ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଓଡ଼ିଶା ଖଣିଜପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ୨୬ତମ  ‘ବୋର୍ଡ ଅଫ୍ ଡିରେକ୍ଟର୍ସ’ ବୈଠକ ସୋମବାର ଦିନ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଆଉ ୫ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ ମିଳିଛି।

ଏହା ଭିତରେ ରହିଛି ଶିକ୍ଷା, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ଗ୍ରାମ୍ୟ ଉନ୍ନୟନ ଏବଂ ନିର୍ମାଣ ଆଦି ପ୍ରକଳ୍ପ। ଏଥିପାଇଁ ୩୪୩.୪୩ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ପୂର୍ବରୁ ଓମ୍ବାଡସି ପାଇଁ ୧୭,୯୧୬.୧୬ କୋଟି ଟଙ୍କାର ୫୪ଟି ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା। ଏଥିରେ ଏବେ ଆଉ ୫ଟି ପ୍ରକଳ୍ପ ଯୋଡ଼ି ହୋଇଛି। ମୋଟ ୫୯ଟି ପ୍ରକଳ୍ପ ପାଇଁ ୧୮,୨୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଅନୁମୋଦିତ ପ୍ରକଳ୍ପଗୁଡ଼ିକୁ ରାଜ୍ୟର ୮ଟି ଖଣି ପ୍ରଭାବିତ ଜିଲ୍ଲାରେ କାର୍ଯ୍ୟକ୍ଷମ କରାଯିବ।

୧୮ଟି ବିଭିନ୍ନ ବିଭାଗ ଦ୍ଵାରା ଏହି ପ୍ରକଳ୍ପଗୁଡ଼ିକ ପ୍ରସ୍ତାବିତ ହୋଇଛି ଏବଂ ଅଧିକାଂଶ ଅନୁମୋଦିତ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ବିଭାଗଗୁଡ଼ିକୁ ଦିଆଯାଇଥିବା ମୋଟ ୯,୭୩୭.୫୮ କୋଟି ଟଙ୍କାରୁ ବର୍ତ୍ତମାନ ସୁଦ୍ଧା ୭,୨୨୩.୦୧ କୋଟି ଟଙ୍କା ବ୍ୟବହାର କରାଯାଇଛି। ପାନୀୟ ଜଳ, ଶିକ୍ଷା, ଗ୍ରାମୀଣ ରାସ୍ତା ନିର୍ମାଣ ଏବଂ ଜଳ ସଂରକ୍ଷଣ ଭଳି କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ କରାଯାଇଛି।

ବୋର୍ଡ ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଓମ୍ବାଡସି ବୋର୍ଡରେ ନୂତନ ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଓମ୍ବାଡସିରର ସିଇଓ ଜି. ରାଜେଶ କର୍ପୋରେସନର ସଦ୍ୟତମ ଆର୍ଥିକ ସ୍ଥିତି ଉପସ୍ଥାପନ କରିଥିଲେ, ଯେଉଁଥିରେ ମୋଟ ସଂଗୃହୀତ ଜୋରିମାନା ରାଶି, ବିଭିନ୍ନ ଲାଇନ ବିଭାଗକୁ ଅର୍ଥ ବଣ୍ଟନ ଏବଂ ବ୍ୟବହୃତ ପାଣ୍ଠିର ବିସ୍ତୃତ ବିବରଣୀ ଦିଆଯାଇଥିଲା।

ପାନୀୟ ଜଳ କ୍ଷେତ୍ର ଅଧୀନରେ ଓମ୍ବାଡସି ୪ଟି ଖଣି ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ଯାଜପୁର ଏବଂ ଅନୁଗୁଳ ଜିଲ୍ଲାର ପାଲଲହଡ଼ା ବ୍ଲକ ପାଇଁ ୩୦ଟି ମେଗା ପାଇପ ଜଳଯୋଗାଣ ପ୍ରକଳ୍ପକୁ ଅନୁମୋଦନ ମିଳିଥିବାବେଳେ ସେଥିମଧ୍ୟରୁ ୩ଟି ପ୍ରକଳ୍ପ ଆଂଶିକ କାର୍ଯ୍ୟକ୍ଷମ ହୋଇ ୨୨୭ଟି ଗାଁକୁ ଜଳଯୋଗାଣ ଆରମ୍ଭ ହୋଇଛି। ପାନୀୟ ଜଳ କ୍ଷେତ୍ରରେ ମୋଟ ନିବେଶ ୮,୯୦୯ କୋଟି ଟଙ୍କା ରହିଛି।

ସେହିପରି ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ୩ଟି ପର୍ଯ୍ୟାୟରେ ୧ ହଜାର ୩୫୧ଟି ମାଧ୍ୟମିକ ସ୍କୁଲର ରୂପାନ୍ତରଣ ଓମ୍ବାଡସି ଅଧୀନରେ କରାଯାଉଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୫ ପ୍ରତିଶତ ବିଦ୍ୟାଳୟରେ କାମ ଶେଷ ହୋଇଛି। ସୋମବାର ଦିନ ଅନୁଷ୍ଠିତ ହୋଇଥିବା ବୈଠକରେ ଓମ୍ବାଡସି ବୋର୍ଡ ଦ୍ଵାରା ୨୫୦ଟି ବିଦ୍ୟାଳୟର ରୂପାନ୍ତରଣ ପାଇଁ ଚତୁର୍ଥ ପର୍ଯ୍ୟାୟ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି।

ଆଇଟିଆଇ କୋଇଡ଼ାରେ ଏଆର/ଭିଆର ସିମୁଲେସନ ସହ ଜଡିତ ୨ଟି ପ୍ରକଳ୍ପ ଏବଂ ୮ଟି ଖଣି ଜିଲ୍ଲାର ଅନ୍ୟ ୧୪ଟି ଆଇଟିଆଇ ଓ ୭ଟି ସରକାରୀ ପଲିଟେକ୍ନିକ ଭିତ୍ତିଭୂମି ବିକାଶ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଛି। ଶିକ୍ଷା କ୍ଷେତ୍ରରେ ନିବେଶ ପାଇଁ ମୋଟ ୩,୫୩୯.୩୦ କୋଟି ଟଙ୍କା ରହିଥିବା ବୈଠକରେ ସୂଚନା ଦିଆଯାଇଛି।

ସେହିପରି ଶିକ୍ଷା ଅଧୀନରେ ମୋଟ ୨ ହଜାର ୯୪୨.୯୧ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ଜଳ ସଂରକ୍ଷଣ କ୍ଷେତ୍ରରେ ୭୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗ କରାଯାଇଛି। ଗ୍ରାମୀଣ ଯୋଗାଯୋଗ କ୍ଷେତ୍ରରେ ପ୍ରାୟ ୭୦୦ କୋଟି ଟଙ୍କାର ସମାନ ନିବେଶ ହୋଇଛି। ସେଥିରୁ ଉଦ୍ୟାନ କୃଷି ଓ ହସ୍ତତନ୍ତ ଇତ୍ୟାଦି ଜୀବିକା ପ୍ରକଳ୍ପକୁ ୫୦୦ କୋଟିରୁ ଅଧିକ ଟଙ୍କାର ବ୍ୟୟ ବରାଦକୁ ବୋର୍ଡ ମଞ୍ଜୁରୀ ଦେଇଛି।

ଏହି ବୈଠକରେ ଓମ୍ବାଡସି ପକ୍ଷରୁ ପ୍ରସ୍ତୁତ ମାର୍ଚ୍ଚ ଓ ଏପ୍ରିଲ ମାସ ଲାଗି ସୂଚନା ପୁସ୍ତିକା ଲୋକାର୍ପଣ କରାଯାଇଥିଲା। ସେହିପରି ବିଭିନ୍ନ ଗୃହ ପ୍ରକଳ୍ପକୁ ନେଇ ପ୍ରସ୍ତୁତ ଆଉ ଏକ ପୁସ୍ତିକା ଲୋକାର୍ପଣ କରାଯାଇଥିଲା।

ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜ୍ୟ ରାଜସ୍ଵ, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ଓମ୍ବାଡସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜି ରାଜେଶ ପ୍ରମୁଖ ଯୋଗ ଦେଇଥିଲେ।

Tags: #OMBADC #ProjectApproved #BoardofDirectorsMeeting #OdishaGovt

Comment