ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସରେ ସାମିଲ ହେଲେ ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀ। 

କଂଗ୍ରେସରେ ସାମିଲ ହୋଇଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ। ସୋମବାର ଭୁବନେଶ୍ଵର ସ୍ଥିତ କଂଗ୍ରେସ ଭବନରେ ହୋଇଥିବା ମିଶ୍ରଣ ପର୍ବରେ ସେ ଦଳରେ ଯୋଗ ଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରବୋଧଙ୍କୁ ଦଳୀୟ କର୍ମୀଙ୍କ ଗହଣରେ କଂଗ୍ରେସରେ ସ୍ଵାଗତ କରିଛନ୍ତି। ସେହିପରି ଭୁବନେଶ୍ଵର ଏକାମ୍ର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ପ୍ରସନ୍ନ କୁମାର ଚମ୍ପତି ମଧ୍ୟ ପ୍ରବୋଧଙ୍କ ସହ କଂଗ୍ରେସରେ ସାମିଲ ହୋଇଛନ୍ତି।

“କଂଗ୍ରେସର ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଏହି ଦଳରେ ସାମିଲ ହୋଇଛି। ଆଗକୁ ଲୋକଙ୍କ ସେବା ଓ ବିକାଶକୁ କରିବି ପ୍ରାଥମିକତା ଦେବି। ସୁନ୍ଦରଗଡ଼ ଜିଲ୍ଲାର ଲୋକମାନଙ୍କ ହକ ପାଇଁ ଲଢ଼ିବି। ସେମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ମୋର ଲକ୍ଷ୍ୟ ରହିବ”, କହିଛନ୍ତି ପ୍ରବୋଧ ତିର୍କୀ।

ପ୍ରବୋଧ ତିର୍କୀ କଂଗ୍ରେସରେ ଯୋଗଦେବେ ବୋଲି କିଛି ଦିନ ହେବ ଚର୍ଚ୍ଚା ହେଉଥିଲା। ସେ ଦଳରେ ମିଶିବା ପୂର୍ବରୁ କିଛି ବରିଷ୍ଠ କଂଗ୍ରେସ ନେତାଙ୍କ ସହ ସାକ୍ଷାତ କରିଥିଲେ।

ସୋମବାର କଂଗ୍ରେସ ଭବନରେ ମିଶ୍ରଣ ପର୍ବ ଅବସରରେ କଂଗ୍ରେସ ପ୍ରଭାରୀ ଡକ୍ଟର ଏ. ଚେଲ୍ଲା କୁମାର, ଦଳୀୟ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଅନେକ କଂଗ୍ରେସ କର୍ମୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ପ୍ରବୋଧଙ୍କ ହକି କ୍ୟାରିୟର 

ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଲୁଲକିଡ଼ିହି ଗାଁରେ ୧୯୮୪ ଅକ୍ଟୋବର ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ପ୍ରବୋଧ ତିର୍କୀ। ଅଭାବରେ ତାଙ୍କର ପିଲାଦିନ ବିତିଥିଲେ ମଧ୍ୟ ହକି ପ୍ରତି ବିଶେଷ ଭାବେ ଆକର୍ଷିତ ହୋଇଥିଲେ ପ୍ରବୋଧ।

ନିଜ ପ୍ରତିଭା ବଳରେ ସେ ତାଙ୍କ ବଡ଼ ଭାଇ ଇଗ୍ନେଶ ତିର୍କୀଙ୍କ ସହ ଭାରତୀୟ ହକି ଦଳରେ ସାମିଲ ହେବାରେ ସକ୍ଷମ ହୋଇଥିଲେ। ନିଜର ଉତ୍ତମ କ୍ରୀଡ଼ା ପ୍ରଦର୍ଶନ ମାଧ୍ୟମରେ ସେ ଜାତୀୟ ଦଳର ଅଧିନାୟକ ହୋଇପାରିଥିଲେ। ୨୦୦୭ ମସିହାରେ ତାଙ୍କ ନେତୃତ୍ଵରେ ଭାରତୀୟ ଦଳ ଏସିଆ କପ୍ ହକି ଜିତିଥିଲା।

୧୬୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ପ୍ରବୋଧ ଏକଲବ୍ୟ ପୁରସ୍କାର, ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର ଭଳି ସମ୍ମାନ ପାଇଛନ୍ତି। ସେ ହକିରୁ ଅବସର ନେବା ପରେ ଏୟାର ଇଣ୍ଡିଆରେ ଚାକିରି କରୁଥିଲେ। ଆହୁରି ୧୮ ବର୍ଷ ଚାକିରି ଥିବା ସତ୍ତ୍ଵେ ସେ ଗତ ଜୁଲାଇ ୩୧ରେ ଅବସର ନେଇ ଓଡ଼ିଶା ଫେରି ଆସିଥିଲେ। ଏହାପରେ ସେ ରାଜନୀତିରେ ଯିବାକୁ ମନସ୍ଥ କରିଥିଲେ।

Tags: #PrabodhTirkey #FormerHockeyPlayer #Congress #Politics #Odisha

 

Comment