ଓଡ଼ିଶାଲାଇଭ୍ ବ୍ୟୁରୋ

କଟକର ଚା’ ବିକାଳି ଡି ପ୍ରକାଶ ରାଓଙ୍କ କଥା ମନ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

କେନ୍ଦ୍ରର ଏନଡିଏ ସରକାରଙ୍କୁ ପୂରିଛି ଚାରି ବର୍ଷ। ଦେଶବାସୀଙ୍କୁ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ ଜରିଆରେ ସମ୍ବୋଧିତ କରିଛନ୍ତି। ମନ୍ କି ବାତ୍‌ର ୪୪ତମ ସଂସ୍କରଣରେ ମୋଦି କଟକର ଚା’ ବିକାଳି ଡି ପ୍ରକାଶ ରାଓଙ୍କ ସମ୍ପର୍କରେ କହିଛନ୍ତି।

ଚା’ ବିକୁଥିବା ପ୍ରକାଶ କିପରି ଅନାଥ ପିଲାଙ୍କୁ ପାଠ ପଢ଼ାନ୍ତି ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି ସେ ବିଷୟରେ ମୋଦି ତାଙ୍କ ରେଡିଓ କାର୍ଯ୍ୟକ୍ରମ ଜରିଆରେ କହିଛନ୍ତି। ପ୍ରକାଶ ରାଓଙ୍କ ଏହି କାର୍ଯ୍ୟକୁ ମୋଦି ପ୍ରଶଂସା କରିଛନ୍ତି।

ମୋଦି କହିଛନ୍ତି, “ଶ୍ରୀମାନ ପ୍ରକାଶର ରାଓ କଟକରେ ୫୦ ବର୍ଷ ହେଲା ଚା’ ବିକୁଛନ୍ତି। ହେଲେ ତାଙ୍କ ଭିତରେ ଏକ ମଣିଷ ପଣିଆ ଲୁଚି ରହିଛି। ଚା ବିକ୍ରି କରି ଯାହା ରୋଜଗାର କରନ୍ତି ସେଥିରୁ ଅଧା ଟଙ୍କା ସେ ଅନାଥ ପିଲାଙ୍କୁ ମଣିଷ କରିବା ପାଇଁ ଖର୍ଚ୍ଚ କରନ୍ତି। ଅସହାୟ ପିଲାଙ୍କ ପାଇଁ ସେ ନିଜ ଜୀବନ ଉତ୍ସର୍ଗ କରିଦେଇଛନ୍ତି।”

ନିଜ ଟଙ୍କାରେ କଟକ ଅସହାୟ ପିଲାଙ୍କ ପାଇଁ ସେ ଆଶା ଆଶ୍ୱାସନା ନାଁରେ ସ୍କୁଲ ଖୋଲିଛନ୍ତି ପ୍ରକାଶ। ପିଲାମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ପେୟ କଥା ମଧ୍ୟ ପ୍ରକାଶ ବୁଝିଥାନ୍ତି। କଟକର ଜଣେ ଚା’ ବିକାଳିଙ୍କ କଥା ମନ କି ବାତରେ କହି ମୋଦି ପ୍ରକାଶ ରାଓଙ୍କୁ ପ୍ରଶଂସା କରିଛନ୍ତି।

Comment