ଓଡ଼ିଶାଲାଇଭ୍ ବ୍ୟୁରୋ

ପିଲାଟି ଦିନରୁ ପ୍ରଶାସନିକ ସେବାରେ ଯୋଗ ଦେବା ତାଙ୍କର ଇଚ୍ଛା ଥିଲା। ନିଜ ଦୃଢ଼ ସଂକଳ୍ପ ଏବଂ କଠିନ ପରିଶ୍ରମ ବଳରେ ବଲାଙ୍ଗିରର ଝିଅ ଐଶ୍ଵର୍ଯ୍ୟା ପୃଷେଠ୍‌ଙ୍କୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସଫଳତା ମିଳିଛି।

“ମୋ ଦାଦା ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର। ପିଲାବେଳୁ ତାଙ୍କ କାମକୁ ଦେଖି ମୁଁ ପ୍ରେରଣା ପାଇଥିଲି। ତେଣୁ ପିଲାବେଳୁ ମୁଁ ପ୍ରଶାସନିକ ସେବାକୁ ନିଜ ଲକ୍ଷ୍ୟ ବୋଲି ଭାବିନେଇଥିଲି”, କହନ୍ତି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହୋଇଥିବା ବଲାଙ୍ଗିର ଜିଲ୍ଲା ସଇଁତଳାର ଐଶ୍ଵର୍ଯ୍ୟା ପୃଷେଠ୍।

ଐଶ୍ଵର୍ଯ୍ୟା ପୃଷେଠ୍ ପ୍ରାୟ ୩ ବର୍ଷ ହେବ ଓଡ଼ିଶା ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ ହେଉଥିଲେ। ପିଲାବେଳୁ ତାଙ୍କୁ ପ୍ରଶାସନିକ ସେବାରେ ଆଗ୍ରହ ଥିଲା। ଐଶ୍ଵର୍ଯ୍ୟା ଅଧିକ ସମୟ ପରିଶ୍ରମ କରିବା ପରିବର୍ତ୍ତେ ଦିନକୁ ୩-୪ ଘଣ୍ଟା ଫୋକସର ସହ ପାଠ ପଢ଼ିଲେ ଏବଂ ବିଷୟକୁ ଭଲ ଭାବରେ ବୁଝି ତାଙ୍କୁ ଉତ୍ତର ଖାତାରେ ପ୍ରତିପାଦିତ କରିବାରେ ଅଧିକ ଗୁରୁତ୍ଵ ଦେଉଥିବା ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ପିଲାବେଳୁ ମୁଁ ଜଣେ ଭଲ ଛାତ୍ରୀ ଥିଲି। ମୋର ବିଜ୍ଞାନ ଭଲ ହେଉଥିଲା। ଯେହେତୁ ଓଏଏସ୍ ପାଇଁ ମତେ ପ୍ରସ୍ତୁତ ହେବାର ଥିବା ମୁଁ ଏମଏସସି ପରେ ସାମାଜିକ ବିଜ୍ଞାନ ଏବଂ ଦର୍ଶନ ଶାସ୍ତ୍ର ଅପସନାଲ୍ ନେଇ ଓସିଏସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲି। ମୁଁ ବିଜ୍ଞାନ ଛାତ୍ରୀ ଥିଲି ତେଣୁ ମୋତେ ବିଷୟ ବୁଝିବାରେ କିଛି ସମୟ ଲାଗିଥିଲା କିନ୍ତୁ ଥରେ ଏହାକୁ ବୁଝିଗଲା ପରେ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖିପାରୁଥିଲି।”

ସେ କହନ୍ତି, “ଜଣେ ଘରେ ରହି ମଧ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ। ଥରେ ପରୀକ୍ଷା ପ୍ରଶ୍ନ ପତ୍ରର ଢାଞ୍ଚା ବୁଝିଗଲେ ପରୀକ୍ଷାରେ ଭଲ ନମ୍ବର ଆସିଥାଏ। ଏହା ସହିତ ପୂର୍ବ ବର୍ଷର ସିଲାବସ୍‌ ଏବଂ ପ୍ରଶ୍ନପତ୍ର ଦେଖି ବାରମ୍ବାର ଅଭ୍ୟାସ ହିଁ ଆପଣଙ୍କୁ ସଫଳତା ଦେବ। ଯେଉଁମାନେ ଏକା ଏକା ପ୍ରସ୍ତୁତ ହେଉଛନ୍ତି ସେମାନେ ଅନଲାଇନ ମାଧ୍ୟମରେ ଗାଇଡାନ୍ସ ନିଅନ୍ତୁ। ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ନିଜ ଉପରେ ବିଶ୍ଵାସ ରଖନ୍ତୁ।”

ଶିକ୍ଷା, ନାରୀ ଶସକ୍ତିକରଣ, ପରିବେଶ ସୁରକ୍ଷା ଉପରେ କାମ କରିବାକୁ ଆଶା ରଖିଛନ୍ତି ଐଶ୍ଵର୍ଯ୍ୟା। ସେ କହନ୍ତି ଶିକ୍ଷା ହେଉଛି ସମସ୍ତଙ୍କ ମୌଳିକ ଅଧିକାର ଏବଂ କେହି ବି ଶିକ୍ଷାରୁ ବଞ୍ଚିତ ହେବା ଉଚିତ ନୁହେଁ। ନାରୀ ଶସକ୍ତ ହେଲେ ଦେଶ ଶସକ୍ତ ହେବ। ତେଣୁ ନାରୀ ସବୁ କ୍ଷେତ୍ରରେ ଯୋଗ ଦେଇ ଦେଶର ବିକାଶ ଧାରାରେ କିପରି ସାମିଲ ହେଇପାରିବେ ତା ଉପରେ ସେ ଗୁରୁତ୍ଵ ଦେବେ ବୋଲି କହିଛନ୍ତି। ଏଥିସହିତ ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଦିଗରେ ଧ୍ୟାନ ଦେବେ ବୋଲି ମଧ୍ୟ କହିଛନ୍ତି ଐଶ୍ଵର୍ଯ୍ୟା।

ସଫଳ ହେବା ପାଇଁ କଠିନ ପରିଶ୍ରମର ଆବଶ୍ୟକତା ରହିଛି। ସଫଳ ହେବା ପର୍ଯ୍ୟନ୍ତ ବାରମ୍ବାର ଚେଷ୍ଟା ଜାରି ରଖିବାକୁ ପଡ଼ିବ। ବିଫଳତାରରେ ଭାଙ୍ଗି ନପଡ଼ି ଧୈର୍ଯ୍ୟର ସହ ପରିସ୍ଥିତିକୁ ମୁକାବିଲା କରିବା ଆବଶ୍ୟକ। ନିଜ ଭିତରେ ସକରାତ୍ମକ ଚିନ୍ତା ରଖି ଚେଷ୍ଟା କଲେ ଏସିଏସ ଭଳି ପରୀକ୍ଷାରେ ନିଶ୍ଚିତ ସଫଳତା ମିଳିପାରିବ ବୋଲି କୁହନ୍ତି ଐଶ୍ଵର୍ଯ୍ୟା ପୃଷେଠ୍ ।

Tags: #OCSExam #SucessStory #AiswariyaPruseth #OdishaAdministrativeExam #OAS #OdishaNews

Comment