ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାରେ ପ୍ରଚୁର ପରିମାଣରେ ଖଜୁରି ରସ ସଂଗ୍ରହ କରାଯାଏ। ଏଠାରେ ଖଜୁରି ରସକୁ ତାଡ଼ି ଭାବେ ବ୍ୟବହାର କରାଯାଏ। କେଉଁଠି ଏହି ରସକୁ ସ୍ଵାସ୍ଥ୍ୟକର ପାନୀୟ ଭାବେ ଗ୍ରହଣ କରିଯାଏ ତ ଆଉ କେଉଁଠି ମାଦକ ଭାବେ। କିଛି ଲୋକ ଖଜୁରି ରସ ବିକ୍ରି କରି ଏଥିରୁ ଦୁଇପଇସା ରୋଜଗାର ମଧ୍ୟ କରିଥାନ୍ତି।

କେମିତି ସଂଗ୍ରହ କରାଯାଏ ଖଜୁରି ରସ?

ଖଜୁରି ଗଛର ଅଗ ନିକଟରେ କୌଣସି ଧାରୁଆ ଅସ୍ତ୍ର ଦ୍ଵାରା କାଟିଲେ ସେଠାରୁ ନିରନ୍ତର ରସ ବାହାରି ଥାଏ। ସେହି ସ୍ଥାନରେ ଏକ ମାଟି ହାଣ୍ଡି (ଠେକି)କୁ ରଖି ସେଠାରୁ ରସ ସଂଗ୍ରହ କରାଯାଏ। ଏହି ରସକୁ ପାନୀୟ ଭାବରେ ବ୍ୟବହାର କରାଯାଇଥାଏ। ରାତିରେ ଝରୁଥିବା ରସ ସ୍ୱାଦରେ ମିଠା ଥିବାବେଳେ ଦିନ ବେଳାର ରସରେ ମାଦକ ରହିଥାଏ। ବୌଦ୍ଧ ଜିଲ୍ଲାରେ ରାତି ଓ ଦିନର ରସକୁ ମିଶାଇ ତାଡ଼ି ପ୍ରସ୍ତୁତ କରାଯାଏ। ଏହି ତାଡିକୁ ବିକ୍ରି ମଧ୍ୟ କରାଯାଏ। ବିଭିନ୍ନ ସ୍ଥାନରେ ଅଧିକ ନିଶା ହେବା ପାଇଁ ସେଥିରେ ମାଦକ ଦ୍ରବ୍ୟ ମିଶା ଯାଉଥିବା ଅଭିଯୋଗ ମଧ୍ୟ ଆସିଛି।

ବୌଦ୍ଧ ଜିଲ୍ଲାରେ ଖଜୁରି ରସକୁ ତାଡ଼ି ଭାବେ ବ୍ୟବହାର କରାଯାଉଥିବା ବେଳେ ଅନ୍ୟ କିଛି ରାଜ୍ୟରେ ସ୍ୱାସ୍ଥ୍ୟକର ପାନୀୟ ଭାବେ ଗ୍ରହଣ କରାଯାଏ। ଖାସ କରି ଦକ୍ଷିଣ ଭାରତରେ ଏହାର ବ୍ୟବହାର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କରାଯାଉଥିବା ବିଶେଷଜ୍ଞଙ୍କ ମତ। ଏହି ରସ ରକ୍ତଚାପ ଏବଂ ହୃଦ ସ୍ପନ୍ଦନ ଆଦିର ସନ୍ତୁଳନ ରକ୍ଷା କରିବାରେ ସହାୟକ ହେଉଥିବା ଲୋକଙ୍କର ବିଶ୍ଵାସ ରହିଛି।

ଖଜୁରି ତାଡ଼ିରୁ ପ୍ରସ୍ତୁତ ହୁଏ ଗୁଡ଼

ପଶ୍ଚିମବଙ୍ଗରେ ଏହି ଖଜୁରି ରସରୁ ପ୍ରସ୍ତୁତ କରାଯାଏ ଗୁଡ଼। ରାତିରେ ସଂଗ୍ରହ କରାଯାଉଥିବା ଖଜୁରି ରସକୁ ପ୍ରକ୍ରିୟାକରଣ କରି ଗୁଡ଼ ପ୍ରସ୍ତୁତ କରାଯାଏ। ଏହାକୁ ସେଠାର ନଲେନ ଗୁଡ୍ ବୋଲି କୁହାଯାଏ। ଏହି ଗୁଡ଼ର ଦାମ ଆଖୁ ରସରୁ ପ୍ରସ୍ତୁତ ଗୁଡ଼ର ଦାମଠାରୁ ଢେର ବେଶୀ। କିଲୋ ପ୍ରତି ଏହାର ମୂଲ୍ୟ ୫୦୦ ଟଙ୍କାରୁ ଅଧିକ ରହିଛି। ଏହି ଗୁଡ଼ ବର୍ତ୍ତମାନ ଅନଲାଇନରେ ବିକ୍ରି ପାଇଁ ଉପଲବ୍ଧ ହେଉଛି। ନଲେନ ଗୁଡ଼ ବ୍ୟବହାର କରି କୋଲକାତାରରେ ରସଗୋଲା ତିଆରି କରାଯାଏ, ଯାହାର ମୂଲ୍ୟ ଚିନି ସିରାରେ ପ୍ରସ୍ତୁତ ରସଗୋଲା ମୂଲ୍ୟଠାରୁ ଅଧିକ।

ବୌଦ୍ଧ ଜିଲ୍ଲାରେ ଖଜୁରି ରସ ସଂଗ୍ରହକାରୀ ଏଥିରୁ ଗୁଡ଼ ପ୍ରସ୍ତୁତ କରିବାର ପଦ୍ଧତି ଜାଣି ନଥିବାରୁ କମ୍ ମୂଲ୍ୟରେ ତାଡ଼ି ବିକ୍ରି କରୁଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାନଙ୍କୁ ଖଜୁରି ରସରୁ ଗୁଡ଼ ପ୍ରସ୍ତୁତ ନିମନ୍ତେ ତାଲିମ ବ୍ୟବସ୍ଥା କରାଗଲେ ଖଜୁରି ରସ ସଂଗ୍ରହକାରୀ ବେଶ ଦୁଇପଇସା ରୋଜଗାର କରିପାରନ୍ତେ ବୋଲି କିଛି ଖଜୁରି ରସ ସଂଗ୍ରହକାରୀ କହିଛନ୍ତି।

Tags: #DatePalm #DateTree #KhajurTadi

Comment