ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଭିନ୍ନ ଦାବି ପୂରଣ ନେଇ ଲଗାତାର ଷଷ୍ଠ ଦିନରେ ପହଞ୍ଚିଛି ମହାରାଷ୍ଟ୍ରର ଚାଷୀ ଆନ୍ଦୋଳନ। ସେହିପରି ସୋମବାରଠାରୁ ପ୍ରାଇସ୍ ,ପ୍ରେସଟିଜ୍ ଓ ପେନସନ୍ ଦାବିରେ ଭୁବନେଶ୍ଵରରେ ଗର୍ଜିଛନ୍ତି ଚାଷୀ।

ଦେଶର ପେଟ ଭରୁଥିବା ଅନ୍ନଦାତା ପୁଣିଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ମହାରାଷ୍ଟ୍ରର ପାଖାପାଖି ୪୦ହଜାର ଚାଷୀ ୨୦୦ କିଲୋମିଟର ପଦଯାତ୍ରାରେ ବାହାରି ମୁମ୍ବାଇରେ ପହଞ୍ଚିଛନ୍ତି। କିନ୍ତୁ ସେମାନଙ୍କ ଡ଼ାକ ଶୁଣିବାକୁ ସରକାର ପ୍ରସ୍ତୁତ ନାହାନ୍ତି।

ଦେଶର ୯କୋଟି କୃଷକ ପରିବାର ଅଛନ୍ତି। ସେଥିମଧ୍ୟରୁ ୬.୩କୋଟି ପରିବାର କରଜରେ ଡ଼ୁବି ହୋଇପଡ଼ିଛନ୍ତି। ଏହି କାରଣରୁ ୧୯୯୫ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪ଲକ୍ଷ କୃଷକ ଆତ୍ମହତ୍ୟା କରିସାରିଲେଣି। ଏଥିମଧ୍ୟରୁ ୭୬ହଜାର କୃଷକ କେବଳ ମହାରାଷ୍ଟ୍ରର। କ୍ଷେତ ସହ ଜଡ଼ିତ ସବଠୁ ଅଧିକ ସମସ୍ୟା ଏହି ରାଜ୍ୟରେ ଦେଖିବାକୁ ମିଳେ।

କେବଳ ମହାରାଷ୍ଟ୍ରରେ ନୁହେଁ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ବିହାର, ଉତ୍ତରପ୍ରଦେଶ, ଛତିଶଗଡ, ଓଡ଼ିଶା ଓ ଝାଡଖଣ୍ଡ ଭଳି ରାଜ୍ୟରେ ମଧ୍ୟ ଚାଷୀ ଆତ୍ମହତ୍ୟା କରୁଛନ୍ତି। ୨୦୧୭ରେ ଏହିସବୁ ରାଜ୍ୟରେ ସର୍ବାଧିକ ଚାଷୀ ଆତ୍ମହତ୍ୟା କରିଥିବାର ଦେଖାଯାଏ।

ଦେଶ ରାଜନୀତିରେ କୃଷକଙ୍କ ମୁଖ୍ୟ ଭୂମିକା ରହିଛି। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୭୦ ପ୍ରତିଶତ କୃଷକ କ୍ଷେତରେ ଚାଷ କରନ୍ତି। ପ୍ରତ୍ୟେକ ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କୃଷକଙ୍କ କରଜ ଛାଡ଼ କରିବା କଥା କୁହାଯାଏ। କିନ୍ତୁ ନିର୍ବାଚନ ଶେଷ ହେବା ପରେ ଏହା ଉପରେ ବିଶେଷ ଧ୍ୟାନ ଦିଆଯାଇନଥାଏ। ଯାହାଦ୍ଵାରା କୃଷକମାନେ ରାଜ ରାସ୍ତାରେ ଆନ୍ଦୋଳନ ପାଇଁ ଆସିବାକୁ ବାଧ୍ୟ ହୁଅନ୍ତି।

ନ୍ୟାସନାଲ୍ କ୍ରାଇମ୍ ରେକର୍ଡ୍ସ ବ୍ୟୁରୋ(ଏନସିଆରବି) ରିପୋର୍ଟ ମୁତାବକ କରଜ ସୁଝିନପାରି ଜୀବନ ହାରୁଥିବା ଚାଷୀଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଉଛି।

ଗତ ୧୦ବର୍ଷ (୨୦୦୫ରୁ ୨୦୧୫ ପର୍ଯ୍ୟନ୍ତ) ରେକର୍ଡ ଉପରେ ଯଦି ନଜର ପକାଯାଏ ତେବେ ଦେଶରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୧.୪ରୁ ୧.୮ କୃଷକ ଆତ୍ମହତ୍ୟା କରୁଛନ୍ତି।

ମହାରାଷ୍ଟ୍ରରେ ଚାଲିଛି ବିରାଟ ଚାଷୀ ଆନ୍ଦୋଳନ। ପ୍ରତିଶ୍ରୁତି ପାଳନରେ ବିଫଳ ମହାରାଷ୍ଟ୍ର ସରକାର। କାହିଁକି ପାଳନ ହେଉନି ସ୍ୱାମୀନାଥନ କମିଟି ରିପୋର୍ଟ? କିଛି ଏଭଳି ନାରା ଦେଇ ମହାରାଷ୍ଟ୍ରରେ ନିର୍ଣ୍ଣାୟକ ଲଢେଇ ଆରମ୍ଭ କରିଛନ୍ତି ଚାଷୀ। ସମ୍ପୂର୍ଣ୍ଣ ଋଣଛାଡ ଏବଂ ଅନ୍ୟ ଦାବି ସହ ମହାରାଷ୍ଟ୍ର ବିଧାନସଭା ଘେରିବେ ୪୦ ହଜାର ଚାଷୀ । ଗତ ବୁଧବାର ଦିନ ଏହି ରାଲି ନାସିକରୁ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଦିନ ଚାଷୀମାନେ ୩୦ କିମି ଚାଲି ନାସିକରୁ ମୁମ୍ବାଇ ୧୮୦ କିମି ରାସ୍ତା ଅତିକ୍ରମ କରିଛନ୍ତି।

“ଚାଷୀଙ୍କ ଦାବି ହେଉଛି ସମ୍ପୂର୍ଣ୍ଣ ଋଣ ଛାଡ କରିବା । ଏଥିସହ ବକେୟା ବିଜୁଳି ବିଲ୍ ଛାଡ କରାଯିବା ସହ ସ୍ୱାମୀନାଥନ କମିଟି ରିପୋର୍ଟକୁ ଲାଗୁ କରିବା ମଧ୍ୟ ଚାଷୀଙ୍କର ଦାବି ରହିଛି। ବିଜେପି ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି। ବିକାଶ, ରାଜରାସ୍ତା ଓ ବୁଲେଟ ଟ୍ରେନ ନାଁରେ ଚାଷୀଙ୍କ ଠାରୁ ଜବରଦସ୍ତ ଜମି ଅଧିଗ୍ରହଣ କରିବା ବନ୍ଦ କରାଯାଉ। ଆନ୍ଦୋଳନରତ କୃଷକମାନଙ୍କ ଆଉ ଏହିସବୁ ବଡ଼ ଡିମାଣ୍ଡଗୁଡ଼ିକ ପୂରଣ କରାଗଲେ ସେମାନଙ୍କ ସ୍ଥିତିରେ ସୁଧାର ଆସିବ”, କହିଛନ୍ତି ଅଲ୍ ଇଣ୍ଡିଆ କିଷାନ୍ ସଭାର ଜଣେ ନେତା।

ସେହିପରି ଭୁବନେଶ୍ଵରରେ ପ୍ରାଇସ୍ ,ପ୍ରେସଟିଜ୍ ଓ ପେନସନ୍ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଲିଛି ଅନଶନ । କୃଷକମାନଙ୍କ ପାଇଁ ପେନସନ ଓ ଉତ୍ପାଦିତ କୃଷି ଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ଦାବି କରି ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନକୁ ଓହ୍ଲାଇଛି ସଂଗଠନ। କୃଷକମାନେ ବାରମ୍ବାର ନ୍ୟାଯ୍ୟ ଦାବି କରି ଆସୁଥିଲେ ମଧ୍ୟ ସରକାର ଏହାକୁ ଅଣଦେଖା କରିଆସୁଥିବା କୃଷକ ନେତା ଅଭିଯୋଗ କରିଛନ୍ତି। ତେଣୁ ସରକାର ତୁରନ୍ତ ଚାଷୀଙ୍କ ଦାବି ପୂରଣ କରିବା ପାଇଁ ଦାବି କରିଛନ୍ତି ନଚେତ୍ ଆଗାମୀ ଦିନରେ ଏହି ଆନ୍ଦୋଳନ ଉଗ୍ର ରୂପ ନେବ ବୋଲି ଚେତାବନୀ ଦେଇକ୍ତି ସଂଗଠନ।

“ଆମେ ଏବେ ବଡ଼ ଦାବି କରୁନୁ ଯେ, ଯାହା ସରକାର ପୂରଣ କରିପାରିବେ ନାହିଁ। କୃଷକଙ୍କ ସହ ଜଡ଼ିତ ପ୍ରଶ୍ନଗୁଡିକର ଉତ୍ତର ସରକାର ଦେବା ଉଚିତ୍। କୃଷକମାନେ ଆଉ ଯେଭଳି ରାଜ ରାସ୍ତାକୁ ନ ଓହ୍ଲାଇବେ ସେଥିପାଇଁ ସରକାର ପଦକ୍ଷେପ ନେବା ଜରୁରୀ”, କହିଛନ୍ତି ଆନ୍ଦୋଳନରତ କୃଷକ।

Comment