ଓଡ଼ିଶାଲାଇଭ୍ ବ୍ୟୁରୋ

  • ଚାରି ବର୍ଷ ହେଲା ମୋଦିଙ୍କ ବିରୋଧରେ ସ୍ୱର ଉଠାଉଥିଲେ
  • ଦଳ ଛାଡ଼ିବା ପରେ ବି କଲେ ଟାର୍ଗେଟ୍
  • କହିଲେ, “ବିପଦରେ ଗଣତନ୍ତ୍ର”
  • ବଜେଟ୍ ଅଧିବେଶନ ନଚଲାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ ସରକାର

ବିଜେପି ଛାଡ଼ିଛନ୍ତି ବରିଷ୍ଠ ନେତା ଯଶୋବନ୍ତ ସିହ୍ନା। ଚାରି ବର୍ଷ ହେଲା ବିଜେପି ସଭାପତି ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସ୍ୱର ଉଠାଇ ଆସୁଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସିହ୍ନା ଅର୍ଥ, ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ।

ଦଳ ଛାଡ଼ିବା ନେଇ ଯଶୋବନ୍ତ ସିହ୍ନା ଘୋଷଣା କରିବା ପରେ ବିଜେପି ତାଙ୍କୁ କଡ଼ା ସମାଲୋଚନା କରିଛି। ବିରୋଧୀ କଂଗ୍ରେସ ଭଳି ସେ ଦଳରେ ରହି ଦଳ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରୁଥିଲେ ବୋଲି ବିଜେପି କହିଛି। ଏପଟେ ବିଜେପି ଛାଡ଼ିବା ପରେ ଯଶୋବନ୍ତ ସିହ୍ନା ପୁଣି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ଦେଶର ଖରାପ ଚାହୁଁଥିବା ଲୋକଙ୍କୁ କରିଦେବି ବର୍‌ବାଦ: ଯଶୋବନ୍ତ

ଶନିବାର ଦିନ ଯଶୋବନ୍ତ ସିହ୍ନା ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଜେପି ସହ ସେ ସମସ୍ତ ସମ୍ପର୍କ ତୁଟାଉଛନ୍ତି ବୋଲି କହିଥିଲେ। ଖାଲି ସେତିକି ନୁହେଁ, ଦେଶ ପାଇଁ ଖରାପ ସ୍ଥିତି ସୃଷ୍ଟି କରୁଥିବା ଲୋକଙ୍କୁ ସେ ବରବାଦ୍ କରିଦେବେ ବୋଲି କହିଛନ୍ତି।

ଯଶୋବନ୍ତ ସିହ୍ନା କହିଛନ୍ତି, “୨୦୧୪ ନିର୍ବାଚନ ପରେ କିଛି ଲୋକ ଭାବୁଥିଲେ ଯେ ମୁଁ ନୀରବ ହୋଇଯିବି। ହେଲେ ଆଜି କହୁଛି ମୁଁ ଚୁପ୍ ରହିବିନି। ଦେଶ ପାଇଁ ଆଜି ବି ମୋ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଯେ ପର୍ଯ୍ୟନ୍ତ ଦେଶରେ ଅସୁବିଧା ରହିଛି ସେ ପର୍ଯ୍ୟନ୍ତ ମୁଁ ଶାନ୍ତିରେ ବସି ପାରିବି ନାହିଁ।”

ବିପଦରେ ଗଣତନ୍ତ୍ର

ଦେଶର ଗଣତନ୍ତ୍ର ଆଜି ବିପଦରେ ପଡ଼ିଛି। ଚଳିତ ବଜେଟ୍ ଅଧିବେଶନକୁ ସୁରୁଖୁରୁରେ ନଚଲାଇବା ପାଇଁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରିଥିଲେ। ସଂସଦକୁ ଠିକ୍ ଢଙ୍ଗରେ ଚଲାଇବା ପାଇଁ ପ୍ରଧାନମନ୍ତ୍ରୀ କାହିଁକି ବିରୋଧୀ ଦଳର ସଦସ୍ୟଙ୍କ ସହ ଆଲୋଚନା କଲେନାହିଁ ବୋଲି ଯଶୋବନ୍ତ ସିହ୍ନା ପ୍ରଶ୍ନ କରିଛନ୍ତି। ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ସଂସଦରେ ଆଗତ ହୋଇ ନପାରିବାରୁ ସରକାର ଖୁସି ଅଛନ୍ତି। ଏସବୁ କାରଣ ପାଇଁ ସଂସଦ ଠିକ୍ ଭାବେ ଚାଲୁ ବୋଲି ସରକାର ଚାହୁଁ ନଥିଲେ।

ସୁପ୍ରିମକୋର୍ଟ ଓ ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠାଇଲେ

ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଭାରତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି ଯଶୋବନ୍ତ ସିହ୍ନା। ଦେଶର ନ୍ୟାୟପାଳିକା ଏବଂ ନିର୍ବାଚନ କମିଶନ ଚାପମୁକ୍ତ ନୁହନ୍ତି ବୋଲି ସେ କହିଛନ୍ତି। ସୁପ୍ରିମକୋର୍ଟର ଚାରି ଜଣ ବରିଷ୍ଠ ବିଚାରପତି ସୁପ୍ରିମକୋର୍ଟ ପ୍ରଶାସନ ଉପରେ ଆଙ୍ଗୁଳି ଉଠାଇବା ଘଟଣା ସ୍ପଷ୍ଟ କରୁଛି ଯେ ନ୍ୟାୟପାଳିକା କିଛି ଠିକ୍‌ଠାକ୍‌ ଚାଲିନି। ସେହିପରି ନିର୍ବାଚନ କମିଶନ ବି ଚାପମୁକ୍ତ ନୁହନ୍ତି। ହିମାଚଳ ପ୍ରଦେଶ ନିର୍ବାଚନ ବେଳେ ନିର୍ବାଚନ କମିଶନ ଚାହିଁଥିଲେ ଗୁଜୁରାଟ ବିଧାନସଭା ନିର୍ବାଚନ କରିପାରି ଥାନ୍ତେ। ଯଦି ଦୁଇଟି ରାଜ୍ୟର ନିର୍ବାଚନ ଏକାଠି ହୋଇଥାନ୍ତା ତାହାଲେ ବିଜେପି ଗୁଜୁରାଟରେ ପରାଜିତ ହୋଇଥାନ୍ତା।

Comment