ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ରାୟଗଡ଼ା ଜିଲ୍ଲା କାଶୀପୁରରେ ଏବେ ଦେଖାଦେଇଛି ହଇଜା। ପ୍ରାୟ ୨୦ ଦିନ ଭିତରେ କାଶୀପୁରରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୬ ଜଣରୁ ଅଧିକ ଏଥିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ କାଶୀପୁରର ଏ ଦୁଃଖ ଆଜି ନୁହେଁ, ୧୯୮୦ ମସିହାରେ ଅନାହାର, ୨୦୦୭ରେ ହଇଜା ଏହିଭଳି ମୃତ୍ୟୁର ତାଣ୍ଡବ ରଚିଥିଲା।

ଆମ୍ବ ଟାକୁଆ ନେଇଥିଲା ୭୮୪ ଜଣଙ୍କ ଜୀବନ

୧୯୮୦ ରୁ ୧୯୮୩  ମସିହା ମଧ୍ୟରେ ଅବିଭକ୍ତ କୋରାପୁଟ ଜିଲ୍ଲାର କାଶୀପୁର ଆଞ୍ଚଳରେ ମରୁଡ଼ି ପରିସ୍ଥିତି ଦେଖାଦେଇଥିଲା। ବିଲ ବାଡ଼ି ପଡ଼ିଆ ପଡ଼ିଥିବାରୁ ଲୋକ ଖାଇବାକୁ ପାଉନଥିଲେ। ଏଭଳି ପରିସ୍ଥିତିରେ ଅନେକ ପରିବାର ନିଜ ଗାଁ ଛାଡ଼ି ଅନ୍ୟ ଅଞ୍ଚଳକୁ ସ୍ଥାନାନ୍ତର ହେବାକୁ ଲାଗିଲେ।  ଆଉ କିଛି ଲୋକେ କୌଣସି ଉପାୟ ନପାଇ ଆମ୍ବ ଟାକୁଆ ଓ ଜଙ୍ଗଲି ଛତୁ ଖାଇବାକୁ ଲାଗିଲେ।

୧୯୮୬ ମସିହାରେ ପ୍ରଥମେ କାଶୀପୁରର ଦାରିଦ୍ର୍ୟ ଚିତ୍ର ଲୋକଲୋଚନକୁ ଆସିଥିଲା। ସେହି ସମୟରେ ୭୮୪ ଜଣ ଲୋକ ଅନାହାରରେ ମୃତ୍ୟୁ ବରଣ କରିଥିଲେ। ଏହି ଘଟଣା ନଜରକୁ ଆସିବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ କାଶୀପୁର ଗସ୍ତରେ ଆସିଥିଲେ। କାଶୀପୁରକୁ ସେ ଆସିବା ପରେ ଆରମ୍ଭ ହୋଇଥିଲା ଆଇପାର୍ଡ ପ୍ରକଳ୍ପ। ଏହି ପ୍ରକଳ୍ପ ଜରିଆରେ ୧୯୮୯ ରୁ ୧୯୯୭ ମସିହା ମଧ୍ୟରେ ପ୍ରାୟ ୩୨କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏତେ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ କାଶୀପୁରର ଚିତ୍ର ବଦଳିନଥିଲା। ୨୦୦୧ ମସିହାରେ ୨୪ଜଣ, ୨୦୦୭ ମସିହାରେ ୨୭୦ଜଣ ଓ ୨୦୧୬ ମସିହାରେ ୨ଜଣଙ୍କ ଆମ୍ଭଟାକୁଆ ଖାଇ ମୃତ୍ୟୁ ହୋଇଥିଲା। ସେହିପରି ପୁଣି ଅନେକ ସମୟରେ ଦୃଶିତ ଜଳ ଯୋଗୁଁ ଝାଡ଼ାବାନ୍ତିରେ ରୋଗାକ୍ରାନ୍ତ ହୋଇ ଏନେକ ଲୋକ ମୃତ୍ୟୁ ବରଣ କରିଥିଲେ।

୨୦୦୭ରେ କାଶୀପୁରରେ ବ୍ୟାପିଥିଲା ହଇଜା

୨୦୦୭ ମସିହାରେ କଲେରା ଭୂତାଣୁ କାଶୀପୁର ବ୍ଲକରେ ତାଣ୍ଡବ ରଚିଥିଲା। କାଶୀପୁର ବ୍ଲକର ସମସ୍ତ ଗାଁକୁ ଏହି ଭୂତାଣୁ ମାଡିବା ସହ ଶତାଧିକଙ୍କୁ ଆକ୍ରାନ୍ତ କରିଥିଲା। ସରକାରୀ ଭାବେ ପ୍ରାୟ ୭୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାର ମୁକାବିଲା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ରାଜ୍ୟ ସରକାରଙ୍କୁ ୩ ମାସ ସମୟ ଲାଗୁଥିଲା। ସେହିପରି ୨୦୧୦ ମସିହାରେ ପୁଣି ଘାଇଲା କରିଥିଲା କଲେରା ଭୂତାଣୁ। ଗାଁ କୁ ଗାଁ ବ୍ୟାପିବା ସହ ବ୍ଲକର ସିରିପାଇ ପଞ୍ଚାୟତ ସର୍ବାଧିକ ପ୍ରଭାବିତ ହୋଇଥିଲା। ଘରେ ଘରେ ଜ୍ୱର ,ଝାଡାବାନ୍ତି ଆକ୍ରାନ୍ତ ପଡ଼ିରହିଥିଲେ। ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ପରେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିଲେ ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଶନ୍ନ ଆଚାର୍ଯ୍ୟ ଏବଂ ସ୍ୱାସ୍ଥ୍ୟ ସଚିବ। ୨୦୧୪ ମସିହାରେ କାଶୀପୁର ବ୍ଲକର ସିପିଯୋଡ ଗାଁରେ ଝାଡାବାନ୍ତିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।

ଏବେ ପୁଣି କଡ଼ ଲେଉଟାଇଛି ହଇଜା

ଏବେ ପୁଣି କାଶୀପୁରରେ କଡ଼ ଲେଉଟାଇଛି ଭିବ୍ରିଓ କଲେରା। ୨୦ଦିନ ମଧ୍ୟରେ ୧୨ ଜଣଙ୍କ ଜୀବନ ଗଲାଣି। ଆକ୍ରାନ୍ତ ହେଲେଣି ୧୫୦ ରୁ ଊର୍ଦ୍ଧ୍ୱ। ସମସ୍ତ ଆକ୍ରାନ୍ତ ମଧ୍ୟରୁ ୭୬ ଜଣ ରୋଗୀ କାଶୀପୁର, ଟିକିରି ଓ ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଉ ୧୩ ଜଣ ରୋଗୀ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଦଳ ସହାୟତାରେ ଘରେ ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ଦେଖାଦେଇଛିା ବର୍ତ୍ତମାନ କାଶୀପୁର ବ୍ଲକରେ ୮ଟି ମୋବାଇଲ ୟୁନିଟ ସହ  ଏଏନଏମ, ଆଶାକର୍ମୀ ଓ ପାରାମେଡିକେଲ କର୍ମଚାରୀ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ବର୍ତ୍ତମାନ ହଇଜା କାଶୀପୁର ବ୍ଲକର ପ୍ରାୟ ୧୦ଟି ଗାଁକୁ ବ୍ୟାପିଥିବା ବେଳେ ଏହାର ନିରାକରଣ ପାଇଁ ଆରଏମଆରସିର ସ୍ୱତନ୍ତ୍ର ଡ଼ାକ୍ତରୀ ଦଳ, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନ (ଆର୍‌ଡିସି) ଟି. ଆପାଙ୍ଗ ଆଓ, ବିଶ୍ୱ ସ୍ୱାସ୍ଥ୍ୟ ସଂଘଟନର ସର୍ଭେଲେନ୍ସ ମେଡିକାଲ ଅଫିସର ୱାଲେମା ଦେବଗମ, ଜନସ୍ୱାସ୍ଥ୍ୟ ଯୁଗ୍ମ ନିର୍ଦ୍ଦେଶକ ବସନ୍ତ ପ୍ରଧାନ, ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି କଂଗ୍ରେସର ଏକ ପ୍ରତିନିଧି ଦଳ ଓ ରାଜ୍ୟ ବିଜେପି ବିଧାନସଭା ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ, ଜିଲ୍ଲାପାଳ ସ୍ୱଧା ଦେବ ସିଂ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଲାଲମୋହନ ରାଉତ ସ୍ଥିତିର ଅନୁଧ୍ୟାନ କରିଥିଲେ।

ଅନ୍ୟପଟେ ଦୂଷିତ ପାଣି ଯୋଗୁଁ ହଇଜା ବ୍ୟାପିଥିବା ସ୍ୱଷ୍ଟ ହେବା ପରେ ସରକାରୀ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକରୁ ଜଳ ଯୋଗାଣ ବନ୍ଦ କରି ଦିଆଯାଇଛି। ଏହାର ବିକଳ୍ପ ବ୍ୟବସ୍ଥା ସ୍ୱରୁପ ସମସ୍ତ ଗାଁରେ ଟ୍ୟାଙ୍କର ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଛି। ଏବଂ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଅଚଳ ହୋଇଥିବା ଜଳ ଯୋଗାଣ ପ୍ରକଳ୍ପ ମରାମତି କରିବା ପାଇଁ ଜିଲ୍ଲାପାଳ ସ୍ୱଧାଦେବ ସିଂ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ଘର ଯାଇ ଲୋକଙ୍କୁ ଫୁଟା ପାଣି ପିଇବା, ଗରମ ଖାଦ୍ୟ ଖାଇବା ଓ ସୁରକ୍ଷିତ ରହିବା ପାଇଁ ଆଶା, ଅଙ୍ଗନବାଡି ଓ ସ୍ୱାସ୍ଥ୍ୟ କର୍ମୀମାନେ ସଚେତନ କରୁଛନ୍ତି। ସେହିପରି ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଗ୍ରାମାଂଚଳରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନ କରିବା ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ ନିୟମିତ ଭାବେ ହାତ ଧୋଇବା, ନିଜେ ସଫା ରହିବା ସହ ନିଜ ପରିବେଶକୁ ସଫା ରଖିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହଇଜାକୁ କିଭଳି ମୁକାବିଲା କରିହେବ ସେନେଇ ଉଦ୍ୟମ ଜାରି ରହିଛି।

Comment