ଓଡ଼ିଶାଲାଇଭ୍‍ ବ୍ୟୁରୋ

  • ରାଜ୍ୟସଭାରେ ଆଗତ ହେଲା ବିଲ୍‌
  • ସଂଶୋଧନ କରିବାକୁ ଅଡ଼ି ବସିଲା କଂଗ୍ରେସ
  • ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବି କଲେ କଂଗ୍ରେସ ନେତା ଆନନ୍ଦ ଶର୍ମା
  • ଅରୁଣ ଜେଟଲି କହିଲେ, “ଆନନ୍ଦ ଶର୍ମା ଭୁଲ୍‌ ପରମ୍ପରା ସୃଷ୍ଟି କରୁଛନ୍ତି”
  • ସଂସଦକୁ ରବର ଷ୍ଟାମ୍ପ କରିଦିଆ ନଯାଉ: ଆନନ୍ଦ ଶର୍ମା

ଲୋକସଭା ପରେ ବୁଧବାର ରାଜ୍ୟସଭାରେ ଆଗତ ହୋଇଛି ତିନି ତଲାକ୍‌ ବିଲ୍‌। ଲୋକସଭା ପରି ଏହି ବିଲ୍‌କୁ ନେଇ ରାଜ୍ୟସଭାରେ ମଧ୍ୟ ସରଗରମ୍ ଆଲୋଚନା ହୋଇଥିଲା। ଏହି ବିଲ୍‌କୁ ପ୍ରଥମେ ଚୟନ କମିଟିକୁ ପଠାଇବା ପାଇଁ ବିରୋଧୀ କଂଗ୍ରେସ ଦାବି କରିଛି। ବିଲ୍‌ର ସଂଶୋଧନ କରିବା ପାଇଁ କଂଗ୍ରେସ ନେତା ଆନନ୍ଦ ଶର୍ମା ଦାବି କରିଛନ୍ତି। ହେଲେ ସରକାର ବିନା କୌଣସି ସଂଶୋଧନରେ ରାଜ୍ୟସଭାରେ ଏହି ବିଲ୍‌କୁ ପାସ୍‌ କରିବାକୁ ଚାହୁଁଛନ୍ତି।

ଏହାକୁ ନେଇ ରାଜ୍ୟସଭାରେ ହଙ୍ଗାମା ହୋଇଥିଲା। ବିରୋଧୀ ହଟ୍ଟଗୋଳ କରିବାରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଗୁରୁବାର ପର୍ଯ୍ୟନ୍ତ ଗୃହକୁ ମଲତବୀ କରିଛନ୍ତି।

ବିରୋଧୀ କଂଗ୍ରେସର ଏହି ଦାବିକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି। ସେ କହିଛନ୍ତି ଯେ, “ସଂସଦରେ ଆଗତ ହେବାର ୨୪ ଘଣ୍ଟା ପୂର୍ବରୁ ସଂଶୋଧନ ପ୍ରସ୍ତାବ ଦିଆଯିବା କଥା। ହେଲେ ବିଲ୍‌ ଆଗତ ହେବା ସମୟରେ ହିଁ କଂଗ୍ରେସ ସଂଶୋଧନ କଥା ଉଠାଇଛି। ଆନନ୍ଦ ଶର୍ମା ଏକ ଭୁଲ୍‌ ପରମ୍ପରା ସୃଷ୍ଟି କରିବାକୁ ଚାହୁଁଛନ୍ତି।”

ଆନନ୍ଦ ଶର୍ମା କହିଛନ୍ତି, “ସଂସଦକୁ ରବର ଷ୍ଟାମ୍ପ କରିଦିଆ ନଯାଉ। କୌଣସି ବିଲ୍‌ ଆଇନ୍‌ରେ ପରିଣତ ହେବା ପୂର୍ବରୁ ଏହାକୁ ଭଲଭାବେ ଯାଞ୍ଚ୍‌ କରିବା ଦରକାର।”

ରାଜ୍ୟସଭାରେ ଅଡ଼ୁଆ

ବିନା ସଂଶୋଧନରେ ଲୋକସଭାରେ ପାସ୍‌ ହୋଇଯାଇଛି ତିନି ତଲାକ୍‌ ବିଲ୍‌। ହେଲେ ରାଜ୍ୟସଭାରେ ଏହି ବିଲ୍‌କୁ ନେଇ କେଁ ଉଠିଛି। ଲୋକସଭାରେ ବିଜେପି ସଦସ୍ୟ ସଂଖ୍ୟା ଅଧିକ ରହିଛି। ଏଣୁ  ଏହି ବିଲ୍‌କୁ ବିରୋଧୀ ଦଳ ବିରୋଧ କରିଥିଲେ ବି ବାଚନିକ ଭୋଟରେ ଏହା ପାସ୍‌ ହୋଇଯାଇଛି। କିନ୍ତୁ ରାଜ୍ୟସଭାରେ ମୋଦି ସରକାର ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ବିଜେପି ସଦସ୍ୟ ସଂଖ୍ୟା ରାଜ୍ୟସଭାରେ କମ୍‌ ଥିବାରୁ ବିରୋଧୀ ଦଳଙ୍କ ନିଷ୍ପତ୍ତି ଉପରେ ମୋଦି ସରକାର ଭରସା କରିଛନ୍ତି।

ହେଲେ ବିରୋଧୀ ଦଳ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିଶ୍ରୁତି ମିଳିପାରୁ ନାହିଁ। ଫଳରେ ମୋଦି ସରକାର ତିନି ତଲାକ୍‌ ବିଲ୍‌କୁ ନେଇ ଚିନ୍ତାରେ ପଡ଼ିଛନ୍ତି। ବିରୋଧୀ ଦଳ ଯଦିଓ ଏହି ବିଲ୍‌କୁ ଖୋଖୋଲି ବିରୋଧ କରୁ ନାହାନ୍ତି, ହେଲେ ଏହାର ଯାଞ୍ଚ କରିବାକୁ ଦାବି କରୁଛନ୍ତି।

କ’ଣ କହୁଛନ୍ତି ବିରୋଧୀ?

କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମ୍‌କେ ଏବଂ ବିଜେଡି ସମେତ ବାମପନ୍ଥୀ, ତୃଣମୂଳ କଂଗ୍ରେସ ବିଲ୍‌ର ସଂଶୋଧନ ଦାବି କରୁଛନ୍ତି। ତିନି ତଲାକ୍‌ ବିଲ୍‌ରେ ସ୍ୱାମୀମାନଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ନିୟମ କରାଯାଇଛି। ଏହାକୁ ଧର୍ତ୍ତବ୍ୟ ଅପରାଧ ବୋଲି ସରକାର ବିବେଚନା କରୁଛନ୍ତି। ଏଥିରେ ସଂଶୋଧନ କରିବା ପାଇଁ ବିରୋଧୀ ଦଳ ଦାବି କରୁଛନ୍ତି।

Comment