ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଟ୍‌ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଭାଷଣରେ ଓଡ଼ିଆ ବ୍ୟବହାର କରିଛନ୍ତି। ସେହିପରି ମାଆ-ମାତୃଭାଷା-ମାତୃଭୂମିକୁ ମନେରଖିବା ପାଇଁ ସେ ଆହ୍ୱାନ ଦେଇଥିଲେ

  • ‘ଜୟ ଜଗନ୍ନାଥ’ ଉଚ୍ଚାରଣ କରି ଭାଷଣ ଆରମ୍ଭ କଲେ ଉପ-ରାଷ୍ଟ୍ରପତି
  • କହିଲେ, “ଓଡ଼ିଶା ମୋତେ ବହୁତ ଭଲ ଲାଗେ”
  • କିଟ୍‌ ପ୍ରତିଷ୍ଠାତା ଡକ୍ଟର ସାମନ୍ତଙ୍କୁ ପ୍ରଶଂସା କଲେ
  • କହିଲେ, “ସମାଜରେ ଗୁରୁଙ୍କ ସ୍ଥାନ ଗୁରୁତ୍ୱପୂର୍ଣ୍ଣ”
  • ଏଲ୍‌ପିଜି (ଲିବରାଲାଇଜେସନ୍‌-ପ୍ରାଇଭେଟାଇଜେସନ୍-ଗ୍ଲୋବାଲାଇଜେସନ୍‌) ଉପରେ ଫୋକସ୍‌
  • ‘ଉଚ୍ଚଶିକ୍ଷା’ ଦେଖାଏ ରୋଜଗାରର ରାସ୍ତା

“ମାଆ, ମାତୃଭାଷା ଓ ମାତୃଭୂମିର ମହତ୍ତ୍ୱକୁ ଆମେ ସମସ୍ତେ ବୁଝିବା ଦରକାର। କାରଣ ଏହା ହେଉଛି ଆମର ପରିଚୟ। ବ୍ୟକ୍ତି ଯେତେ ଶୀର୍ଷ ସ୍ଥାନକୁ ଗଲେ ବି ଏହାକୁ ଭୁଲିଯିବା ଉଚିତ୍‌ ନୁହେଁ। ଏହାସହ ପ୍ରତ୍ୟେକ ବ୍ୟକ୍ତି ନିଜକୁ ଭାରତୀୟ ଭାବେ ଗର୍ବ ଅନୁଭବ କରିବା ଦରକାର”, କିଟ୍‌ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବା ଅବସରରେ ଉପସ୍ଥିତ ଛାତ୍ର, ଗବେଷକ ଏବଂ ଶିକ୍ଷାବିତମାନଙ୍କୁ ଏହି ଆହ୍ୱାନ ଦେଇଛନ୍ତି ଉପ-ରାଷ୍ଟ୍ରପତି ଭେଙ୍କିୟା ନାଇଡୁ।

କିଟ୍‌ କନଭେନସନଠାରେ ଶନିବାର ଦିନ ଆୟୋଜିତ ହୋ‍ଇଥିଲା କିଟ୍‌ ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ। ଏହି ଉତ୍ସବରେ ଉପ-ରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଯୋଗଦେଇ ଭାଷଣ ଆରମ୍ଭ କରିବା ବେଳେ ଉପ-ରାଷ୍ଟ୍ରପତି ‘ଜୟ ଜଗନ୍ନାଥ’ ଉଚ୍ଚାରଣ କରି ଓଡ଼ିଶା ପ୍ରତି ଥିବା ତାଙ୍କର ଶ୍ରଦ୍ଧାକୁ ପ୍ରତିପାଦନ କରିଥିଲେ।

ଉପ-ରାଷ୍ଟ୍ରପତି କହିଛନ୍ତି ଯେ, “ଓଡ଼ିଶା ମୋତେ ବହୁତ ଭଲ ଲାଗେ। କାରଣ ଓଡ଼ିଶା ହେଉଛି ଜଗନ୍ନାଥଙ୍କ ରାଜ୍ୟ। ମୁଁ ଆଗରୁ ଅନେକ ଥର ଓଡ଼ିଶା ଆସିଛି। କିସ୍‌ର ୨୫ ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ବେଳେ ମୁଁ ବହୁତ ଖୁସି ଅନୁଭବ କରିଥିଲି।” ଓଡ଼ିଶାରେ କିଟ୍‌ ଓ କିସ୍‍ ଭଳି ଅନୁଷ୍ଠାନ ଗଢି ତୋଳିଥିବାରୁ ସେ ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଥିଲେ।

ମାତୃଭାଷାର ମହତ୍ତ୍ୱ

ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ତାଙ୍କ ଭାଷଣରେ ଓଡ଼ିଆ ଭାଷାର ବ୍ୟବହାର କରି ଉପସ୍ଥିତ ଦର୍ଶକମାନଙ୍କୁ ପ୍ରଭାବିତ କରିଥିଲେ। ସେ କହିଥିଲେ,“ମାତୃଭାଷାର କୌଣସି ବିକଳ୍ପ ନାହିଁ। ଜଣେ ବ୍ୟକ୍ତି ନିଜର ଭାବନାକୁ ମାତୃଭାଷାରେ ହିଁ ସର୍ବଶ୍ରେଷ୍ଠ ଭାବେ ଉପସ୍ଥାପନ କରିପାରେ। ତେଣୁ ପ୍ରତ୍ୟେକ ପରିବାରରେ ପିଲାମାନେ ମାତୃଭାଷାର ବ୍ୟବହାର କରିବା ଆବଶ୍ୟକ।”

ଗୁଗୁଲ ନେଇ ପାରିବନି ଗୁରୁଙ୍କ ସ୍ଥାନ

ସମାବର୍ତ୍ତନ ଉତ୍ସବରେ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଣିଷ ଜୀବନରେ ଗୁରୁଙ୍କ ଅବଦାନ ଉପରେ ଗୁରୁତ୍ୱ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ଭାବେ ଗଢ଼ି ତୋଳିବାରେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଟେକ୍ନୋଲୋଜିର ଯୁଗ। ପିଲାମାନେ ଇଣ୍ଟରନେଟ୍‌ ମାଧ୍ୟମରେ ବହୁକିଛି ଜାଣୁଛନ୍ତି। କଥା କଥାକେ ଆମେ ଆଜି ଗୁଗୁଲ୍‍ କରୁଛୁ।” ହେଲେ ଗୁଗୁଲ କେବେ ଗୁରୁଙ୍କ ସ୍ଥାନ ନେଇପାରିବ ନାହିଁ ବୋଲି ଉପ-ରାଷ୍ଟ୍ରପତି କହିଛନ୍ତି।

ଏଲ୍‌ପିଜି ଉପରେ ଫୋକସ୍‌ ଦେଲେ

ଭେଙ୍କେୟା ନାଇଡୁ କହିଥିଲେ ଯେ ଭାରତ ଏବେ ଆଗକୁ ବଢ଼ୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍କିଲ୍‌ ଇଣ୍ଡିଆ ଯୋଜନାରେ ଯୁବକମାନେ ଆକର୍ଷିତ ହେଉଛନ୍ତି। ବର୍ତ୍ତମାନ ହେଉଛି ଲିବରାଲାଇଜେସନ୍‌, ପ୍ରାଇଭେଟାଇଜେସନ୍‌ ଏବଂ ଗ୍ଲୋବାଲାଇଜେସନ୍‌ (ଏଲ୍‌ପିଜି)ର ଯୁଗ। ବିଶ୍ୱ ଅର୍ଥନୀତିରେ ସୁଧାର ଆସି ନଥିବା ବେଳେ ଆଜି ଭାରତର ଅର୍ଥନୀତିରେ ଅଭିବୃଦ୍ଧି ଘଟୁଛି। ବିଶ୍ୱବ୍ୟାଙ୍କ ଭାରତକୁ ପ୍ରଶଂସା କରିଛନ୍ତି। ଏହା ଆମ ଦେଶ ପାଇଁ ଶୁଭ ସୂଚନା ବୋଲି ସେ କହିଛନ୍ତି।

ଶିକ୍ଷା ମାଧ୍ୟମରେ ଦେଶର ବିକାଶ ସମ୍ଭବ। ଉଚ୍ଚଶିକ୍ଷା ହିଁ ରୋଜଗାରର ବାଟ ଦେଖାଏ ବୋଲି ଉପରାଷ୍ଟ୍ରପତି ଉଦ୍‌ବୋଧନ ଦେବା ଅବସରରେ କହିଛନ୍ତି।

ଉପ-ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଆହୁରି କହିଲେ ଯେ, ଭାରତର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟ ସମଗ୍ର ବିଶ୍ୱବାସୀଙ୍କ ପାଇଁ ପ୍ରେରଣା ପାଲଟିଛି। ମହାନ୍ ଇତିହାସକୁ ନେଇ ଆଜି ଭାରତ ବିକାଶ ପଥରେ ଆଗେଇ ଚାଲିଛି। ସେହିପରି ସଂସ୍କୃତିସମ୍ପନ୍ନ ରାଜ୍ୟ ଉତ୍କଳରେ କିଟ୍‌ ଭଳି ଅନୁଷ୍ଠାନ ପ୍ରତିଷ୍ଠା ହେବା ଦ୍ୱାରା ରାଜ୍ୟର ଗୌରବ ଓ ଗରିମା ଆହୁରି ସମୃଦ୍ଧଶାଳି ହୋଇପାରିଛି। ଏହି ମାଟିରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ ବୋଲି ସେ ଉଦାହରଣ ଦେଇ କହିଥିଲେ।

ମୁଁ ଆଉ ରାଜନୀତିରେ ନାହିଁ

ମୁଁ ଆଉ ରାଜନୀତିରେ ନାହିଁ। ହେଲେ ଏବେବି ସାଧାରଣ ଜୀବନ ସହ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ରହିଛି। “ଆଇ ଆମ୍‌ ରିଟାୟାର୍ଡ ଫ୍ରମ ପଲିଟିକ୍ସ, ବଟ୍‌ ନଟ୍‌ ଟାୟାର୍ଡ ଫ୍ରମ ପବ୍ଲିକ ଲାଇଫ୍‌”, କଥା ପ୍ରସଙ୍ଗରେ ଏହା କହିଥିଲେ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ।

Comment