ଭାସ୍କର ପରିଚ୍ଛା

କେନ୍ଦ୍ର ସରକାର ନିକଟରେ ଏକ ବିଲ୍ ଆଣିଛନ୍ତି ଯାହାର ନାଁ ହେଉଛି ନ୍ୟାସନାଲ୍ ମେଡିକାଲ କାଉନସିଲ୍ ବିଲ୍। ଏହି ବିଲ୍‌ଟି ବର୍ତ୍ତମାନ ଏକ କମିଟିକୁ ଅନୁଧ୍ୟାନ ପାଇଁ ପଠାଯାଇଛି। ଏହି ବିଲ୍‌ର ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନ ଥିବା ଭାରତୀୟ ଭେଷଜ ପରିଷଦ ବା ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆକୁ ହଟାଯାଇ ତା’ ଜାଗାରେ ଏକ ନୂଆ କମିଶନ ଗଠନ କରାଯିବା। ଏହି ନୂଆ ସଂସ୍ଥାର ନାମ ହେବ ନ୍ୟାସନାଲ ମେଡିକାଲ କମିଶନ୍। ଏ ସମ୍ପର୍କରେ ଜାନୁଆରୀ ମାସ ଶେଷ ସୁଦ୍ଧା ପାର୍ଲାମେଣ୍ଟାରୀ କମିଟିର ରିପୋର୍ଟ ଆସିବ । ବ୍ୟବସ୍ଥା ଅନୁଯାୟୀ ନୂଆ କମିଶନରେ ଚାରିଟି ସ୍ୱାଧୀନ ବୋର୍ଡ ରହିବ। ଏହିସବୁ ବୋର୍ଡର ଦାୟିତ୍ୱ ହେବ ଅଣ୍ଡର ଗ୍ରାଜୁଏଟ୍ ଡାକ୍ତରୀ ଶିକ୍ଷା, ପୋଷ୍ଟ ଗ୍ରାଜୁଏଟ୍ ଡାକ୍ତରୀ ଶିକ୍ଷା, ମେଡିକାଲ ନୀତିନିୟମ ଓ କଲେଜ ଆକ୍ରେଡିଟେସନ୍।

ଯେତେବେଳେ ଏହି ବିଲ୍‌ଟି ଆଇନରେ ପରିଣତ ହେବ ବର୍ତ୍ତମାନ ଭଳି ପ୍ରତିବର୍ଷ  ମେଡିକାଲ କଲେଜଗୁଡ଼ିକର ତଦାରଖ ବା ପରିଦର୍ଶନ ଆବଶ୍ୟକ ପଡ଼ିବ ନାହିଁ। ତା’ ଛଡ଼ା ଯେଉଁମାନେ ଏମ୍‌ବିବିଏସ୍ ପାସ୍ କରିଛନ୍ତି ସେମାନଙ୍କୁ ଏକ ଜାତୀୟ ଲାଇସେନ୍ସ ପରୀକ୍ଷା ଦେବାକୁ ପଡ଼ିବ।

ବିଗତ କିଛି ବର୍ଷ ଧରି ମେଡିକାଲ କାଉନସିଲ୍ ବିଭିନ୍ନ ବିବାଦରେ ଫସି ଆସିଛି। ଦେଶରେ ମେଡିକାଲ ଶିକ୍ଷାର ନିୟନ୍ତ୍ରଣ ଓ ପରିଚାଳନା କ୍ଷେତ୍ରରେ କାଉନସିଲର ଯେଉଁ ଦାୟିତ୍ୱ ଥିଲା ତାହା ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଛି। ଡାକ୍ତରୀ ସମ୍ପର୍କିତ ବିଭିନ୍ନ କ୍ଷେତ୍ରରେ ଯେଉଁ ସ୍ୱଚ୍ଛତା ରହିବା କଥା ତାହା ରହିପାରି ନାହିଁ, ଯାହାଫଳରେ କି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେଇଛି। ଡାକ୍ତର, ଆଇନ ପ୍ରଣୟନକାରୀ, ରାଜ୍ୟ ସରକାର ଓ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏ ନେଇ ବରାବର ଚିଠି ଲେଖିବା ପରେ ନୂଆ କମିଶନ ଗଠନ ପାଇଁ ସରକାର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି।

ମେଡିକାଲ କାଉନସିଲ୍ ବଦଳରେ ମେଡିକାଲ କମିଶନ ପ୍ରତିଷ୍ଠା କରିବା ଦିଗରେ ମୋଦି ସରକାରଙ୍କର ପଦକ୍ଷେପକୁ ପ୍ରଶଂସା କରାଯିବା ଦରକାର। କିନ୍ତୁ ପ୍ରଶ୍ନ ହେଉଛି ଏହି ନୂଆ ଅବତାର କେତେ ଦୂର ସଫଳ ହେବ। ନୂଆ କମିଶନରେ ଯେଉଁ ବ୍ୟବସ୍ଥା ଅଛି ସେଥିରେ ଅନେକ କଥା ଅବଶ୍ୟ ସୁଧୁରିଯାଇ ପାରିବ। ଉଦାହରଣ ସ୍ୱରୂପ ଏବେ ଆଉ ପ୍ରତିବର୍ଷ ମେଡିକାଲ କଲେଜ ପରିଦର୍ଶନରେ କେହି ଆସିବେ ନାହିଁ।  ମେଡିକାଲ କଲେଜଗୁଡ଼ିକୁ କିଛି ସ୍ୱାଧୀନତା ଦିଆଯିବ ଯାହାଫଳରେ କି ସେମାନେ ନିଜେ ନିଜେ ଆଇନରେ ଥିବା ଆବଶ୍ୟକତାକୁ ପୂରଣ କରିବାକୁ ବାଧ୍ୟ ହେବେ। ଏହି ବିଲରେ ଆହୁରି ମଧ୍ୟ ବ୍ୟବସ୍ଥା ଅଛି ଯେ ଡାକ୍ତରୀ ପାସ୍ କଲା ପରେ ସବୁ ପିଲାଙ୍କୁ ଏକ ପ୍ରସ୍ଥାନ ପରୀକ୍ଷାରେ ବସିବାକୁ ପଡ଼ିବ। ଅର୍ଥାତ୍ ଘରୋଇ କିମ୍ବା ସରକାରୀ ମେଡିକାଲ କଲେଜରୁ ଯେଉଁ ପିଲା ବାହାରୁଛନ୍ତି ସେମାନେ ଡାକ୍ତର ହେବା ପାଇଁ ଯୋଗ୍ୟ କି ନା ତାହା ଏହି ପରୀକ୍ଷା ସ୍ଥିର କରିବ।

ଏହି ବିଲରେ କିନ୍ତୁ ଗୋଟିଏ ବିବାଦୀୟ ବ୍ୟବସ୍ଥା ରହିଛି। ତାହା ହେଉଛି ଆୟୁର୍ବେଦ ଓ ହୋମିଓପାଥିକ ଡାକ୍ତରମାନେ ଆଧୁନିକ ଚିକିତ୍ସା ପ୍ରଣାଳୀ ସମ୍ପର୍କିତ ପ୍ରେସକ୍ରିପସନ୍ ଲେଖିପାରିବେ। ଅର୍ଥାତ୍ ଜଣେ ଏମବିବିଏସ୍  ଡାକ୍ତର ଯେଉଁ ପ୍ରେସକ୍ରିପସନ୍ ଲେଖିବେ ଆୟୁର୍ବେଦ ଏବଂ ହୋମିଓପାଥିକ ଡାକ୍ତର ମଧ୍ୟ ତାହା କରିପାରିବେ, ଖାଲି ଯାହା ସେମାନଙ୍କୁ ଅଳ୍ପ ଦିନର ଏକ ବ୍ରିଜ କୋର୍ସ କରିବାକୁ ପଡ଼ିବ। ଏହାର ଉଦ୍ଦେଶ୍ୟ ହେଉଛି ଦେଶରେ ଦେଖା ଦେଇଥିବା ଡାକ୍ତରଙ୍କର ଅଭାବ। ଜନସାଧାରଣଙ୍କର ସ୍ୱାସ୍ଥ୍ୟସେବାକୁ ଲକ୍ଷ୍ୟରେ ରଖି ପ୍ରାୟ ଦେଢ଼ ଲକ୍ଷ ଉପସ୍ୱାସ୍ଥ୍ୟ କେନ୍ଦ୍ର ଓ ପଚିଶି ହଜାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଡାକ୍ତରମାନେ ରହିବେ, ଯେଉଁମାନଙ୍କର ସାଧାରଣ ଚିକିତ୍ସା ସମ୍ପର୍କରେ କିଛି ଧାରଣା ଥିବ। ଶୁଣାଯାଉଛି ଦେଶରେ ଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ରଗୁଡ଼ିକୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ସରକାର ଚାହୁଁଛନ୍ତି।

ଯେଉଁ ପାର୍ଲାମେଣ୍ଟାରୀ କମିଟି ଏହାର ଅନୁଧ୍ୟାନ କରିବ ତାହା କେତେଦୂର ଏଥିରେ ଏକମତ ସେକଥା ଦେଖିବାକୁ ପଡ଼ିବ। ପ୍ରଶ୍ନ ଉଠୁଛି ଜଣେ ଏମ୍‌ବିବିଏସ୍ ଡାକ୍ତର ସହିତ ବିଏମ୍‌ଏଏସ୍ (ଆୟୁର୍ବେଦ ଓ ହୋମିଓପାଥିକ) ଡାକ୍ତର ସମାନ ହୋଇପାରିବ କି? ଅବଶ୍ୟ ଆଧୁନିକ ମେଡିକାଲ ଚିକିତ୍ସା ସହିତ ଭାରତରେ ଆୟୁର୍ବେଦ ଓ ହୋମିଓପାଥିକ ଚିକିତ୍ସାକୁ ମଧ୍ୟ ସରକାର ଉତ୍ସାହିତ କରୁଛନ୍ତି। କିନ୍ତୁ ବିଜ୍ଞାନଭିତ୍ତିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆୟୁର୍ବେଦ ଓ ହୋମିଓପାଥି ଡାକ୍ତରଙ୍କୁ ଏମ୍‌ବିବିଏସ୍ ଡାକ୍ତରଙ୍କ ସହିତ କଦାପି ସମାନ କରାଯାଇପାରିବ ନାହିଁ।

ବରଂ ନର୍ସମାନଙ୍କୁ ଅଧିକ ତାଲିମ୍ ଦିଆଯିବା ସହିତ ଆଧୁନିକ ଚିକିତ୍ସା ପ୍ରଣାଳୀର ବିଭିନ୍ନ ଦିଗ ସହିତ ସେମାନଙ୍କୁ ପରିଚୟ କରାଗଲେ ହୁଏତ ଗ୍ରାମାଞ୍ଚଳରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଏମ୍‌ବିବିଏସ୍ ଡାକ୍ତର ଅଭାବଜନିତ ଅସୁବିଧାକୁ ଅନେକ ମାତ୍ରାରେ ଦୂର କରାଯାଇପାରିବ। ଏବେବି  ଗାଁ ଗହଳରେ ନର୍ସମାନେ ଡାକ୍ତରଙ୍କ ଅନୁପସ୍ଥିତିରେ ବହୁ ଦାୟିତ୍ୱ ସମ୍ଭାଳୁଛନ୍ତି। ତାହା ନ କରି ଆୟୁର୍ବେଦ ଓ ହୋମିଓପାଥିକ ଡାକ୍ତରଙ୍କୁ ପଛ ଦୁଆର ଦେଇ ଭର୍ତ୍ତି କରିବା ହୁଏତ ଠିକ୍‌ ହେବ ନାହିଁ। ଆଧୁନିକ ଚିକିତ୍ସା ଓ ଭେଷଜ ପ୍ରଣାଳୀରେ ପାରମ୍ପରିକ ଡାକ୍ତରମାନଙ୍କର ଭୂମିକା କେତେଦୂର ଗ୍ରହଣୀୟ ହେବ ତାହା ଏକ ବଡ଼ ପ୍ରଶ୍ନବାଚୀ। ଏଥିପାଇଁ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ମଧ୍ୟ ଏହି ବ୍ୟବସ୍ଥାକୁ ବିରୋଧ କରିଛି।

ନୂଆ ମେଡିକାଲ କମିଶନ ଗଠନ ହେବା ପରେ ଦେଶର ସ୍ୱାସ୍ଥ୍ୟ ଓ ଚିକିତ୍ସା କ୍ଷେତ୍ରରେ ଯେଉଁସବୁ ଗଲ୍‌ତି ଅଛି ତାହା ପ୍ରକୃତରେ ଦୂର ହୋଇପାରିବ କି? ସେଇଟି ଏକ ବଡ଼ ପ୍ରଶ୍ନ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

 

Comment