ଓଡ଼ିଶାଲାଇଭ୍ ବ୍ୟୁରୋ

“ତଳରୁ ଉପର ପର୍ଯ୍ୟନ୍ତ ଖେଳପ୍ରତି ଆଗ୍ରହ ପ୍ରକାଶ ପାଇବା ଦରକାର। ତେବେ ଯାଇ ଓଡ଼ିଶାରୁ ଅଲିମ୍ପିକ୍ସରେ ଭାଗ ନେବା ଭଳି ଖେଳାଳି ବାହାରିପାରିବେ। କଥା ଅପେକ୍ଷା କାର୍ଯ୍ୟରେ ଏହା ପ୍ରତିଫଳିତ ହେବା ଜରୁରୀ”

ଓଡ଼ିଶାରେ ଖେଳ ଅଛି, ଖେଳାଳି ଅଛନ୍ତି କିନ୍ତୁ ଏକ ନିର୍ଦ୍ଦିଷ୍ଟ ଖେଳନୀତି ନାହିଁ। ଅପ୍ରିୟ ହେଲେ ମଧ୍ୟ ଏହି କଥାଟି ସତ୍ୟ। ଅବଶ୍ୟ, ବିଳମ୍ବରେ ହେଲେ ମଧ୍ୟ ସରକାର ଏକ ନୂଆ ଖେଳନୀତି ଆଣିବାକୁ ଯାଉଛନ୍ତି।

ଖବର ଅନୁସାରେ ୨୦୨୦ରେ ଜାପାନର ଟୋକିଓଠାରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଆବଶ୍ୟକ ମାନବିକ ସମ୍ବଳ ସୃଷ୍ଟି କରିବା ପ୍ରସ୍ତାବିତ ଖେଳନୀତିର ମୁଖ୍ୟ ଉଦ୍ଦେଶ୍ୟ। ତେବେ ନୂଆ ନୀତିରେ ପଡୋଶୀ ଆନ୍ଧ୍ର ସରକାରଙ୍କର ନୀତିର ଛାପ ରହିଛି ବୋଲି କ୍ରୀଡାବିତ୍‌ମାନେ ମତ ଦେଇଛନ୍ତି।

ଓଡ଼ିଶାରେ ଖେଳର ପ୍ରଚୁର ସମ୍ଭାବନା ଥିବା ସତ୍ତ୍ୱେ ଆନ୍ତର୍ଜାତିକ ସ୍ତରର ଖେଳାଳି ବାହାରି ନପାରିବା ଏକ ବଡ଼ ସମସ୍ୟା ଓ ପରିତାପର ବିଷୟ। ସରକାର ବର୍ତ୍ତମାନ ଯେଉଁ ଚିନ୍ତା ଆରମ୍ଭ କରିଛନ୍ତି ସେଥିରେ ଏହି ସମସ୍ୟାର ମୂଳକୁ ଯିବେ ବୋଲି ଆଶା କରାଯାଉଛି। ନୂଆ ଖେଳନୀତିର ଉଦ୍ଦେଶ୍ୟଟି ସ୍ପଷ୍ଟ: କେମିତି ଅଧିକରୁ ଅଧିକ ଖେଳାଳି ବାହାରିବେ ଓ ଜାପାନ ଅଲିମ୍ପିକ୍ସରେ ଅଧିକ ମେଡାଲ୍ ପାଇବେ। ଯୁବ ବ୍ୟାପାର ଓ କ୍ରୀଡ଼ା ସଚିବଙ୍କ କହିବା ଅନୁସାରେ ଗଣଶିକ୍ଷା ବିଭାଗ ସହିତ ଆଲୋଚନା ଶେଷ ହୋଇଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ଏକ କ୍ରୀଡ଼ା ଅନୁକୂଳ ପାଠ୍ୟକ୍ରମ ବା ସିଲାବସ୍ ବି ତିଆରି କରାଯିବ।

ଅବଶ୍ୟ, ବର୍ତ୍ତମାନ ପାଇଁ ସରକାର କେବଳ ୨୦୨୦ ଅଲିମ୍ପିକ୍ସ ଉପରେ ହିଁ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ତା’ ପରବର୍ତ୍ତୀ ଅଲିମ୍ପିକ୍ସ ପାଇଁ ମଧ୍ୟ ବର୍ତ୍ତମାନଠାରୁ ଚିନ୍ତା କରାନଗଲେ ଓଡ଼ିଶାର ଖେଳାଳିମାନେ ସେଭଳି କିଛି କୃତିତ୍ୱ ଦେଖାଇପାରିବେ ସେଥିରେ ସନ୍ଦେହ ରହିଛି। ନୂଆ ଖେଳନୀତିରେ ୨୦୨୪ ଓ ୨୦୨୮ ଅଲିମ୍ପିକ୍ସ ପାଇଁ ମଧ୍ୟ ଚିନ୍ତା କରାଯିବା ଆବଶ୍ୟକ। ଏହି ଦୁଇଟି ଅଲିମ୍ପିକ୍ସରେ ଯେପରି ଅଧିକରୁ ଅଧିକ ଓଡ଼ିଶାର ଖେଳାଳି ଭାଗ ନେଇପାରିବେ ତାହା ସରକାରଙ୍କର ଲକ୍ଷ୍ୟ ହେବା ଦରକାର।

ସରକାରଙ୍କ ଖେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଓଡ଼ିଶାରେ ଖେଳର ବିକାଶ ପାଇଁ କେନ୍ଦ୍ର ସରକାର ମଧ୍ୟ ସାହାଯ୍ୟ ଓ ସହଯୋଗ ଦେବେ। ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ଖରାପ ପ୍ରଦର୍ଶନ ପରେ କେନ୍ଦ୍ର ସରକାର ମଧ୍ୟ ଏଥିରେ ବ୍ୟଥିତ ଓ ବିଚଳିତ ହୋଇପଡ଼ିଛନ୍ତି। ଗତ ରିଓ ଅଲିମ୍ପିକ୍ସରେ ଓଡ଼ିଶାରୁ ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ ଭାଗ ନେଇଥିଲେ, କିନ୍ତୁ ସେମାନଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା।

ଏହି କାରଣରୁ ସ୍କୁଲରେ ଖେଳ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ପାଇଁ ସରକାର ବଦ୍ଧପରିକର ବୋଲି କ୍ରୀଡ଼ା ବିଭାଗର ଜଣେ ଅଧିକାରୀ କହିଛନ୍ତି। ଅବଶ୍ୟ, ଏଥିରେ ଖେଳ ବ୍ୟତୀତ ଅନ୍ୟ ଦୁଇଟି କଥାକୁ ବି ଯୋଡ଼ାଯିବ: ବ୍ୟାୟାମ ଓ ଯୋଗ। ଖୁବ୍ ଶୀଘ୍ର ଏହି ଦୁଇଟିକୁ ସ୍କୁଲ୍ ପାଠ୍ୟକ୍ରମରେ ବାଧ୍ୟତାମୂଳକ କରାଯିବ। କ୍ରୀଡ଼ା ସଚିବ କହିଛନ୍ତି ଯେ ଏହି ମର୍ମରେ ଅଲଇଣ୍ଡିଆ ସ୍ପୋର୍ଟସ କାଉନ୍ସିଲ ପାଖରୁ ଏକ ପ୍ରସ୍ତାବ ଆସିଛି। ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁ ସରକାର ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ସ୍କୁଲରେ ଯୋଗ ଓ ବ୍ୟାୟାମକୁ ବାଧ୍ୟତାମୂଳକ କରିସାରିଲେଣି।

ଓଡ଼ିଶାରେ ଏ ଦୁଇଟିକୁ ବାଧ୍ୟତାମୂଳକ କରିବା ବ୍ୟତୀତ ସରକାର ଆଉ ଏକ ପଦକ୍ଷେପ ନେବାକୁ ଯାଉଛନ୍ତି। ତାହା ହେଉଛି ୧୪୭ଟି ବିଧାନସଭା କ୍ଷେତ୍ରରେ ସ୍ପୋର୍ଟସ କମ୍ପ୍ଲେକ୍ସ ବା କ୍ରୀଡ଼ା ବିକାଶ କେନ୍ଦ୍ର ସ୍ଥାପନ କରାଯିବ। ଅନ୍ତତଃ ପକ୍ଷେ ଛଅ ଏକର ଜମିରେ ଏହି କମ୍ପ୍ଲେକ୍ସ ତିଆରି ହେବ ଏବଂ ଏଥିରେ ଇଣ୍ଡୋର ଓ ଆଉଟଡୋର ଉଭୟ ଖେଳ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ରହିବ। ସରକାର ପ୍ରତି କେନ୍ଦ୍ର ପିଛା ୨ କୋଟି ଖର୍ଚ୍ଚ କରିବେ। ଖାଲି ସେତିକି ନୁହେଁ ପ୍ରତି ଗାଁରେ ଖେଳପଡ଼ିଆ ତିଆରି ପାଇଁ ମନରେଗା ପାଣ୍ଠିରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।

ଏହି ଖେଳପଡ଼ିଆରେ ଶୌଚାଳୟ, ପାନୀୟ ଜଳ ଆଦି ବ୍ୟବସ୍ଥା ରହିବ ଓ ଚାରିପଟେ ବାଡ଼ ଦିଆଯିବ। ଆହୁରି ମଧ୍ୟ ଗୋଷ୍ଠୀଗତ କୋଚିଂ ବ୍ୟବସ୍ଥା କରାଯିବ। ଖେଳାଳିମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ପାଇଁ ସ୍ପୋର୍ଟସ ସ୍କୁଲ ଖୋଲିବା ଓ ଆଞ୍ଚଳିକ ସ୍ତରରେ ସ୍ପୋର୍ଟସ ଏକାଡେମୀ ସ୍ଥାପନା କରିବା ମଧ୍ୟ ସରକାରଙ୍କର ଲକ୍ଷ୍ୟ।

ପ୍ରତ୍ୟେକ ଅଞ୍ଚଳ ପାଇଁ ୩/୪ଟି ନିର୍ଦ୍ଦିଷ୍ଟ ଖେଳ ଉପରେ ଫୋକସ୍ କରାଯିବ। ଯେମିତିକି ହକି ଖେଳ ପାଇଁ ସୁନ୍ଦରଗଡ଼ ଓ ତା’ର ଆଖପାଖ ଅଞ୍ଚଳକୁ ଚିହ୍ନଟ କରାଯାଇଛି। ଯେଉଁ ଜିଲ୍ଲାରେ ଯେଉଁ ଖେଳର ଲୋକପ୍ରିୟତା ରହିଛି ତାହାରି ଉପରେ ଅଧିକ ଦୃଷ୍ଟି ଦିଆଯିବ। ତେବେ ସବୁଠାରୁ ବଡ଼ କଥା ହେଉଛି କ୍ରୀଡ଼ାବିତ୍ ବାହାରିବା ପଛରେ ପିତାମାତାଙ୍କ ପ୍ରୋତ୍ସାହନ। ସରକାର ନୀତି କରିଦେଲେ ବା ଭିତ୍ତିଭୂମି ସୃଷ୍ଟି କରିଦେଲେ ଯେ ଆପଣା ଛାଏଁ ଖେଳାଳି ବାହାରିଯିବେ ତାହା ଭାବିବା ଭୁଲ୍। ଏହି ପ୍ରସଙ୍ଗରେ ଦୂତୀ ଚାନ୍ଦ କହନ୍ତି, “ବାପାମାଆ ପିଲାଙ୍କୁ ପ୍ରୋତ୍ସାହିତ କରିବା ଦରକାର। ସରକାର ଏକା କିଛି କରିପାରିବେ ନାହିଁ। କମ୍‌ ବୟସରୁ ପିଲାମାନଙ୍କୁ ଖେଳକୁଦ ପ୍ରତି ମନୋଯୋଗ କରାଇବାକୁ ହେବ। ନିଜେ ବାପାମାଆ ପିଲାଙ୍କୁ ଖେଳପଡ଼ିଆକୁ ନେବା ଦରକାର। ତାହା ନ ହେଲେ ଅଲିମ୍ପିଆନ୍ ତିଆରି କରିବା ମୁସ୍‌କିଲ୍।’’

ବିଗତ କିଛି ବର୍ଷ ଭିତରେ ଓଡ଼ିଶା ସରକାରଙ୍କ ପକ୍ଷରୁ କ୍ରୀଡ଼ାର ବିକାଶ ପାଇଁ ବେଶ୍‌ କିଛି ପଦକ୍ଷେପ ନିଆଯାଇଛି। ବିଶେଷକରି ଯେଉଁମାନେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ସ୍ଥାୟୀ ଚାକିରି ବି ଦିଆଯାଉଛି। କିନ୍ତୁ ଏହା ଯଥେଷ୍ଟ ନୁହେଁ। ଦୂତୀଙ୍କ କହିବା କଥା ଯେ ତଳରୁ ଉପର ପର୍ଯ୍ୟନ୍ତ ଖେଳପ୍ରତି ଆଗ୍ରହ ପ୍ରକାଶ ପାଇବା ଦରକାର। ତେବେ ଯାଇ ଓଡ଼ିଶାରୁ ଅଲିମ୍ପିକ୍ସରେ ଭାଗ ନେବା ଭଳି ଖେଳାଳି ବାହାରିପାରିବେ। କଥା ଅପେକ୍ଷା କାର୍ଯ୍ୟରେ ଏହା ପ୍ରତିଫଳିତ ହେବା ଜରୁରୀ ବୋଲି ଦୂତୀଙ୍କ ମତ।

Comment