ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଜାରି ରହିଥିବା ଅସହ୍ୟ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଆହୁରି ଦୁଇ ଦିନ ରାଜ୍ୟରେ ସ୍ଵାଭାବିକ ତାପମାତ୍ରାଠାରୁ ଅଧିକ ୩ରୁ ୫ ଡିଗ୍ରୀ ଯାଏଁ ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଶୁକ୍ରବାର ଦିନ ରାଜଧାନୀ ଭୁବନେଶ୍ଵରରେ ସକାଳ ୮ଟା ୩୦ ସୁଦ୍ଧା ୩୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାର ତାପମାତ୍ରା ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ପାଲଟିଛି।

ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ୩୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ କେନ୍ଦୁଝରରେ ୩୯.୨ ଡିଗ୍ରୀ, ସମ୍ବଲପୁରରେ ୩୮.୪ ଡିଗ୍ରୀ, ହୀରାକୁଦରେ ୩୬.୮ ଡିଗ୍ରୀ, ଚାନ୍ଦବାଲିରେ ୩୮.୮ ଡିଗ୍ରୀ, ଭୁବନେଶ୍ଵରରେ ୩୭.୮ ଡିଗ୍ରୀ, ବାଲେଶ୍ଵରରେ ୩୭.୦ ଡିଗ୍ରୀ, ଗୋପାଳପୁରରେ ୩୩.୮ ଡିଗ୍ରୀ, ପୁରୀରେ ୩୩.୬ ଡିଗ୍ରୀ ଏବଂ ପାରାଦୀପରେ ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆଗକୁ ଆଉ ଦୁଇ ଦିନ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଅତ୍ୟନ୍ତ ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। କୌଣସି କାମରେ ଏହି ସମୟ ମଧ୍ୟରେ ଯାଉଥିଲେ ସୁତା ପୋଷାକ ପରିଧାନ କରିବା ସହ ସାଙ୍ଗରେ ପାଣି ବୋତଲ, ଛତା ଏବଂ ଟୋପି ଆଦି ନେବା ପାଇଁ ପରାମର୍ଶ ଦିଆଯାଇଛି।

Tags: #Weather #WeatherUpdates #SummerHeat #HighestHeatofSummer #HeatWave #Odisha

Comment