ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀରେ ଚାଲିଛି ସବୁଠୁ ଜଟିଳ ଅପରେସନ

ସୋମବାର, ଭୋର ୪ଟା ୫୫। ଦିଲ୍ଲୀ ଏମ୍‌ସରେ ଏପରି ଏକ ଅପରେସନ୍ ହେଉଥିଲା, ଯାହା ଉପରେ ନଜର ରଖିଥିଲେ ବିଶ୍ୱର ସବୁଠୁ ବଡ଼ ବଡ଼ ଡାକ୍ତର।  ଏହି ଅପରେସନ୍ ଥିଲା ଜଗା-ବଳିଆ(ହନି ଓ ସିଂହ)ଙ୍କ ଅପରେସନ୍।

କନ୍ଧମାଳର ଯାଆଁଳା ଯୋଡା ମୁଣ୍ଡ ଶିଶୁଙ୍କୁ ଅଲଗା କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଅପରେସନ୍ ସଫଳ ହୋଇଛି। ଆଉ ଦୁଇ ପର୍ଯ୍ୟାୟ ପରେ ଦୁଇ ଶିଶୁଙ୍କୁ ଅଲଗା କରାଯିବ। ଏଥିପାଇଁ ଆହୁରି ୩ରୁ ୪ ମାସ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ।

ଏହାକୁ ନେଇ ସାରା ବିଶ୍ୱର ନଜର ଏବେ ଦିଲ୍ଲୀ ଏମ୍‌ସ ଉପରେ। କାରଣ ଦୁନିଆର ସବୁଠୁ ବିରଳ ଓ ଜଟିଳ ଅପରେସନ୍ ଏଠାରେ କରାଯାଉଛି। ଏହି ଅପରେସନ୍ ସଫଳ ହେଲେ ଚିକିତ୍ସା ବିଜ୍ଞାନର ଏକ ବଡ଼ ଫର୍ଦ୍ଦ ଉନ୍ମୋଚନ ହେବା ସହ ଅନ୍ୟ ଜଟିଳ ସମସ୍ୟାର ସମାଧାନ ପାଇଁ ଏହା ବାଟ ଦେଖାଇବ।

କେବଳ ଏତିକି ନୁହେଁ, ଜାଗା-ବଳିଆ, ଅଲଗା ଅଲଗା ଭାବେ ଜୀବନ ବଞ୍ଚିବା ନେଇ ଲକ୍ଷ ଲକ୍ଷ ଲୋକ ଯେଉଁ ଆଶା ବାନ୍ଧିଛନ୍ତି, ତାହା ମଧ୍ୟ ଏହି ଅପରେସନ୍ ଉପରେ ନିର୍ଭର କରେ।

ସୋମବାର ୪ଟା ୫୫ ମିନିଟରେ ଜଗା-ବଳିଆଙ୍କୁ ଅପରେସନ୍ ଥିଏଟରକୁ ନିଆଯାଇଥିଲା। ସକାଳ ୯ଟା ୧୫ରେ ଜାପାନର ବରିଷ୍ଠ ବିଶେଷଜ୍ଞ ଡାକ୍ତର କେ ତାକି ଜାୱାଙ୍କ ନେତୃତ୍ଵରେ ଅପରେସନ୍ ଆରମ୍ଭ ହୋଇଥିଲା। ପରୀକ୍ଷା ନିରୀକ୍ଷା ଓ ନିଶ୍ଚେତକ ଦେବା ପରେ ୨୦ ଘଣ୍ଟା ଧରି ଚାଲିଥିଲା ଅପରେସନ୍।

୪୦ ଜଣିଆ ଡାକ୍ତରୀ ଦଳଙ୍କ ଦୀର୍ଘ ସମୟର କସରତ ପରେ ମଙ୍ଗଳବାର ସକାଳ ୮ଟାରେ ଓଟି ମଧ୍ୟରେ କରାଯାଇଥିବା ସ୍ୱତନ୍ତ୍ର ଆଇସିୟୁର ଭେଣ୍ଟିଲେଟରରେ ଜଗା-ବଳିଆଙ୍କୁ ରଖାଯାଇଛି। କୌଣସି ପ୍ରକାର ସଂକ୍ରମଣ ନହେବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ଅବଲମ୍ବନ କରାଯାଇଥିବା ଏମ୍‌ସ ସୂତ୍ରରୁ ପ୍ରକାଶ।

ଅପରେସନ୍ ପରେ ଉଭୟ ଶିଶୁ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ଯେଉଁ ଶିଶୁର ମସ୍ତିଷ୍କରେ ଶିରାପ୍ରଶିରାର ସମସ୍ୟା ଥିଲା, ସେଥିରେ କୃତ୍ରିମ ଶିରାପ୍ରଶିରା ରୋପଣ କରାଯାଇଥିଲା।

କୁହାଯାଉଛି, ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ମସ୍ତଷ୍କରେ ଶିରାପ୍ରଶିରା ରୋପଣ କରାଯାଇଛି। ଏମ୍‌ସର ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି, ପାଖାପାଖି ୫୦ ପ୍ରତିଶତ ଯାଏଁ ଉଭୟ ଶିଶୁଙ୍କ ମୁଣ୍ଡକୁ ଅଲଗା କରାଯାଇଛି।

ଦୁଇ ଶିଶୁଙ୍କ ମୁଣ୍ଡ କେତେ ପରିମାଣରେ ଯୋଡ଼ି ହୋଇରହିଛି ତାହା ମଧ୍ୟ ଅନୁଧ୍ୟାନ କରାଯାଇଛି। କେଉଁ ଶିରା କାହା ସହ ଯୋଡ଼ି ହୋଇଛି, ତାହାକୁ ଅନୁଧ୍ୟାନ କରାଯାଇ ଯେଉଁ ଶିରା ଉଭୟଙ୍କୁ ଯୋଡ଼ି ରଖିଛି, ତାହା ନିର୍ଦ୍ଧାରଣ କରାଯାଇଥିଲା। ଜଣେ ଶିଶୁଙ୍କ ମୁଣ୍ଡରେ କୃତ୍ରିମ ଶିରାପ୍ରଶିରା ପ୍ରତି​‌ରୋପଣ କରି ସେଗୁଡ଼ିକୁ ଅଳଗା କରିବା ପାଇଁ ଉଦ୍ୟମ କରାଯାଇଛି। ଏପରି କରାଯିବା ପରେ ଦୁଇ ମୁଣ୍ଡକୁ ଅଲଗା କରିବା ପ୍ରକ୍ରିୟା ଆଗକୁ ବଢିଥିବା କହିଛନ୍ତି ପ୍ରଫେସର ଅଶୋକ ମହାପାତ୍ର।

୬ରୁ ୮ ସପ୍ତାହ ପରେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ ଆରମ୍ଭ ହେବ। କାରଣ ଉଭୟଙ୍କ ମୁଣ୍ଡରେ ନୂଆ ଚର୍ମ ସୃଷ୍ଟି ପାଇଁ ଏହି ସମୟ ଲାଗିବ। ନୂଆ ଚମଡ଼ା ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଇଛି। ସୂତ୍ରରୁ ପ୍ରକାଶ ଯେ ନୂଆ ଚମଡ଼ା ପରେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ ଆରମ୍ଭ ହେବ।

ଆସନ୍ତା ୬ ସପ୍ତାହ ଜଗା-ବଳିଆଙ୍କ ପାଇଁ ଅତି ଗୁରୁତ୍ଵ ରଖୁଛି। ସବୁ ଠିକ୍‌ଠାକ୍ ଚାଲିଲେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ ଆରମ୍ଭ ହେବ। ଏଥିଲାଗି ଦୁଇଟି ସ୍ୱତନ୍ତ୍ର ଟିମ୍ ଅଲଗା ଅଲଗା ନିୟୋଜିତ ହେବେ। ଏହି ପର୍ଯ୍ୟାୟରେ ଆମେରିକାର ଜଣେ ବିଶେଷଜ୍ଞଙ୍କୁ ସାମିଲ କରାଯିବ ଓ ମୁଣ୍ଡକୁ ଅଲଗା କରାଯିବ।

ତୃତୀୟ ପର୍ଯ୍ୟାୟରେ ଅପରେସନକୁ ଚୂଡ଼ାନ୍ତ ସ୍ପର୍ଶ ଦିଆଯିବ। ଦେଶର ପ୍ରଥମ କ୍ରାନିଓପାଗସ୍ ସର୍ଜରି କରାଯାଉଥିବାରୁ ସମସ୍ତଙ୍କ ନଜର ଏହା ଉପରେ ରହିଛି।

ଜଗା-ବଳିଆ ସୁସ୍ଥ ହୋଇ ଘରକୁ ଫେରିବା ଲାଗି ଓଡ଼ିଶାବାସୀ ଅନାଇ ବସିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ଅପରେସନ୍ ପରେ ଜଗା-ବଳିଆ ସୁସ୍ଥ ଅଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ପ୍ରଫେସର ଅଶୋକ ମହାପାତ୍ରଙ୍କ ସହ ଆଲୋଚନା କରିଛନ୍ତି। ଜଗା-ବଳିଆଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ୧ କୋଟି ଟଙ୍କା ଅନୁଦାନ ଦେଇଥିଲେ। ଅନ୍ୟମହଲରୁ ମଧ୍ୟ ସାହାଯ୍ୟ ଓ ସମର୍ଥନ ଯୋଗାଇ ଦିଆଯାଉଛି।

ପ୍ରଥମ ପର୍ଯ୍ୟାୟ ଅପରେସନ କରିଥିବା ଡାକ୍ତରୀ ଦଳରେ ନ୍ୟୁରୋ ସର୍ଜନ, ପ୍ଲାଷ୍ଟିକ୍ ସର୍ଜନ, କାର୍ଡିଓଲୋଜି ଓ ପେଡିଆଟ୍ରିକ୍ ବିଶେଷଜ୍ଞ ସାମିଲ ହୋଇଥିବା ଜଣାପଡ଼ିଛି।

Tags: AIIMS, Bhubaneswar News, Breaking News, Chief Minister, Jaga-Balia, Latest News, Naveen Patnaik, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment