏଭଳି ଏକ ସମୟରେ ଦେଶରେ ଗଣମାଧ୍ୟମ କହିଲେ ଥିଲେ କେବଳ ଜୀ ମିଡିଆ, ଷ୍ଟାର ନ୍ୟୁଜ୍, ଆଜ୍ ତକ୍ ଭଳି ହାତ ଗଣତି ଦୁଇ ତିନିଟି ଚାନେଲ। ତେବେ ରାଜ୍ୟ ରାଜଧାନୀଗୁଡ଼ିକ ବ୍ୟତୀତ, ସେମାନଙ୍କ ନିକଟରେ ଜିଲ୍ଲା ଓ ବ୍ଳକ୍ ସ୍ତରରେ ପ୍ରତିନିଧି ନଥିଲେ। ତେଣୁ ଏମିତି ଉପାନ୍ତ ବା ଆଭ୍ୟନ୍ତରୀଣ ଅଞ୍ଚଳରୁ ଖବର ପାଇବା ଏହି ସବୁ ଜାତୀୟ ଗଣମାଧ୍ୟମ ପାଇଁ ଏକ କଷ୍ଟସାଧ୍ୟ ବ୍ୟାପାର ଥିଲା। ଅନ୍ୟପକ୍ଷରେ ମାତ୍ର ମାସେ ତଳେ ପ୍ରସାରଣ ଆରମ୍ଭ କରିଥିବା ଆଞ୍ଚଳିକ ଚାନେଲ ଈଟିଭି ଗୁଜରାଟୀ ପାଖରେ ପ୍ରତି ଜିଲ୍ଲାରେ ଥିଲେ ରିପୋର୍ଟର।

ତେଣୁ ଘଟଣାସ୍ଥଳରୁ ପ୍ରଥମ ଭିଜୁଆଲ ପାଇବାରେ ପୂରା ନେଟୱର୍କ ପାଇଁ କୌଣସି ସମସ୍ୟା ନଥିଲା। ଏହା ସହ ଧୀରେ ଧୀରେ ପୂରା ରାଜ୍ୟର ବିଭିନ୍ନ ଭାଗରୁ ଘଣ୍ଟା ଘଣ୍ଟାର ଦଙ୍ଗା ସମ୍ପର୍କିତ ଭିଜୁଆଲ ପହଞ୍ଚୁଥିଲା ନ୍ୟୁଜ୍ ଡେସ୍କରେ। କିନ୍ତୁ ସେତେବେଳର ଜାତୀୟ ଚାନେଲ ସବୁ କେମିତି କୁଆଡୁ ଯୋଗାଡ଼ କରି ଯଦି ମାତ୍ର ଦୁଇ ମିନିଟର ବି ଭିଜୁଆଲ ପାଉଥିଲେ, ତାକୁ ଲୁପ୍ କରି ଅଧାଘଣ୍ଟାର କାର୍ଯ୍ୟକ୍ରମ ପରିବେଷଣ କରୁଥିଲେ। କିନ୍ତୁ ଘଣ୍ଟା ଘଣ୍ଟାର ଭିଜୁଆଲ ଥାଇ ବି ମାତ୍ର ଅଧା ମିନିଟ୍ ବା ଗୋଟିଏ ମିନିଟର ଷ୍ଟୋରିରେ ସୀମିତ ରହୁଥିଲା ଈଟିଭିର ଉପସ୍ଥାପନା। ଏଇଠି କଥା ଉଠୁଛି, ଦଙ୍ଗା ଏବଂ ସେ ସମୟର ହିଂସା ସମ୍ପର୍କିତ ଏତେ ଭିଜୁଆଲ ଥାଇ ବି କାହିଁକି ତାକୁ ପ୍ରସାରଣ କରାଯାଉନଥିଲା? ଏ ପ୍ରଶ୍ନ ଉଠିବା ବି ସ୍ୱାଭାବିକ। ଆଉ ତା’ର ଉତ୍ତର ହେଉଛି ଦାୟିତ୍ୱବାନ ସାମ୍ବାଦିକତା।

ସେତେବେଳେ ଈଟିଭି ନେଟୱର୍କର ନ୍ୟୁଜ୍ ମୁଖ୍ୟ ଥାଆନ୍ତି ବରିଷ୍ଠ ସାମ୍ବାଦିକ ଏସ୍.ଆର୍.ରାମାନୁଜମ୍। ପ୍ରତିଦିନ ସବୁ ଚାନେଲର ନ୍ୟୁଜ୍ ମୁଖ୍ୟମାନଙ୍କ ସହିତ ଖବର ସଂଗ୍ରହ ଓ ପରିଚାଳନାକୁ ନେଇ ବୈଠକ ବସେ। ଗୁଜରାଟର ଏହି ଘଟଣା ପରେ, ସେ ସଙ୍ଗେ ସଙ୍ଗେ ପୂରା ସମ୍ପାଦକୀୟ ଟିମ୍ ସହିତ ବୈଠକ କରିଥିଲେ। ଆଉ ସେହିଦିନ ହିଁ ଅନୁଭବ ହେଲା, ଦାୟିତ୍ୱବାନ୍ ଗଣମାଧ୍ୟମ ଓ ଦାୟିତ୍ୱବାନ୍ ସାମ୍ବାଦିକତା କ’ଣ।

ଯେହେତୁ ଅନ୍ୟ ଜାତୀୟ ସ୍ତରର ଗଣମାଧ୍ୟମ ନିକଟରେ ଗୁଜରାଟ ଦଙ୍ଗା ସମ୍ପର୍କିତ ଯଥେଷ୍ଟ ଭିଜୁଆଲ ପହଞ୍ଚୁନଥିଲା, ତେଣୁ ସେହି ସବୁ ଚାନେଲରେ ପ୍ରସାରିତ ଖବର ସାରା ଭାରତରେ ସେଭଳି ପ୍ରଭାବ ପକାଇପାରୁନଥିଲା। ଯଦି ସେହି ସମୟରେ ଈଟିଭି ଗୁଜରାଟୀ ସମେତ ଅନ୍ୟ ସମସ୍ତ ନେଟୱର୍କ ଚାନେଲ ସେହି ସବୁ ଭିଜୁଆଲକୁ ଲୋକଙ୍କ ନିକଟରେ ପହଞ୍ଚାଇଥାନ୍ତେ, ତାହେଲେ ଦେଶର ବିଭିନ୍ନ ରାଜ୍ୟରେ ଥିବା ସାମ୍ପ୍ରଦାୟିକ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ଅଞ୍ଚଳରେ ଏହି ହିଂସା ବ୍ୟାପିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିନଥାନ୍ତା। ତା ଛଡ଼ା, ସାମାନ୍ୟତମ ଭୁଲ୍ କିମ୍ବା ଉପସ୍ଥାପନା ଦେଶର ବିଭିନ୍ନ ଭାଗରେ ନିଆଁ ଲଗାଇବା ପାଇଁ ଯଥେଷ୍ଟ ଥିଲା। ତେଣୁ ଏଭଳି ଏକ ସମ୍ୱେଦନଶୀଳ ଘଟଣାକୁ ଯଥା ସମ୍ଭବ ଗୌଣକରି ଦେଖାଇବାରେ କେବଳ ସମାଜର ହିଁ ହିତସାଧନ ଉଦ୍ଦେଶ୍ୟ ଥିଲା।

ଆଫଗାନିସ୍ତାନ ଯୁଦ୍ଧ ବେଳର ଦୃଶ୍ୟ

ନ୍ୟୁଜ୍ ଡେସ୍କରେ କାମ କଲାବେଳେ ଗୁଜରାଟ ହିଂସାର ଯେଉଁ ସବୁ ଚିତ୍ର ଆମର ହସ୍ତଗତ ହୋଇଥିଲା, ସେ ଦୃଶ୍ୟ ଏବେ ବି ଭୁଲି ହେଉନାହିଁ। କିନ୍ତୁ ଏହା ସହିତ ଏକ ଆତ୍ମସନ୍ତୁଷ୍ଟି ବି ଅଛି ଯେ, ଏଭଳି ଏକ ଭୟଙ୍କର ନିଆଁକୁ କେବଳ ଗୁଜରାଟ ଭିତରେ ସୀମିତ ରଖିବା ଦିଗରେ ସଫଳ ହୋଇଥିଲା ଈଟିଭିର ଦାୟିତ୍ୱବାନ୍ ସାମ୍ବାଦିକତା। କିନ୍ତୁ ଆଜି ଯେତେବେଳେ ଦେଶର ବିଭିନ୍ନ ଭାଗରେ ଘଟୁଥିବା ଜାତିଗତ, ଧର୍ମଗତ ତଥା ଗୋଷ୍ଠୀଗତ ହିଂସା ସମ୍ପର୍କିତ ଖବରକୁ ବିଭିନ୍ନ ଗଣମାଧ୍ୟମରେ ଅତିରଞ୍ଜିତ କରି ଉପସ୍ଥାପନ କରାଯାଉଛି, ସେତେବେଳେ ମନକୁ ଆସୁଛି, ଏମିତି କେମିତି ହୋଇପାରେ କୌଣସି ଗଣମାଧ୍ୟମ?

ଏହି ଘଟଣାର ପରବର୍ତ୍ତୀ ସମୟରେ ୨୦୦୩ ମସିହାରେ ଆଫଗାନିସ୍ଥାନ ଓ ପରେ ପରେ ଇରାକ ଯୁଦ୍ଧ ବେଳେ ବି ଅନୁରୂପ ଆତ୍ମସଂଯମ ଅବଲମ୍ବନ ପାଇଁ ପ୍ରୋତ୍ସାହିତ କରୁଥିଲେ ଏସ୍.ଆର୍.ରାମାନୁଜମ୍। ସେହି ସମୟରେ ଈଟିଭି ବାଂଲା କଥା ବୁଝୁଥିବା ଏହାର ତତ୍କାଳୀନ ମୁଖ୍ୟ ସିଦ୍ଧାର୍ଥ ସରକାରଙ୍କୁ ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି (ରଏଟର୍, ସିଏନ୍ଏନ୍ ଓ ଏପିଟିଏନ୍)ରୁ ଆସୁଥିବା ଖବରକୁ ସେ ପ୍ରଥମେ ଯାଞ୍ଚ କରୁଥିଲେ। ତା ପରେ ପ୍ରତ୍ୟେକ ନ୍ୟୁଜ୍ ଡେସ୍କର ସଦସ୍ୟଙ୍କ ସହିତ ଆଲୋଚନା କରି, ଯୁଦ୍ଧ ସମ୍ପର୍କିତ କେଉଁ ଖବରକୁ କିଭଳି ଭାବେ ଉପସ୍ଥାପନ କରିବାକୁ ହେବ, ତାର ସୂଚନା ଦେଉଥିଲେ ସେ। ଟେଲିଭିଜନକୁ ଘରେ ସମସ୍ତେ ଏକାଠି ଦେଖନ୍ତି। ସେମାନଙ୍କ ମଧ୍ୟରେ ଦୁର୍ବଳ-ହୃଦୟର ଲୋକ ବି ଅଛନ୍ତି। ତେଣୁ କେଉଁଭଳି ତଥ୍ୟ ଓ ଚିତ୍ର ଉପସ୍ଥାପନ କରାଯିବା ଦରକାର ତାକୁ ନିର୍ଦ୍ଧାରଣ କରୁଥିଲା ନିଜେ ଟିମ୍। ଏହି ଦାୟିତ୍ୱବୋଧ ପାଇଁ ଲୋକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲା ଈଟିଭି।

କନ୍ଧମାଳ ଦଙ୍ଗା ସମୟରେ ଖବର ସଂଗ୍ରହ ବେଳେ ରଙ୍ଗାଧର ପଣ୍ଡା

୨୦୦୨ରୁ ଆରମ୍ଭ ହୋଇଥିବା ଦାୟିତ୍ୱବାନ୍ ସମ୍ବାଦିକତାର ଏହି ଧାରା ପରବର୍ତ୍ତୀ ସମୟରେ ବି ଅବ୍ୟାହତ ରହିଥିଲା। ଯେତେବେଳେ କନ୍ଧମାଳରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଲା, ସେତେବେଳେ ଫୁଲବାଣୀ ପ୍ରତିନିଧି ସଦାଶିବ ପାତ୍ରଙ୍କ ସମେତ ରାୟଗଡ଼ାରୁ ଅମୂଲ୍ୟରତ୍ନ ସାହୁ, ବ୍ରହ୍ମପୁରରୁ ରଙ୍ଗାଧର ପଣ୍ଡା ଏବଂ ଭୁବନେଶ୍ୱରରୁ ଉମାକାନ୍ତ ମିଶ୍ର ଏହି ଘଟଣାର ରିପୋର୍ଟିଂ ଦାୟିତ୍ୱ ନିର୍ବାହ କରିଥିଲେ। ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ କନ୍ଧମାଳର ହିଂସା ଏକ କଳାଦାଗ ଲଗାଇ ଦେଇଥିଲା। କିନ୍ତୁ ଏହି ହିଂସାର ନିଆଁ ଯେମିତି ସେହି ପାଚେରିର ଆରପାଖକୁ ନ ବ୍ୟାପେ ବା ଅନ୍ୟ ଜିଲ୍ଲାକୁ ସଂକ୍ରମିତ ନହୁଏ, ସେଇଥିପାଇଁ ସଂଯମ ପଥ ଅବଲମ୍ବନ କରିଥିଲା ଈଟିଭି। ଏହି ସମସ୍ତ ରିପୋର୍ଟର, ନ୍ୟୁଜ୍ ଡେସ୍କର ପରାମର୍ଶ ଅନୁସାରେ ନିଜର ଚୌହଦୀ ଭିତରେ ରହି ରିପୋର୍ଟିଂ କରିଥିଲେ।

ଏହେ ନିଆଁ ଲାଗିଛି .. ହିଂସା ଘଟିଛି .. ଆଜି ମଜା ଆସିଯିବ। ବାଡେଇକି ଷ୍ଟୋରି କରିବା। ହଁ .. ଖବରକୁ ନେଇ ଉତ୍ସାହିତ ହେବା ଠିକ୍ ଅଛି, କିନ୍ତୁ ଏହାକୁ ନେଇ ଉତ୍ତେଜିତ ହୋଇଗଲେ, ନ୍ୟୁଜ୍ ଡେସ୍କରେ ବିଭ୍ରାଟ ଘଟାଇବା ସହିତ ସାଧାରଣ ଲୋକଙ୍କ ଜୀବନ ଜୀବିକା, ସାମାଜିକ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ ବି ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଯାଏ।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ‘ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍’ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Tags: #ଓଡ଼ିଶାରେଟେଲିଭିଜନରଯାତ୍ରା #ଓଡ଼ିଶା #ଟେଲିଭିଜନ#ଡକ୍ଟରଫକୀରମୋହନନାହାକ #Odisha #TelevisionJourney #DrFakirMohanNahak #Television #CommunalViolence #ConflictReporting #HistoryOfOdiaTelevision #MediaStudies #Kandhamal #CommunalRiot #KandhamalRiot #TelevisionNews #TVNews

Comment