ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ମେ’ ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ଏଥିପାଇଁ ବୁଧବାର ଜିଲ୍ଲାପାଳଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଗୁରୁବାରଠାରୁ ପ୍ରାର୍ଥିପତ୍ର ଦାଖଲ କରାଯିବ। ପ୍ରାର୍ଥୀମାନେ ମେ’ ୧୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ କରିପାରିବେ। କିନ୍ତୁ ବିଭିନ୍ନ ଦଳଗୁଡ଼ିକ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ଉପନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ପାଇଁ କସରତ ଚାଲିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି।

ବଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତା ମେ’ ୧୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ, ମେ ୧୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ଏହା ସହ ମେ’ ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ସୁଯୋଗ ରହିବ। ମେ’ ୩୧ ତାରିଖରେ ଭୋଟ ଗ୍ରହଣ ହେବ। ମୋଟ ୨,୧୪,୨୬୧ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଆସନ୍ତା ଜୁନ ୩ ତାରିଖରେ ଭୋଟ ଗଣତି ହେବ।

ଗତ ୨୦୨୧ ଡିସେମ୍ବର ୩୦ ତାରିଖରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କର ଦେହାନ୍ତ ହୋଇଥିଲା। ଏହା ପରେ ବ୍ରଜରାଜନଗର ବିଧାନସଭା ଆସନ ଖାଲି ପଡ଼ିଥିଲା। ନିର୍ବାଚନ ଲାଗି ତାରିଖ ଘୋଷଣା କରାଯିବା ପରେ ସବୁ ରାଜନୈତିକ ଦଳ କସରତ ଆରମ୍ଭ କରିଦେଲେଣି। କିନ୍ତୁ ଏବେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ତାହା ନିଷ୍ପତ୍ତି ହୋଇନାହିଁ।

ବିଜେଡିର ପରମ୍ପରା ରହିଛି ଦଳର କୌଣସି ନେତାଙ୍କର ବିୟୋଗ ଘଟିଲେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ପ୍ରାର୍ଥୀ କରାଯିବ। ଯଦି ଏହି ପରାମ୍ପରା ବଜାୟ ରୁହେ ତେବେ ସ୍ଵର୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସ ଏହି ରେସ୍‌ରେ ସାମିଲ ହେବେ ବୋଲି ଶୁଣିବାକୁ ମିଳୁଛି। ତେବେ ବିଜେଡି ନିଜ ପୁରୁଣା ପରମ୍ପରାକୁ ବଜାୟ ରଖିବ ନାଁ ପରମ୍ପରା ଭାଙ୍ଗି ନୂଆ ଚେହେରାଙ୍କୁ ସାମିଲ କରିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ବିଜେପି ପ୍ରାର୍ଥୀଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା। ଏହି ରେସରେ ଟଙ୍କଧର ତ୍ରିପାଠୀ, ତ୍ରିନାଥ ଗୁଆଲ ଏବଂ ରଘୁନନ୍ଦନ ପଣ୍ଡାଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଛି।  

ଅନ୍ୟପଟେ କଂଗ୍ରେସ ମଧ୍ୟ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଜୋରସୋର ପ୍ରସ୍ତୁତ ଚଳାଇଛି। କଂଗ୍ରେସରୁ ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲଙ୍କ ପୁଅ ରିତେଶ ପଟେଲ ପ୍ରାର୍ଥୀ ତାଲିକାରେ ଆଗରେ ରହିଛନ୍ତି। ବେଲପାହାଡ଼ ନଗରପାଳ ନିମାଇଁ ଚରଣ ପଣ୍ଡାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି।

ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ବ୍ରଜରାଜନଗରରେ ରାଜନୈତିକ ଟକ୍କର ଜୋରଦାର ହେବ ବୋଲି କୁହାଯାଉଛି।

Tags: #Politics #OdishaPolitics #BJD #BJP #Congress #Election #ByElection #BrajarajnagarByElection #GazetteNotification

Comment