(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଫସଲ ପୋଡ଼ିବାକୁ ନେଇ କୃଷିମନ୍ତ୍ରୀଙ୍କୁ ଘେରିଛି ବିଜେପି। ଚାଷୀ ପରିବାର ପ୍ରତି ବେପରୁଆ ମନ୍ତବ୍ୟ ଦେଉଥିବା କୃଷିମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିବାକୁ ଦାବି କରିଛି ବିରୋଧୀ ବିଜେପି।

ବିଜେପି ଟାର୍ଗଟେରେ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ଫସଲ ପୋଡ଼ୁଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ ନାହିଁ ବୋଲି କହିବା ପରେ ଏହାକୁ ଅସ୍ତ୍ର କରିଛି ବିଜେପି। କୃଷିମନ୍ତ୍ରୀ ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ନୁହନ୍ତି ବୋଲି ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି। ଶାସକ-ପ୍ରଶାସକଙ୍କ ସହଯୋଗ ଅଭାବରୁ ଚାଷୀ ଆତ୍ମହତ୍ୟାର ବାଟ ଆପଣାଇ ନେଉଛି।

ସଚିବାଳୟରେ ଜିଲ୍ଲାପାଳଙ୍କ ରିପୋର୍ଟକୁ ଆଧାର କରି କୃଷି ବିଭାଗର ବସିଥିଲା ଉଚ୍ଚ ସ୍ତରୀୟ ବୈଠକ। ବୈଠକ ପରେ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଥିଲେ ଯେ, ଫସଲ ପୋଡ଼ୁଥିବା ଚାଷୀଙ୍କୁ ମିଳିବନି କ୍ଷତିପୂରଣ। ବରଗଡ଼ର ବୃନ୍ଦା ସାହୁଙ୍କ ସମେତ ଅନ୍ୟ ଚାଷୀଙ୍କୁ ଦିଆଯିବନି ସହାୟତା।

କୃଷିମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ଆଜି ବିଜେପି ସରକାରଙ୍କୁ ଘେରିଛି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସ୍‌ମିଟ୍‌ରେ ବସନ୍ତ ପଣ୍ଡା ରାଜ୍ୟ ସରକାରଙ୍କ କୃଷି ମାରଣ ନୀତିକୁ ସମାଲୋଚନା କରିଛନ୍ତି। କହିଛନ୍ତି ଏ ସରକାର କୃଷକଙ୍କ ବିରୋଧୀ। ଚକଡ଼ା ପୋକର ଦାଉ ସହି ନପାରି ଚାଷୀ ଫସଲ ପୋଡ଼ି ଆତ୍ମହତ୍ୟ କରୁଥିବା ବେଳେ ରାଜ୍ୟ ସରକାର କୌଣସି ସହାୟତା ନଦେବା ଦୁର୍ଭାଗ୍ୟଜନକ। ମୃତ ଚାଷୀଙ୍କ ପରିବାର ପ୍ରତି କୃଷି ମନ୍ତ୍ରୀ ବେପରୁଆ ମନ୍ତବ୍ୟ ଦେଉଥିବାରୁ ମନ୍ତ୍ରିମଣ୍ଡଳରେ ତାଙ୍କର ରହିବାର କୌଣସି ନୈତିକ ଅଧିକାର ନାହିଁ।

ବସନ୍ତ ପଣ୍ଡା କହିଛନ୍ତି, “କୃଷିମନ୍ତ୍ରୀଙ୍କର ମାନବିକତା ନାହିଁ। ସେ ଚାଷୀ ପରିବାରଙ୍କୁ ଉପହାସ କରୁଛନ୍ତି। ଏଣୁ ଏହି ଦାୟିତ୍ବହୀନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରନ୍ତୁ।”

 

Comment