ଓଡ଼ିଶାଲାଇଭ୍ ବ୍ୟୁରୋ

  ‘ଅଭିମାନ’ ଚଳଚ୍ଚିତ୍ର ଅନେକ ଓଡ଼ିଆ କଳାକାରଙ୍କ ପାଇଁ ଥିଲା ଭାଗ୍ୟୋଦୟ ଚଳଚ୍ଚିତ୍ର। ଏହା ଜରିଆରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ ଅନେକ କଳାକାର।

୧୯୭୭ ମସିହାରେ ମୁକ୍ତିଲାଭ କରିଥିବା “ଅଭିମାନ” ଏକ ଏଭଳି ଓଡ଼ିଆ ଚଳଚ୍ଚିତ୍ର, ଯାହା ମାଧ୍ୟମରେ ଓଡ଼ିଆ ସିନେ ଜଗତକୁ ମିଳିଥିଲେ ବେଶ୍ କେତେଜଣ ପ୍ରଚଣ୍ଡ ପ୍ରତିଭାଧର ବ୍ୟକ୍ତିତ୍ଵ ଏବଂ ଏମାନଙ୍କ ମଧ୍ୟରୁ କେତେ ସିନେ ବ୍ୟକ୍ତିତ୍ଵ ପରବର୍ତ୍ତୀ କାଳରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବେଶ୍ ପ୍ରତିଷ୍ଠା ଅର୍ଜନ କରିଛନ୍ତି।

ଗଣେଶ ପିକଚର୍ସ ବ୍ୟାନରରେ ନିର୍ମିତ “ଅଭିମାନ”ର ପ୍ରଯୋଜନା କରିଥିଲେ ଗଣେଶ ଚନ୍ଦ୍ର ଜୀଉ ଓ ସରସ୍ଵତୀ ଜୀଉ। ଯଦିଓ ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ପରବର୍ତ୍ତୀ କାଳରେ କୌଣସି ଓଡ଼ିଆ ଛବିର ନିର୍ମାଣ କରାଯାଇନାହିଁ, ତଥାପି, ‘ଅଭିମାନ’ ଭଳି ଏକ ସିନେମାର ପ୍ରଯୋଜନା କରିବା ସହ ନୂଆ କଳାକାର ଓ ଟେକନିସିଆନଙ୍କୁ ବ୍ରେକ୍ ଦେଇଥିବା ଯୋଗୁଁ  ପ୍ରଯୋଜକ ସର୍ବଦା ସ୍ମରଣୀୟ ହୋଇ ରହିବେ।

ସାଧୁ ମେହରଙ୍କୁ ଅଭିନେତାରୁ ନିର୍ଦ୍ଦେଶକ ହେବାର ସୁଯୋଗ ଦେଇଥିଲା ‘ଅଭିମାନ’। ଏହା ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା। ପରବର୍ତ୍ତୀ ସମୟରେ ସାଧୁ ମେହେର ‘ଅପରିଚିତା’, ‘ଅଭିଳାଷ’, ‘ବାବୁଲା’ ଏବଂ ‘ଗୋପରେ ବଢ଼ୁଛି କଳା କହ୍ନେଇ’ ଭଳି ଲୋକପ୍ରିୟ ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଅଭିନେତା ନିର୍ଦ୍ଦେଶକଙ୍କୁ ରାଜ୍ୟ ସରକାର ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାରରେ ସମ୍ମାନିତ କରିଛନ୍ତି।

ଠିକ୍ ସେହିପରି ‘ଅଭିମାନ’ ହିଁ ଉପହାର ଦେଇଥିଲା ନାୟକ ଉତ୍ତମ ମହାନ୍ତିଙ୍କୁ। ସେ ଏହି ଫିଲ୍ମ ଜରିଆରେ ଆକସ୍ମିକ ଭାବେ ଓଡ଼ିଆ ସିନେ ଜଗତରେ ପ୍ରବେଶ କରିଥିଲେ। ‘ଅଭିମାନ’ ରିଲିଜ ହେବା ପରେ ଉତ୍ତମଙ୍କୁ ମିଳିଥିଲା ଷ୍ଟାର ଷ୍ଟାଟସ। ତା’ ପରେ ସେ ଆଉ ପଛକୁ ଫେରିଚାହିଁନଥିଲେ। କହିବା ଅନାବଶ୍ୟକ ଉତ୍ତମ ମହାନ୍ତି ଅଶୀ ଦଶକରେ ଓଲିଉଡର ସୁପରଷ୍ଟାରର ଟାଇଟଲ ବି ଅର୍ଜନ କରିଥିଲେ। ସେ ୭୫୦ ରୁ ଅଧିକ ଓଡ଼ିଆ ଛବିରେ ଅଭିନୟ କରିଛନ୍ତି। ନାୟକ ପରେ ଚରିତ୍ର ଅଭିନୟକୁ ମଧ୍ୟ ଆଦରି ନେଇଥିବା ଉତ୍ତମ ମହାନ୍ତିଙ୍କୁ ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ଅବଦାନ ସକାଶେ ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ରେ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ‘ଅଭିମାନ’ ଫିଲ୍ମରୁ ରୀତା ଚାନ୍ଦ ମଧ୍ୟ ନାୟିକା ଭାବେ ଓଲିଉଡରେ ପ୍ରବେଶ କରିଥିଲେ।

କାହାଣୀକାର ଭାବେ ଓଲିଉଡରେ ଥିଲେ ପ୍ରଖ୍ୟାତ ନାଟ୍ୟକାର ଆନନ୍ଦ ଶଙ୍କର ଦାସ। ଏହାପରେ ନୂଆ ଇନିଂସ ଆରମ୍ଭ କରି ସେ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ “ଫୁଲ ଚନ୍ଦନ”ରେ କାହାଣୀ ଓ ସଂଳାପ ରଚନା କରିଥିଲେ। ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘ପରଦେଶୀ ଚଢ଼େଇ’ର କାହାଣୀକାର ମଧ୍ୟ ଥିଲେ ଆନନ୍ଦଶଙ୍କର ଦାସ। ଏଠାରେ ଉଲ୍ଲେଖଯୋଗ୍ୟ କି ସେ ‘ଅରୁନ୍ଧତି’ ୧୯୭୨ରୁ ସଂଳାପ ଲେଖକ ଭାବେ ଓଲିଉଡରେ ଏଣ୍ଟ୍ରି କରିଥିଲେ। ପୂର୍ବରୁ ଆକାଶବାଣୀର କମ୍ପୋଜର ଭାବେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିବା ମୟୂରଭଞ୍ଜ ମାଟିର ଦୁଇ ପ୍ରତିଭାବାନ ସ୍ଵରକାର ପ୍ରଥମ ଓ ଅନ୍ତିମଥର ଲାଗି ଯୁଗ୍ମ ଭାବେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ‘ଅଭିମାନ’ରେ। ଏ ଦୁଇ ସଙ୍ଗୀତ ନିର୍ଦ୍ଦେଶକ ହେଲେ ରାଧାକୃଷ୍ଣ ଭଞ୍ଜ ଓ ସରୋଜ ପଟ୍ଟନାୟକ। ପରଦାରେ ଏହି ଯୋଡ଼ିଙ୍କ ନାଁ ରାଧାକୃଷ୍ଣ- ସରୋଜ କୁମାର ଥିଲା। ଏ ଦୁଇ ସଙ୍ଗୀତ ସାଧକଙ୍କ ସ୍ଵର ସଂଯୋଜନାରେ ‘ଅଭିମାନ’ ହୋଇଥିଲା ମ୍ୟୁଜିକାଲ୍ ସୁପରହିଟ୍। ଏହି ଫିଲ୍ମର ଗୀତ ‘ଭସା ମେଘ ମୁଁ ଯେ ଭାସିଯାଏ ଦୂରେ….’, ‘ଚୁପି ଚୁପି ଗୋରୀ କାନି କହିଯାଏ….’,’ଚିକମିକ୍ ଚିକମିକ୍ ମୁଁ ଚିକିମିକିଆ ଯଉବନ ଜହ୍ନରାତି…, ‘କାହିଁଗଲେ ବନ୍ଧୁରେ ରାଧାରାଣୀ…’ ଆଦି ଆଜି ବି ଲୋକପ୍ରିୟ।

‘ଅଭିମାନ’ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଦେଇଥିଲା ଦୁଇଜଣ କଣ୍ଠଶିଳ୍ପୀଙ୍କୁ। ଏମାନଙ୍କ ମଧ୍ୟରୁ ଜଣେ ହେଲେ ଘନଶ୍ୟାମ ପଣ୍ଡା ଓ ଅନ୍ୟ ଜଣକ ସ୍ଵରୂପା ଚକ୍ରବର୍ତ୍ତୀ। ଏଥିରେ ଘନଶ୍ୟାମ ଗାଇଥିଲେ ‘କାହିଁଗଲେ ବନ୍ଧୁରେ….’ ଏବଂ ସ୍ଵରୂପାଙ୍କ କଣ୍ଠରେ ଥିବା ଗୀତଟି ହେଲା-‘ଚିକମିକ୍ ଚିକ୍‌ମିକ୍…’। ଖୁବକମ୍ ଲୋକ ଜାଣନ୍ତି ଯେ ଆଜିକାର ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ‘ଅଭିମାନ’ରେ ସାଧୁ ମେହେରଙ୍କ ନିର୍ଦ୍ଦେଶନା ସହକାରୀ ଭାବେ କାର୍ଯ୍ୟ କରି ଓଡ଼ିଆ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ହୋଇଥିଲେ।

Comment