ଓଡ଼ିଶାଲାଇଭ୍‌ ବ୍ୟୁରୋ

 ‘ସିନ୍ଦୂର’ ଟାଇଟଲର କ୍ରେଜ୍।  ଏହି ଶବ୍ଦକୁ ନେଇ ଜଳୁଛି ଯାତ୍ରାର ବହି।  ‘କାନିରେ ବାନ୍ଧିଲି ଶଙ୍ଖା ସିନ୍ଦୂର’,  ‘ସକାଳ ସିନ୍ଦୂର ସଞ୍ଜକୁ ନାହିଁ’, ‘ରାଧା ପିନ୍ଧିଦେଲା ମୀରା ସିନ୍ଦୂର’, ‘ସିନ୍ଦୂର କହିବ ସ୍ଵାମୀ କାହାର’ ଓ ‘ଦୁଃଖ ସିନ୍ଦୂରକୁ ଲୁହ ଅଳତା’, ‘ଫଟା କପାଳକୁ ଫିକା ସିନ୍ଦୂର’, ‘ସିନ୍ଦୂର କାନ୍ଦୁଛି ଓଢଣା ତଳେ’ ଓ ‘ସିନ୍ଦୂର ବିକୁଛି ସୁନ୍ଦରୀ ଝିଅ’- ଏଭଳି ଅନେକ ନାଟକ ବେଶ୍ ଚର୍ଚ୍ଚିତ ହୋଇଛି।

‘ସିନ୍ଦୂର’ ଏପରି ଏକ ଶବ୍ଦ ଯାହା ସହିତ ପ୍ରତ୍ୟେକ ହିନ୍ଦୁ ଭଲ ଭାବେ ପରିଚିତ। ବିଶେଷକରି ସଧବା ହିନ୍ଦୁ ନାରୀମାନଙ୍କ ପାଇଁ ଏହା ଅମୂଲ୍ୟ ସମ୍ପଦ। ଏକଥାକୁ ହୃଦୟଙ୍ଗମ କରି ସିନ୍ଦୂର ଶବ୍ଦ ସହ ଅନ୍ୟ ଶବ୍ଦ ଯୋଡ଼ି ନାଟ୍ୟକାରମାନେ ଯାତ୍ରା ନାଟକର ଶୀର୍ଷକ ରଖିଛନ୍ତି। ଖାଲି ସେତିକି ନୁହେଁ ଶୀର୍ଷକରେ ସିନ୍ଦୂର ଥିବା ଅଧିକାଂଶ ଯାତ୍ରା ନାଟକ ମଧ୍ୟ ବେଶ୍ ସଫଳତା ହାସଲ କରିଛି। କହିବା ବାହୁଲ୍ୟ ଯେ ଅଧିକାଂଶ ଏ ଧରଣର ନାଟକ ନାରୀକୈନ୍ଦ୍ରିକ।

ପ୍ରଥମେ ଆସନ୍ତୁ ଜାଣିବା କେଉଁ ଯାତ୍ରା ପାର୍ଟିମାନେ ଶୀର୍ଷକରେ ସିନ୍ଦୂର ଥିବା ନାଟକ ମଞ୍ଚସ୍ଥ କରିଛନ୍ତି। ଇଷ୍ଟର୍ଣ୍ଣ ଭାଓଲେଟର ଏକ ଚର୍ଚ୍ଚିତ ନାଟକ ହେଲା ଛାତିରେ ଲାଗିଛି କାହା ସିନ୍ଦୂର। ଠିକ୍ ସେହିପରି ମୁକ୍ତେଶ୍ଵର ଗଣନାଟ୍ୟ ପକ୍ଷରୁ ମଞ୍ଚସ୍ଥ ହୋଇଥିବା ଏକ ନାଟକର ଶୀର୍ଷକ ହେଲା ‘କାନିରେ ବାନ୍ଧିଲି ଶଙ୍ଖା ସିନ୍ଦୂର’। ଅନ୍ୟ ଯେଉଁ ଗଣନାଟ୍ୟ ପକ୍ଷରୁ ମଞ୍ଚସ୍ଥ ହୋଇଥିବା ଏହି ଧରଣର ନାଟକଗୁଡ଼ିକ ସୁପରହିଟ୍ ହୋଇଥିଲା, ସେଥିମଧ୍ୟରେ ରହିଛି ପାର୍ବତୀ ଗଣନାଟ୍ୟର କଳା ସିନ୍ଦୂର, ନିୟତି ଗଣନାଟ୍ୟର ସିନ୍ଦୂର ରଖିଛି ବଉଳ ପାଇଁ, ଅନ୍ନପୂର୍ଣ୍ଣା ଗଣନାଟ୍ୟର କଥା  କହିବ ମୋ ମଥା ସିନ୍ଦୂର, ତାରିଣୀ ଗଣନାଟ୍ୟର ସିନ୍ଦୂର ଖେଳୁଛି କଣ୍ଢେଇ ଖେଳ, ପଞ୍ଚସଖା ଗଣନାଟ୍ୟର ସିନ୍ଦୂର ଖେଳ, ଜଗନ୍ନାଥ ଅପେରାର ‘ଧଳା ସିନ୍ଦୂର’।

‘ଧଳା ସିନ୍ଦୂର’ ଏକ ସମ୍ପୂର୍ଣ୍ଣ ଭିନ୍ନ ସ୍ଵାଦର ଟାଇଟଲ୍ ଥିଲା । ଏହାର ନାଟ୍ୟକାର ହେଲେ ବିଚିତ୍ରାନନ୍ଦ ସାହୁ ଓ ସଚ୍ଚି ଦାସ ନିର୍ଦ୍ଦେଶନା ଦେଇଥିଲେ। ଏହି ନାଟକର ମୁଖ୍ୟ କଳାକାରମାନେ ହେଲେ ମହେନ୍ଦ୍ର ଦାସ, ବାପି ପଣ୍ଡା, ସୁବାସ ବେହେରା, ରଞ୍ଜିତା ମହାନ୍ତି, ଆରତୀ, ପହଲି ଓ ଟୁନି ପ୍ରମୁଖ।

ଠିକ ସେହିପରି ‘ସିନ୍ଦୂର ମୋ ପାଇଁ ଲକ୍ଷ୍ମଣ ରେଖା’ ହେଉଛି ଆଉ ଏକ ଭିନ୍ନ ଧରଣର ଯାତ୍ରା ନାଟକ, ଯାହାର ରଚୟିତା ହେଉଛନ୍ତି ହିମାଂଶୁ ସାମଲ ଏବଂ ନିର୍ଦ୍ଦେଶନା ଦେଇଥିଲେ ମୁକ୍ତିକାନ୍ତ ନାୟକ। ଏହାକୁ ବାଘା ଯତୀନ ଗଣନାଟ୍ୟ ମଞ୍ଚସ୍ଥ କରିଥିଲେ।

କୋଣାର୍କ ଗଣନାଟ୍ୟ ଦ୍ଵାରା ମଞ୍ଚସ୍ଥ ହୋଇଥିବା ସିନ୍ଦୂର ଶୀର୍ଷକ ଥିବା ଲୋକପ୍ରିୟ ନାଟକ ମଧ୍ୟରେ ରହିଛି ‘ସକାଳ ସିନ୍ଦୂର ସଞ୍ଜକୁ ନାହିଁ’, ‘ରାଧା ପିନ୍ଧିଦେଲା ମୀରା ସିନ୍ଦୂର’, ‘ସିନ୍ଦୂର କହିବ ସ୍ଵାମୀ କାହାର’ ଓ ‘ଦୁଃଖ ସିନ୍ଦୂରକୁ ଲୁହ ଅଳତା’। ଅନ୍ୟପକ୍ଷରେ କଳିଙ୍ଗ ଗଣନାଟ୍ୟର ‘ଫଟା କପାଳକୁ ଫିକା ସିନ୍ଦୂର’, ‘ସିନ୍ଦୂର କାନ୍ଦୁଛି ଓଢଣା ତଳେ’ ଓ ‘ସିନ୍ଦୂର ବିକୁଛି ସୁନ୍ଦରୀ ଝିଅ’ ଆଦି ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି।

ଜଣାଶୁଣା ଯାତ୍ରାନାଟ୍ୟକାର ତଥା ନିର୍ଦ୍ଦେଶକ ସନ୍ତୋଷ ନାରାୟଣ ଦାସଙ୍କ ତିନିଟି ନାଟକ ବେଶ୍ ଚର୍ଚ୍ଚାକୁ ଆସିଥିଲା। ଏଥିମଧ୍ୟରେ ରହିଛି ରାଧା ପିନ୍ଧି ଦେଲା ମୀରା ସିନ୍ଦୂର, ଯାହାର ନିର୍ଦ୍ଦେଶନା ଦେଇଥିଲେ ଅଶ୍ରୁମୋଚନ ମହାନ୍ତି। ‘ମୁଁ ପୋଛିଦେଲି ମୋ ଅପା ସିନ୍ଦୂର’ ଓ ‘ଛାତିରେ ଲାଗିଛି କାହା ସିନ୍ଦୂର’ ମଧ୍ୟ ହଟଚମଟ ସୃଷ୍ଟି କରିଥିଲା।

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୨୦୧୦ ଖଣ୍ଡଗିରି ମେଳାରେ, ଲଗାତର ଛଅ ରାତି ପ୍ରଦର୍ଶିତ ହୋଇଥିଲା ‘ସିନ୍ଦୂର ବିକୁଛି ସୁନ୍ଦରୀ ଝିଅ’। ଏହାକୁ ସବୁଠୁ ବଡ଼ ହିଟ୍ ସିନ୍ଦୂର ଶୀର୍ଷକର ନାଟକ ବୋଲି ବିବେଚନା କରାଯାଏ।

କିଶୋର ଖଣ୍ଡୁଆଙ୍କ ନିର୍ଦ୍ଦେଶିତ ‘ଟିକିଲି ଖୋଜୁଛି ନାଲି ସିନ୍ଦୂର’ ବି କେତେକ ସ୍ଥାନରେ କ୍ରମାଗତ ଭାବେ ଏକାଧିକ ରାତି ମଞ୍ଚସ୍ଥ ହେବାର ନଜିର ରହିଛି। ଏଥିରେ ସଞ୍ଜୟ ଭୋଳ, ବାପି ପଣ୍ଡା, ରୀନା ପଣ୍ଡା, ଜ୍ୟୋତ୍ସ୍ନାରାଣୀ ଭୂୟାଁ, ସରୋଜ, ଦୀପ୍ତି ଓ ରତି ପ୍ରମୁଖ ଅଭିନୟ କରିଥିଲେ। ହୃଷିକେଶ ଷଡଙ୍ଗୀ ରଚିତ ଏକ ନାଟକ ‘ଦୁଃଖ ସିନ୍ଦୂରକୁ ଲୁହ ସଳିତା’ର  ନିର୍ଦ୍ଦେଶନା ଦେଇ କିଶୋର ଖଣ୍ଡୁଆଳ ଚର୍ଚ୍ଚାକୁ ଆସିଥିଲେ। ଏହି ନାଟକର ମୁଖ୍ୟ କଳାକାରମାନେ ହେଲେ- ଦଇତ୍ୟାରି ପଣ୍ଡା, ଭୋଳାନାଥ ଲେଙ୍କା, ଶରତ, ମନ୍ଦାକିନୀ ଓ ରୀନା ପ୍ରମୁଖ।

ଏହାଛଡ଼ା ଅନ୍ୟ ଯେଉଁ ନାଟକଗୁଡ଼ିକ ଯାତ୍ରା ପ୍ରେମୀ ମହଲରେ ଆଲୋଡନ ସୃଷ୍ଟି କରିଥିଲା, ସେଥିରେ ରହିଛି ‘ହସୁଛି ସିନ୍ଦୂର କାନ୍ଦୁଛି ଶଙ୍ଖା’, ‘ରାମର ସିନ୍ଦୂର ଲକ୍ଷ୍ମଣ ରେଖା’, ‘ସିନ୍ଦୂର ଖେଳୁଛି ଚକାଭଉଁରୀ’, ‘ସିନ୍ଦୂର ଟୋପାକୁ ପାଟ ଓଢ଼ଣୀ’, ‘ଅଧା କରିଦେଲି ମଥା ସିନ୍ଦୂର’, ‘ସିନ୍ଦୂର ସାକ୍ଷୀ ଏଇ ମନ୍ଦିର ସାକ୍ଷୀ’ ଓ ‘ପିନ୍ଧିଲି ସିନ୍ଦୂର ଭାଙ୍ଗିଲି ଶଙ୍ଖା’ ଇତ୍ୟାଦି।

Comment