ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଲଘୁଚାପଟି ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।ବିଶେଷକରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ଆସନ୍ତାକାଲି ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଛତିଶଗଡ଼ରେ ମଧ୍ୟ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଅନ୍ୟପକ୍ଷେ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ଲାଗି ରହିଛି। କିଛି ସ୍ଥାନରେ ବନ୍ଧ ଭାଙ୍ଗି ଏକାଧିକ ଗାଁକୁ ବୁଡ଼ାଇ ସାରିଲାଣି ବନ୍ୟା। ଏଭଳି ପରିସ୍ଥିତିରେ ଲଘୁଚାପ ବର୍ଷା ରାଜ୍ୟବାସୀଙ୍କ ଲାଗି ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି। ଆଗାମୀ ଦୁଇଦିନ ରାଜ୍ୟରେ ହେବାକୁ ଥିବା ବର୍ଷାର ପ୍ରଭାବ ନଦୀଗୁଡ଼ିକ ଉପରେ ପଡ଼ିବ। ଯେଉଁ ନଦୀ ଗୁଡ଼ିକରେ ବନ୍ୟା ସ୍ଥିତି ରହିଛି, ସେଗୁଡ଼ିକ ଅଧିକ ପ୍ରଭାବିତ ହୋଇପାରନ୍ତି। ସେହିପରି ଉତ୍ତର-ପଶ୍ଚିମ ଓଡ଼ିଶାର ପାହାଡ଼ିଆ ସ୍ଥାନରେ ଭୂସ୍ଖଳନ ହେବାର ସମ୍ଭାବନା ରହିଥିବା ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର   ସୂଚନା  ଦେଇଛନ୍ତି।

Tags: #Rain #Weather #Odisha #LowPressure #IMD

Comment