ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇକୋର୍ଟ ବିଚାରପତିଙ୍କ ବାସଭବନରେ ସିବିଆଇ ପଶିବା ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି। ସୁପ୍ରିମକୋର୍ଟଙ୍କ ନୋଟିସର ଜବାବ ଦେବା ପାଇଁ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ଆଉ ୨ ସପ୍ତାହ ସମୟ ମାଗିଛି। ହାଇକୋର୍ଟ ବାର୍‌ ଜବାବ ଦେବା ପରେ ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ।
ସେପ୍ଟେମ୍ବର ମାସରେ ହାଇକୋର୍ଟ ବିଚାରପତି ସି ଆର୍ ଦାସଙ୍କ ବାସଭବନରେ ସିବିଆଇ ଅଧିକାରୀ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ହାଇକୋର୍ଟ ବାର୍‌ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ୨୨ ତାରିଖରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲା। ମାମଲାକୁ ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସିବିଆଇ ସମେତ ୧୦ ପ୍ରତିପକ୍ଷଙ୍କୁ ନୋଟିସ୍‌ ଜାରି କରିଥିଲେ। ହେଲେ ଏହି ମାମଲାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସିବିଆଇ ସୁପ୍ରିମକୋର୍ଟ ଯାଇଥିଲେ।
ସୁପ୍ରିମକୋର୍ଟ ଗତ ୧୩ ତାରିଖରେ ହାଇକୋର୍ଟର ଶୁଣାଣି ଉପରେ ରୋକ୍ ଲଗାଇବା ସହ ହାଇକୋର୍ଟ ବାର୍‌ ଆସୋସିଏସନ୍‌କୁ ନୋଟିସ୍ ଜାରି କରିଥିଲେ। ନୋଟିସ୍ ଅନୁଯାୟୀ ଆଜି ବାର୍‌ ଆସୋସିଏସନ୍‌ ପକ୍ଷରୁ ଜବାବ ଦାଖଲ କରାଯାଇଥାନ୍ତା। ହେଲେ ବାର୍ ଆସୋସିଏସନ୍‌ ଜବାବ ଦାଖଲ ପାଇଁ ଆଉ ୨ ସପ୍ତାହ ସମୟ ମାଗିଛି।
ଉତ୍ତରପ୍ରଦେଶ ମେଡିକାଲ କଲେଜ ଦୁର୍ନୀତି ମାମଲାରେ ଛନ୍ଦି ହୋଇଯାଇଥିଲେ ଓଡ଼ିଶା ହାଇକୋର୍ଟର ପୂବର୍ତନ ବିଚାରପତି ଆଇ ଏମ୍‌ କୁଦ୍ଦୁସି। ଏଣୁ ତାଙ୍କ ଘର ଉପରେ ଚଢ଼ାଉ କରିବା ପାଇଁ ସିବିଆଇର ଏକ ଟିମ୍‌ କଟକ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ସି ଆର୍ ଦାସଙ୍କ ଭାବସଭବନରେ ପ୍ରବେଶ ଉଦ୍ୟମ କରିଥିଲେ। ଏହାକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଥିଲା।

Comment