ଓଡ଼ିଶାଲାଇଭ୍ ବ୍ୟୁରୋ

 ହକି ଆସୋସିଏସନ ଅଫ୍ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ‘ସିନିୟର ମେନ୍ ହକି ଚାମ୍ପିୟନସିପ୍ସ ୨୦୨୨’ରେ ପୂର୍ବତଟ ରେଳବାଇ ଟିମ ଚାମ୍ପିୟନ ହୋଇଛି। ଶନିବାର କିଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଖୋର୍ଦ୍ଧା ଟିମକୁ ୧-୦ ଗୋଲରେ ହରାଇଛି ପୂର୍ବତଟ ରେଳବାଇ ଟିମ।

ସେହିପରି ତୃତୀୟ ଓ ଚତୁର୍ଥ ସ୍ଥାନପାଇଁ ଖେଳା ଯାଇଥିବା ମ୍ୟାଚରେ ସୁନ୍ଦରଗଡ଼ ଟିମକୁ ୩-୨ ଗୋଲରେ ପରାସ୍ତ କରି ବ୍ରୋଞ୍ଚ ପଦକ ହାସଲ କରିଛି ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ସେଲ) ଟିମ। ଚାମ୍ପିୟନସିପ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ଖୁବଶୀଘ୍ର ରାଜ୍ୟସ୍ତରୀୟ ହକି ଶିବିର ପାଇଁ ଡକାଯିବ। ଏହି ଶିବିରରୁ ଆଗାମୀ ୨୦୨୩ ହକି ଇଣ୍ଡିଆ ଜାତୀୟ ଚାମ୍ପିୟନସିପ୍ସ ଲାଗି ଓଡ଼ିଶା ଦଳ ଚୟନ କରାଯିବ।

ଶନିବାର ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା, କିଟ୍ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ବିଭାଗର ମହାସଚିବ ଡକ୍ଟର ଗଗନେନ୍ଦୁ ଦାସ, ଭାରତୀୟ ଜାତୀୟ ହକି ଦଳର ପୂର୍ବତନ କୋଚ୍ ବି. ଜେ କାରିଆପ୍ପା, ହକି ଆସୋସିଏସନ ଅଫ୍ ଓଡ଼ିଶାର ସମ୍ପାଦକ ସନାତନ ସାହୁ ପ୍ରମୁଖ ଯୋଗଦେଇ ଚାମ୍ପିୟନ ଓ ରନର୍ସଅପ ଟିମକୁ ଟ୍ରଫି ପ୍ରଦାନ କରିଥିଲେ।

ଏହି ଅବସରରେ ଖୋର୍ଦ୍ଧା ଟିମର ଖେଳାଳି ଦିଲୀପ କୁମାର ସା’ଙ୍କୁ ଶ୍ରେଷ୍ଠ ଗୋଲକିପର, ସେଲ ଟିମର ଖେଳାଳି କେରୋବିନ ଲାକ୍ରାଙ୍କୁ ଶ୍ରେଷ୍ଠ ଡିଫେଣ୍ଡର, ସୁନ୍ଦରଗଡ଼ ଟିମର ଅଧିନାୟକ ବିଜୁ ଏକ୍କାଙ୍କୁ ଶ୍ରେଷ୍ଠ ମିଡଫିଲ୍ଡର, ପୂର୍ବତଟ ରେଳବାଇ ଟିମର ସୁନିଲ ଟପ୍ପୋଙ୍କୁ ଶ୍ରେଷ୍ଠ ଫରୱାର୍ଡ ଏବଂ ରୋଶନ କୁଜୁରଙ୍କୁ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା।ହକି ଆସୋସିଏସନ ଅଫ୍ ଓଡ଼ିଶା ପକ୍ଷରୁ ପ୍ରଥମଥର ଲାଗି ଏହି ରାଜ୍ୟସ୍ତରୀୟ ଆନ୍ତଃଜିଲ୍ଲା ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା। ସେପ୍ଟେମ୍ବର ୧୨ରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ୫ ଦିନ ଧରି ଚାଲିଥିଲା। ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୪ଟି ଦଳ ଏବଂ ୬ଟି ଏକାଡେମୀ ଦଳକୁ ମିଶାଇ ମୋଟ ୩୦ଟି ଦଳ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ୱରସ୍ଥିତ କକିଙ୍ଗ ଷ୍ଟାଡିୟମ ଏବଂ କିଟ୍ ଷ୍ଟାଡିୟମ ଭେନ୍ୟୁରେ ସମସ୍ତ ମ୍ୟାଚ ଖେଳାଯାଇଥିଲା।

Tags: #Hockey #HockeyAssociationofOdisha #HockeyChampionship #Odisha #ହକି #ଓଡ଼ିଶା

Comment