ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ କିଛି ସମୟର ଅପେକ୍ଷା, ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩। ଏହା ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ। ଭାରତର ସବୁ ଲୋକ ସେହି ଐତିହାସିକ ମୂହୁର୍ତ୍ତକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ସଫ୍ଟଲ୍ୟାଣ୍ଡିଂ କିଭଳି ରହିବ ତାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ତେବେ କ’ଣ ରହିଛି ଏହି ସଫ୍ଟଲ୍ୟାଣ୍ଡିଂ ପ୍ରକ୍ରିୟା ଆସନ୍ତୁ ଜାଣିବା।

ସଫ୍ଟଲ୍ୟାଣ୍ଡିଂ କ’ଣ?

ଯେକୌଣସି ମହାକାଶ ମିଶନରେ ମହାକାଶ ଯାନର ସଫ୍ଟଲ୍ୟାଣ୍ଡିଂ ହେଉଛି ଏକ ଗୁରୁତ୍ଵପୂର୍ଣ୍ଣ ଏବଂ ଜଟିଳ ପ୍ରକ୍ରିୟା। ଅନ୍ୟ କୌଣସି ଗ୍ରହ କିମ୍ବା ଉପଗ୍ରହକୁ ପଠାଯାଇଥିବା ଯାନ ଯଦି ସଫ୍ଟଲ୍ୟାଣ୍ଡିଂ ନକରେ, ତେବେ ଏହା ସେଠାକାର ଭୂପୃଷ୍ଠରେ ଜୋରରେ ମାଡ଼ ହୋଇ ପଡ଼ିଯାଏ। ଏହାଦ୍ଵାରା ଯାନଟି ଦୁର୍ଘଟଣା ଗ୍ରସ୍ତ ହେବାଫଳରେ ଏଥିରେ ଲାଗିଥିବା ସବୁ ଉପକରଣ ନଷ୍ଟ ହୋଇ ମିଶନ ଫେଲ ମାରିଥାଏ।

କୌଣସି ବାହ୍ୟ ଗ୍ରହ ବା ଉପଗ୍ରହରେ ଅବତରଣ କରିବା ପୂର୍ବରୁ ମହାକାଶ ଯାନଟି ଖୁବ ଦ୍ରୁତ ବେଗରେ ଗତି କରୁଥାଏ। ସଫ୍ଟଲ୍ୟାଣ୍ଡିଂ ପ୍ରକ୍ରିୟାରେ ଏହାର ବେଗକୁ ଅନେକ ମାତ୍ରାରେ ହ୍ରାସ କରାଯାଇ ସେଠାକାର ଭୂପୃଷ୍ଠରେ ଅବତରଣ କରାଯାଇଥାଏ। ଏହି ସଫ୍ଟଲ୍ୟାଣ୍ଡିଂକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଇଥାଏ।

ଚନ୍ଦ୍ରଯାନ-୩ର ସଫ୍ଟଲ୍ୟାଣ୍ଡିଂ 

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରର ଲମ୍ବ ୨ ମିଟର, ଓସାର ୨ ମିଟର ଏବଂ ଉଚ୍ଚତା ୧.୧୬୬ ମିଟର ରହିଛି। ଲ୍ୟାଣ୍ଡର ଭିତରେ ଏକ ରୋଭର ରହିଛି। ଲ୍ୟାଣ୍ଡର୍‌ ଓ ରୋଭରକୁ ମିଶାଇ ଏହାର ଓଜନ ୧ ହଜାର ୭୫୨ କିଲୋଗ୍ରାମ ରହିଛି। ତେବେ ଏହାର ସଫ୍ଟଲ୍ୟାଣ୍ଡିଂ ପାଇଁ ଏଥିରେ କିଛି ଖାସ ଉପକରଣ ଖଞ୍ଜା ଯାଇଛି।

ଚନ୍ଦ୍ରଯାନ-୩ର ସୁରକ୍ଷିତ ଅବତରଣ ପାଇଁ ଲ୍ୟାଣ୍ଡର ତଳେ ରହିଛି ୪ଟି ମଜବୁତ ଗୋଡ଼। ଏହାସହ ଲ୍ୟାଣ୍ଡିଂ ବେଳେ ବେଗ ହ୍ରାସ ପାଇଁ ଏଥିରେ ୪ଟି ଥ୍ରଷ୍ଟର୍ ଇଞ୍ଜିନ ଖଞ୍ଜାଯାଇଛି। ଅବତରଣବେଳେ ଏହି ଇଞ୍ଜିନଗୁଡ଼ିକୁ ଚାଲୁ କରାଯିବ। ଏହାଛଡ଼ା ଏଥିରେ ଲ୍ୟାଣ୍ଡିଂ ପ୍ରକ୍ରିୟା ପାଇଁ ବିଭିନ୍ନ କ୍ୟାମେରା ଓ ସେନ୍ସର ଲଗାଯାଇଛି।

ସଫ୍ଟଲ୍ୟାଣ୍ଡିଂର ବିଭିନ୍ନ ପର୍ଯ୍ୟାୟ 

ଇସ୍ରୋର ସୂଚନା ଅନୁସାରେ ବୁଧବାର ଅପରାହ୍ଣ ୫ଟା ୪୫ ସମୟରେ ଚନ୍ଦ୍ରଯାନ-୩ର ଅବତରଣ ପ୍ରକ୍ରିୟା ଆରମ୍ଭ ହେବ। ସଫ୍ଟଲ୍ୟାଣ୍ଡିଂ ବେଳେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ୪ଟି ପର୍ଯ୍ୟାୟ ଦେଇ ଗତି କରିବ। ଏଗୁଡ଼ିକ ହେଲା ରଫ୍ ବ୍ରେକିଂ ଫେଜ, ଅଲଟିଚ୍ୟୁଡ୍ ହୋଲ୍ଡ ଫେଜ୍, ଫାଇନ୍ ବ୍ରେକିଂ ଫେଜ୍ ଏବଂ ଟର୍ମିନାଲ୍ ଡିସେଣ୍ଟ ଫେଜ।

ଚନ୍ଦ୍ରଯାନ-୩ ଏବେ ଚନ୍ଦ୍ରପୃଷ୍ଠରୁ ୩୦ କିଲୋମିଟର ଉଚ୍ଚ କକ୍ଷରେ ଖୁବ ଦ୍ରୁତ ବେଗରେ ଗତି କରୁଛି। ଏହାର ବେଗ ସେକେଣ୍ଡ ପ୍ରତି ୧.୬୮ କିଲୋମିଟର ରହିଛି। ଅବତରଣ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଲ୍ୟାଣ୍ଡରର ବେଗ କମ କରିବା ପାଇଁ ୪ଟି ଯାକ ଥ୍ରଷ୍ଟର ଇଞ୍ଜିନ ଚାଲୁ କରାଯିବ।

ଥ୍ରଷ୍ଟର ଇଞ୍ଜିନ ଚାଲୁ ହେବାପରେ ରଫ୍ ବ୍ରେକିଂ ପର୍ଯ୍ୟାୟ ଆରମ୍ଭ ହେବ। ଏଥିରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରୁ ୩୦ କିଲୋମିଟର ଉଚ୍ଚତାରୁ ସିଧା ୭.୫ କିଲୋମିଟର ଉଚ୍ଚତା ଯାଏଁ ଖସି ଆସିବ। ଲ୍ୟାଣ୍ଡରଟି ୬.୮ କିଲୋମିଟର ଉଚ୍ଚତାରେ ପହଞ୍ଚିବାପରେ ଏହାର ୪ଟି ଥ୍ରଷ୍ଟର ଇଞ୍ଜିନରୁ ୨ଟିକୁ ବନ୍ଦ କରିଦିଆଯିବ। ସେତେବେଳେ ଲ୍ୟାଣ୍ଡରର ବେଗ ୪ ଗୁଣ ହ୍ରାସ ପାଇ ସେକେଣ୍ଡ ପ୍ରତି ମାତ୍ର ୩୫୦ ମିଟର ରହିବ।

ଏହାପରେ ଚନ୍ଦ୍ରପୃଷ୍ଠରୁ ୮୦୦ ମିଟର ଉଚ୍ଚତାରେ ଲ୍ୟାଣ୍ଡରର ବେଗ ଶୂନ ହୋଇଯିବ ଏବଂ ଏହା ସିଧା ତଳକୁ ଖସିବା ଆରମ୍ଭ କରିବ। ଏହାପରେ ୧୫୦ ମିଟର ଉଚ୍ଚତାରେ ପହଞ୍ଚିବାପରେ ଅଲଟିଚ୍ୟୁଡ୍ ହୋଲ୍ଡ ଫେଜ୍ ଶେଷ ହୋଇ ଫାଇନ୍ ବ୍ରେକିଂ ଫେଜ୍ ଆରମ୍ଭ ହେବ।

ଫାଇନ୍ ବ୍ରେକିଂ ଫେଜର ଶେଷରେ ଲ୍ୟାଣ୍ଡର ଯେତେବେଳେ ଚନ୍ଦ୍ରପୃଷ୍ଠରୁ ମାତ୍ର ୧୦ ମିଟର ଉଚ୍ଚତାରେ ଥିବ ସେତେବେଳେ ଏହା ନିଜ କ୍ୟାମେରା ଓ ସେନ୍ସର ମାଧ୍ୟମରେ ଚନ୍ଦ୍ରପୃଷ୍ଠକୁ ପରଖିବ। ଯଦି ସବୁକିଛି ଠିକ ରହେ ତେବେ ଏହା ସେହି ସ୍ଥାନରେ ସଫ୍ଟଲ୍ୟାଣ୍ଡିଂ କରିବ, ନଚେତ୍‌ ଆଉ ଏକ ସ୍ଥାନକୁ ବାଛିବ। ଏହାକୁ ଟର୍ମିନାଲ୍ ଡିସେଣ୍ଟ ଫେଜ କୁହାଯାଉଛି।

ଯଦି ପୂର୍ବ ଯୋଜନା ଅନୁସାରେ ସବୁ ଠିକରେ ଚାଲେ ତେବେ ସମ୍ପୂର୍ଣ୍ଣ ସଫ୍ଟଲ୍ୟାଣ୍ଡିଂ ପ୍ରକ୍ରିୟା ୧୭ ମିନିଟ ୩୦ ସେକେଣ୍ଡ ଭିତରେ ସରିବ। ସଫ୍ଟଲ୍ୟାଣ୍ଡିଂ ହେବାପରେ ଲ୍ୟାଣ୍ଡର ଭିତରୁ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ଚାଲିବ।

ଉଭୟ ଲ୍ୟାଣ୍ଡର ଓ ରୋଭରର କାର୍ଯ୍ୟକାଳ ୧୪ ଦିନ ରହିବ। ଏହି ସମୟରେ ଏଥିରେ ଲାଗିଥିବା ସେନ୍ସର ଓ ଅନ୍ୟାନ୍ୟ ଉପକରଣ ମାଧ୍ୟମରେ ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବ। ଏହି ମିଶନ ସଫଳ ରହିଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରିବାରେ ଭାରତ ବିଶ୍ଵର ପ୍ରଥମ ଦେଶ ହେବ।

Tags: #Chandrayaan-3 #MoonMission #SoftLanding #SpaceExploration #ISRO

 

Comment