ଓଡ଼ିଶାଲାଇଭ୍ ବ୍ୟୁରୋ

ଅବିଭକ୍ତ ମଧ୍ୟପ୍ରଦେଶର ଛୋଟନାଗପୁର ମାଳଭୂମିରୁ ବାହାରି ଓଡ଼ିଶାର ପାରଦୀପଠାରେ ବଙ୍ଗୋପସାଗରରେ ମିଶିଥିବା ମହାନଦୀ ରାଜ୍ୟବାସୀଙ୍କ ଜୀବନରେଖା ପାଲଟିଛି। ଏକଦା ଏହି ନଦୀ ଥିଲା ଓଡ଼ିଶାବାସୀଙ୍କ ପାଇଁ କାଳ।  ପ୍ରତିବର୍ଷ ମହାନଦୀରେ ବନ୍ୟା ଆସି ଲୋକଙ୍କ ଅନ୍ତସାର ଶୂନ୍ୟ କରିଦେଉଥିଲା। ଅଣମୌସୁମୀରେ ଜଳାଭାବରେ ଛଟପଟ ହେଉଥିଲେ ଲୋକେ। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ୧୯୫୬ ଡିସେମ୍ବର ୧୩ତାରିଖରେ ହୀରାକୁଦଠାରେ ମହାନଦୀରେ ବହୁମୁଖୀ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ପୃଥବୀର ଏହି ଦୀର୍ଘତମ ମାଟିବନ୍ଧ ଓଡ଼ିଶାବାସୀଙ୍କ ପାଇଁ ଏବେ ଗର୍ବ ଓ ଗୌରବ। ଏହି ପ୍ରକଳ୍ପକୁ ୬୧ବର୍ଷ ପୂରିଯାଇଛି। କିନ୍ତୁ ରହିଛି ଅନେକ ଦୁଃଖ।

ଉପଯୁକ୍ତ ରକ୍ଷାବେକ୍ଷଣ ଅଭାବରୁ ଜଳଭଣ୍ଡାରର ଜଳଧାରଣ କ୍ଷମତା ବେଳେକୁ ବେଳ ହ୍ରାସ ପାଇବାରେ ଲାଗିଛି। ଜଙ୍ଗଲ କ୍ଷୟ ଯୋଗୁଁ ମାଟି ଧୋଇହୋଇ ଜଳଭଣ୍ଡାର ପୋତି ହେବାରେ ଲାଗିଛି।  ତେଣେ ମହାନଦୀରେ ଛତିଶଗଡ଼ର ଦାଦାଗିରି ହୀରାକୁଦ ବନ୍ଧପାଇଁ ବିପଦର କାରଣ ପାଲଟିଛି। ୨୦୧୦ରୁ ୨୦୧୫ ମଧ୍ୟରେ ମହାନଦୀର ଉପରମୁଣ୍ଡରେ ମହାନଦୀ ଓ ତା’ର ଦୁଇ ଉପନଦୀରେ ଛତିଶଗଡ଼ ସରକାର ନିର୍ମାଣ କରିଛନ୍ତି ୬୦ରୁ ଅଧିକ ଛୋଟବଡ଼ ବ୍ୟାରେଜ ଓ ବନ୍ଧ। ପୂର୍ବପରି ଆଉ ହୀରାକୁଦକୁ ପାଣି ଆସୁନାହିଁ। ବିଶେଷ କରି ଛତିଶଗଡ଼ର ୭ଟି ବୃହତ୍ତ ବ୍ୟାରେଜ ହୀରାକୁଦର ସତ୍ତା ଲୋପ କରିଦେବ ବୋଲି ଏବେଠାରୁ ଆଶଙ୍କା କରାଗଲାଣି।

ଛତିଶଗଡ଼ର କନ୍ଦରପୁରଠାରେ ମହାନଦୀରେ କଲ୍‌ମା ବ୍ୟାରେଜ ହୀରାକୁଦ ପାଇଁ ସବୁଠାରୁ ଅଧିକ ଘାତକ ବୋଲି ବିବେଚନା କରାଯାଉଛି। ୨୦୧୬-୨୯୧୭ ଓ ୨୦୧୭-୨୦୧୮ ଆର୍ଥିକ ବର୍ଷର ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାର ଜଳଧାରଣ କ୍ଷମତା ଆଶାତୀତ ଭାବେ ହ୍ରାସ ପାଇଛି। ଆଗାମୀ ଦିନରେ ମହାନଦୀ ସେଚାଞ୍ଚଳର ୨ଲକ୍ଷ ୫୦ହଜାର ହେକ୍ଟର ଚାଷ ଜମି ଓ ୧୫ ଜିଲ୍ଲାର ଲୋକମାନେ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ଜଳନିୟନ୍ତ୍ରଣ ହୀରାକୁଦ ପାଇଁ ଶୁଭଙ୍କର ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Comment