ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦ୍ର ଅଭିମୁଖେ ଯାତ୍ରା କରୁଛି ଚନ୍ଦ୍ରଯାନ-୩। ଏହି ଚନ୍ଦ୍ର ଦୂରତାର ଦୁଇ ତୃତୀୟାଂଶ ପଥ ଅତିକ୍ରମ କରିସାରିଲାଣି। ଶନିବାର ସନ୍ଧ୍ୟା ୭ଟା ବେଳେ ଏହା ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ। ଏନେଇ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି।

ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଚନ୍ଦ୍ରଯାନ-୩ ଏବେ ଚନ୍ଦ୍ରରୁ ଆଉ ପ୍ରାୟ ୪୦ ହଜାର କିଲୋମିଟର ଦୂରରେ ରହିଛି। ଏହି ଦୂରତାରୁ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଚନ୍ଦ୍ରଯାନକୁ ନିଜ ଆଡ଼କୁ ଟାଣିବ। ତେବେ ଏହା ଚନ୍ଦ୍ର ପୃଷ୍ଠକୁ ସିଧା ନଯାଇ ପ୍ରଥମେ ଏହାର କକ୍ଷ ପଥରେ ଘୁରିବ।  ଚନ୍ଦ୍ରଯାନ-୩ ମିଶନ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ରହିବ।

ଚନ୍ଦ୍ରଯାନ-୩ ଚନ୍ଦ୍ରର କକ୍ଷପଥରେ ରହି ପୃଥିବୀରୁ ଆସୁଥିବା ରେଡିଏସନକୁ ଅଧ୍ୟୟନ କରିବ। ସେହିଭଳି ଚନ୍ଦ୍ରର ତାପମାତ୍ରା, ଚନ୍ଦ୍ରର ଉପର ଏବଂ ଭିତର ଅଂଶ କିଭଳି ଗଠିତ ହୋଇଛି ତାହା ମଧ୍ୟ ଅନୁଧ୍ୟାନ କରିବ। ବେଙ୍ଗାଳୁରୁ ସ୍ଥିତ ଇସ୍ରୋ ସାଟେଲାଇଟ ଟ୍ରାକିଂ କେନ୍ଦ୍ରରେ ବୈଜ୍ଞାନିକମାନେ ଚନ୍ଦ୍ରଯାନ-୩ର ଗତି ଓ ଚନ୍ଦ୍ରର ପରିସ୍ଥିତି ଉପରେ ନଜର ରଖିବେ।

ଶନିବାର ଚନ୍ଦ୍ରଯାନ-୩ ଚନ୍ଦ୍ରର ପ୍ରଥମ କକ୍ଷରେ ପ୍ରବେଶ କରିବ। ଏହାପରେ ଅଗଷ୍ଟ ୬ ତାରିଖ ରାତି ପ୍ରାୟ ୧୧ଟାରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦ୍ଵିତୀୟ କକ୍ଷପଥରେ ଛଡ଼ାଯିବ। ଏହାପରେ ଅଗଷ୍ଟ ୯ରେ ତୃତୀୟ, ଅଗଷ୍ଟ ୧୪ରେ ଚତୁର୍ଥ ଏବଂ ଅଗଷ୍ଟ ୧୬ରେ ପଞ୍ଚମ ଚନ୍ଦ୍ରର ପଞ୍ଚମ କକ୍ଷକୁ ଯିବ ଚନ୍ଦ୍ରଯାନ-୩। ଏଥିପାଇଁ ଇସ୍ରୋ ପକ୍ଷରୁ ଲୁନାର ଅର୍ବିଟ ଇଞ୍ଜେକସନ ପ୍ରକ୍ରିୟାକୁ ପରିଚାଳନା କରାଯିବ।

ଚନ୍ଦ୍ରର ୫ଟି କକ୍ଷରେ ଘୂରିବାପରେ ଅଗଷ୍ଟ ୧୭ ତାରିଖରେ ଚନ୍ଦ୍ରଯାନ-୩ ଏହାର ପ୍ରପଲସନ ମଡ୍ୟୁଲଠାରୁ ଅଲଗା ହେବ। ଏହାପରେ ଅଗଷ୍ଟ ୨୩  ତାରିଖରେ ଏହା ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଅବତରଣ କରିବ।

ଚନ୍ଦ୍ରଯାନ-୩କୁ ଜୁଲାଇ ୧୪ ତାରିଖରେ ଆାନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତିଶ ଧୱନ୍ ସ୍ପେସ  ସେଣ୍ଟରରୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ଏହା ପ୍ରଥମେ ପୃଥିବୀ ଚାରିପଟେ ୫ଟି ଅଣ୍ଡାକାର କକ୍ଷ (ଇଲିପ୍ଟିକାଲ ଅର୍ବିଟ)ରେ ଘୂରିଥିଲା। ଯାହାର ପୃଥିବୀଠାରୁ ସର୍ବନିମ୍ନ ଦୂରତା ୨୩୬ କିଲୋମିଟର ଏବଂ ସର୍ବାଧିକ ଦୂରତା ୧ ଲକ୍ଷ ୨୭ ହଜାର ୬୦୩ କିଲୋମିଟର ଥିଲା। ଅଗଷ୍ଟ ୧ ତାରିଖରେ ଏହା ପୃଥିବୀର କକ୍ଷ ଛାଡ଼ି ଚନ୍ଦ୍ର ଆଡ଼କୁ ଯାତ୍ରା କରିଥିଲା।

Tags: #Chandrayaan-3 #MoonMission #MoonLanding #SpaceExploration #ISRO

Comment