ଓଡ଼ିଶାଲାଇଭ୍ ବ୍ୟୁରୋ

ଆସିବାକୁ ଯାଉଛି ଆଉ ଏକ ଲଘୁଚାପ। ଆସନ୍ତା ୨୪ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଲଘୁଚାପ ପ୍ରଭାବରେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଏବଂ ବଲାଙ୍ଗୀର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହା ସହ ମାଲକାନଗିରି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର ଏବଂ ବାଲେଶ୍ଵର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି।

ସେହପରି ଆସନ୍ତା ୨୩ ତାରିଖ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, ଦେବଗଡ଼ ଏବଂ ବୌଦ୍ଧ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତା ୨୪ ତାରିଖ ମାଲକାନଗିରି, କୋରାପୁଟ ଏବଂ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତା ୨୫ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଏବଂ ନୂଆପଡ଼ା ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଆସନ୍ତା ୨୬ ତାରିଖ ଗଞ୍ଜାମ, ଗଜପତି, ପୁରୀ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଜଗତସିଂହପୁର ଏବଂ ଖୋର୍ଦ୍ଧା ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ପ୍ରବଳ ବର୍ଷା ଯୋଗୁଁ ସାମୟିକ ଭାବେ ତଳୁଆ ଅଞ୍ଚଳରେ ପାଣି ଜମିବାର ସମ୍ଭାବନା ରହିଛି। ମୁଶଳ ଧାରାରେ ବର୍ଷା ହେବାର ସମ୍ଭାବନା ରହିଥିବାରୁ ମାଟିକାନ୍ଥ ପଡ଼ିବାର ଆଶଙ୍କା ରହିଛି। ପ୍ରବଳରୁ ଅତିପ୍ରବଳ ବର୍ଷା ପ୍ରଭାବରେ ଉଭୟ କଚ୍ଚା ଘର ଏବଂ କଚ୍ଚା ରାସ୍ତା ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେଣୁ ଅସୁରକ୍ଷିତ କଚ୍ଚା ଘରେ ନରହି ସୁରକ୍ଷିତ ସ୍ଥାନକୁ ଯିବା ଲାଗି ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ବର୍ଷା ସମୟରେ କୌଣସି ସ୍ଥାନକୁ ଯାତ୍ରା କରିବା ପୂର୍ବରୁ ଟ୍ରାଫିକ ସୂଚନା ଉପରେ ନଜର ରଖିବାର ଆବଶ୍ୟକତା ରହିଛି। ଚାଷ ଜମିଗୁଡ଼ିକରୁ ଜଳ ନିଷ୍କାସନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ରୁଆ ପୋତା ଲାଗି ପ୍ରସ୍ତୁତ ରହିବାକୁ ଚାଷୀମାନଙ୍କ ନିମନ୍ତେ ସୂଚନା ଜାରି କରାଯାଇଛି।

Tags: #WeatherUpdate #Rainfall #HeavyRainfallWarning #Odisha

Comment