ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୂଚନା ଓ ଲୋକସମ୍ପର୍କ ବିଭାଗ ସୌଜନ୍ୟରୁ ପ୍ରାପ୍ତ ପ୍ରେସନୋଟ

ଗ୍ରାମ୍ୟ ଉନ୍ନୟନ ବିଭାଗ ଗ୍ରାମାଞ୍ଚଳରେ ଥିବା ନିର୍ଦ୍ଦିଷ୍ଟ କିଛି ଗ୍ରାମ୍ୟ ରାସ୍ତା, ସେତୁ ଏବଂ ସରକାରୀ କୋଠାବାଡ଼ିର ନିର୍ମାଣ ତଥା ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ କରୁଅଛି।

୧. ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା

ରାଜ୍ୟ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ବା ଅନ୍ୟ କୌଣସି ଯୋଜନାରେ ରାସ୍ତା ଦ୍ୱାରା ସଂଯୋଗ ହୋଇ ନପାରୁଥିବା ଗ୍ରାମଗୁଡ଼ିକୁ ଉନ୍ନତମାନର ସବୁଦିନିଆ ରାସ୍ତା ଯୋଗାଇ ଦେବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ୨୦୧୪-୧୫ରୁ କାର୍ଯ୍ୟକାରୀ କରାଯାଇଅଛି।

ଏହି ଯୋଜନାରେ ଅଦ୍ୟାବଧି ୮୨୦ କୋଟି ୪୫ ଲକ୍ଷ ଟଙ୍କା ବିନିଯୋଗ କରାଯାଇଅଛି ଏବଂ ଉକ୍ତ ସମୟ ମଧ୍ୟରେ ୧୨୫୪ କି.ମି. ରାସ୍ତାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ୩୦୩ ଗୋଟି ଗ୍ରାମକୁ ସବୁଦିନିଆ ରାସ୍ତା ଦ୍ୱାରା ସଂଯୋଗ କରାଯାଇଅଛି।

ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାରେ ୩୭୫ଟି ଗ୍ରାମକୁ ସଂଯୋଗ କରିବା ପାଇଁ ନୂତନ ଭାବେ ୩୨୦ଟି ରାସ୍ତା ନିର୍ମାଣ ନିମନ୍ତେ ୭୦୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ପୂର୍ବ ବର୍ଷରୁ ଚାଲୁ ରହିଥିବା ପ୍ରକଳ୍ପ ସହିତ ନୂତନ ଭାବେ ହାତକୁ ନିଆଯାଉଥିବା ରାସ୍ତା ମଧ୍ୟରୁ ଚଳିତ ଆର୍ଥିକ ବର୍ଷରେ ସମୁଦାୟ ୫୫୧ କୋଟି ଟଙ୍କା ବିନିମୟରେ ୩୭୨ଟି ରାସ୍ତା (୧୨୮୫ କି.ମି.) ନିର୍ମାଣ କରି ୪୩୪ଟି ଗାଁକୁ ସବୁଦିନିଆ ରାସ୍ତା ଯୋଗାଇ ଦେବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

୨. ବିଜୁ ସେତୁ ଯୋଜନା

ସେତୁ ନିର୍ମାଣ କ୍ଷେତ୍ରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ବିଜୁ ସେତୁ ଯୋଜନା ମାଧ୍ୟମରେ ବିଗତ ୨୦୧୧-୧୨ ଆର୍ଥିକ ବର୍ଷରୁ ୧୦୩୨ଟି ସେତୁର ନିର୍ମାଣ କାର୍ଯ୍ୟ ହାତକୁ ନେଇଛନ୍ତି। ଅଦ୍ୟାବଧି ଉକ୍ତ ସେତୁ ମଧ୍ୟରୁ ୫୮୪ ଗୋଟି ସେତୁ ନିର୍ମାଣ କାର୍ଯ୍ୟ ୧୬୧୦ କୋଟି ୭୯ ଲକ୍ଷ ଟଙ୍କା ବିନିଯୋଗ କରାଯାଇ ସମ୍ପୂର୍ଣ୍ଣ କରାଯାଇଅଛି।

ବିଗତ ଚାରିବର୍ଷରେ ଏହି ଯୋଜନାରେ ସମୁଦାୟ ୧୪୨୮ କୋଟି ଟଙ୍କା ବିନିମୟରେ ୪୬୪ଟି ସେତୁ ନିର୍ମାଣ କରାଯାଇଛି।

ଚଳିତ ଆର୍ଥିକ ବର୍ଷରେ ୨୫୦ଟି ନୂତନ ସେତୁ ହାତକୁ ନିଆଯିବା ପାଇଁ ପ୍ରସ୍ତାବ ଅଛି। ପୂର୍ବ ବର୍ଷରୁ ଚାଲୁରହିଥିବା ପ୍ରକଳ୍ପ ସହିତ ନୂତନ ଭାବେ ହାତକୁ ନିଆଯାଉଥିବା ସେତୁ ମଧ୍ୟରୁ ଚଳିତ ଆର୍ଥିକ ବର୍ଷରେ ସମୁଦାୟ ୬୫୦ କୋଟି ଟଙ୍କା ବିନିମୟରେ ୧୫୦ଟି ସେତୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ବିଜୁ ସେତୁ ଯୋଜନା ସମେତ ଅନ୍ୟାନ୍ୟ ଯୋଜନାରେ ବର୍ଷକୁ ହାରାହାରି ୨୦୦ରୁ ଊର୍ଦ୍ଧ୍ବ ସେତୁ ନିର୍ମାଣ କରି ରାଜ୍ୟ ସରକାର ସେତୁ ନିର୍ମାଣ କ୍ଷେତ୍ରରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି।

୩. ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ବିଗତ ୧୮ ବର୍ଷରେ ପ୍ରାୟ ୧୯୬୧୮ କୋଟି ଟଙ୍କା ବିନିଯୋଗ କରାଯାଇ ରାଜ୍ୟରେ ୧୬୧୩୩ ଗ୍ରାମ ପାଇଁ ୪୬୯୭୩ କି.ମି. ଉନ୍ନତମାନର ସବୁଦିନିଆ ରାସ୍ତା ନିର୍ମାଣ କରାଯାଇଅଛି। ରାଜ୍ୟ ସରକାର ଏହି ଯୋଜନା ପାଇଁ ଅଦ୍ୟାବଧି ମୋଟ ୩୯୫୮ କୋଟି ୭ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି।

ବିଗତ ଚାରିବର୍ଷରେ ଏହି ଯୋଜନାରେ ୮୧୪୩ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୨୧୦୪୯ କି.ମି. ରାସ୍ତା ନିର୍ମାଣ କରାଯାଇ ୬୦୩୦ ଗ୍ରାମକୁ ସବୁଦିନିଆ ରାସ୍ତା ଦ୍ୱାରା ସଂଯୋଗ କରାଯାଇଛି।

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଓଡ଼ିଶା କ୍ରମାଗତ ଭାବେ ସଫଳତା ହାସଲ କରିଆସୁଅଛି। ୨୦୧୬-୧୭ ମସିହାରେ ୫୭୯୭ କିଲୋମିଟର ରାସ୍ତା ନିର୍ମାଣ କରି ସର୍ବଭାରତ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ, ୨୦୧୭-୧୮ରେ ୭୧୭୬ କିଲୋମିଟର ରାସ୍ତା ନିର୍ମାଣ କରି ପ୍ରଥମ ସ୍ଥାନ ଅଧିକାର କରିଅଛି।

ଚଳିତ ଆର୍ଥିକ ବର୍ଷରେ ସମୁଦାୟ ୪୧୬୬କୋଟି ୬୭ ଲକ୍ଷ ଟଙ୍କା ବିନିମୟରେ ୮୦୦୦ କି.ମି. ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ୨୫୦୦ ଟି ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣର ଲକ୍ଷ୍ୟ ରଖାଯାଇଛି।

୪. ଗ୍ରାମାଞ୍ଚଳ କୋଠାବାଡ଼ି ନିର୍ମାଣ

ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ୟ ବିଭାଗର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ କୋଠାବାଡ଼ି ଗତ ୪ ବର୍ଷରେ ନିର୍ମାଣ କରିଛନ୍ତି। ସେଥି ମଧ୍ୟରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପାଇଁ ୧୭୫ଟି ଆଦର୍ଶ ବିଦ୍ୟାଳୟ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ୯ ଗୋଟି ତହସିଲ କାର୍ଯ୍ୟାଳୟ, ୨୯୬ଗୋଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୧୫୦୩ ଗୋଟି PHC, CHC, Sub-Centre, ଆୟୁର୍ବେଦିକ୍ ଓ ହୋମିଓପାଥି ଡିସପେନସେରୀ, ୪ ଗୋଟି ୩୦ beded Mother and Child Hospitalର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଅଛି। ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପାଇଁ ୫ ଗୋଟି ଆଇ.ଟି.ଆଇ ଓ ଗୋଟିଏ Polytechnicର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଅଛି।

ସମବାୟ ବିଭାଗ ପାଇଁ ବିଗତ ୪ ବର୍ଷରେ ୧୭୫ଟି ୩୦୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଗୋଦାମ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଅଛି। Revenue & Disaster Management Deptt ଅଧିନରେ ଥିବା OSDMA ସଂସ୍ଥା ପାଇଁ ୨୯୬ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଅଛି। Chief Minister Relief Fundରୁ ମିଳିଥିବା ଅନୁଦାନରୁ ୯୭ ଗୋଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କାର୍ଯ୍ୟ ଏହି ବିଭାଗ ଦ୍ୱାରା କରାଯାଇଅଛି।

୫. ବିଜୁ କେବିକେ ଯୋଜନା

ଗ୍ରାମ୍ୟ ଉନ୍ନୟନ ବିଭାଗ କେବିକେ ଜିଲ୍ଲାର ରାସ୍ତାଘାଟର ଉନ୍ନତି ପାଇଁ ବିଜୁ କେବିକେ ଯୋଜନା ଏବଂ ଅନ୍ୟ ଗ୍ରାମ ସଂଯୋଗୀକରଣ ଯୋଜନା ମାଧ୍ୟମରେ ବିଗତ ୪ ବର୍ଷରେ କେବିକେ ଜିଲ୍ଲାରେ ୨୯୨୫ କି.ମି. ଗ୍ରାମ୍ୟ ରାସ୍ତାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ୧୦୪୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଅଛି।

୬. ଦକ୍ଷତା ବୃଦ୍ଧି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ

ଏହା ବ୍ୟତୀତ ଗ୍ରାମ୍ୟ ଉନ୍ନୟନ ବିଭାଗ ନିଜ ବିଭାଗର ଦକ୍ଷତା ବୃଦ୍ଧି ପାଇଁ ବିଗତ ୪ ବର୍ଷରେ ୧୨୮୨ ଜଣ ବିଭାଗୀୟ ଯନ୍ତ୍ରୀ,ଗୁଣବତ୍ତା ନିରୀକ୍ଷକ ଏବଂ ଠିକାଦାରମାନଙ୍କୁ ଜାତୀୟ ବୈଷୟିକ ଅନୁଷ୍ଠାନମାନଙ୍କରେ ପ୍ରଶିକ୍ଷଣ ଦେଇଛନ୍ତି। ଗତ ୪ ବର୍ଷରେ ନୂତନ ବୈଷୟିକ ପ୍ରଣାଳୀର (Green Technology) ଉପଯୋଗ କରି ୧୫୩୩ କି.ମି. ରାସ୍ତା ନିର୍ମାଣ କରାଯାଇଅଛି। ଗ୍ରାମ୍ୟ ଉନ୍ନୟନ ରାସ୍ତାଗୁଡ଼ିକର ନିର୍ମାଣ, ରକ୍ଷଣାବେକ୍ଷଣ ତଥା ନୂଆ Technology ଆଦି ସମ୍ପର୍କରେ ଯନ୍ତ୍ରୀମାନଙ୍କୁ ସମୟ ସମୟରେ ତାଲିମ ଦେବା ପାଇଁ ଭୁବନେଶ୍ୱରରେ ଗୋଟିଏ Rural Connectivity Training & Research Centre (RCTRC) ଏବଂ ୬ ଗୋଟି Rural Road Network Management Unit (RRNMU) ଅନୁଗୋଳ, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର, ବଲାଙ୍ଗୀର, ଏବଂ କଟକଠାରେ ସ୍ଥାପନ କରିବା ପାଇଁ ପଦକ୍ଷେପ ନିଆଯାଇଛି।

Comment