ଡାକ୍ତର ସରୋଜ କୁମାର ମିଶ୍ର

ଖବରକାଗଜରୁ ପଢ଼ିଲି ‘ଦମନ’ ସିନେମା ଭଲ ହୋଇଛି। ସୁନ୍ଦରଗଡ଼ର ପ୍ରେକ୍ଷାଳୟରେ ପୂର୍ଣ୍ଣ ଗହଳିରେ ଚାଲିଛି। ଭୁରି ଭୁରି ପ୍ରସଂଶା ସମସ୍ତଙ୍କର। ଟିକସ ରିହାତି ବି ହୋଇଗଲାଣି। ନିର୍ଦ୍ଦେଶକଙ୍କଠାରୁ ସ୍ୱାସ୍ଥ୍ୟ ସଚିବ ପର୍ଯ୍ୟନ୍ତ ସମସ୍ତେ ଦେଖି ସାରିଲେଣି।

ଦମନ ସିନେମା ଦେଖିବା ପାଇଁ ଶେଷରେ ନିଷ୍ପତ୍ତି ନେଲି। ସୁନ୍ଦରଗଡ଼ର ମଲ୍ଟିପ୍ଲେକ୍ସ ପ୍ରେକ୍ଷାଳୟରେ ସବୁଠାରୁ ପଛ ସିଟରେ ବସି ଦୀର୍ଘ ଛଅ ବର୍ଷ ପରେ ସିନେମା ଦେଖିଲି। ଚଳଚ୍ଚିତ୍ରର ଗୋଟିଏ ଦୃଶ୍ୟ ଯାହାକି ମୋର ଆତ୍ମଜୀବନୀ ଭଳି ପ୍ରତୀୟମାନ ହେଉଥିଲା৷

ଠିକ ଚାଳିଶି ବର୍ଷ ତଳେ ମୋ’ ଡାକ୍ତରୀ ଜୀବନର ପ୍ରଥମ ପୋଷ୍ଟିଙ୍ଗ ଅର୍ଡର ବାହାରିଥିଲା। ସେତେବେଳେ ମୁଁ ଖାରିଆଗୁଡ଼ା ସହାୟକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅଧିକାରୀ ଭାବେ ଯୋଗ ଦେଇଥିଲି। ବ୍ରହ୍ମପୁରଠାରୁ ୬୦ କିଲୋମିଟର ଦୂର ଏହି ସ୍ଥାନକୁ ବସରେ ଯିବା ପାଇଁ ଲାଗୁଥିଲା ତିନି ଘଣ୍ଟା ସମୟ। ଯେତେବେଳେ ବସରୁ ଓହ୍ଲାଇ ଲୋକଙ୍କୁ ପଚାରିଲି ହସ୍ପିଟାଲଟା କେଉଁଠି? ଲୋକମାନେ ମତେ ନିକଟସ୍ଥ ବିଦ୍ୟାଳୟ ଘରଆଡେ ଆଙ୍ଗୁଳି ଦେଖାଇ କହିଥିଲେ – ଏ ଭିତରୁ ବଖରାଟିଏ। ସେମାନେ ମତେ ପଚାରିଲେ ଆପଣ କ’ଣ କମ୍ପାଉଣ୍ଡର? ମୁଁ ସେମାନଙ୍କ ପ୍ରଶ୍ନରେ ଚକିତ ହୋଇଯାଇଥିଲି।

ମତେ ଡାକ୍ତର ବୋଲି ନପଚାରି କମ୍ପାଉଣ୍ଡର ବୋଲି କାହିଁକି କହିଲେ? ସେ ଯାହା ହେଉ ମୁଁ କହିଲି – ନାଇଁ ଆଜ୍ଞା ମୁଁ ଜଣେ ଡାକ୍ତର। ଓହୋ ଡାକ୍ତର ବାବୁ? ଆପଣ ତା’ହାଲେ ଆମ ଗାଁର ପ୍ରଥମ ଡାକ୍ତର ବାବୁ। ଏଠି କି ତ କମ୍ପାଉଣ୍ଡରମାନେ ବି ଆସନ୍ତି ନାହିଁ। ପୋଷ୍ଟିଙ୍ଗ ହେଲା ପରେ ସେମାନେ ଡେପୁଟେସନରେ ଚାଲି ଯାଆନ୍ତି।

ମୁଁ ପୁଣି ପଚାରିଲି – ଆଜ୍ଞା; ଏଠାରୁ ବ୍ରହ୍ମପୁର ଫେରିବା ନିମନ୍ତେ ପୁଣି ବସ୍ କେତେବେଳେ?

ସେମାନେ କହିଲେ ଆଜ୍ଞା ଏଇଟା ହିଁ ଶେଷ ବସ୍। ସେତେବେଳକୁ ବସ୍‌ ଷ୍ଟାର୍ଟ କରିବା ଆରମ୍ଭ କରିଲାଣି। ମୁଁ କହିଲି – ଆରେ ଆରେ ଏଇଟା ଶେଷ ବସ୍। ତାହେଲେ ମୁଁ ଚାଲିଲି, ପୁଣି କେବେ ଆସି ହସ୍ପିଟାଲ ଦେଖିଦେବି।

ମୁଁ ବସ୍ ଆଡେ ଧାଇଁଲି। ମୋ ପଛେ ପଛେ ଲୋକମାନେ ମଧ୍ୟ ଧାଉଁଥାନ୍ତି। ରୁହନ୍ତୁ ରୁହନ୍ତୁ ଡାକ୍ତରବାବୁ; ‘ଗାଡ଼ି ରହିବ’।

ହଠାତ ଗାଡ଼ି ଷ୍ଟାର୍ଟ ବନ୍ଦହେଲା। ଜଣେ ବ୍ୟକ୍ତିଙ୍କ ଇଙ୍ଗିତରେ ଗାଡିଟି ଅଟକିଲା। ଧୋତି, କୁର୍ତ୍ତା ପିନ୍ଧିଥିବା ବ୍ୟକ୍ତି ଜଣକ ହସି ହସି ମୋ’ ଆଡକୁ ଆସିଲେ। ଲୋକମାନେ ମତେ କହିଲେ – ‘ଏ ହେଉଛନ୍ତି ମହାନ୍ତି ମାଷ୍ଟ୍ରେ ନମସ୍କାର କରନ୍ତୁ’। ମୁଁ ମନେ ମନେ ଭାବିଲି – ଆରେ ମୁଁ ତ ଡାକ୍ତର, କ୍ଲାସ-୨ ଗେଜେଟେଡ। ହେଲେ ୟେ ମାଷ୍ଟରଙ୍କୁ ମୁଁ କାହିଁକି ନମସ୍କାର କରିବି। ଭଦ୍ର ବ୍ୟକ୍ତି ଜଣକ ମତେ ହସ ହସ ମୁହଁରେ କହିଲେ – ଆସନ୍ତୁ ଆଜ୍ଞା ହସ୍ପିଟାଲ ବୁଲି ଆସିବା।

ସହାୟକ ସ୍ୱାସ୍ଥ୍ୟ କେନ୍ଦ୍ର, ଖାରିଆଗୁଡ଼ା। ସ୍କୁଲ ଘରର ଶେଷ ଭାଗ। କାନ୍ଥ ଫାଟିଯାଇଛି। ଆମ୍ବ କାଠର କବାଟ ସହଜରେ ନଖୋଲିବାରୁ ତାକୁ ଲାତ ଗୋଇଠା ମାରି ଖୋଲାଗଲା। ଗୋଟିଏ ଟେବୁଲ ଦୁଇଟି ଚୌକି। ହାତଧୁଆ ବେସିନ। ସେଇଠି ମୋ’ ହସ୍ପିଟାଲ।

ହସ୍ପିଟାଲ ଭ୍ରମଣ ପରେ ବସ୍‌ ନିକଟକୁ ଆସିଲି। ବସ୍‌ ମୋ’ ପାଇଁ ଅଟକିଥିଲା। ବସରେ ଚଢିବା ପୂର୍ବରୁ ମହାନ୍ତି ମାଷ୍ଟ୍ରଙ୍କ ଇଙ୍ଗିତରେ ସାମ୍ନା କିରାନା ଦୋକାନରୁ ଗୋଟିଏ ବାଟା ଚୌକି ଉଠାଇ ଆଣି ପକାଗଲା। ସ୍କୁଲ ପିୟନ ଗୋଟିଏ କାଚ ଗ୍ଲାସରେ ରାବିଡି ଏବଂ ରସ ଚାମଚ ସହ ମୋ’ ହାତକୁ ବଢ଼ାଇଦେଇ କହିଲା –ସାର ଏତିକି ଖାଇ ଦିଅନ୍ତୁ। ବ୍ରହ୍ମପୁରରେ ପହଁଚିଲା ବେଳକୁ ଖାଇବା ବେଳ ଗଡ଼ିଯାଇଥିବ।

ସେତେବେଳକୁ ବସ ଷ୍ଟାଣ୍ଡ ଲୋକାରଣ୍ୟ ହୋଇଯାଇଥିଲା। ଲୋକଙ୍କ ଭିତରେ ଟୁପୁରୁ ଟାପୁରୁ – ଇଏ କ’ଣ ସତରେ ଜଣେ ଡାକ୍ତର? ଯଦି ସତ, ତାହାଲେ ଆମ ଗାଁର ଭାଗ୍ୟ।

ଗାଡ଼ି ଉପରକୁ ଚଢିଲି। ଗେଟ ପାଖର ପ୍ରଥମ ସିଟଟି ମୋ’ ପାଇଁ ଥିଲା। ମହାନ୍ତି ମାଷ୍ଟ୍ରେ ଗାଡ଼ି ଉପରକୁ ଚଢ଼ି ହସି ହସି କହିଲେ – ଆପଣ ଆସନ୍ତୁ ସାର। ଆମେ କ୍ୱାର୍ଟରଟା ମରାମତି କରିଦେବୁ। ଆପଣ ଆସିଥିବା ଶୁଣି ଦେଖନ୍ତୁ ଏଠାରେ କେତେ ଲୋକ ଭିଡ଼ ଜମାଇଲେଣି। ଆପଣଙ୍କ ଆସିବା ବାଟକୁ ସମସ୍ତେ ଚାହିଁ ରହିଛନ୍ତି।

ମହାନ୍ତି ମାଷ୍ଟ୍ରଙ୍କ ନିର୍ଦ୍ଦେଶରେ ଗାଡ଼ି ଷ୍ଟାର୍ଟ ହେଇଥିଲା। କଣ୍ଡକ୍ଟରଙ୍କ ହାତକୁ ଟିକଟ ଖର୍ଚ୍ଚ ବାବଦକୁ ୮ ଟଙ୍କା ବଢ଼ାଇ ଦେଇଥିଲି। କଣ୍ଡକ୍ଟର ଜିଭ କାମୁଡି କହିଲେ – ନାଇଁ ସାର; ଆମକୁ ଲଜିତ କରନ୍ତୁନି। ଆମ ଗାଡ଼ି ଏଠି ରାତିରେ ରହୁଅଛି। ଆମ ପିଲା ମାଇକିନା ଏଣିକି ଆପଣଙ୍କ ଭରସାରେ। ଆପଣଙ୍କଠାରୁ ପୁଣି ଟିକଟ ପଇସା ନେବୁ।

ମତେ ପ୍ରଥମ ଦିନରୁ ହିଁ ଗୋଟିଏ ମୋହମାୟାରେ ବାନ୍ଧି ଦେଇଥିଲେ ଲୋକମାନେ। ବଦଳି ଆଦେଶ ପରିବର୍ତ୍ତନର କୌଣସି ସମ୍ଭାବନା ନଥିବାରୁ ଗୋଟିଏ ଫୋଲଡିଂ ଖାତା ଏବଂ ଲୁଗାପଟା ସୁଟକେଶ ନେଇ ପହଞ୍ଚିଲି ଖାରିଆଗୁଡ଼ା ଗ୍ରାମରେ। ସହକର୍ମୀମାନେ ଜଣେ ଆଟେଣ୍ଡାଂଟ। ଫାର୍ମାସିଷ୍ଟ ପଦବୀ ସୃଷ୍ଟି ହୋଇନାହିଁ। ଜଣେ ସ୍ୱାସ୍ଥ୍ୟ ସହାୟକଙ୍କ ପୋଷ୍ଟିଙ୍ଗ ହୋଇଥିଲା। କିନ୍ତୁ ସେ ବିଧାୟକଙ୍କ ଡାହାଣ ହାତ ହୋଇଥିବାରୁ ଅଧିକାଂଶ ସମୟ ଭୁବନେଶ୍ୱରରେ ସମୟ ଅତିବାହିତ କରୁଥିଲେ।

୧୯୮୩ ମସିହା, ଗ୍ରାମାଞ୍ଚଳରେ ମ୍ୟାଲେରିଆର ଚିକିତ୍ସା ଡାକ୍ତରଙ୍କ ପ୍ରତି ଏକ ଚାଲେଞ୍ଜ ଥିଲା। କ୍ଲୋରୋକୁଇନରୁ ଆରମ୍ଭ ହୋଇ କୁଇନାଇନରେ ସରୁଥିଲା। ତା’ରି ଭିତରେ ରୋଗୀ ଏପଟେ ନହେଲେ ସେପଟେ, ତଥାପି ମୁଁ ଯେହେତୁ କାର୍ଯ୍ୟସ୍ଥଳୀରେ ରହୁଥିଲି, ଦିନକୁ ୪୦-୫୦ ରୋଗୀ ଆସୁଥିଲେ। ମ୍ୟାଲେରିଆରେ ଆରୋଗ୍ୟ ଲାଭ କରୁଥିବାରୁ ପାହାଡ଼ ଜଙ୍ଗଲରୁ ରୋଗୀଙ୍କୁ ଦୋଳାରେ ବୋହି ଅଣାଯାଉଥିଲା। ଲୋକଙ୍କ ମୁହଁରେ ଗୋଟିଏ କଥା – ମାଳ ଜ୍ୱର? ଖାରିଆଗୁଡ଼ା ଚାଲ। ମୋର ମନେପଡୁଛି ସେଦିନର କଥା। ଗୋଟିଏ ରୋଗୀକୁ ସାତଦିନ ଚିକତ୍ସା କରିବା ପରେ ମଧ୍ୟ ସେ ମୃତ୍ୟୁବରଣ କରିଥିଲା। ମୋ’ ଅକ୍ଲାନ୍ତ ପରିଶ୍ରମ ବୃଥା ହୋଇଗଲା ଭାବି ମୁଁ ଦୁଃଖରେ ମର୍ମାହତ ହୋଇ ଯେତେବେଳେ ଚୌକିରେ ବସିଥିଲି; ମତେ ରୋଗୀର ଲୋକମାନେ ଆସି ଆଶ୍ୱାସନା ଦେଇଥିଲେ। କହିଥିଲେ – ସାର, ଆପଣ ସାତ ଦିନ ଧରି ଚେଷ୍ଟା କଲେ। ଏତେ ଲୋକ ଆପଣଙ୍କ ହାତରେ ଭଲ ହୋଇ ଯାଉଛନ୍ତି। ୟାର ଭାଗ୍ୟରେ ନାହିଁ। ଏଣୁ ଆପଣ ଏମିତି ଦୁଃଖରେ ଭାଙ୍ଗିପଡିଲେ ହେବ?

କିନ୍ତୁ ଆଜିକା ସମୟରେ ଏପରି ଗୋଟିଏ ମୃତ୍ୟୁ ହୋଇଗଲେ ହସ୍ପିଟାଲ ଭଙ୍ଗାରୁଜା ସହ ଡାକ୍ତରଙ୍କୁ ମାଡ଼। ଚଳଚ୍ଚିତ୍ରରେ ବର୍ଣ୍ଣିତ ଡୁମା ବା ଗୁଣିଗାରେଡ଼ି ସବୁ ଜିଲ୍ଲାରେ ରହିଛି। ବହୁତ ଆଗରୁ ଥିଲା। ଏବେ ବି ରହିଛି। ହେଲେ ଚଳଚ୍ଚିତ୍ରରେ ବର୍ଣ୍ଣିତ ଜାନିକୁ ବାଡ଼ି ଧରି ଗୋଡ଼ାଇବା କାମଟି ମୁଁ କରାଇ ନଥିଲି। ବରଂ ଜାନିକୁ ବୁଝାଇ ସୁଝାଇ ତା’ ହାତରେ କ୍ଲୋରୋକୁଇନ ପାରାସିଟାମଲ ବଟିକା ଧରାଇ ଦେଇଥିଲି। କ୍ରମଶଃ କେନ୍ଦ୍ର ସରକାରଙ୍କ ଭି.ଏଚ.ଜି.(ମିନି ଡାକ୍ତର)ରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଇ ତାଲିମ ଦିଆଯାଇଥିଲା। ମ୍ୟାଲେରିଆ ପାଇଁ ରକ୍ତ ନମୁନା ସଂଗ୍ରହ, କ୍ଲୋରୋକୁଇନ ବଣ୍ଟନ ଏବଂ ଗାଁ ଗହଳିରେ ଦେଖାଯାଉଥିବା ସାଧାରଣ ରୋଗର ଚିକିତ୍ସା ପାଇଁ ସେମାନେ କାମ କରୁଥିଲେ ତଥା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣୁଥିଲେ। ଜାନିମାନେ ଯେହେତୁ ଲୋକମାନଙ୍କର ବିଶ୍ଵାସଭାଜନର ପାତ୍ର ଥିଲେ ତେଣୁ ସେମାନଙ୍କୁ ପ୍ରବର୍ତ୍ତାଇ, ଉପଯୁକ୍ତ ତାଲିମ ଦେଇ ସାମାଜିକ ପରାମର୍ଶଦାତା (Opinion Leader) ଭାବେ ସ୍ୱାସ୍ଥ୍ୟ ସମ୍ବଳିତ ସମୁଚିତ ବାର୍ତ୍ତା ପ୍ରଦାନ କରିବା ପାଇଁ ବିନିଯୋଗ କରାଯାଉଥିଲା।

ମ୍ୟାଲେରିଆ ମୃତ୍ୟୁ ପରେ ସାମୁହିକ ରକ୍ତ ପରୀକ୍ଷା ଏବଂ ପଜିଟିଭ ବାହାରିଥିବା ରୋଗୀଙ୍କୁ ଏକକାଳୀନ କ୍ଲୋରୋକୁଇନ ତଥା ପ୍ରାଇମା କୁଇନ ଚିକିତ୍ସା ଦେବା ଦ୍ୱାରା ଜନସାଧାରଣଙ୍କ ନିକଟରେ ପାରାସାଇଟର ଭାର କମିବା, ଏଭଳି ସୂଚନା ଆମପିଢ଼ିର ଡାକ୍ତରମାନଙ୍କ ଦ୍ୱାରା ଜାତୀୟ ମ୍ୟାଲେରିଆ ନିରାକରଣ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଦିଆଯାଇଥିଲା। ଏହା ‘ଦମନ’ କାର୍ଯ୍ୟକ୍ରମର ଏକ ପ୍ରମୁଖ ପଦକ୍ଷେପ। ବର୍ତ୍ତମାନ ଅବଶ୍ୟ ଚିକିତ୍ସା ପାଇଁ ଅତ୍ୟାଧୁନିକ ଔଷଧ (ଆର୍ଟିସୁନେଟ) ର ବ୍ୟବସ୍ଥା ହୋଇସାରିଛି।

୧୯୮୪ ମସିହାରେ ଯେତେବେଳେ ଏକ ଶିବିର ପରିଚାଳନା କରିବା ନିମନ୍ତେ ସାଇକେଲରେ ୧୫ କିଲୋମିଟର ଯାଇଥିଲି, ଫେରିବା ବେଳେ ଶୀତଦିନ ଅନ୍ଧାର ରାତି ସାଇକେଲରେ ଡାଇନେମୋନ ଥିଲା, କେମିତି ଫେରିବି ଚିନ୍ତା କରିବା ବେଳେ ମତେ ତୁରବୁଡି ସରପଂଚ କହିଲେ, ଡାକ୍ତରବାବୁ; ବର୍ତ୍ତମାନ ଗୋଟିଏ ନଡା ବହନକାରି ଟ୍ରାକ୍ଟର ଖରିଆଗୁଡ଼ା ଯାଉଛି। ଆପଣ ସାଇକେଲଟି ଟ୍ରାକ୍ଟରରେ ଲଦି ଭିଆଇପି ସିଟରେ ବସି ଯାଇପାରିବେ। ଟ୍ରାକ୍ଟରରେ ପୁଣି ଭିଆଇପି ସିଟ?

ମୋ’ ଭ୍ରୁକୁଞ୍ଚନ ପ୍ରଶ୍ନବାଚୀକୁ ବୁଝିପାରି ସରପଂଚ କହିଲେ ‘ଆଜ୍ଞା ହଁ’। ଡ୍ରାଇଭର ସାଇଡରେ ଯେଉଁ ବନେଟଟି ଅଛି ତା’ଉପରେ ମୁଁ ବସେ। ଉପାୟଶୂନ୍ୟ ହୋଇ ମୁଁ ତା’ ଉପରେ ବସିଲି। କିନ୍ତୁ ଖାଲଢିପ ରାସ୍ତାରେ ଭାରସାମ୍ୟ ହରାଇ ପଡ଼ିଯିବା ଭୟରେ ମୋ’ ସ୍ୱାସ୍ଥ୍ୟକର୍ମୀ ପାଇଁ ସେ ସିଟଟା ଛାଡ଼ିଦେଇ ମୁଁ ନଡ଼ା ଭର୍ତ୍ତି ଡାଲାରେ ବସି ଯାଇଥିଲି। ପାଳବୁଦା ନଡ଼ା ଶଯ୍ୟାରେ ଶୀତରାତିରେ ଯାତ୍ରା କରିବା ଅନୁଭୂତି ଅନନ୍ୟ। ନଡ଼ାର ଡନଲପ ଗଦି, ରାସ୍ତାକଡ଼ରେ ବହୁଥିବା ବାଦୁନା ନଦୀ, ଠାଏଁ ଠାଏଁ ଜଙ୍ଗଲ ଏବଂ ଆକାଶରେ ଜହ୍ନ। ମୋର ସାହିତ୍ୟିକ ଚିନ୍ତାଧାରା ଉଙ୍କି ମାରିଥିଲା ଚାକିରିର ଏହି ସମୟରେ। ଆଉ ମୋର ପ୍ରକାଶିତ ଗଳ୍ପ ସଂକଳନ ‘ଜାହ୍ନବୀର ନୀଳଜହ୍ନ’ରେ ବର୍ଣ୍ଣିତ ଚରିତ୍ର ସବୁ ମୋର ରୋଗୀମାନଙ୍କର ତଥା ଚିକିତ୍ସା ପୃଷ୍ଠଭୂମିର ଆଧାରିତ। ଗାଁକୁ ଗାଁ ବୁଲିବା ବେଳେ ମତେ ଆମ ସ୍ୱାସ୍ଥ୍ୟକର୍ମୀ ବ୍ୟତୀତ ସ୍ୱେଛାସେବୀ ଯୁବକ ସଂଘ ମଧ୍ୟ ସାହାଯ୍ୟ କରିଥିଲେ।

ବେଳେ ବେଳେ ବୟୋଜ୍ୟେଷ୍ଠ ପ୍ରଧାନଶିକ୍ଷକ, ମହାନ୍ତି ମାଷ୍ଟ୍ରେ ବି ମୋ’ ସହ ସ୍ୱାସ୍ଥ୍ୟ ଶିବିରକୁ ଯାଉଥିଲେ। ଦିନକର କଥା ମନେପଡେ। ଚାଲି ଚାଲି ଯିବାବେଳେ ରାସ୍ତାରେ ଛୋଟିଆ ନଈଟିଏ ପଡ଼ିଲା। ନଈର ଧାର କମ ପ୍ରସସ୍ଥର। ତଥାପି ଜୋତା ମୋଜା ଖୋଲିବା ଆବଶ୍ୟକ ଥିଲା। ଜୋତା ଖୋଲି ପୁଣି ପିନ୍ଧିବା କଷ୍ଟସାଧ୍ୟ ଭାବି ମହାନ୍ତି ମାଷ୍ଟ୍ରେ କହିଲେ ଆପଣ ମୋ’ କାନ୍ଧରେ ଭାର ଦିଅନ୍ତୁ, ଅନ୍ୟ ହାତଟିକୁ ସ୍ୱାସ୍ଥ୍ୟକର୍ମୀଙ୍କ କାନ୍ଧରେ ଭରା ଦିଅନ୍ତୁ। ଆମେ ଆପଣଙ୍କୁ ଟେକି ଟେକି ନଈଧାରକୁ ପାରି କରାଇଦେବୁ। ଆପଣ ଆଉ ଜୋତା ମୋଜା ଖୋଲନ୍ତୁ ନାହିଁ। ମୁଁ ହଁ ଭରି ସେଇୟା ହିଁ କଲି। କିନ୍ତୁ ମଝି ନଈରେ ମୋର ଦିବ୍ୟଜ୍ଞାନ ଉଦୟ ହେଲା। ମୁଁ ପଚିଶ ବର୍ଷର ଜଣେ ଯୁବକ, ଛପନ ବର୍ଷ ବୟସ୍କ ଜଣେ ବୃଦ୍ଧଙ୍କ କାନ୍ଧରେ ଭାରା ଦେଇ ନଈ ପାର ହେବି? ଧିକ ମୋ’ ଜୀବନ। ମୁଁ ତୁରନ୍ତ ମଝି ନଈରେ ହାତ ଖସାଇ ପାଣି ଭିତରେ ଠିଆ ହୋଇ ପଡ଼ିଲି।

ମହାନ୍ତି ମାଷ୍ଟ୍ରେ କହିଲେ – ଏ କ’ଣ କଲେ ଆଜ୍ଞା; ଜୋତା ମୋଜା ସବୁ ପାଣିରେ ବୁଡ଼ଗଲା। ମୁଁ କହିଲି ଭଲହେଲା। ମୁଁ ତ ବୁଡ଼ିଯାଇନି। ମୋର ଅନ୍ତରାତ୍ମା ଆପଣଙ୍କୁ କ୍ଷମା ମାଗି ନେଉଛି। ମୁଁ ଆପଣଙ୍କୁ କାନ୍ଧେଇ ନଈପାରି କରିବା ପରିବର୍ତ୍ତେ ଆପଣଙ୍କ କାନ୍ଧର ସାହାରା ନେଇଥିଲି। ସେମିତି ଓଦା ଜୋତା ମୋଜା ପିନ୍ଧି ମୁଁ ଶିବିର ପରିଚାଳନା କରିଥିଲି। ସେଦିନ ଅନୁଭବ କରିଥିଲି ଜଣେ ଡାକ୍ତରଙ୍କ ପ୍ରତି ଲୋକଙ୍କ ସମ୍ମାନ କେତେ?

ସିନେମାରେ ବର୍ଣ୍ଣିତ ଜନ୍ମିତ ଶିଶୁର ନାମକରଣ ‘ସିଦ୍ଧାର୍ଥ’। ଡାକ୍ତରଙ୍କ ନାମରେ ନାମକରଣ କରାଯାଇଥିଲା। ମୋ’ ସାମ୍ନାରେ ଯେତେବେଳେ ଜଣେ ମାଆ ତାଙ୍କ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିଲେ। ଚିଠାରେ ଲେଖିବା ପାଇଁ ମୁଁ ତାଙ୍କୁ ପଚାରିଥିଲି ଛୁଆର ନାମକଣ? ସେ କହିଥିଲେ ‘ସିକନ’।

ମୁଁ ତାଙ୍କ ମୁହଁକୁ ଚାହିଁଥିଲି। ସେ ହସି ହସି କହିଥିଲେ – ସାର; ମୁଁ ଗର୍ଭାବସ୍ଥାରେ ଯେତେବେଳେ ଆପଣଙ୍କ ପାଖକୁ ଚେକଅପ କରିବାକୁ ଆସୁଥିଲି ସେତେବେଳେ ଦେଖୁଥିଲି ହସ୍ପିଟାଲ ପରିସରରେ ଆପଣଙ୍କ କୁନି ପୁଅ ଖେଳୁଥିଲା, ଆଉ ଦିଦି ତାକୁ ସିକନ, ସିକନ ବୋଲି ଡାକୁଥିଲେ। ମୁଁ ସେଦିନଠାରୁ ମନେ କରିଥିଲି ମୋର ଯଦି ପୁଅଟିଏ ହୁଏ ତେବେ ମୁଁ ତା’ ନାଁ ‘ସିକନ’ ବୋଲି ଦେବି। ଏହା ଥିଲା ରୋଗୀମାନଙ୍କ ଭାବାବେଗ। ମାନସିକ ସ୍ତରରେ ଜଣେ ଡାକ୍ତରଙ୍କ ଭାବନାର ପରିସରରେ ଅଂଶ ବିଶେଷ ହେବା ପାଇଁ ସେମାନଙ୍କ ପ୍ରଚେଷ୍ଟା।

ଗ୍ରାମାଞ୍ଚଳରେ ଲୋକଙ୍କ ଭିତରେ ରହି ଲୋକମାନଙ୍କ ସେବା କରିବାର ଏଭଳି ଅନେକ ଅଭୁଲା ସୄତି ରହିଛି। ମୋର ଡାକ୍ତରୀ ଜୀବନର କାର୍ଯ୍ୟକାଳ ବେଳେ ଗଞ୍ଜାମ, କଳାହାଣ୍ଡି ଏବଂ ଗଜପତି ଜିଲ୍ଲାରେ।

ଏ ଭିତରେ ପଞ୍ଚତିରିଶ ବର୍ଷ ବିତିଯାଇଛି। ଡାକ୍ତରୀ ସେବାରେ ପଦୋନ୍ନତି ଯୋଗୁଁ ବର୍ତ୍ତମାନ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ପ୍ରଶାସକ ହିସାବରେ କାମ କରୁଛି। ସୁନ୍ଦରଗଡ଼ରେ ବି କାମ କରିବାରେ ବହୁତ ଅନୁଭୂତି। ସେତେବେଳକୁ ଜାତୀୟ ଭେକଟରବାହିତ ରୋଗ ନିରାକରଣ କାର୍ଯ୍ୟକ୍ରମରେ ‘ଦମନ’ ଅନ୍ତର୍ଭୁକ୍ତ ହୋଇସାରିଛି। ତେବେ ଏହି ଦମନ କାର୍ଯ୍ୟକ୍ରମର ଓଡିଶାରେ ଅସଲ ହିରୋ ହେଉଛନ୍ତି ଡାକ୍ତର ମଦନ ମୋହନ ପ୍ରଧାନ। ଓଡିଶାର ବର୍ଦ୍ଧିତ ମ୍ୟାଲେରିଆ ସଙ୍କଟର ମୁକାବିଲା କରିବା ପାଇଁ ସେ ନିଜର କର୍ମକ୍ଷେତ୍ରର ଅନୁଭୂତିକୁ ନେଇ ଏହି ‘ଦମନ’ କାର୍ଯ୍ୟକ୍ରମର ଏକ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଜିଓର ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାନ କରିଥିଲେ।

‘ଦମନ’(DAMaN)ର ପୂରା ନାମକରଣ ହେଲା ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ। ମ୍ୟାଲେରିଆକୁ ମୂଳୋତ୍ପାଟନ କରିବାକୁ ହେଲେ ଆମକୁ ବିଭିନ୍ନ ପଦକ୍ଷେପ ନେବାକୁ ହୋଇଥାଏ। ସେଗୁଡ଼ିକ ହେଲା – ମ୍ୟାଲେରିଆ ପ୍ରଭାବିତ ଅଞ୍ଚଳରେ ସର୍ବସାଧାରଣଙ୍କ ରକ୍ତ ନମୁନା ପରୀକ୍ଷା, ପଜିଟିଭ ବାହାରିଥିବା ରୋଗୀମାନଙ୍କ ତ୍ୱରିତ ଚିକିତ୍ସା, ଜଟିଳ ରୋଗୀମାନଙ୍କ ଚିକିତ୍ସା ପାଇଁ ଉନ୍ନତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରେରଣ, ଶିଶୁମାନଙ୍କ ପୁଷ୍ଟିହୀନତା, ରକ୍ତହୀନତା ନିରୂପଣ, ଡିଡିଟି ସିଞ୍ଚନ ଏବଂ ଔଷଧ ପ୍ରଲେପିତ ଦୀର୍ଘସ୍ଥାୟୀ ମଶାରୀବଣ୍ଟନ।

ମୋର ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥାପିତ ହେବା ପରେ ଡାକ୍ତର ପ୍ରଧାନ ଏଠାକୁ ଆସି ଦମନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ। ମୋର ଅତୀତରେ ମ୍ୟାଲେରିଆ ନିରାକରଣ ପାଇଁ କାର୍ଯ୍ୟଶୈଳୀ ଉପରେ ଆଗରୁ ଅବଗତ ଥିଲେ। ସେତେବେଳକୁ ସୁନ୍ଦରଗଡ଼ ଜିଲ୍ଲାରେ ମ୍ୟାଲେରିଆର ପ୍ରକୋପ ମଧ୍ୟ ଅଣାୟତ ଥିଲା। କିନ୍ତୁ ଦମନ କାର୍ଯ୍ୟକ୍ରମର ସଫଳ ରୂପାୟନ ଫଳରେ ମ୍ୟାଲେରିଆ ସଂକ୍ରମଣ ଦ୍ରୁତଭାବେ ହ୍ରାସ ପାଇଛି। ଆଦିବାସୀ ଅଧ୍ୟୁସିତ ଗମନା ଗମନହୀନ ବସ୍ତିମାନଙ୍କୁ ପହଞ୍ଚି ଆମର ଆଶା କର୍ମୀମାନେ ତଥା ବିଭାଗୀୟ ସମସ୍ତ କର୍ମଚାରୀମାନେ ବହୁତ ଚେଷ୍ଟାକରି ମଶାରୀ ବଣ୍ଟନ କରିଥିଲେ। ମଶାରୀ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ଆଶା ଦିଦିମାନେ ଘର ଘର ବୁଲିଥିଲେ। ଦୁର୍ଗମ ଅଞ୍ଚଳର ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଓଡ଼ିଶାରେ ପ୍ରଥମ ପୁରଷ୍କାର ପାଇଥିଲା।

ସେଥିପାଇଁ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ତଥା ଅନ୍ୟାନ୍ୟ ସବୁ ବିଭାଗ, ଜନ ପ୍ରତିନିଧିମାନଙ୍କ ଅବଦାନ ଅତୁଳନୀୟ। ବିଶେଷକରି ଜିଲ୍ଲାପାଳ ତଥା ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜିଲ୍ଲାର ଭୌଗୋଳିକ ସ୍ଥିତି, ମାନବ ସମ୍ବଳର ଅଭାବ ତଥା ଆବଶ୍ୟକ ପଡ଼ୁଥିବା ମଶା ବିନାଶକାରୀ ଔଷଧ ଓ ଉପକରଣ ଅନେକ ମାତ୍ରାରେ ଜିଲ୍ଲା ଖଣିଜ ପାଣ୍ଠି ଏବଂ ଓମ୍ବାଡସି ପାଣ୍ଠିରୁ ଭରଣା କରାଯାଇ ପାରିଅଛି।

ପରିଶେଷରେ ମୋର ଅଭିବ୍ୟକ୍ତ ରହିବ ଯେ – ଆଜି ଯାହାକୁ ସିନେମା ମାଧ୍ୟମରେ ସମସ୍ତେ ଦେଖୁଛନ୍ତି ତାହା ଆମ ବୃତ୍ତିଗତ ଜୀବନଚର୍ଯ୍ୟାର ଏକ ଅଂଶବିଶେଷ ଥିଲା। ବର୍ତ୍ତମାନ ଯୁବପିଢ଼ିର ଡାକ୍ତର ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ସହରାଭିମୁଖୀ ହୋଇଛନ୍ତି। ଅଧିକାଂଶ କର୍ମଚାରୀ ଗ୍ରାମାଞ୍ଚଳରେ ପୋଷ୍ଟିଙ୍ଗ ହୋଇଥିଲେ ମଧ୍ୟ କାମସାରି ପ୍ରତେକ ଦିନ ନିକଟସ୍ଥ ସହରକୁ ଫେରନ୍ତି। ଏହାଦ୍ୱାରା ସ୍ୱାସ୍ଥ୍ୟ ସେବାରେ ନିଜର ପ୍ରତିବଦ୍ଧତା ଶୃଙ୍ଖଳିତ ଭାବରେ ସାଧନା କରିବା ସମ୍ଭବ ହେଉନାହିଁ। ଆମ ସମୟର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ବ୍ୟକ୍ତିମାନେ ଆଉ କିଛି ମାସ ପରେ ସରକାରୀ ଦାୟିତ୍ୱରୁ ଅବ୍ୟାହତ ନେବୁ। ଏଣୁ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଯୁବ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ବିନମ୍ର ଅନୁରୋଧ- ‘ଯେଉଁ କାମ ଆମେ କରିପାରିବାନି, ସେହି କାମ ଆଉ କାହାଦ୍ୱାରା ବି ହେବନାହିଁ’। ସହର ହେଉ କି ମଫସଲ ହେଉ, ସ୍ୱାସ୍ଥ୍ୟ ସେବା ପାଇବା ସମସ୍ତଙ୍କ ଜନ୍ମଗତ ଅଧିକାର। ଆମ ବୃତ୍ତିକୁ ଯଦି ମହାନ ବୋଲି କୁହାଯାଉଛି, ତାହେଲେ ଆମେ ସମସ୍ତେ ଜରାଗ୍ରସ୍ତ ଜନସାଧାରଣଙ୍କୁ ସମୁଚିତ ସେବା ପ୍ରଦାନ କରି ଆମର ବୃତ୍ତିଗତ ମହାନତା ପ୍ରଦର୍ଶନ କରିପାରିବା ସଙ୍ଗେ ସଙ୍ଗେ ସମାଜର ସମସ୍ତ ବର୍ଗର ଲୋକଙ୍କ ନିକଟରେ ଆସ୍ଥାଭାଜନ ହୋଇପାରିବା।

(ଲେଖକ ହେଉଛନ୍ତି ଜଣେ ବରିଷ୍ଠ ଡାକ୍ତର ଏବଂ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ)

Tag: #DAMan #HealthService #Malaria #LLIN #DrSarojKumarMishra

Comment