ଓଡ଼ିଶାଲାଇଭ୍ ବ୍ୟୁରୋ

ଟାଇ ଭୁବନେଶ୍ଵର ଚାପ୍ଟର ପକ୍ଷରୁ ଆୟୋଜିତ ‘ହଲ୍ ଅଫ୍ ଫେମ୍ ୨.o’ ଅବସରରେ ଓଡ଼ିଶାରେ ଷ୍ଟାର୍ଟଅପର ନୂଆ ସମ୍ଭାବନା, ସଫଳତା ଏବଂ ନିବେଶ ଆଦି ବିଷୟରେ ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥଙ୍କୁ ସ୍ଵତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ଟାଇ ଭୁବନେଶ୍ଵର ଚାପ୍ଟରର ସଭାପତି ଦେବାଶିଷ ପଟ୍ଟନାୟକ।

 ‘ହଲ୍‌ ଅଫ୍‌ ଫେମ୍‌’ର ମୂଳ ଉଦ୍ଦେଶ୍ୟ କ’ଣ?

ଓଡ଼ିଶାର ଷ୍ଟାର୍ଟଅପ୍ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ବିଭିନ୍ନ ବଜାର ଓ ନିବେଶକମାନଙ୍କ ସହ ଯୋଡ଼ିବା ଲକ୍ଷ୍ୟ ନେଇ ଟାଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ‘ହଲ୍ ଅଫ୍ ଫେମ୍’ ଆୟୋଜନ କରାଯାଉଛି।

“ଓଡ଼ିଶାରେ ଅନେକ ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛନ୍ତି। ପଞ୍ଜୀକୃତ ହୋଇଥିବା ମୋଟ ୧୪୦୦ ଷ୍ଟାର୍ଟଅପ ମଧ୍ୟରୁ ପ୍ରାୟ ୧୦୦୦ ଷ୍ଟାର୍ଟଅପ୍‌ ସକ୍ରିୟ ଭାବେ କାମ କରୁଛନ୍ତି। ତେଣୁ ସେମାନଙ୍କ କାମ ସମ୍ପର୍କରେ ଲୋକମାନଙ୍କୁ ଜଣାଇବା ସହିତ ଷ୍ଟାର୍ଟଅପମାନଙ୍କୁ ନିବେଶକମାନଙ୍କ ସହ ଯୋଡ଼ିବା ଏବଂ ସେମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ଉତ୍ପାଦର ଉପଯୁକ୍ତ ବଜାର ସଂଯୋଗୀକରଣ ଲାଗି ‘ହଲ ଅଫ୍ ଫେମ’ ଆରମ୍ଭ କରାଯାଇଛି”, କହନ୍ତି ଟାଇ ଭୁବନେଶ୍ଵରର ସଭାପତି ଦେବାଶିଷ ପଟ୍ଟନାୟକ।

୨୦୨୧ରୁ ‘ହଲ ଅଫ୍‌ ଫେମ୍‌’ ଆରମ୍ଭ କରାଯାଇଥିଲା। ଏଥିରେ ୨୫ ଜଣ ଷ୍ଟାର୍ଟଅପଙ୍କୁ ସୋ’କେସ୍‌ କରାଯାଇଥିଲା। ଚଳିତ ଥର ମଧ୍ୟ ୨୫ ଜଣ ଷ୍ଟାର୍ଟଅପଙ୍କୁ ସୋ’କେସ କରାଯାଇଛି। ‘ହଲ୍ ଅଫ୍ ଫେମ୍’ ଏଭଳି ଏକ ପ୍ଲାଟଫର୍ମ ଯେଉଁଠି ଓଡ଼ିଶାର ଷ୍ଟାର୍ଟଅପ୍ ଉଦ୍ୟୋଗୀମାନେ ମେଣ୍ଟର, ନିବେଶକ ଏବଂ ସାଧାରଣ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହୋଇପାରିବେ। ଛାତ୍ରଛାତ୍ରୀ, ଯୁବପିଢ଼ିମାନେ ମଧ୍ୟ ‘ହଲ୍‌ ଅଫ୍‌ ଫେମ୍‌’ କାର୍ଯ୍ୟକ୍ରମକୁ ଆସି ଷ୍ଟାର୍ଟଅପମାନଙ୍କ ସହ ମିଶି ପାରିବେ ଏବଂ ସେମାନଙ୍କ ଉତ୍ପାଦକୁ ଦେଖି ପାରିବେ।

ଓଡ଼ିଶାରେ ଷ୍ଟାର୍ଟଅପ୍ ଅନୁକୂଳ ପରିବେଶ ପାଇଁ ପଦକ୍ଷେପ

‘‘ଓଡ଼ିଶାରେ ଷ୍ଟାର୍ଟଅପକୁ ଆଗକୁ ନେବା ପାଇଁ ଏକ ଅନୁକୂଳ ପରିବେଶର ଆବଶ୍ୟକତା ରହିଛି। ଷ୍ଟାର୍ଟଅପକୁ ସଫଳ କରିବା ପାଇଁ ଅଭିଜ୍ଞ ଉପଦେଷ୍ଟାଙ୍କଠାରୁ ଆରମ୍ଭ କରି ନିବେଶକମାନଙ୍କର ଆବଶ୍ୟକତା ରହିଛି। ତା’ଛଡ଼ା ସିଡ୍ ଇନଭେଷ୍ଟର ଏବଂ ଆଞ୍ଜେଲ ଇନଭେଷ୍ଟର ନେଟଓ୍ଵର୍କ ମଧ୍ୟ ସୁଦୃଢ଼ ନାହିଁ। ତେଣୁ ଏହାକୁ ଦୃଷ୍ଟିରେ ରଖି ଟାଇ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି’’, କହିଛନ୍ତି ଦେବାଶିଷ ପଟ୍ଟନାୟକ।

ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ଷ୍ଟାର୍ଟଅପର ବିକାଶ ଲାଗି ଟାଇ ଭୁବନେଶ୍ୱର ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସହରାଞ୍ଚଳ ସହିତ ବିଭିନ୍ନ ଗ୍ରାମାଞ୍ଚଳରେ ରହିଥିବା ଉଦ୍ୟୋଗୀମାନଙ୍କୁ ସହାୟତାର ହାତ ବଢ଼ାଉଛି ଟାଇ। ଏନେଇ ଆଞ୍ଜେଲ ନିବେଶକ କର୍ମଶାଳା ମଧ୍ୟ ଆୟୋଜନ କରାଯିବ। ଷ୍ଟାର୍ଟଅପରେ ନିବେଶ କରିବା ଦ୍ଵାରା ନିବେଶକମାନଙ୍କୁ କେଉଁ ପ୍ରକାର ସୁବିଧା ବା ଲାଭ ମିଳିପାରିବ ସେ ସମ୍ପର୍କରେ ଅବଗତ କରାଯିବ।

ସିଡ୍‌ ଇନଭେଷ୍ଟର୍ସ ଏବଂ ଆଞ୍ଜେଲ ଇନଭେଷ୍ଟର୍ସ କ’ଣ ?

ଷ୍ଟାର୍ଟଅପରେ ଭିନ୍ନ ଭିନ୍ନ ସ୍ତରରେ ନିବେଶ କରାଯାଇଥାଏ। ଯେଉଁମାନେ ଷ୍ଟାର୍ଟଅପ ଆରମ୍ଭ କରିବା କଥା ଚିନ୍ତା କରନ୍ତି, ସେମାନେ ନିଜ ଉଦ୍ୟମ ବଳରେ ଏହାକୁ ଆରମ୍ଭ କରିଥାନ୍ତି। ଏହା ପରେ ଆସନ୍ତି ସିଡ୍ ଇନଭେଷ୍ଟର। ସିଡ୍ ଇନଭେଷ୍ଟର ଜଣେ ଷ୍ଟାର୍ଟଅପ୍ ଉଦ୍ୟୋଗୀର ସାଙ୍ଗ ସାଥୀ, ପରିବାର ବା ସମ୍ପର୍କୀୟ ହୋଇପାରନ୍ତି।

ଏହା ପର ନିବେଶ ହେଉଛି ଆଞ୍ଜେଲ ଇନଭେଷ୍ଟର। ଏହି ଆଞ୍ଜେଲ ଇନଭେଷ୍ଟର ଜଣେ ଷ୍ଟାର୍ଟଅପ୍ ଉଦ୍ୟୋଗୀକୁ ଜାଣିନଥିଲେ କିମ୍ବା ଚିହ୍ନି ନଥିଲେ ମଧ୍ୟ ଉଦ୍ୟୋଗୀର କାମ ଏବଂ ଇନୋଭେସନକୁ ଦେଖି ନିବେଶ କରିଥାନ୍ତି। ଆଞ୍ଜେଲ ଇନଭେଷ୍ଟର୍ସମାନେ ସର୍ବାଧିକ କୋଟିଏରୁ ଦେଢ଼ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ କରିଥାନ୍ତି। ଏହା ପରେ ଅଧିକ ଅର୍ଥ ନିବେଶ ଲାଗି ସିରିଜ ଇନଭେଷ୍ଟର୍ସ ଥା’ନ୍ତି।

‘‘ଆଗାମୀ ଦିନରେ ଷ୍ଟାର୍ଟଅପ୍ ଓଡ଼ିଶା ଏକ ନୂଆ ସମ୍ଭାବନା ନେଇ ଆସୁଛି। ଓଡ଼ିଶାରେ ଷ୍ଟାର୍ଟଅପ୍ ଆରମ୍ଭ ହେବା ଦ୍ଵାରା ଉଦ୍ୟୋଗୀ ଲାଭବାନ ହେବା ସହ ରାଜ୍ୟରେ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଉଛି। ନୂଆ ଷ୍ଟାର୍ଟଅପ୍ ନୀତି ଅନୁସାରେ ଷ୍ଟାର୍ଟଅପଗୁଡ଼ିକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଅଧୀନରେ ରହିଥିବା ସଂସ୍ଥାଗୁଡ଼ିକ ମଧ୍ୟ ଷ୍ଟାର୍ଟଅପମାନଙ୍କୁ ସହଯୋଗର ହାତ ବଢ଼ାଉଛନ୍ତି’’, କହିଛନ୍ତି ଦେବାଶିଷ ପଟ୍ଟନାୟକ।

ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ଅନେକ ନୂଆ ନୂଆ ଷ୍ଟାର୍ଟଅପ ଗଢ଼ିଉଠିଛି। ନୂଆପିଢ଼ି ପାଇଁ ଏହା ନିଶ୍ଚିତ ଭାବେ ପ୍ରେରଣା ଦେବ ବୋଲି ଓଡ଼ିଶାଲାଇଭକୁ କହିଛନ୍ତି ଦେବାଶିଷ ପଟ୍ଟନାୟକ।

 

 

Tags: #TiE #HallOfFame2.o #StartupOdisha #MediaPartnerOdishaLIVE #DebashishPatnaik

Comment