ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ କଟଅଫ୍ ମାର୍କ ତାଲିକା ଗୁରୁବାର ପ୍ରକାଶ ପାଇଛି। ଚଳିତବର୍ଷ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଗରେ ରହିଛି। ସେହିପରି ଯୁକ୍ତ ୨ ବିଜ୍ଞାନରେ ବାଲେଶ୍ଵରର ଫକିରମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵିତୀୟ ସ୍ଥାନରେ ରହିଥିବାବେଳେ ଭୁବନେଶ୍ଵରର ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଯୁକ୍ତ ୨ କଳା ଓ ବାଣିଜ୍ୟରେ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଜ୍ୟରେ ଦ୍ୱିତୀୟରେ ରହିଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତବର୍ଷ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନରେ କଟଅଫ ମାର୍କ ୯୧.୬ ପ୍ରତିଶତ ଥିବାବେଳେ, ବାଣିଜ୍ୟରେ ୭୯.୨୦ ପ୍ରତିଶତ ଓ କଳାରେ ୮୦ ପ୍ରତିଶତ ରହିଛି। ସେହିପରି ଫକିରମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ କଟ ଅଫ୍ ମାର୍କ ୯୦ ପ୍ରତିଶତ ଥିବାବେଳେ ଭୁବନେଶ୍ୱର ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ କଟଅଫ ମାର୍କ ୮୯ ପ୍ରତିଶତ ରହିଛି।

ସେହିପରି ଯୁକ୍ତ ୨ କଳାରେ ରେଭେନ୍ସା ପରେ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସର୍ବାଧିକ ୭୯ ପ୍ରତିଶତ କଟ ଅଫ୍ ମାର୍କ ରହିଛି। ୭୮.୬୭ ପ୍ରତିଶତ କଟଅଫ ସହ କଳାରେ ତୃତୀୟ ସ୍ଥାନରେ ଡିଏଭି ଟିଟିଲାଗଡ଼ ଏବଂ ଚତୁର୍ଥ ସ୍ଥାନରେ ୭୮ ପ୍ରତିଶତ ସହ ଫକିରମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି।

ଯୁକ୍ତ ୨ ବାଣିଜ୍ୟ କଟଅଫରେ ରେଭେନ୍ସା ପରେ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵିତୀୟରେ ରହିଛି। ଏଠାରେ ୭୭.୩୩ ପ୍ରତିଶତ କଟଅଫ୍ ମାର୍କ ରହିଛି। ସେହିପରି ବାଣିଜ୍ୟରେ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୭୩ ପ୍ରତିଶତ ସହ ତୃତୀୟ ସ୍ଥାନରେ ଓ କଟକ ଜେକେବିକେ ୭୨.୨୦ ପ୍ରତିଶତ ସହ ଚତୁର୍ଥ ସ୍ଥାନରେ ରହିଛି।

ଅନ୍ୟପଟେ ରାଜ୍ୟର ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଗଞ୍ଜାମର ନୀଳକଣ୍ଠ ନଗର ସରସ୍ଵତୀ ଜ୍ଞାନ ମନ୍ଦିରର ବିଜ୍ଞାନରେ କଟଅଫ୍ ୮୯ ପ୍ରତିଶତ ରହିଛି। ଏହାପରେ ବାଲେଶ୍ଵର ଜିଲ୍ଲା ସୋର ସ୍ଥିତ ୟୁଏନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ କଟଅଫ୍ ୮୬.୮୩ ପ୍ରତିଶତ ରହିଛି।

ଚଳିତବର୍ଷ ଯୁକ୍ତ ୨ ପ୍ରଥମ କଟଅଫରେ ମୋଟ ୪ ଲକ୍ଷ ୧୨ ହଜାର ୩୬୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି। ଏଥିରୁ କଳାରେ ୨ ଲକ୍ଷ ୫୩ ହଜାର ୧୭୮, ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୨୩ ଏବଂ ବାଣିଜ୍ୟରେ ୨୫ ହଜାର ୧୬୮ ଜଣ ସାମିଲ ଅଛନ୍ତି।

ଗୁରୁବାର ପ୍ରକାଶିତ ତାଲିକାରେ ଯେଉଁ ଛାତ୍ରଛାତ୍ରୀମାନଙ୍କ ନାଁ ରହିଛି, ସେମାନେ ଜୁଲାଇ ୭ରୁ ୧୩ ତାରିଖ ମଧ୍ୟରେ ମନୋନୀତ ହୋଇଥିବା ଶିକ୍ଷାନୁଷ୍ଠାନରେ ନାମ ଲେଖାଇପାରିବେ। ଛାତ୍ରଛାତ୍ରୀମାନେ ସାମ୍ସ ୱେସାଇଟରେ ନିଜେ କେଉଁଠାରେ ସିଟ୍‌ ପାଇଛନ୍ତି ଓ ସେଠାରେ କେତେ କଟଅଫ୍ ଅଛି ଜାଣିପାରିବେ।

ଚଳିତ ବର୍ଷ ମାଟ୍ରିକ୍ ପାସହାର ଅଧିକ ହୋଇଥିବାରୁ ଯୁକ୍ତ ୨ କଟ୍‌ଅଫ୍ ମାର୍କ ପୂର୍ବବର୍ଷ ତୁଳନାରେ ୩ ପ୍ରତିଶତ ବଢ଼ିଛି। ଏବେ ଜୁଲାଇ ୨୯ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ସରିବାପରେ ଅଗଷ୍ଟ ୧ ତାରିଖରୁ ପାଠପଢ଼ା ଆରମ୍ଭ ହେବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Tags: #PlusTwoAdmissions #PlusTwoMeritList #Education #CHSE #Odisha

Comment