ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅମ୍ବାଲା ଜେଲରେ ଡ୍ରେସ ଡିଜାଇନିଂ, ବ୍ଲକ୍‌ ପ୍ରିଣ୍ଟିଂ ଓ ବିଉଟି ଟିପ୍‌ସ କୋର୍ସ କରିବା ପାଇଁ ଗୁରମିତ ରାମରହିମଙ୍କ ପାଳିତ କନ୍ୟା ହନିପ୍ରୀତ ଇନସାନ ନାମ ଲେଖାଇଛନ୍ତି।

ଡେରା ସଚ୍ଚା ସୌଦାର ମୁଖ୍ୟ ତଥା ବିବାଦୀୟ ଧର୍ମଗୁରୁ ଗୁରମିତ ରାମ ରହିମଙ୍କ ପାଳିତ କନ୍ୟା ହନିପ୍ରୀତ ଇନସାନ ଏବେ ଅମ୍ବାଲା ଜେଲରେ  ଡ୍ରେସ ଡିଜାଇନିଂ, ବ୍ଲକ୍‌ ପ୍ରିଣ୍ଟିଂ ଓ ବିଉଟି ଟିପ୍‌ସ କୋର୍ସ କରିବା ପାଇଁ ନିଜ ନାମ ଲେଖାଇଛନ୍ତି।

ଗତ ଅଗଷ୍ଟ ୨୫ ତାରିଖରେ ଦୁଇଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ସିବିଆଇ ସ୍ୱତନ୍ତ୍ର କୋର୍ଟ ୨୦ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ରାମ ରହିମଙ୍କୁ ଜେଲ ହେବା ପରେ ତାଙ୍କ ଭକ୍ତମାନେ ପଞ୍ଚକୁଲା ସହରରେ ଭୟଙ୍କର ହିଂସାକାଣ୍ଡ ଘଟାଇଥିଲେ। ଏହି ହିଂସାକାଣ୍ଡ ଘଟାଇବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ୨୦୧୭ ମସିହା ଅକ୍ଟୋବର ୧୭ ତାରିଖରେ ଗିରଫ ହୋଇ ହନିପ୍ରୀତ ଇନସାନ  ଅମ୍ବାଲା ଜେଲରେ ଅଛନ୍ତି।

ନିକଟରେ ଅମ୍ବାଲା ଜିଲ୍ଲା ଆଇନ ପ୍ରାଧିକରଣ ସହଯୋଗରେ ଜେଲର ଅନ୍ତେବାସୀମାନଙ୍କୁ ବିଭିନ୍ନ  ଦକ୍ଷତା ବିକାଶ ପାଇଁ ତାଲିମ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ହନିପ୍ରୀତ ଇନସାନ ଓରଫ ପ୍ରିୟଙ୍କା ତନେଜା ଜେଲରେ ଦିଆଯାଉଥିବା ତାଲିମ କାର୍ଯ୍ୟକ୍ରମରେ ଡ୍ରେସ ଡିଜାଇନିଂ ତାଲିମ ନେବା ପାଇଁ ଇଛା ପ୍ରକାଶ କରିଛନ୍ତି।

ଜେଲ ବିଭାଗର ଆଇଜି ଜଗଜୀତ ସିଂହ କହିଛନ୍ତି, “ସଜା ଭୋଗୁଥିବା କଏଦୀମାନଙ୍କୁ ଦକ୍ଷତା ବିକାଶ ତାଲିମ ଦେବାର ବ୍ୟବସ୍ଥା ରହିଛି। ହନିପ୍ରୀତ ମଧ୍ୟ ଜଣେ ବିଚାରାଧୀନ କଏଦୀ ଭାବେ ଡ୍ରେସ ଡିଜାଇନିଂ, ବ୍ଲକ୍‌ ପ୍ରିଣ୍ଟିଂ ଓ ବିଉଟି ଟିପ୍‌ସ କୋର୍ସ କରିବାକୁ ଇଚ୍ଛା ପ୍ରକାଶ କରିଥିବାରୁ ତାଙ୍କୁ ଏହି ସୁଯୋଗ ମିଳିଛି”।

Comment