ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି

ଯେଉଁ ବୟସରେ ପିଲାମାନେ ଖେଳ କୁଦରେ ମାତିଥାନ୍ତି ସେହି ବୟସରେ ଭୂମିକା ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ବିଭିନ୍ନ ସଙ୍ଗୀତ ରିଅଲିଟି ସୋ’ରେ ଭାଗ ନେଇ ଟପ୍-୧୦ରେ ପହଞ୍ଚି ପାରିଛନ୍ତି ସେ । ଏବେ ଜଣେ ଲୋକପ୍ରିୟ ଗାୟିକା ହେବାର ସ୍ଵପ୍ନ ନେଇ ଆଗକୁ ବଢୁଛନ୍ତି ଭୂମିକା।

ମାମା ଯାହା କୁହନ୍ତି, ଅଢେଇ ବର୍ଷ ବୟସରୁ ମୁଁ ଟିଭି ଦେଖି ଗୁଣୁ ଗୁଣୁ ଗାଇବା ଆରମ୍ଭ କରିଦେଇଥିଲି। ମୋର ଏହି ପ୍ରକୃତି ଦେଖି ମାମା ଭାବିଲେ କି ମୋ ଭିତରେ ନିଶ୍ଚୟ ଗାଇବାର ଗୁଣ ଅଛି। ନହେଲେ ଟିଭିରେ କିଛି ବି ଗୀତ ହେଲେ ଗୁଣୁଗୁଣୁ ହେଉଛି କାହିଁକି? ଏହା ଭାବି ମାମା ମୋତେ ସେଇ ବୟସରେ ଘରପାଖ ସାଇ ନୃତ୍ୟ ସଙ୍ଗୀତ ମହାବିଦ୍ୟାଳୟରେ ଆଡମିସନ କରାଇ ଦେଇଥିଲେ। ଏହାଥିଲା ଦଶମ ଷ୍ଟାଣ୍ଡାର୍ଡର ଛାତ୍ରୀ ଭୂମିକା ରାୟଙ୍କ ମନକଥା।

ସମ୍ପ୍ରତି କେନ୍ଦ୍ରୀୟ ବିଦ୍ୟାଳୟ ବାଲେଶ୍ଵରରେ ପାଠ ପଢ଼ୁଥିବା ଭୂମିକା ପ୍ଲେ ବ୍ୟାକ୍ ସିଙ୍ଗର୍ ଭାବରେ ନିଜକୁ ତିଆରି କରିବାରେ ମଗ୍ନ। ବାଲେଶ୍ଵର ସହରରେ ୨୦୦୨ ମସିହା ଏପ୍ରିଲ୍ ୧୪ତାରିଖରେ ଜନ୍ମଗ୍ରହଣ କରିଥିବା ଭୂମିକା ଫକୀରମୋହନ କଲେଜରେ ଅଧ୍ୟାପନା କରୁଥିବା ବାପା ରଞ୍ଜନ କୁମାର ରାୟ ଓ ମାଆ ସୁସ୍ମିତାଙ୍କ ସହ ସହରର ଖପରାପଦା ଅଞ୍ଚଳରେ ବସବାସ କରନ୍ତି। ସଦ୍ୟ ସେ ଦଶମରେ ପରୀକ୍ଷା ଦେଇଥିବାରୁ ଘରେ ବିଛେଇ ହେଇ ପଡ଼ିଥାଏ ପଢ଼ାବହି ସବୁ। ତାଙ୍କ ଘରେ ପହଞ୍ଚିବା  ବେଳକୁ ଭୂମିକା ପ୍ରସ୍ତୁତ ଥାଆନ୍ତି ମୋର ସବୁ ପ୍ରଶ୍ନର ଉତ୍ତର ଦେବାକୁ।

ପ୍ରକୃତରେ ବାଲେଶ୍ଵର କନଭେଣ୍ଟ ସ୍କୁଲରେ ନର୍ସରୀ ପଢ଼ୁଥିବା ବେଳେ “ମିତରେ ମିତ” ଗୀତ  ଗାଇଥିବା କଥା ତାଙ୍କର ମନେ ଅଛି। ତା’ ପୂର୍ବରୁ କିଛି ମନେ ନାହିଁ। ସ୍କୁଲର ଏକ ସଙ୍ଗୀତ ପ୍ରତିଯୋଗିତାରେ ଏହି ଗୀତଟି ଗାଇ କୁନି ଭୁମିକା ବିଦ୍ୟାଳୟର ସମସ୍ତଙ୍କ ମନକୁ ଖୁସି କରେଇ ଦେଇଥିଲେ।

ଗୁରୁ ମନୋରଞ୍ଜନ ମହାନ୍ତି ଓ ଗୁରୁ ସତ୍ୟରଞ୍ଜନ ମହାନ୍ତିଙ୍କଠାରୁ ଓଡ଼ିଶୀ ଭୋକାଲର ଚତୁର୍ଥ ବର୍ଷର ଛାତ୍ରୀ ଭୂମିକା ସଙ୍ଗୀତ ଶିକ୍ଷା କରି ଆସୁଛନ୍ତି, ଅଢ଼େଇ ବର୍ଷ ବୟସରୁ। ସଙ୍ଗୀତ ଶିକ୍ଷା ଫଳରେ ସ୍ଵର କ’ଣ, ତାଳ କ’ଣ ବୁଝିଲେ ସେ। ଗାଇବା ବେଳେ ଜଣେ ଗାୟକ ସ୍ଵର ଅନୁସାରେ ବିଭିନ୍ନ ମଡ୍ୟୁଲେସ ସହ ଫିଲିଙ୍ଗସ ଦେଇ କେମିତି ଭଲରୁ ଭଲ ଗାଇ ହେବ, ସେ ବିଷୟରେ ଧ୍ୟାନ ଦେବା ଜରୁରୀ ବୋଲି ଏକ ପ୍ରଶ୍ନର ଉତ୍ତରରେ କହନ୍ତି ଭୂମିକା।

ପ୍ରଥମେ କନଭେଣ୍ଟ ସ୍କୁଲରେ ଷ୍ଟାଣ୍ଡାର୍ଡ ୧ରୁ ୬ ପର୍ଯ୍ୟନ୍ତ ପଢ଼ିବା ପରେ ଷ୍ଟାଣ୍ଡାର୍ଡ ୭ରୁ ଅଦ୍ୟାବଧି କେଭିରେ ପାଠ ପଢ଼ୁଛନ୍ତି ଭୂମିକା। କନଭେଣ୍ଟ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ବେଳେ ଭୂମିକାଙ୍କୁ ସବୁ ଶିକ୍ଷକ ଓ ସହପାଠୀମାନେ ଚିହ୍ନିଲେ ଯେ, ସେ ଭଲ ଗାଉଛି ବୋଲି। ପ୍ରଥମେ ସେ ଗୁରୁ ଦିବସରେ ଗୋଟେ ଗୀତ ଗାଇଲେ। ଏହି ଗୀତଟି ଗାଇବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ଜଣେ କୁନି ଗାୟିକା ଭାବେ ଗ୍ରହଣ କରିନେଲେ।

ପାଠପଢ଼ାରେ ଭଲ ନମ୍ବର ରଖୁଥିବା ହେତୁ ଭୂମିକା ଶ୍ରେଣୀରେ ମନିଟର୍ ହେଉଥିଲେ। ସୁତରାଂ ତାଙ୍କର ସହପାଠୀମାନେ ମଧ୍ୟ ତାଙ୍କୁ ସମର୍ଥନ ଓ ଭଲପାଇବା ଦେଉଥିଲେ। ଭୂମିକାଙ୍କ ବାପା ଚାହୁଁଥିଲେ ଝିଅ ସିବିଏସଇ ପାଟର୍ଣ୍ଣରେ ପଢ଼ିବେ। ତେଣୁ ଭୂମିକାଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟକୁ ଆସିବାକୁ ହେଲା। କେଭିରେ ଭର୍ତ୍ତି ହେବାର ଦୁଇଦିନ ପରେ ହିଁ ଏକେ ପାଢ଼ୀ ନାମରେ ଜଣେ ସଙ୍ଗୀତ ଶିକ୍ଷକ ଯୋଗ ଦେଲେ। ତାଙ୍କ ସହ ଦେଖାକଲେ ଭୂମିକା। ଓଡ଼ିଶୀ ଭୋକାଲରେ ଜଣେ ଗାୟିକା ତାଙ୍କ ସ୍କୁଲରେ ପଢ଼ୁଥିବା ଜାଣି, ଭୂମିକାଙ୍କଠାରୁ କେତୋଟି ଗୀତ ଶୁଣିଲେ ସେ। ଦିନେ ସେଇ ସାର୍ ‘ଶ୍ୟାମ ତେରେ ବଂଶୀ’ ଗୀତଟି ପ୍ରାକ୍ଟିସ୍ କରି ଆସିବାକୁ କହିଲେ ଭୂମିକାଙ୍କୁ। ସ୍କୁଲର ଏକ ପୋଗ୍ରାମରେ ପ୍ରଥମଥର ସୋଲୋ ଗାଇଲେ ଭୂମିକା। ଗୀତଟି ଏତେ ଚମତ୍କାର ଭାବରେ ଭୂମିକା ଗାଇଥିଲେ ଯେ, ସମସ୍ତେ ପ୍ରଶଂସାରେ ପୋତି ପକେଇଲେ। ଭୂମିକା ପୂରା ସ୍କୁଲରେ ଫେମସ୍ ହୋଇଗଲେ।

ସପ୍ତମରେ ପଢ଼ୁଥବା ବେଳେ ଏସଏସଟି ଏକଜିବିସନ୍ ହେଉଥିଲା ଭୁବନେଶ୍ଵରରେ। ଏଥିରେ ଗାଇବା ପାଇଁ ନିଜ ସ୍କୁଲରୁ ଯେଉଁ ଗ୍ରୁପ୍ ଯାଇଥିଲେ ସେହି ଗ୍ରୁପରେ ଭୂମିକାଙ୍କୁ ମଧ୍ୟ ନିଆଯାଇଥିଲା। ଅନ୍ୟ ସମସ୍ତଙ୍କଠାରୁ ଭଲ ଗୀତ ଗାଇ ଭୂମିକା ଲିଡ କଲେ। ତା’ପରେ ଜି-କଳିଙ୍ଗର ମ୍ୟୁଜିକ ମହାସଂଗ୍ରାମ ନାମ୍ ରିଅଲିଟି ସୋରେ ଭାଗ ନେବାର ସୁଯୋଗ ଆସିଲା। ଭୂମିକା ଏଥିରେ ଭାଗ ନେଲେ। ବାଲେଶ୍ଵରରେ ଅଡିସନ ଦେଲେ ଓ ସିଲେକ୍ଟ ହୋଇ ଭୁବନେଶ୍ଵରକୁ ଗଲେ ମେଗା ଅଡିସନ ପାଇଁ। ସେଥିରେ ବି ସିଲେକ୍ଟ ହେଲେ। ଏମିତି ହୋଇ ଟପ୍-୮ ପର୍ଯ୍ୟନ୍ତ ଯାଇଥିଲେ ଭୂମିକା। ଏହା ଯେହେତୁ ଡୁଏଟ୍ ଥିଲା, ଭୂମିକା ନିଜ ମାମୁଁ ପୁଅ ଭାଇ ଗୌରବ ଦାସ ସହିତ ଗାଇଥିଲେ ଏବଂ ଗୌରବ ଓ ଭୂମିକା ଯୋଡିକୁ ସମସ୍ତେ ପସନ୍ଦ କରିଥିଲେ।

‘ପ୍ରଥମ ରିଅଲିଟି ଶୋ’ରେ ଭାଗ ନେଇ ଅନେକ କଥା ଶିଖିଲି। ସ୍ବର ତ ଜାଣିଥିଲି। ଭଏସ୍ ମଡ୍ୟୁଲେସନ କ’ଣ ଜାଣିଲି। ବହୁତ ବଡ଼ ବଡ଼ ସିଙ୍ଗରଙ୍କ ସହ ଗାଇଲି। ଅଭିଜ୍ଞତା ହେଲା। ସମସ୍ତେ ଯେହେତୁ ମୋଠୁଁ ବଡ଼ ଥିଲେ, ମୁଁ ସାନ ଥିଲି, ସମସ୍ତେ ମୋତେ ବହୁତ ସ୍ନେହ ଆଦର କରୁଥିଲେ। ଟପ୍-୮କୁ ଯାଇ କଟିଯିବା ପରେ ମୁଁ କାନ୍ଦି ପକେଇଥିଲି।

ସବୁବେଳେ ପାଠ ପଢ଼ା ଭିତରେ ଥାଇ ମଧ୍ୟ ଭୂମିକା ଗାଇବା ଭଳି ଏକ ସାଧନାକୁ ଓହ୍ଲେଇ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରି
ଛନ୍ତି।

ରିଏଲିଟି ଶୋ’ର ଏକ ଚିହ୍ନାମୁହଁ ପାଲଟି ସାରିଥିବା ଭୂମିକା ଅଷ୍ଟମରେ ପଢ଼ୁଥିବା ବେଳେ ଜୀ-ସାର୍ଥକ ଚ୍ୟାନେଲରେ ‘ସାରେଗାମାପା ଲିଟିଲ୍ ଚାମ୍ପ’ ସିଜିନ୍-୧ ଆରମ୍ଭ ହୁଏ। ଏଥିରେ ଭାଗ ନେଇ ଭୂମିକା ଟପ୍ ୬ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖନ୍ତି। ତେବେ ଲିଟିଲ୍ ଚାମ୍ପ ହୋଇନପାରିବାର ଦୁଃଖ ସେ ଅନୁଭବ କରିଥିଲେ ସେଦିନ। ସାର୍ଥକ ପରେ ଭୂମିକା ପ୍ରାୟ ସବୁଆଡେ ପରିଚିତ ହୋଇଗଲେ। ଭୂମିକାଙ୍କୁ ଭଲ ଗାୟିକା ଭାବରେ ଗ୍ରହଣ କରିସାରିଥିଲା ସାରା ଓଡ଼ିଶା। କଟକ, ଭୁବନେଶ୍ଵର, କେନ୍ଦୁଝର ପ୍ରଭୃତି ସ୍ଥାନରୁ ଷ୍ଟେଜ୍ ସୋ କରିବା ପାଇଁ ଡାକରା ଆସେ ତାଙ୍କ ପାଖକୁ। ଏସବୁ ସ୍ଥାନକୁ ଯାଇଁ ଷ୍ଟେଜରେ ସୋଲୋ ଗାଇ ସଙ୍ଗୀତର ମୂର୍ଚ୍ଛନାରେ ଶ୍ରୋତାଙ୍କୁ ମତୁଆଲା କରିଥିବା ଭୂମିକା ପରବର୍ତ୍ତୀ ସମୟରେ ଜୀ-ଟିଭିର ସାରେଗାମାପା ଲିଟିଲ୍ ଚାମ୍ପ ପାଇଁ ନିଜକୁ ପ୍ରସ୍ତୁତ କଲେ। ଭୁବନେଶ୍ଵର ଅଡ଼ିସନରେ ସିଲେକ୍ଟ ହୋଇ କଲକତା ଗଲେ ଏବଂ କୋଲକତାରୁ ଉତ୍ତୀର୍ଣ୍ଣ ହୋଇ ମୁମ୍ବାଇ ଗଲେ।

ମୁମ୍ବାଇରେ ଭୂମିକା ଟପ୍ ୧୮ ପର୍ଯ୍ୟନ୍ତ ଗଲେ। ନେହା କକଡ, ଜାଭେଦ ଅଲ୍ଲୀ ଓ ହିମେଶ ରେଶମିଆ ତାଙ୍କର ଜଜ୍ ଥିଲେ। ଶତକଡ଼ା ୧୦୦ରେ ସିଲେକ୍ଟ ହୋଇ  ଲିଟିଲ୍ ଚାମ୍ପ ନ ହୋଇ ପାରିବାର ଦୁଃଖ ତା ଲାଗିଥିଲା, କିନ୍ତୁ ହିମେଶଙ୍କ କେତୋଟି କଥା ଭୂମିକାଙ୍କୁ ଆଶ୍ଵାସନା ଦେଇଥିଲା। ହିମେଶ କହିଥିଲେ, “ତମ ଭବିଷ୍ୟତ ବହୁତ ଉଜ୍ଜ୍ବଳ। ତମେ ଯେଉଁ ସ୍ଵପ୍ନ ଦେଖିକି ଆସିଥିଲ, ତାହା ଏ ମଞ୍ଚ ପୂରଣ କରିବ।”

ଜଣେ ଭଲ ପ୍ରଚ୍ଛଦପଟ ଗାୟିକା ଭାବେ ନିଜକୁ ପରିଚିତ କରିବାର ସ୍ଵପ୍ନ ଦେଖୁଥିବା ଭୂମିକା ପ୍ରଥମେ କିନ୍ତୁ ଜଣେ ଡାକ୍ତର ହେବେ। ସେଥିପାଇଁ ପାଠପଢ଼ାରେ ଅଧିକ ସିରିୟସ୍ ଲାଗନ୍ତି ସେ। ବର୍ତ୍ତମାନ ସେ ଦଶମର ପରୀକ୍ଷା ଦେଉଥିବା ଭୂମିକା ସଙ୍ଗୀତ ପ୍ରୋଗ୍ରାମକୁ ଯିବା କମେଇ ଦେଇଥିବା ବେଳେ ନିଜକୁ ପଢ଼ାରେ ଅଧିକ ମନଯୋଗୀ କରିଛନ୍ତି।

ଅଷ୍ଟମ ଓ ନବମ ଶ୍ରେଣୀ ପାଠପଢ଼ା ଭିତରେ ସଙ୍ଗୀତକୁ ନେଇ ତାଙ୍କର ଯେତିକି ସଫଳତା, ସେସବୁ ଭୂମିକା ପାଇଛନ୍ତି ମାନପତ୍ର ଓ ପୁରସ୍କାର। ବାଲେଶ୍ଵରର ନୌସ ପକ୍ଷରୁ କୋକିଳା ସମ୍ମାନ, କଟକର ବିରୂପା ମହୋତ୍ସବ, ବାଲେଶ୍ଵର ଷ୍ଟେଟବ୍ୟାଙ୍କ୍, ଇମାମୀ ଜଗନ୍ନାଥ ମନ୍ଦିର, ତ୍ରିଶକ୍ତି ଯୁବ ବିକାଶ ପରିଷଦ, ସୁଲଗ୍ନା ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ବିଭିନ୍ନ ପୁରସ୍କାର ପାଇଥିବା ଭୂମିକା ନିଜ ପ୍ରତିକ୍ରିୟାରେ କହନ୍ତି, ଏସବୁ ସମ୍ମାନ ମୋତେ ଖୁସି ତ ଦେଇଛି, ତା’ ଛଡ଼ା ମୋ ଭିତରେ ଆତ୍ମବିଶ୍ଵାସ ବଢେଇଛି। ଗୋଟିଏ ମଞ୍ଚରେ ମୋ ବାପାଙ୍କୁ ବି ମଞ୍ଚକୁ ଡକାଯାଇ ଥିବା ଘଟଣା ମୋତେ ଅତ୍ୟନ୍ତ ଆନନ୍ଦିତ କରିଥିଲା। କାରଣ ମୋ ପାପା ହିଁ ମୋର ପ୍ରେରଣା।”

ଫକୀର ମୋହନ ମହାବିଦ୍ୟାଳୟରେ ମ୍ୟାଥମେଟିକ୍ସରେ ଅଧ୍ୟାପକ ଥିବା ଭୂମିକାଙ୍କ ବାପା ରଞ୍ଜନ କୁମାର ଝିଅର ଏଇ ସ୍ଵତନ୍ତ୍ର ପରିଚୟରେ ବେଶ୍ ଗର୍ବ ଅନୁଭବ କରନ୍ତି। ଭୂମିକାଙ୍କ ଭାଷାରେ, “ମୋ ପାପା ଜଣେ ଗାୟକ। ସେ ବି ଗୀତ ଗାଆନ୍ତି। କିନ୍ତୁ ପ୍ରଫେସନାଲ ସିଙ୍ଗର ନୁହନ୍ତି। ମୋର ମନେ ଅଛି ସାନବେଳେ ପାପା ଗୀତ ଗାଇଲେ  ହିଁ ମୁଁ ଶୋଉଥିଲି। ଏମିତିକି ମୁଁ ଏ-ବି-ସି-ଡ଼ି ଶିଖିବା ବେଳେ ପାପା ମୋତେ ଗୀତ ଭଳି ଗାଇକି ଶିଖେଇଥିଲେ। ତାଙ୍କର ଏଇ ଗାଇବା ସ୍ଵଭାବଟି ମୋତେ ସାନବେଳୁ ବାଟ କଢ଼େଇ ଆଣିଛି।”

ବାପା ମାଆ ଉଭୟେ ହେଉଛନ୍ତି ଭୂମିକାଙ୍କ ପୃଥିବୀ। ତା’ ସହିତ ମିଶିଛି ସଙ୍ଗୀତର ସୁର-ଲୟ-ତାଳ। ଏମିତି ଏକ ପରିବାରର ଏକମାତ୍ର ଝିଅ ଭାବରେ ଜନ୍ମଗ୍ରହଣ କରିଥିବା ଭୂମିକା ନିଶ୍ଚିତ ଭାବେ ଆଗାମୀ ଦିନରେ ଜଣେ ସଫଳ ପ୍ଲେ ବ୍ୟାକ୍ ସିଙ୍ଗର ହେବ, ଏଥିରେ ଦ୍ଵିମତ ନାହିଁ।

ବର୍ତ୍ତମାନ ପରୀକ୍ଷା ପାଇଁ ସଙ୍ଗୀତ ରିଆଜ ସୁଦ୍ଧା କରିପାରୁନଥିବା ଭୂମିକାଙ୍କ ମତରେ, ଗାୟକ ପାଇଁ ପ୍ରତିଦିନ କିଛି ନା କିଛି ରିଆଜ୍ ଆବଶ୍ୟକ। ମୁଁ ପାଠପଢ଼ା ଚାପରେ କରିପାରୁନି ସତ କିନ୍ତୁ ତାରି ଭିତରେ ଗୁଣୁଗୁଣେଇ ଦେଉଛି ତ ରିଆଜ୍‌ ବି ହୋଇଯାଉଛି।”

ଭୂମିକାଙ୍କ ପ୍ରଥମ ରୋଜଗାର ସମ୍ପର୍କରେ ପଚାରିଲେ ସେ କହନ୍ତି “ମୁଁ ଗୁରୁ ଶ୍ରୀ ସତ୍ୟରଞ୍ଜନ ମହାନ୍ତିଙ୍କ ସହିତ ଗୋଟିଏ ପ୍ରୋଗ୍ରାମ କରି ଜଣେ ଶ୍ରୋତାଙ୍କ ଠାରୁ ୫୫ଟଙ୍କା ପାଇଥିଲି। ବହୁତ ଖୁସି  ଲାଗିଥିଲା।

ତେବେ ଗୀତ ଗାଇବା ପାଇଁ ଅଦ୍ୟାବଧି କୌଣସି ବିଧିବଦ୍ଧ ପେମେଣ୍ଟ ନେଉନଥିବା ଭୂମିକା ଆୟୋଜକମାନେ ଯେତିକି ଦିଅନ୍ତି ସେତିକି ହିଁ ଗ୍ରହଣ କରିନିଏ। କାରଣ ଏବେ ମୋର ବୟସ କମ। ମୁଁ ଏବେ ବି ଶିଖୁଛି। ଏଣୁ ସେ ସମୟ ଆସିନି ଯେ ମୁଁ ଡିମାଣ୍ଡ୍ କରିବି।”

ସପ୍ତମ ଶ୍ରେଣୀ ବୟସରୁ ଆକାଶବାଣୀ, କଟକ କେନ୍ଦ୍ରର ଜଣେ ସ୍ଵୀକୃତିପ୍ରାପ୍ତ ଶିଶୁ କଳାକାର ଭାବେ ମନୋନୀତ ହୋଇଥିବା ଭୂମିକା ରେଡିଓ ପାଇ ତିନୋଟି ଗୀତ ଗାଇଛନ୍ତି।

ଭୂମିକା କୁହନ୍ତି, “ସଙ୍ଗୀତ ବିନା ମୁଁ ବଞ୍ଚି ହିଁ ପାରିବିନି । ସଙ୍ଗୀତ ମୋ ପାଇଁ ଜୀବନ। ଏକ ଫିଲିଙ୍ଗ୍। ଏମିତି ଗୋଟେ ମୁହୂର୍ତ୍ତ ନାହିଁ, ଯେତେବେଳେ କି ଗୁଣୁଗୁଣୋଉ ନଥାଏ।

ସଙ୍ଗୀତକୁ ସୋଲମେଟ୍ କରି ସାରିଥିବା ଏଇ କୁନି ଗାୟିକାଟି ପାଖରୁ ବାଲ୍ୟ ଚପଳତା ଏବେ ବିଦାୟ ମାଗିନି। ସେ ସେମିତି କୁନିଟେ ହେଇ ବଡ଼ ଗାୟିକା ହେଉ।

 

 

1 COMMENT

Comment