ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବଢ଼ିବା ଯୋଗୁଁ ଗରମରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଅସହ୍ୟ ତାତିରୁ ଯେମିତି ତ୍ରାହି ମିଳୁନି। ଶନିବାର ଦିନ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ଵର ଏବଂ ଝାରସୁଗୁଡ଼ା। ସମୟ ଗଡ଼ିବା ସହ ଆଜି ଦିନ ତମାମ ତାପମାତ୍ରାରେ ବୃଦ୍ଧି ହୋଇଛି।

ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ଵର ଏବଂ ଝାରସୁଗୁଡ଼ାର ତାପମାତ୍ରା ୪୧.୦ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁରରେ ୪୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଚାନ୍ଦବାଲିରେ ୪୦.୦ ଡିଗ୍ରୀ ରେକର୍ଡ କରାଯାଇଛି। ହୀରାକୁଦରେ ୩୯.୪ ଡିଗ୍ରୀ, କେନ୍ଦୁଝରରେ ୩୭.୨ ଡିଗ୍ରୀ, ବାଲେଶ୍ଵରରେ ୩୫.୮ ଡିଗ୍ରୀ, ଗୋପାଳପୁରରେ ୩୪.୮ ଡିଗ୍ରୀ ଏବଂ ପାରାଦୀପରେ ୩୨.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଏହା ପୂର୍ବରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିନ ୧୧ଟା ୩୦ ସୁଦ୍ଧା ତାପମାତ୍ରା ରେକର୍ଡ କରାଯାଇଥିଲା। ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ୩୯.୨ ଡିଗ୍ରୀ ରହିଥିଲା। ସେହିପରି ଭୁବନେଶ୍ଵର ଏବଂ କେନ୍ଦୁଝରରେ ୩୯.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ସମ୍ବଲପୁରରେ ୩୮.୨ ଡିଗ୍ରୀ, ଚାନ୍ଦବାଲିରେ ୩୭.୬ ଡିଗ୍ରୀ, ହୀରାକୁଦରେ ୩୬.୪ ଡିଗ୍ରୀ, ଗୋପାଳପୁରରେ ୩୫.୦ ଡିଗ୍ରୀ, ପୁରୀରେ ୩୩.୪ ଡିଗ୍ରୀ ଏବଂ ପାରାଦୀପରେ ୩୨.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅସହ୍ୟ ଗରମରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ସକାଳୁ ଘରୁ ବାହାରିବାକୁ ଲୋକ ଭୟ କରୁଛନ୍ତି। ଆସନ୍ତାକାଲିଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ସାମାନ୍ୟ କମିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।

Tags: #Weather #WeatherUpdates #SummerHeat #HighestHeatofSummer #HeatWave #Odisha

Comment