ଓଡ଼ିଶାଲାଇଭ୍ ବ୍ୟୁରୋ

ମଣିଷ ଶରୀରର ସମସ୍ତ କାର୍ଯ୍ୟକଳାପ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ମସ୍ତିଷ୍କ ତା’ର କାର୍ଯ୍ୟ କରିବା ପାଇଁ ନିଜ କୋଷିକାଗୁଡ଼ିକ ଉପରେ ନିର୍ଭର କରିଥାଏ। ଏହି କୋଷିକାଗୁଡ଼ିକ କାମ କରିବା ପାଇଁ ଅମ୍ଲଜାନ ଏବଂ ଗ୍ଲୁକୋଜ ଉପରେ ନିର୍ଭରଶୀଳ।

ଯଦି କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୁଏ ନାହିଁ ଏବଂ ମସ୍ତିଷ୍କର କୋଷିକାଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରେନାହିଁ, ତା’ହେଲେ କୋଷିକାଗୁଡ଼ିକ ସେଗୁଡ଼ିକର ନିର୍ଦିଷ୍ଟ କାର୍ଯ୍ୟ କରିନପାରି ଅକର୍ମଣ୍ୟ ହୋଇଯାଆନ୍ତି, ଯାହାକୁ ବ୍ରେନ ଷ୍ଟ୍ରୋକ ବା ମସ୍ତିଷ୍କ ପକ୍ଷାଘାତ ବୋଲି କୁହାଯାଏ।

ଷ୍ଟ୍ରୋକ୍ ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ହେମରଜିକ୍ ଷ୍ଟ୍ରୋକ୍ ଏବଂ ଅନ୍ୟଟି ଇସଚିମିକ ଷ୍ଟ୍ରୋକ୍। ଯଦି ମସ୍କିଷ୍କ ଭିତରେ କୌଣସି କାରଣରୁ ରକ୍ତ ଶିରା ଫାଟିଯାଏ ତାହାକୁ ହେମରଜିକ ଷ୍ଟ୍ରୋକ୍ କୁହାଯାଏ ଏବଂ ଯଦି କୌଣସି କାରଣରୁ ରକ୍ତ ପ୍ରବାହ ଠିକ୍ ଭାବେ ହୋଇନଥାଏ ଏବଂ ସେହି ସ୍ଥାନରେ କୋଷିକାଗୁଡ଼ିକ ମରିଯାଆନ୍ତି ତେବେ ତାହାକୁ ଇସଚିମିକ ଷ୍ଟ୍ରୋକ୍ କୁହାଯାଏ।

ତେବେ ବ୍ରେନ୍ ଷ୍ଟ୍ରୋକ୍ ହେବାର କାରଣ କ’ଣ ଓ କାହାକୁ ହେବାର ସମ୍ଭାବନା ରହିଥାଏ? ଏ ବିଷୟରେ ଅଧିକ ଜାଣିବା ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ।

ବର୍ତ୍ତମାନ ସମୟରେ ସାରା ଦୁନିଆରେ ‘ଷ୍ଟ୍ରୋକ୍’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ଅଣ ସଂକ୍ରାମକ ରୋଗ କ୍ଷେତ୍ରରେ ‘ଷ୍ଟ୍ରୋକ’ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି। ଏ ବିଷୟରେ ଅଧିକ ସଚେତନତା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ବିଶ୍ଵ ଷ୍ଟ୍ରୋକ୍ ଦିବସ ଭାବେ ପାଳନ କରାଯାଉଛି।

ଚଳିତ ବର୍ଷ ‘ବିଶ୍ଵ ଷ୍ଟ୍ରୋକ୍ ଦିବସ’ ଅବସରରେ ଓଡ଼ିଶାରେ ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ଯାହାର ନାଁ ରହିଛି ‘ଷ୍ଟ୍ରୋକ୍ ମୁକ୍ତ ଜୀବନ’। ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଷ୍ଟ୍ରୋକ୍ ସମ୍ପର୍କରେ ବିଶେଷ ସଚେତନତା ସୃଷ୍ଟି କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୬ରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ତାରିଖ ଯାଏଁ ଚାଲିବ। ୧୫ ଦିନ ବ୍ୟାପି ହେବାକୁ ଥିବା କାର୍ଯ୍ୟକ୍ରମରେ ଷ୍ଟ୍ରୋକ ବାବଦରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯିବ। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଭିଡିଓ ପ୍ରସ୍ତୁତ କରାଯିବ। ଏଥିରେ ଷ୍ଟ୍ରୋକର କାରଣ, ଲକ୍ଷଣ ଏବଂ ନିରାକରଣ ଆଦି ବିଷୟ ଉପଲବ୍ଧ ରହିବ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵରସ୍ଥିତ ‘ଆଇସିଏମଆର-ଆରଏମଆରସି’, ‘ଇଣ୍ଡିଆନ୍ ପବ୍ଲିକ ହେଲ୍‌ଥ ଆସୋସିଏସନ୍’ ଏବଂ ‘ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ’ ନଲେଜ ପାର୍ଟନର ରହିଛନ୍ତି। ଏହାସହ ‘କେୟାର ହସ୍ପିଟାଲ’ କାର୍ଯ୍ୟକ୍ରମର ହେଲଥ କେୟାର ପାର୍ଟନର ରହିଛି।

Tags: #WorldStrokeDay #StrokePrevention #StrokeAwareness #StrokeFreeWorld #CanbePrevented #IFIFoundation #Swasthyaplus

Comment